Unknown

 

 

 

 

 

 

 

 

 

 

 

 

କଥା ଲହରୀ

ସୁଚୀତ୍ରା ଦେବୀ

 

କଥାର ଲଥା

 

କଥାଟିଏ କହୁଁ କଥାଟିଏ କହୁ ।

କିସ୍‌ କଥା ? ବେଙ୍ଗୁଲି କଥା ।

କିସ୍‌ ବେଙ୍ଗୁଲି ? କାଠ ବେଙ୍ଗୁଲି ।

କିସ୍‌ କାଠ ? ତେଲି ମାଠ ।

କିସ୍‌ ତେଲି ? ଘଣା ପେଲି ।

କିସ୍‌ ଘଣା ? ଆଖୁ ଘଣା ।

କିସ୍‌ ଆଖୁ ? କନ୍ତାରି ଆଖୁ ।

କିସ୍‌ କାନ୍ତାରି ? ବୁଢ଼ୀ ମନ୍ଥରୀ ।

କିସ୍‌ ବୁଢ଼ୀ ? ଶୁକଳ ବୁଢ଼ୀ ।

କିସ୍‌ ଶୁକଳ ? ହାତୀ ଶୁକଳ ।

କିସ୍‌ ହାତୀ ? ରାଜାଙ୍କ ହାତୀ ।

କିସ୍‌ ରଜା ? ଖଣ୍ଡ ଖଜା

କିସ୍ ଖଣ୍ଡ ? ମିରିଗ୍ ଲଣ୍ଡ ।

କିସ୍‌ ମିରିଗ୍‌ ? ଝାଡ଼ ମିରିଗ୍‌ ।

କିସ୍‌ ଝାଡ଼ ? କଣ୍ଟା ଝାଡ଼ ।

କିସ୍‌ କଣ୍ଟା ? କାନ କୋଳି କଣ୍ଟା ।

ଯହିଁ ଲାଗିଥାଏ ଝଟାପଟା । *

 

*କଥାଟିଏ କହିବା ପୂର୍ବରୁ ଶ୍ରୋତାମାନଙ୍କ ଅନୂରୋଧର ଉତ୍ତରରେ ସ୍ତ୍ରୀ ଲୋକମାନେ ଏହି ଅର୍ଥହୀନ ବାକ୍ୟଗୁଡ଼ିକ କହଥାନ୍ତି ।

Image

 

ସାଧବଘର ବୋହୂ କଥା

 

ଗୋଟିଏ ସାଧବଟିଏ ଯେ ତାର ସାତ ପୁଅ ସାତ ବୋହୂ । ସବା ସାନ ବୋହୂଟିକି କେହି ଦେଖିପାରନ୍ତି ନାହିଁ । ଏକା ସ୍ୱାମୀଟି ଭାରୀ ଦେଖିପାରେ । ସମସ୍ତେ ସକାଳୁ ଗାଧୋଇ ପାଧୋଇ ଆସନ୍ତି, ସାନ ବୋହୂଟି ଅଢ଼େଇ ପହରେ ଗେଧୋଇ ଯାଏ । ଗାଧୋଇ ଆସେ, ସେଠାରେ ଠାକୁର ଥାଆନ୍ତି ନଈପାଖେ, ସାନ ବୋହୂ ଦିଅଙ୍କଠାରେ ଦଣ୍ଡବତ କରେ, କହେ ଶଶୁର ହୋଇବେ ଗାଁ ରାଜନ ଲୋ ଶାଶୁ ହୋଇଥିବେ ରାଣୀ, ଛ ଦେଢ଼ଶୁର ସାଆନ୍ତ ଲୋ, ଛଅ ଯାଆ ସାଆନ୍ତାଣୀ, ମୋ ଗିରସ୍ତ ହେବ କନକ ରାଜନ ମୁଁ ହେବି ପାଟ ରାଣୀ । ପୁଅ ହୋଇଥିବ ରାଜକୁମାର ଲୋ, ପୋଥି ଧରି ଗୀତ ଗାଇବ, ଦ୍ୱାରେ ଲଗାଇବି ସୁନାଟଭା ଗଛ ନଗୀ ଧରି ଫୁଲ ତୋଳିବ । ଦିଅ ହୋଇବ ? ଦିଅଁ କହନ୍ତି ହଁ ହୋଇବ । ଏହିପରି ସବୁଦିନେ କହେ, ଦିଅଁ କହନ୍ତି ହଁ ହୋଇବ । ଦିନକର ଛ ଯା ଯାକ ଶୁଣିଲେ, ଯାଇକରି ମିଛରେ ଶାଶୁ ଆଗରେ କହିଲେ, ସାନ୍ତାଣି ଶୁଣିଲଣି ତମ ସାନ ବୋହୂ କଣ କହୁଚି ! ଶାଶୁ କହିଲା କଣ କହୁଚି ? କହୁଚି, ଛ ଦେଢ଼ଶୁର ଛ ମୁଲିଆ ଲୋ ଛ’ ଯାଆ ମୂଲିଆଣି ଶଶୁର ହୋଇବେ ଗାଁର ମଳିକ, ଶାଶୁ ହେବେ ମଳିକାଣୀ, ମୋ ଗିରସ୍ତ ହେବ କନକ ରାଜନ ମୁଁ ହେବି ପାଟରାଣୀ, ପୁଅ ବେଇଁଥିବି ରାଜକୁମାର ଲୋ ପୋଥି ଧରି ଗୀତ ଗାଇବ, ଦ୍ୱାରେ ଲଗାଇବି ସୁନା ଟଭାଗଛ ନଗୀ ଧରି ଫୁଲ ତୋଳିବ । ସେ ପଚାରେ ଦିଅଁ ହୋଇବ ? ସେ ଦିଅଁଟା କହେ ହଁ ହୋଇବ । ଶାଶୁ ଶଶ୍ୱର ସମସ୍ତେ କହିଲେ ସାନ ବୋହୂକୁ ଘରୁ ତଡ଼ିଦିଅ । ତା ସ୍ୱାମୀ ଆଗରେ କହିଲେ । ସ୍ୱାମୀ କହିଲା ହଁ ତଡ଼ିଦେବ ଯେ, ରହିଥାଅ ବୁଝିବା, ଶୁଣିବା ଲୁଚିକରି ସେ କଣ କହିବ, ତେବେ ଯାଇଁ ତଡ଼ିଦେବ, ବୃଥାରେ କାହିଁକି ସେମନ୍ତି ହେଉଚ ? ସମସ୍ତେ ତୁନାତୁନି ହୋଇ ରହିଲେ । ତହିଁ ଆରଦିନ ସାନ ବୋହୂ ଗାଧୋଇ ଗଲାବେଳେ ଶାଶୁ, ଛ ଯା, ୟା ବର ଲୁଚିକରି ରହିଲେ । ଏ ଗାଧୋଇ ଆସି ଠାକୁରଙ୍କଠାରେ ଦଣ୍ଡବତ କଲାବେଳେ କହିଲା, ଶଶୁର ହୋଇବେ ଗାଁ ରାଜନ ଲୋ, ଏହିପରି ସବୁଦିନେ ଯେମନ୍ତି କହେ ସେମିତି କହିଲା-। ଦିଅଁ କହିଲେ ହଁ ହୋଇବ । ସାନ ବୋହୂ ଘରକୁ ଆସିଲା, ଏସବୁ ଘରକୁ ଆସିଲେ ଏହାର ବର କହିଲା, ସେତ ଏହା କହିଲା, ତେମେ ସବୁ କେମନ୍ତ ଅନ୍ୟ ପ୍ରକାର କହିଲ ? ଆଜି ଏହା କହିଲ, ଆଉ କେଉଦିନ ଆଉ କଣ କହିବ । ଦିଅ ତାକୁ ବାହାର କରିଦିଅ, ମତେ ବାହାର କରିଦିଅ, ଆମେ ଯାଉଛୁଁ । ଏହା କହି ସ୍ୱାମୀ ସ୍ତ୍ରୀ ଦୁହେଁଯାକ ଗଲେ ଘରୁ ବାହାରି । ଯାଇଁ ଆଉ ଗୋଟିଏ, ରାଇଜରେ ଗୋଟିଏ ବରଗଛ ମୂଳରେ ବସିଚନ୍ତି, ସେଇ ରାଇଜର ରଜା ମରି ଯାଇଥାଏ ଯେ ହାତୀ ମୁଣ୍ଡରେ କଳଶ ଦିଆ ହୋଇଥାଏ, ଯାହା ଉପରେ ହାତୀ କଳଶ ଢାଳିବ ସେ ରାଜା ହେବେ । ହାତୀ କଳଶ ଘେନି ବୁଲୁଥାଏ, ଦେଖିଲା ଏ ଦୁହେଁ ବରଗଛମୂଳେ ବସିଚନ୍ତି, ୟାଙ୍କ ଉପରେ କଳଶ ଢାଳିଦେଲା, ୟାଙ୍କୁ ଉପରେ ବସାଇଲା, ନେଇ ସେ ରାଇଜର ରଜା କରାଇଲା । ଏ ରାଜା ହେଲା, ଭାରିଯା ପାଟରାଣୀ ହେଲା, ରହିଲେ । ପୁଅ ଜନ୍ମ ହେଲା, ପୁଅର ନା ଦେଲେ, ଖଡ଼ିଛୁଆଁ, କାନବିନ୍ଧା ହେଲା-। ପୁଅ ବଢ଼ିଲା, ଦୁଆରେ ଗୋଟାଏ ଟଭାଗଛ ଲଗାଇଥାଏ, ପୁଅ ହାତରେ ଖଣ୍ଡିଏ ଆଙ୍କୁଡ଼ା ଦେଇଥାଏ, ପୁଅ ଫୁଲ ତୋଳୁଥାଏ, ଗୀତ ବୋଲୁଥାଏ ପୋଖରୀ ଖୋଳା ଲାଗିଥାଏ,ଏହିପରି ଭାରୀ କାରଖାନା ଲାଗିଚି ତାର । ଏ ସାଧବଘର ବରାବରି ମାଗି ଖାଇଗଲା ପରି ଗଲେ, ପେଟକୁ ଦାନା ଅଣ୍ଟିଲା ନାହିଁ ଗଣ୍ଡିକି କନା ମିଳିଲା ନାହିଁ । ଶୁଣିପାରିଲେ କୋଉ ଦେଶରୁ ଜଣେ ନୂଆ ରଜା ଆସିଚି ଯେ ପୋଖରୀ ଖୋଳାଉଚି, କୂଅ ଖୋଳାଉଚି, ସବୁ ଦାନ ଧର୍ମ କରୁଚି । ଏମାନେ କହିଲେ ଆମର ଚାଲ ମାଟି ବୋହିବା ଯେ ମୂଲ ଆଣି ପେଟ ପୋଷିବା । ଛଅ ବୋହୂଯାକ, ଶାଶୁ ଶଶୁର; ଛ ପୁଏ, ସମସ୍ତେ ଗଲେ, ଯାଇ ପୋଖରୀ ଉପରେ ବସିଲେ । ଯେ କଡ଼ାକିଆ(୧)ପକାଉଥିଲା ତାକୁ କହିଲେ ଯା ତମ ସାଆନ୍ତାଣୀଙ୍କି କହିବ ସାତଜଣ ମରଦ ସାତଜଣ ମାଈପେ ଆସିଛନ୍ତି ତାଙ୍କୁ ମାଟି ବୁହାଇବେ ? ଜଣେ ଚାକିରିଆ ଯାଇ ରାଜାଙ୍କୁ କହିଲା, ରାଜା କହିଲେ ଯା ରାଣୀଙ୍କୁ ପଚାରିବୁ-। ରାଣୀକି ଆସି ସେଇୟା କହିଲା, ରାଣୀ କହିଲେ ହଉ ସେ ମାଟି ବୋହନ୍ତୁ । ଏ ଜାଣିପାରିଲା, ଉପର ମହଲାକୁ ଚଢ଼ିଗଲା ଓ ଦେଖିକରି ଆସିଲା; କହି ପଠାଇଲେ ଯୋଉ ବୁଢ଼ା ବୁଢ଼ୀ ଦୋଟି, ତାଙ୍କୁ ଅଳପ ମାଟି ଦେବ, ଯୋଉ ଛଅଟା ମରଦ ଛଅଟା ମାଈପେ, ତାଙ୍କ ମୁଣ୍ଡରେ ଖୁବ୍‌ ମଜଭୁତ୍‌ ବୋଝେ ଲେଖାଁ ଲଦିଦେବ । ଏମାନେ ମାଟି ବୋହିଲେ; ଖୁବ୍‌ ବୋଝେ ଲେଖାଏଁ ମାଟି ନିଅନ୍ତି, କଉଡ଼ି କଡ଼ାଏ ପାଆନ୍ତି । ଏ କ’ଣ କଲା ପୂଝାରି ପାଖକୁ କହି ପଠାଇଲା, ଆଜି ବେଶୀ କରି ରୋଷେଇ କରିବ, ଭଲକରି ତରକାରୀ କରିବ, ସବୁ ଆଣିବ ଏଆଡ଼େ ଦେଇଯିବ । ପୂଝାରି ରୋଷେଇବାସ କରି ରାଣୀଙ୍କ ଉଆସରେ ଦେଇ ଆସିଲା । ଏ ଚାକରକୁ କହିଲା ସେ ଯୋଉ ସାତ ଜଣ ମରଦ ସାତଜଣ ମାଈପେ ଆସିଚନ୍ତି ତାଙ୍କୁ ଡାକିଆଣ; ଚାକର ଡାକି ଆଣିଲା । ଏ କ’ଣ କଲା, ସାତଜଣ ଭଣ୍ଡାରି ଭଣ୍ଡାରି, ସାତ ଗିନା ତେଲ, ସାତ ଯୋଡ଼ା ପାଟଯୋଡ଼ ୟାକୁ ସବୁ ସାତ ମରଦଙ୍କ ପାଇଁ ପଠାଇଲା; ସାତ ମାଈପିଙ୍କ ପାଇଁ ସାତ କାଠୁଆ ହଳଦି, ସାତ ଗିନା ତେଲ, ସାତୁଟା ପୋଇଲୀ, ସାତଖଣ୍ଡ ପାଟଶାଢ଼ୀ ପଠାଇଦେଲା । ସେ ସବୁ ଲଗେଇ ପଗେଇ ହୋଇ ଗାଧୋଇ ପାଧୋଇ ଆସିଲେ, ଆଉ ଏ ସାନବୋହୂ ସାନ ପୁଅ ବୋଲି ଜାଣନ୍ତି ନାହିଁ, ମନେ ମନେ ହେଉଥାନ୍ତି ସମସ୍ତେ ଏ ଆମକୁ ଏପରି ସବୁ କାହିଁକି କରୁଚି, ଏ କ’ଣ ଆମକୁ ଆଉ ମାରି ପକାଇବ କି ? ଏପରି ମନରେ ପାଞ୍ଚି ହେଉଥାନ୍ତି । ଯୋଉଠୁଁ ଏମାନେ ଗାଧୋଇ ଆସିଲେ ଦେଖିଲା, ଦିଇଟା ଘରେ ଠା ପୀଢ଼ା କଲା, ଶଶୁର ଆଉ ଛ’ ଦେଢ଼ଶୁରଙ୍କୁ ଗୋଟାଏ ଘରେ ଦେଲା, ଶାଶୁ ଆଉ ଛ’ ଯାଙ୍କୁ ଆଉ ଗୋଟିଏ ଘରେ ଦେଲା । ସମସ୍ତଙ୍କୁ ଲୁଣ ଦେଇଥାଏ, ଆଉ ଶାଶୁ ଶଶୁରଙ୍କୁ ଲୁଣ ଦେଇ ନଥାଏ ଯେତେଥର ଆସୁଥାଏ ପରିଷିବାକୁ, ତେତେଥର ଭିନ୍ନ ଭଳିରେ ଖଣ୍ଡେ ଲେଖାଁ ପାଟ ପିନ୍ଧି ଆସୁଥାଏ । ଏମାନେ ମନେ କରୁଥାନ୍ତି ଏହା ଘରେ ଏମନ୍ତ କେତେ ବୋହୂ ଅଛନ୍ତି କି ? ଏ ସମସ୍ତଙ୍କୁ ଆଗରେ ପଛରେ ଦେଇ ସାରିଲା, ଫେର କହିଲା ଆଉ କଣ ଦେବି ? ଶାଶୁ ଶଶୁର ଆଉ ଏତେ କଥା ଜାଣିଚନ୍ତି ? କହିଲେ ଲୁଣ ଦୋଟି ଦେଲ । ଏ ସେତିକିବେଳେ କହିଲା, କେତେ ଦେବି ଲୁଣ, କି କହିବି ଏ ଶାଶୁ ଶଶୁରଙ୍କ ଗୁଣ । ଏହା ଯେଉଠୁ କହିଲା, ସମସ୍ତେ ଜାଣିପାରିଲେ, କାନ୍ଦି ଉଠିଲେ; କହିଲେ ଯାହା କହିଥିଲା ସେଇଆ ହେଲା । ଆମେ ଯାହା କହିଥିଲୁ ଆମକୁ ବି ସେଇଆ ଫଳିଲା । ଏହିପରି କୁହା କୁହି ହେଲେ, ସେଠାରେ ମାସେ ଦି ମାସେ ରହିଲେ । ତେଣେ ଅଲଗା ଉଆସ ତୋଳା ହେଲା, ସେମାନେ ସେଥିରେ ରହିଲେ, ଘର ଦୁଆର କଲେ, ମୁଁ ଗଲାରୁ କଥା କହିଲେ ନାହିଁ । * ମୋ କଥାଟି ସରିଲା, ଫୁଲ ଗଛଟି ମରିଲା ।

 

ହଇରେ ଫୁଲଗଛ କାହିଁକି ମରିଲୁ ? ମତେ ଗାଈ ଖାଇଗଲା । ହଇରେ ଗାଈ କାହିଁକି ଖାଇଲୁ ? ମତେ ଗଉଡ଼ ଜଗିଲା ନାହିଁ । ହଇରେ ଗଉଡ଼ କାହିଁକି ଜଗିଲୁ ନାହିଁ ? ମତେ ବଡ଼ ବୋହୂ ଭାତ ଦେଲା ନାହିଁ ।

 

ହଇଲେ ବଡ଼ବୋହୂ କାହିଁକି ଭାତ ଦେଲୁନାହିଁ ? ମତେ ପୁଅ ଛାଡ଼ିଲା ନାହିଁ ।

 

ହଇରେ ପୁଅ କାହିଁକି ଛାଡ଼ିଲୁ ନାହିଁ ? ମତେ ଧୂଳିଆଯନ୍ଦା କାମୁଡ଼ିଲା ।

 

ହଇରେ ଧୂଳିଆଯନ୍ଦା କାହିଁ କାମୁଡ଼ିଲୁ ? ମୁଁ ମାଟି ତଳେ ତଳେ ଥାଏ କଅଁଳ ମାଉଁସ ପାଇଲେ ରୁଟ୍‌ କରି ଖାଏ ।

 

(୧) ଦୂରତା ଅନୁସାରେ ବୋଝେ ମାଟି ନେଇ ନିର୍ଦ୍ଧିଷ୍ଟ ସ୍ଥାନରେ ପକାଇଲେ କଡ଼ାଏ ବା ଦୁଇକଡ଼ା ବା ଅଧିକ ଦେବା ରୀତିକୁ କଡ଼ାକଥା କହନ୍ତି ।

Image

 

ଶ୍ୱେତ ବସନ୍ତ କଥା

 

ଗୋଟିଏ ମାଳିଟିଏ, ସେ ଭାରୀ ଦୁଃଖୀଟିଏ । ଏ ମାଳିର ଦୁଇ ପୁଅ, ବଡ଼ପୁଅ ନା ଶ୍ୱେତ, ସାନ ପୁଅ ନା ବସନ୍ତ । ଦୁଇଭାଇ ଏହିପରି ଦୁଃଖ ପାଇ ରହିଥାନ୍ତି, ମାଳି ତା ଭାରିଯା ଦୁହେଯାକ ମରିଗଲେ ଆଉତ କେହି ଆଶ୍ରା ନାହିଁ, ଏ ଦୁହେଁ ଦାଦିଘରେ କାମ ଦାମ କରି ଚଳୁଥାନ୍ତି-। ଦିନେ ଦାଦିର ସୁନାମୁଦି ଚୋରିଗଲା, ଦାଦି ଏ ଦୁହିଁକି ଧରିଲା । ଏ ଦୁହେଁ କହିଲେ ଆମେ ନେଇ ନାହୁଁ । ଦାଦି ଏମାନଙ୍କ କଥା ସତ ନକରି ଏ ଦୁହିଁକି ତଡ଼ିଦେଲା । ଏ ଦୁହେଁ କାନ୍ଦି ବୋବେଇ ଘରୁ ବାହାରିଗଲେ, ଯାଇଁ ଗୋଟିଏ ବନସ୍ତରେ ପହଞ୍ଚିଲେ । ସେ ବନସ୍ତରେ ଗୋଟିଏ ଶୁଆଟିଏ ଗୋଟିଏ ସାରୀଟିଏ ଗଛରେ ବସି କହି ହେଉଚନ୍ତି—ଶୁଆ କହୁଚି ମତେ ଯେ ଧରିବ ସେ ରଜା ହେବ, ସାରୀ କହୁଚି ମତେ ଯେ ଧରିବ ସେ ଚାଲିଲେ ପଦ୍ମ ଉକୁଟିବ, କାନ୍ଦିଲେ ମୁକୁତା ଝଡ଼ିବ-। ଏହିପରି କୁହାକୁହି ହେଉଥାନ୍ତି; ଏ ଦୁଇଭାଇ ଶୁଣିଲେ ଓ ଧରିବାକୁ ଗଲେ । ଶ୍ୱେତ ଧରିଲା ଶୁଆଟିକି ବସନ୍ତ ଧରିଲା ସାରୀକି । ଧରିକରି ଆଣି ଭୋକ ବିକଳରେ ଦୁହେଁ ଦୋଟିଯାକ ଖାଇଦେଲେ । ଖାଇସାରି ବସନ୍ତ କହିଲା ମୋତେ ଶୋଷ କରୁଛି; ପାଣି କେଉଁଠି ମିଳିବ-? ଶ୍ୱେତ କହିଲା, ତୁ ଏଇଠି ବସିଥା ମୁଁ ପାଣି ଆଣେ; ଏହା କହି ପାଣି ଖୋଜିବାକୁ ଗଲା । ସେ ଗାଡ଼ିଆକୂଳେ ହୋଇଚି, ସେ ଦେଶର ରାଜା ମରିଯାଇଛି ଯେ ହାତୀ କଳସ ଘେନି ବୁଲୁଚି, ଯାହାକୁ ମନ କରିବ ତା ଉପରେ କଳଶ ଢାଳିଦେବ; ଶ୍ୱେତକୁ ଦେଖି ତା’ଉପରେ କଳସ ଢାଳିଦେଲା-। ପାତ୍ର ମନ୍ତ୍ରୀ ସମସ୍ତେ ଶ୍ୱେତକୁ ହାତୀରେ ବସାଇ ନେଇ ଗଲେ; ରାଜା କଲେ । ଶ୍ୱେତ ରାଜା ହୋଇ ସବୁ ବୁଝିଲା, ଖାଲି ବସନ୍ତ ପାଇଁ ଭାବି ହେଉଥାଏ ମନେ ମନେ । ଏଣେ ବସନ୍ତ ଭାଇକି ଅନାଇଁ ଅନାଇଁ ଆଉ ଭାଇ ଆସିଲା ନାହିଁ ଯୋଉଁଠୁ; କାନ୍ଦି କାନ୍ଦି ବନସ୍ତ ଭିତରକୁ ବାହାରିଲା । ବାଟରେ କାନ୍ଦିଲାକ୍ଷଣି ମୁକ୍ତା ଝଡ଼ୁଥାଏ; ପାଦ ପକାଇଲାରୁ ପଦ୍ମ ଫୁଟୁଥାଏ ଏହିପରି ବାଟଯାକ ହେଇ ଯାଉଥାଏ । ବସନ୍ତ ମୁକ୍ତାତକ ଗୋଟାଇ ରଖୁଥାଏ, ବାଟ ଚାଲୁଥାଏ । ଭାଇକି ତ ପାଇଲା ନାହିଁ ବୁଲି ବୁଲି ସେ ଯୋଉ ଗାଁରେ ରାଜା ହୋଇଛି ସେହି ଗାଁରେ ଗୋଟିଏ କୁମ୍ଭାର ଘରେ ରହିଲା-। ଲୁଗାପଟା ତ ନଥାଏ, ଖଣ୍ଡିଏ ଚିରାଲୁଗାରେ ସେ ମୁକ୍ତାତକ ବାନ୍ଧି କୁମ୍ଭାରଘରେ ଗଣ୍ଡିଏ ଗଣ୍ଡିଏ ଖାଇ କାମ ଦାମ କରୁଥାଏ । ଏହିପରି କେତେଦିନ ଗଲା, ରାଜା ଚୋର ଜଗିବାକୁ ମନିଷ ଦରକାର ହେଲେ, ଗ୍ରାମରେ ଯେତେ ଘର ସମସ୍ତଙ୍କ ଘରୁ ଜଣେ ଜଣେ ଜଗିବାକୁ ଗଲେ । କୁମ୍ଭାର ଘରୁ ବସନ୍ତ ଚୋର ଜଗିବାକୁ ଗଲା । ଦିନେ ବସନ୍ତ ନ ଥିଲାବେଳେ କୁମ୍ଭାର ତାର ଲୁଗାପଟା ଫିଟାଇ ଦେଖେ ଯେ, ମୁକ୍ତା ସବୁ ଜଳ ଜଳ ଦିଶୁଚି । ମୁକ୍ତାଗୁଡ଼ିକ ସେଥିରୁ ନେଇଗଲା, ଭାତ ଗୁଡ଼ିଏ ବାନ୍ଧିଦେଲା । ବସନ୍ତ ଆସି ଦେଖେ ଯେ ମୁକ୍ତାତକ ନାହିଁ । କୁମ୍ଭାରକୁ ପଚାରିଲାରୁ କୁମ୍ଭାର ନାହିଁ କରି ମାରି ଗୋଡ଼ାଇଲା । ବସନ୍ତ ଆଉ କଣ କରିବ, ତୁନି ହୋଇ ରହିଲା । ନିତି ରାତିକି ବସନ୍ତ ଚୋର ଜଗିବାକୁ ଯାଏ, ସେଠେଇ ସମସ୍ତେ ସମସ୍ତଙ୍କ ଦୁଃଖ ସୁଖ କଥାବାର୍ତ୍ତା ହୁଅନ୍ତି । ଦିନେ କଥା ପଡ଼ୁ ପଡ଼ୁ ବସନ୍ତର କଥା ସମସ୍ତେ ପଚାରିଲେ । ବସନ୍ତ କହିଲା ଦୁଃଖ କହିବିକି ସୁଖ କହିବି; ଯାହା ଅଙ୍ଗେ ନିଭେଇଚି ତାହା କହିବି । ତା’ ଜୀବନର ସବୁ ଘଟଣା କହିଗଲା । ଯେମନ୍ତି ସେ ଦୁଇଭାଇ ଥିଲେ ବାପା ମା କେମିତି ମରିଯିବାରୁ ଦାଦି ଘରେ ଥିଲେ, ଦାଦିର ମୁଦି ଚୋରି ଯିବାରୁ ଦାଦି ଯେମିତି ତଡ଼ିଦେଲା, ବନସ୍ତରେ ଶୁଆ ସାରୀ ଯାହା ଯାହା କହିଥିଲେ; ଶ୍ୱେତ ପାଣି ପାଇଁ ଯାଇ ଯେମିତି କୁଆଡ଼େ ରହିଲା, ଏ କୁମ୍ଭାରଘରେ ରହିଥିଲା; ଏହାର ମୁକ୍ତାତକ ଯେମନ୍ତ କୁମ୍ଭାର ନେଇଗଲା; ସବୁକଥା ସେମାନଙ୍କୁ କହିଗଲା । ଏମାନେ ଶୁଣି ବଡ଼ ବ୍ୟସ୍ତ ହେଲେ, ଯାଇ ରାଜାଙ୍କୁ ସବୁ କଥା କହିଲେ । ରାଜା ବସନ୍ତକୁ କୁମ୍ଭାର ଘରୁ ଡକାଇ ଆଣିଲେ, ତାକୁ ତାର ପରିଚୟ ପଚାରିଲେ । ବସନ୍ତ ଆଦ୍ୟରୁ ପ୍ରାନ୍ତ ପର୍ଯ୍ୟନ୍ତ ସବୁ କହିଗଲା । ଶ୍ୱେତ ବସନ୍ତ ଦିହେଁଯାକ ଚିହ୍ନା ଚିହ୍ନି ହେଲେ, କେତେ କାନ୍ଦିଲେ । ଶ୍ୱେତ ବସନ୍ତକୁ ଖିଅର କରାଇ ଆଣିଲା । ପଞ୍ଚତୀର୍ଥର ପାଣିରେ ଗାଧେଇଦେଇ ଭଲ ଲୁଗାପଟା ପିନ୍ଧାଇଲା । ପାତ୍ର ମନ୍ତ୍ରୀଙ୍କି ଡକାଇ ତାକୁ ଯୁବରାଜ କରିବାର ହୁକୁମ ହେଲା । ମନ୍ତ୍ରୀ ହେରିକା ଛତ୍ର ଚାମର ଧରିଲେ, ସିଂହାସନ ଉପରେ ବସନ୍ତ ବସିଲା, ହାତୀ ସୁବର୍ଣ୍ଣ କଳଶ ଢାଳି ତାକୁ ଅଭିଷେକ କଲା । ବସନ୍ତ ଯୁବରାଜ ହେଲା; ଶ୍ୱେତ ବସନ୍ତ ଦୁହେଁ ଯାକ ପରଜାଙ୍କୁ ବଡ଼ ସୁଖରେ ପାଳିଲେ । ବାହାସାହା ହୋଇ ସୁଖରେ ରହିଲେ । ମୁଁ ଗଲାରୁ କଥା ନ କହିଲେ । ମୋ କଥାଟି ସରିଲା, ଇତ୍ୟାଦି ।

 

ପ୍ରତ୍ୟେକ କାହାଣୀର ଉପସଂହାରରେ କଥୟନୀମାନେ ଏହି କଥାଗୁଡ଼ିକ କହିଥାନ୍ତି କେହି କେହି ବା କେବଳ ନିମ୍ନଲିଖିତ କେତୋଟି ଶବ୍ଦ ଉଚ୍ଚାରଣ କରି କଳ୍ପିତ ଉପସଂହାର କରନ୍ତି ।

 

‘‘ମୋ କଥାଟି ଏତିକି ଫୁଲ ଫୁଟିଗଲା କିଆ କେତକୀ ।’’

Image

 

ଚମ୍ପୀଚୋରୀ ଦାସୀର କଥା

 

ଗୋଟିଏ ରଜାଟିଏ, ତାର ଗୋଟିଏ ଚମ୍ପାଦେଈ ନାମରେ ଝିଅ, ଝିଅଟି ବଡ଼ ହେବାରୁ ତା ପାଇଁ ବରଘର ଲାଗିଲା । ବରର ନାମ ଷୋଳଶିଙ୍ଘା ମହାରାଜା । ରଜା ଝିଅତ; ସେ କ’ଣ ଜାଣନ୍ତି । ଝିଅ ମନେ ମନେ କଲା ସେ ବରର ଷୋଳଟା ଶିଙ୍ଘ । ମନେ ମନେ ବଡ଼ ଭାବନାରେ ଥାଏ, ବିଭାଘର ଦିନ ବର ଆସି ଅଧାବାଟରେ ହେଲାଣି, ଚମ୍ପାଦେଈ ମନ ବଡ଼ ଛଟପଟ ହେଲା । ତାର ଗୋଟିଏ ସମବୟସ୍କ ଦାସୀ ଥିଲା, ତାର ନାମ ଚମ୍ପାଚୋରୀ, ତାକୁ କହିଲା ଯା ତୁ ବରକୁ ଦେଖି ଆସିବୁ ତା ଶିଙ୍ଘ ସବୁ କିପରି ? ଚମ୍ପୀଚୋରୀ ବରକୁ ଦେଖି ଆସିଲା; ମିଛରେ ଆସି କହିଲା ଶିଙ୍ଘଗୁଡ଼ାକ କି ଅବର୍ଜିୟା ହେଇଚି, କେଉଁ ଶିଙ୍ଘରେ କନାଧଡ଼ି ଗୁଡ଼ିଆ ହେଇଚି; କେଉଁ ଶିଙ୍ଘରେ ଅଡ଼ୁଆବାଳ ଗୁଡ଼ିଆ ହୋଇଚି କେଉଁ ଶିଙ୍ଘ ନଡ଼ ନଡ଼ ହେଉଛି; ଏହିପରି କହି ଚମ୍ପାଦେଈ ମନରେ ଆଗଠଉଁ ବେଶି ଭୟ ଜାତ କରାଇଦେଲା । ଚମ୍ପାଦେଈ ଚମ୍ପୀଚୋରୀକୁ କହିଲା ମୁଁ ତାକୁ ବିଭା ହେବି ନାହିଁ, ତୁ ତାକୁ ବିଭା ହୋ; ମୁଁ ପଛକେ ତୋର ଦାସୀ ହୋଇଯିବି । ଚମ୍ପୀଚୋରୀ ଚମ୍ପାଦେଈ ସଜଯାକ ଲଗାଇ କନ୍ୟା ସାଜିଲା ଓ ଚମ୍ପାଦେଈ ଚମ୍ପୀଚୋରୀ ସଜଯାକ ଲଗାଇ ଦାସୀବେଶ ହେଲା, ବିଭାଘର ହେଲା । ଚମ୍ପୀଚୋରୀ ଷୋଳଶିଙ୍ଘା ମହାରାଜାକୁ ବିଭା ହେଲା, ଚମ୍ପାଦେଈ ତା ସଙ୍ଗରେ ଦାସୀ ହୋଇଗଲା । ଚମ୍ପାଦେଈ ଯେତେବେଳେ ଜାଣିପାରିଲା ଚମ୍ପୀଚୋରୀ ତାକୁ ମିଛ କହି ଅତିସୁନ୍ଦର ଷୋଳଶିଙ୍ଘା ରାଜାକୁ ବିଭା ହେଲା ତାର ମନରେ ଅତିଶୟ କଷ୍ଟ ହେଲା । ନିଜେ ତ ଏକଥା କରିଚି, ଆଉ କଣ କରିବ । ତୁନି ହୋଇ ରହିଲା । ଷୋଳଶିଙ୍ଘା ରାଜାଙ୍କ ଆଉ କେହି ନାହାନ୍ତି; ଚମ୍ପୀଚୋରୀ ରନ୍ଧାବଢ଼ା କରେ ରଜାକୁ ଖାଇବାକୁ ଦିଏ; ନିଜେ ଖାଏ ଆଉ ଚମ୍ପାଦେଈକୁ ଖାଇବାକୁ ଦିଏ । ଚମ୍ପାଦେଈ ଦାସୀ ହାତର ରନ୍ଧା ଖାଏ ନାହିଁ, ନଈକୂଳକୁ ନେଇ ଫୋଫାଡ଼ି ଦିଏ, କହେ ଛିଛି କାଉ, ଚମ୍ପୀଚୋରୀ ହାତରେ କି ଚମ୍ପାଦେଈ ଖାଉ । କେହି ନଖାଉ, ସେତ ବନ୍ଧ ହୋଇଥାଉ । ଏହିପରି ସବୁଦିନ କରେ । ସେ ନଈକୂଳେ ଗୋଟିଏ ଧୋବା ଲୁଗା କାଚୁଥାଏ, ସେ ରାଜାଙ୍କର ଧୋବା, ଏହା ସେ ପ୍ରତିଦିନ ଦେଖେ । ଦିନେ ଯାଇ ରାଜାଙ୍କୁ କହିଲା ମଣିମା ! ଗୋଟିଏ କଥା କହିବାକୁ ଭାରି ଭୟ ମାଢ଼ୁଚି, ରାଜା କହିଲେ କିଛି ଭୟନାହିଁ କହ । ଧୋବା କହିଲା ମଣିମାଙ୍କ ଉଆସରୁ କିଏ ଗୋଟିଏ ନିତି ନଈ-କୂଳକୁ ଯାଏ, ଭାତ ନଈକୂଳେ କୁଢ଼ାଇ ଦିଏ, କହେ ଛି ଛି କାଉ, ଚମ୍ପୀଚୋରୀ ହାତରେ କି ଚମ୍ପାଦେଈ ଖାଉ ? କେହି ନ ଖାଉ ସେତ ବନ୍ଧ ହୋଇଥାଉ । ରଜା ଏକଥା ଦେଖିବାକୁ ଦିନେ ଲୁଚି ରହିଲେ, ଦେଖିଲେ ଦାସୀ ଭାତଗୁଡ଼ାକ କୁଢ଼ାଇଦେଇ ଏପରି କହୁଚି ହଠାତ୍‌ ବାହାରିପଡ଼ି ଦାସୀକୁ ଏ କଥାମାନଙ୍କର କାରଣ ପଚାରିଲେ ଚମ୍ପାଦେଇ ନାହିଁ ନାହିଁ ହେଉଥାଏ, ଶେଷରେ ରାଜା ଜିଗର କରିବାରୁ ସବୁକଥା ଆଦ୍ୟରୁ ପ୍ରାନ୍ତ ପର୍ଯ୍ୟନ୍ତ କହିଗଲା । ରାଜା ଘରକୁ ଗଲେ, ଗୋଟାଏ ଟୋପର ଖୋଳାଇଲେ, ଚମ୍ପୀଚୋରୀକୁ ଡକାଇ ପଚାରିଲେ ଏଥିରେ କେତେ ଧାନ ସମ୍ଭାଇବ । ଏ ଆଉ ଏତେ କଥା ଜାଣିଚି ? ନଇଁପଡ଼ି ଖଣିକୁ ଅନାଇଲା, ରାଜା ତାକୁ ଖଣି ଭିତରକୁ ପେଲିଦେଲେ, ତଳକଣ୍ଟା ଉପର କଣ୍ଟା ପକାଇଦେଲେ ମାଟି ଛାଟିଦେଲେ ଚମ୍ପାଦେଈକି ପାଟରାଣୀ କଲେ, ଘରଦୁଆର କଲେ, ସୁଖରେ ରହିଲେ, ମୁଁ ଗଲାକୁ କଥା ନ କହିଲେ । ମୋ କଥାଟି ସରିଲା, ଇତ୍ୟାଦି ।

Image

 

କାଚଖମ୍ୱ କଥା

 

ଗୋଟିଏ ସାଧବଟିଏ ଯେ ତାହାର ସାତଝିଅ । ଦିନେ ଜହ୍ନ ପଡ଼ିଚି ସାତ ଭଉଣୀଯାକ ଅଗଣାରେ ଖେଳୁଚନ୍ତି, ବିଚାର କଲେ ଜହ୍ନ କୋଉଠି ଛିଡ଼ିଚି ଚାଲ ଯିବା ଦେଖିବା । ସାତ ଭଉଣୀଯାକ ଗଲେ, ଯାଇଁ ଗୋଟିଏ ବୁଢ଼ୀଅସୁରୁଣୀ ଦୁଆରେ ଜହ୍ନ ଛିଡ଼ିବାର ଦେଖିଲେ, ସେଇଠି ରାତି ପାହିଲା । ଦେଖିଲେ ବୁଢ଼ୀଅସୁରୁଣୀ ଧାନ ଉସାଉଚି ଗୋଟିଏ ଗୋଡ଼ ଚୁଲିରେ ମୁହାଁଇ ଦେଇଚି ଆଉ ଗୋଟାଏ ଗୋଡ଼ ୟାଡ଼କୁ ଲମ୍ୱାଇ ଦେଇଚି । ବୁଢ଼ୀଅସୁରୁଣୀ ଏମାନଙ୍କୁ ଦେଖିଲାକ୍ଷଣି କହିଲା, ଆସଲୋ ପିଲାମାନେ କୁଆଡ଼େ ଯାଉଚ, ଏଇଠି ବସ, ଖେଳ, ପିଲାମାନେ କହିଲେ ନାହିଁ ଆମେ ଜହ୍ନ କେଉଠି ଛିଡ଼ିଛି ଦେଖିବାକୁ ଆସିଥିଲୁଁ, ଆମ ଘରକୁ ଆମେ ଫେରି ଯାଉଚୁଁ । ସେମାନଙ୍କୁ ଅଟକାଇ ବୁଢ଼ୀଅସୁରୁଣୀ କେତେ ଫୁସୁଲାଇଲା, ଏମାନେ କେହି ରହିଲେ ନାହିଁ, ଚାଲି ଆସିଲେ । କେତେକ୍ଷଣ ପରେ ବୁଢ଼ୀଅସୁରୁଣୀର ପିଲାମାନେ ଚରିବାକୁ ଯାଇଥିଲେ ଆସିଲେ । ବୁଢ଼ୀଅସୁରୁଣୀ କହିଲା କୁଆଡ଼େ ଯାଇଥିଲ, ଏତେବେଳକେ ଆସିଲ; ଏହି ଦଣ୍ଡକ ମଧ୍ୟରେ ଆସିଥିଲେ ଅଇଛିକା କି ସୁନ୍ଦର ଦରବ ଖାଇଥାନ୍ତ; କଇଁସୀକାକୁଡ଼ି ପରି ମୁଡ଼ୁ ମୁଡ଼ୁ କରି ଚୋବାଇଥାନ୍ତ, କି ସୁନ୍ଦର ପିଲାଗୁଡ଼ିଏ ଆସିଥିଲେ । ଏବେ ଯାଅ ତାଙ୍କ ଭିତରୁ ଜଣକ କାନିରେ ମୁଁ ସୋରିଷ ବାନ୍ଧି ଦେଇଛି, ସୋରିଷ ବିଞ୍ଚି ବିଞ୍ଚି ଯାଉଥିବ, ଗଛ ଉଠି ଉଠି ଯାଉଥିବ, ଫୁଲ ଫୁଟି ଫୁଟି ଯାଉଥିବ ସେହି ବାଟକୁ ଅନାଇ ଅନାଇ ଯିବ; ସେମାନଙ୍କୁ ପାଇବ । ଅସୁରପିଲାମାନେ ଦୌଡ଼ିଲେ, ସାଧବଝିଅଙ୍କ ପାଖରେ ଲାଗିବାକୁ ଅଳପ ବାଟଅଛି ଏମାନେ ପଛକୁ ଅନାଇଦେଲେ, ଦେଖିଲେ ଅସୁରଛୁଆ ସାତଟା ତାଙ୍କ ପଛେ ପଛେ ଦୌଡ଼ୁଛନ୍ତି । ଏମାନଙ୍କ ବୁଦ୍ଧି ହଜିଗଲା; କଣ କରିବେ ବୋଲି ଆଉ ବୁଦ୍ଧି ଦିଶିଲା ନାହିଁ । ବାଟରେ ଗୋଟିଏ ଆମ୍ୱଗଛ ଥିଲା । ତା’ପାଖକୁ ଯାଇ ସାଧବଝିଅମାନେ କହିଲେ, ହେ ଆମ୍ୱଗଛ ତୁ ଯଦି ସତ୍ୟଯୁଗର ଗଛ ହୋଇଥିବୁ ତୁ ଫାଟିଯିବୁ ଆମେ ତୋ ଭିତରେ ପଶିଯିବୁ, ତୁ ବୁଜି ହୋଇଯିବୁ । ଅସୁରଛୁଆ ସବୁ ଆସି ପହଞ୍ଚିଲାବେଳକୁ ଏମାନେ ଆମ୍ୱଗଛ ଭିତରେ ପଶିଗଲେଣି । ସେ ଗଛ ମୂଳରେ ଗୋଟିଏ ପୋଖରୀ ଥିଲା; ଅସୁରଛୁଆଯାକ ସେ ପୋଖରୀରୁ ପାଣି ଆଣି ଗଛମୂଳେ ଅଜାଡ଼ି ଅଜାଡ଼ି ପୋଖରୀକ ପାଣି ଶୁଖାଇଦେଲେ । ଗଛକୁ ଦୋହଲାଇ ଦୋହଲାଇ ଓପାଡ଼ି ତଳେ ପକାଇ ଦେଲେ । ଧୋବାଘରୁ କୁରାଢ଼ି ଆଣି ଗଛକୁ ତିନି ଭାଗ କରି କାଟି ପକାଇଲେ, ମଝିଗରଟି ମୁଣ୍ଡାଇ ଘରକୁ ନେଇଗଲେ । ନେଇ ବାଡ଼ିଦୁଆରେ ପକାଇ ତାକୁ କୁରାଢ଼ି ରେ ଚିରିବାକୁ ବସିଲେ ସାଧବଝିଅମାନେ ସେହି କାଠଗର ଭିତରୁ ହୁଳହୁଳି ପକାଇଲେ । ବୁଢ଼ୀଅସୁରୁଣୀ ହୁଳହୁଳି ଶୁଣି ତାର ପିଲାମାନଙ୍କୁ ମାରି ଗୋଡ଼ାଇଲା, କହିଲା ମୋ ଦୁଆରେ ଡାହାଣୀ କି ଗୋସାଣୀ କି କଣ ଗୋଟାଏ ଆଣି ପକାଇଚ, ୟାକୁ ଉଠାଅ । ଅସୁର ଛୁଆମାନେ ମାଡ଼ଗାଳି ଖାଇ ସେ କାଠଗରକୁ ନେଇ ସେ ଆମ୍ୱଗଛ ମୂଳେ ପକାଇ ଦେଇ ଆସିଲେ । ସେତେବେଳକୁ ସଞ୍ଜ ଲାଗିଥିଲା, ଏ ପିଲାଗୁଡ଼ିକ କାଠଭିତରୁ ବାହାରିଲେ, ବନସ୍ତେ ବନସ୍ତେ ଘରକୁ ଯିବାକୁ ବସିଲେ । ଯାଉଁ ଯାଉଁ ବାଟରେ ବଣା ହୋଇ କିଏ କୁଆଡ଼େ ଗଲେ । ସବା ସାନ ଝିଅଟି ବୁଲି ବୁଲି ଗୋଟିଏ ରାଜନଅର ଦେଖିଲା, ସେ ନଅର ଦୁଆରେ ଗୋଟିଏ କାଚ ଖମ୍ୱ ଥିଲା, ସେଇଠି ପହଞ୍ଚିଲା, କହିଲା ଯେମନ୍ତ ସତ୍ୟଯୁଗ ହୋଇଥିବ, ଏ ଖମ୍ୱ ଫାଟିଯିବ ମୁଁ ତହିଁରେ ପଶିଯିବି । କାଚଖମ୍ୱ ଫାଟିଗଲା, ସାଧବ ଝିଅ ତହିଁରେ ପଶିଗଲା । ସେଇଥିରେ ଥାଏ; ରାତିରେ ସମସ୍ତେ ଖାଇପିଇ ଶୋଇଲେ, ଏ ସେଥିରୁ ପଦାକୁ ବାହାରେ ଗାଧୁଆ ପାଧୁଆ କରେ, ଫେର ସେଇଥିରେ ପଶିଯାଏ, ଏହିପରି ସବୁଦିନ କରୁଥାଏ । ସେ ରାଜାର ପୁଅ ସବୁଦିନେ ଶୁଣେ ଯେ ଗୋଟିଏ କିଏ ଦୁଆରେ ଝୁଣୁ ଝୁଣୁ ହୋଇ ଆସ ଯା କରୁଚି, ମାତ୍ର କିଛି ବୁଝିପାରେ ନାହିଁ । ଦିନେ ରାଜାଙ୍କ ଦୁଆରେ ପାଲାହେଲା, କେତେ ଲୋକ ଦେଖିବାକୁ ଆସିଲେ । ସାଧବଝିଅ କାଚଖମ୍ୱରୁ ବାହାରି ପାଲା ଦେଖିବାକୁ ଗଲା । କେହି ଦେଖିବେ ନାହିଁ ବୋଲି ମେଘନାଦ ପାଚେରୀ ଉପରେ ବସି ପାଲା ଦେଖୁଥାଏ । ରଜାପୁଅ ସେଠାରେ ଘୋଡ଼ାଦୌଡ଼ କରୁଥାଏ, ତାର ପାଚେରୀ ଉପରକୁ ନଜର ପଡ଼ିଗଲା, ଦେଖେ, ଦେଖେ ଯେ ଉତ୍ତମ ସୁନ୍ଦରୀ ସ୍ତ୍ରୀଟିଏ ବସିଚି, ତାକୁ ଦେଖି ପାଚେରୀ ଆଡ଼କୁ ଦୌଡ଼ି ଆସିଲା । ରାଜାପୁଅ ଆସିବାର ଦେଖି ସାଧବଝିଅ ଦୌଡ଼ିଆସି କାଚଖମ୍ୱରେ ପଶିଗଲା, ରାଜାପୁଅ ଆଉ ଏହା ଦେଖିପାରିଲା ନାହିଁ ପାଚେରୀ ଉପରୁ ଦୌଡ଼ି ଆସିଲାବେଳେ ସାଧବଝିଅ ଗୋଡ଼ରୁ ନେପୁର ପଟିଏ ଖସି ପଡ଼ିଥିଲା, ରାଜାପୁଅ ତାକୁଇ ପାଇ ରଖିଥାଏ, ସବୁବେଳେ ଦେଖୁଥାଏ । ମନେ ମନେ ଖାଲି ଭାବି ହେଉଥାଏ ଏ ନେପୁର ତ ଏଡ଼େସୁନ୍ଦର, ସେ ସ୍ତ୍ରୀ କେଡ଼େ ସୁନ୍ଦରୀ ହୋଇନଥିବ । ଏହିପରି ଝୁରି ଝୁରି ରାଜାପୁଅର ଆଉ ଅବସ୍ଥା (୧) ରହିଲା ନାହିଁ, ଖାଲି କଣ୍ଟା ଦୋହଲିଲା । ଅନେକ ବଇଦ ଲାଗିଲେ, ରାଇଜର ଚିକିତ୍ସା ହେଲା; କାହିଁରେ କିଛି ଭଲ ହେଲା ନାହିଁ । ରଜାପୁଅ ବରାବରି ମଲାସମାନ ହୋଇଗଲା । ବଞ୍ଚିବାର ତ ଆଉ ଆଶା ନାହିଁ, ରାଜା ପୁଅ କହିଲା ମୋର ଭଉଣୀମାନଙ୍କୁ ଡକାଅ ମୁଁ ସେମାନଙ୍କୁ ଦେଖିବି । ଭଉଣୀମାନଙ୍କୁ ଖବର ଗଲା, ସମସ୍ତେ ଆସିଲେ ସାନଭଉଣୀ ଆସି ନଥାଏ । ସାନ ଭଉଣୀ ଘର ବହୁତ ଦୂର, ଆସୁ ଆସୁ ବାଟରେ ଗୌଡ଼ମାନଙ୍କୁ ଖରା ବର୍ଷା ପାରିବାକୁ ପଡ଼ିଲା । ଗୋଟିଏ ଗଛମୂଳେ ସୁଆରିକୁ ଭିଡ଼ି ଦେଇ ଗଉଡ଼ମାନେ ଜଳଖିଆ କରିବାକୁ ଗଲେ । ରଜାଝିଅ ସେଇଠି ଥାଏ ସେ ବରଗଛରେ ଗୋଟିଏ ଫୁଲଶାଗୁଣାର ବସା । କୋଉଠି ମଢ଼ ପଡ଼ିଥିଲେ ଯେ ଶାଗୁଣା ଖାଇକରି ଆସିଥାଏ, ପିଲାଙ୍କ ପାଇଁ ଆଣି ନଥାଏ, ପିଲାଯାକ କେଁକଟର ଲଗାଇଥାନ୍ତି, ମା ତୁ ଖାଇଲୁ ଆମ ପାଇଁ ଆଣିଲୁନାହିଁ, ଶାଗୁଣା କହିଲା ତମେ ସବୁ କାହିଁକି ସେମିତି ହେଉଚ, ରାଜାପୁଅ ଏହିକ୍ଷଣି ମରିବ ତେମେ ଆନନ୍ଦରେ ଖାଇବ । ପିଲାଯାକ କହିଲେ ନାହିଁ ମା ସେ କାହିଁକି ମରିବ, ଆମେ ପଛକେ ନ ଖାଉ ସେ ଜୀଇଁ ଥାଉ । ଶାଗୁଣା କହିଲା ତାକୁ କିଏ ବା ବଞ୍ଚାଇବ ତାର ତ ସବୁ ଏମନ୍ତି ଏମନ୍ତି କଥା ହୋଇଚି, କିଏ ଜାଣିଥାନ୍ତା କି ସେ କାଚ ଖମ୍ୱକୁ ଭାଙ୍ଗି ଦିଅନ୍ତା ଯେ ସେ ସାଧବଝିଅ ବାହାରି ପଡ଼ନ୍ତା ତାକୁ ଦେଖିଲାକ୍ଷଣି ରାଜାପୁଅ ଦେହରେ ଜୀବନ ପଶିଯାନ୍ତା । ଏହା ସବୁ ସାନଭଉଣୀ ଶୁଣି ସୁଆରି ଉଠାଇବାକୁ ଗଉଡ଼ ସାଙ୍ଗେ ଉଚ୍ଛନ ଲଗାଇଲା । ଗଉଡ଼ମାନେ ସୁଆରି ନେଇ ରାଜାଙ୍କ ଦୁଆରେ ଭିଡ଼ିଲେ ରାଜାଘରେ କାନ୍ଦବୋବାଳି ପଡ଼ିଥାଏ, କାହାରି ମନରେ ସୁଖ ନ ଥାଏ । ସାନଭଉଣୀ ଯାଇ ଭାଇକୁ ଢୋକାଉଛି, ହଠାତ୍‌ କାହାକୁ କିଛି ନ କହି କୁରାଢ଼ି ଘେନି ଆସି କାଚଖମ୍ୱରେ କରି ପାହାରେ ଦେଲା । କାଚଖମ୍ୱ ଚୁନା ହୋଇଗଲା, ସାଧବଝିଅ ତହିଁରୁ ବାହାରିପଡ଼ିଲା । ତାକୁ ଧରି ନେଇଗଲେ, ରାଜାପୁଅ ଆଗରେ ଛିଡ଼ା କରିଦେଲେ, ତାକୁ ଦେଖି ତା ଦେହରେ ଜୀବନ ପଶିଲା ରାଜାପୁଅ କ୍ରମେ କ୍ରମେ ଭଲ ହୋଇଗଲା, ସେହି ସାଧବଝିଅକୁ ବିଭା ହେଲା, ଭଉଣୀମାନଙ୍କୁ ହସେଇ ଖେଳେଇ ବିଦାକଲା, ଆନନ୍ଦରେ ଯୁଗ ରାଇଜ କଲା, ମୁଁ ଗଲାକୁ କଥା ନକହିଲା । ମୋ କଥାଟି ସରିଲା ଇତ୍ୟାଦି ।

 

(୧) ଦେହର ବଳ ସ୍ୱ୍ୟାସ୍ଥ୍ୟ ।

Image

 

ମଣ୍ଡାଗଛ ବା ଗୌଡ଼ପିଲାକଥା

 

ଗୋଟିଏ ଗଉଡ଼ଟିଏ ଯେ ତାର ଗୋଟିଏ ପୁଅ । ଗଉଡ଼ ଟୋକାଟି ନିତି ଗାଈ ଜଗିବାକୁ ଯାଏ, ବଣ ପାଖରେ ଗୋଟିଏ ମଣ୍ଡାଗଛ ଥାଏ ତହିଁରେ ଚଢ଼େ, ମଣ୍ଡାପିଠା ଖାଏ, ବେଳବୁଡ଼ ହେଲାକ୍ଷଣି ଗାଈ ଘେନି ଘରକୁ ଆସେ । ଦିନକର ବୁଢ଼ୀଅସୁରୁଣୀ ଆସିଲା କହିଲା ହଇରେ ପୁଅ କଣ ତୋଳୁଛୁକି ? ଗଉଡ଼ ଟୋକା କହିଲା ମଣ୍ଡାପିଠା ଖାଉଚି । ଅସୁରୁଣୀ କହିଲା ଆରେ ପୁଅ ମତେ ଗୋଟିଏ ଦିଅନ୍ତୁ । ଗଉଡ଼ ଟୋକା ମଣ୍ଡାଟିଏ ପକାଇଦେଲା । ବୁଢ଼ୀଅସୁରୁଣୀ କହିଲା, ଆରେ ପୁଅ ମୋ ହାତାକୁ ଗୋଟାଏ ଦେ । ଗଉଡ଼ ଟୋକା ମଣ୍ଡାପିଠାଟିଏ ହାତକୁ ବଢ଼େଇ ଦଉ ଦଉ ଅସୁରୁଣୀ କ’ଣ କଲା ନା ନେଇଗଲା ଗଉଡ଼ ଟୋକାକୁ, ଗୋଟିଏ ମୁଣିରେ ପୂରାଇଲା, ନେଇକରି ଗଲା ମୁଣ୍ଡେଇକରି । ଅଧବାଟରେ ହେଇଛି ବୁଢ଼ୀ ଅସୁରୁଣୀକି ପୋଖରୀ ମାଡ଼ିଲା, ବାଟରେ ଥୋଇଦେଲା ମୁଣିଟିକି, ପୋଖରୀ ଗଲା । ଗଉଡ଼ଟୋକା କ’ଣ କଲା, ମୁଣିକି ଚିରି ଦେଲା, ସେଥିରୁ ବାହାରିଲା, ସେ ମୁଣିରେ ଗୁଡ଼ାଏ ପଙ୍କ ପାଣି କଣ୍ଟା ଏଣୁ ତେଣୁ ପୂରାଇ ଦେଲା, ଘରକୁ ପଳେଇ ଆସିଲା । ବୁଢ଼ୀଅସୁରୁଣୀ ଆସିଲା ମୁଣିଟିକି ମୁଣ୍ଡାଇଲା, ନେଇକରି ଗଲା । ବାଟରେ କଣ ହେଉଥାଏ ନା ବୁଢ଼ୀଅସୁରୁଣୀ ମୁଣ୍ଡରେ କଣ୍ଟା ଫୋଡ଼ି ହୋଇ ଯାଉଥାଏ । ଏ କହୁଥାଏ ଚାଲ ମୁଣ୍ଡପୋଡ଼ା, ଘରକୁ ଗଲେ ତୋ ରଙ୍ଗ ବୁଝିବି । ଏହିପରି ବାଟଯାକ ଚଦିକରି ଯାଉଥାଏ । ଘରକୁ ଗଲା ମୁଣିକି ଦୁମ୍‌କିନା କଚାଡ଼ିଦେଲା ଫିଟାଇ କରି ଦେଖିଲା । ଦେଖିଲା ବେଳକୁ ଗଉଡ଼ ଟୋକା ସେଥିରେ ନାହିଁ, ଏଣୁ ତେଣୁଁ ଗୁଡ଼ାଏ ପଶିଚି । ବୁଢ଼ୀଅସୁରୁଣୀ କହିଲା ଆରେ ଆରେ ମତେ ଠକି ଦେଇ ଗଲା ବାହାରି, ଆଉ କଣ କରିବି । ତୁନି ହୋଇ ରହିଲା । ଦି ଚାରି ଦିନ ଛାଡ଼ିଦେଲା, ଫେର୍‌ ଗଲା ସେହି ମଣ୍ଡା ଗଛ ପାଖକୁ । ଦେଖିଲା ଗଉଡ଼ ଟୋକା ଗଛରେ ଚଢ଼ି ମଣ୍ଡାପିଠା ଖାଉଚି, ବୁଢ଼ୀଅସୁରୁଣୀ କହିଲା ପୁଅରେ ମୋତେ ଗୋଟିଏ ଦିଅନ୍ତୁ । ଗଉଡ଼ଟୋକା କହିଲା ଆଉ କଣ, ସେଦିନ ତ ଧରି କରି ନେଇଗଲୁ, ଆଜି କାହିଁକି ଦେବି ? ତଳେ ପଡ଼ିଚି ଗୋଟେଇକରି ଖାଉନାହୁଁ । ଅସୁରୁଣୀ କହିଲା ନାହିଁରେ ପୁଅ, ସେଦିନ ସିନା ନେଇଗଲି ଆଜି ନେବି ନାହିଁ, ମୋ ହାତକୁ ଗୋଟିଏ ଦେ । ଗଉଡ଼ଟୋକା ପିଠାଟିଏ ତା ହାତକୁ ଦେଲା ବୁଢ଼ୀଅସୁରୁଣୀ କଣ କଲା ନା ତାହାର ହାତ ଧରି ଗଛରୁ ଓଟାରି ଆଣି ଫେର୍‌ ମୁଣିରେ ପୂରାଇଲା, ନେଇକରି ଘରକୁ ଗଲା, ଆଉ କେଉଁଠି ଥୋଇଲା ନାହିଁ ବାଟରେ, ବରାବର ଘରକୁ ନେଇଗଲା । ଘରେ ମୁଣିରୁ ବାହାର କରି, ଝିଅକୁ ଡାକି କହିଲା ଝିଅ ଲୋ ମୁଁ ଯାଉଚି ଗାଧୋଇ, ୟାକୁ ଭଲକରି ରାନ୍ଧିବାଢ଼ି ରଖ୍ । ଝିଅ ଗଉଡ଼ଟୋକାକୁ ଏପାଖ ସେପାଖ କରି ଦେଖିଲା ତା ମୁଣ୍ଡରେ ରାଇଜର ବାଳ । ଅସୁରୁଣୀ ଝିଅ କହିଲା ହଇରେ ପୁଅ ତୋ ମୁଣ୍ଡରେ ଏତେ ବାଳ କେଉଠୁ ହେଲା ? ଏ ଟୋକା ମିଛରେ କହିଲା; ମୋ ମା ମୋ ମୁଣ୍ଡକୁ ଢେଙ୍କିରେ କୁଟିଦିଏ ଯେ ବାଳ ବଢ଼ିଯାଏ । ଅସୁରୁଣୀ ଝିଅ କହିଲା ତୁ ଟିକିଏ ମୋ ମୁଣ୍ଡକୁ ଢେଙ୍କିରେ କୁଟିଦିଅନ୍ତୁ । ଗଉଡ଼ଟୋକା କହିଲା ମୁଁ କଣ ନାହିଁ କରୁଛି ? ଗଉଡ଼ଟୋକା ଢେଙ୍କି ଟେକି ଦେଲା, ଅସୁରୁଣୀ ଝିଅ ମୁଣ୍ଡକୁ ଦେଖାଇ ଦେଲାଯାଉଁ, ଏ କଣ କଲା ଢେଙ୍କିକି ଛାଡ଼ିଦେଲା ଯେ ତା’ମୁଣ୍ଡଟି କୁଟି ହୋଇଗଲା । ଅସୁରୁଣୀ ଝିଅ ଛଟପଟ ହୋଇ ମରିଗଲା । ସେଇଠୁ ଗଉଡ଼ଟୋକା ଅସୁରୁଣୀ ଝିଅ ଠାରେ ଯେତେ ଅଳଙ୍କାର ଥିଲା ତାକୁ ସବୁ ଲଗାଇଲା, ତା ଲୁଗା ପିନ୍ଧିଲା, ତା ବେଶ ଧରି ତାକୁ ଟିକି ଟିକି କରି ବନାଇଲା, ରାନ୍ଧିବାଢ଼ି ଥୋଇଦେଲା । ବୁଢ଼ୀଅସୁରୁଣୀ ଗାଧୋଇ ଆସିଲା କ୍ଷଣି ତାକୁ ବାଢ଼ିଦେଲା । ସେ ଖାଇ ବସିଲା, ଗଉଡ଼ଟୋକାକୁ କହିଲା ଝିଅ ଲୋ ତୁ ଖାଇ ବସୁନାହୁଁ । ଏ କହିଲା ନାହିଁ ମା ତୁ ଖାଇସାର ମୁଁ ପଛରେ ଖାଇବି । ବୁଢ଼ୀଅସୁରୁଣୀ ଖାଇ ସାରିଲା, କହିଲା ଝିଅଲୋ ମୋ ମୁଣ୍ଡରୁ ଦିଟା ଉକୁଣି ଦେଖନ୍ତୁ, ଗଉଡ଼ଟୋକା ମୁଣ୍ଡ ଦେଖିଲାବେଳକୁ ୟା ମୁଣ୍ଡରେ ଜମା ବାଳ ନାହିଁ, ଏ ଗୋଟାକ କାହିଁକି ଅଛି ? ଅସୁରୁଣୀ ବୁଢ଼ୀ କହିଲା ଆଲୋ ଝିଅ ସେ ବାଳଟିରେ ମୋର ଜୀବନ ଅଛି, ତାକୁ ଛିଣ୍ଡାଇଦେଲେ ମୁଁ ମରିଯିବି । ଗଉଡ଼ଟୋକା ୟା ଯାଉଁ ଶୁଣିଲା, ସେ ବାଳଟିକି ରୁଟ୍‌ କରି ଛିଣ୍ଡାଇ ଦେଲା ଯେ ବୁଢ଼ୀଅସୁରୁଣୀ ମରିଗଲା । ଅସୁରୁଣୀକୁ ଫୋପାଡ଼ି ଦେଇ ଗଉଡ଼ଟୋକା ଘରକୁ ଅଇଲା, ବାପମାଙ୍କ ଆଗେ ସବୁ କଥା କହିଲା । କେତେଦିନ ବାଦ୍‌ ଗୌଡ଼ଟୋକା ବିଭା ହେଲା, ସୁଖରେ ଘରଦୁଆର କଲା, ମୁଁ ଗଲାରୁ କଥା ନକହିଲା । ମୋ କଥାଟି ସରିଲା ଇତ୍ୟାଦି ।

Image

 

ଡାଳିମ୍ୱକୁମର କଥା

 

ଗୋଟିଏ ରାଜା ତାର ଦୁଇ ଭାରିଯା । କାହାରି କିଛ ସନ୍ତାନ ହେଲା ନାହିଁ । ରାଜା ଭାରି ଚିନ୍ତା କରିଥାନ୍ତି, ଖୁବ୍‌ ଦାନ ଧ୍ୟାନ କରୁଥାନ୍ତି କେମିତି ଗୋଟିଏ ପୁଅ ହେବ । ଦିନକର ଜଣେ ସିଦ୍ଧପୁରୁଷ ଆସିଲେ, ସେ ପଚାରିଲେ ରଜାଙ୍କର ଏତେ ଦାନ ଧ୍ୟାନ କାହିଁକି ହେଉଚି ? ମନ୍ତ୍ରୀ କହିଲେ ରାଜାଙ୍କର କିଛି ପୁଅଝିଅ ହେଉନାହିଁ ବୋଲି ଧର୍ମ କରୁଛନ୍ତି । ଏ ବିଧାତା ପୁରୁଷ ଛଦ୍ମବେଶରେ ଆସିଥାନ୍ତି । ସେ ରାଜାଙ୍କୁ ଡକାଇଲେ, ତାଙ୍କୁ ଗୋଟିଏ ଡାଳିମ୍ୱ ଦେଇ କହିଲେ, ଫଳଟିକୁ ନିଅ ତମ ରାଣୀଙ୍କ ଭିତରୁ ଯେ ଆଗେ ଋତୁମତୀ ହେବ, ଋତୁସ୍ନାନଦିନ ତାକୁ ଖାଇବାକୁ ଦେବ ଯେ ସେ ଖାଇ ଗର୍ଭବତୀ ହେବ । କିଛି ଦିନ ଗଲା; ସାନ ରାଣୀ ଆଗେ ଋତୁ ହେଲା । ବଡ଼ରାଣୀ ସାନ ରାଣୀକୁ ଜମା ଦେଖିପାରେ ନାହିଁ । ତହିଁରେ ଫେର୍‌ ଏ ଗର୍ଭ ହେବାର ଦେଖି, ଏହାର ହିଂସା ଦିଗୁଣ ବଢ଼ିଲା । ଏ ଭାରୀ ଦୁଃଖିତରେ ଥାଏ କିପରି ସାନ ରାଣୀର ପିଲାକୁ ନଷ୍ଟ କରିବ । ଦିନେ ବଡ଼ ରାଣୀ ଧାଈ ହାତରେ ଗୁରାଏ ଜହରବଡ଼ି ଦେଇ ପଠାଇଲା । ଧାଈ ଯାଇ ସାନରାଣୀକୁ କହିଲା ବଡ଼ ରାଣୀ ୟାକୁ ଦେଇଛନ୍ତି ତମେ ଖାଇବ । ଏ ସେହି ସାଧୁଙ୍କ ନାମରେ ତାକୁ ଖାଇଦେଲା; ତାର କିଛି ହେଲା ନାହିଁ । ଦଶମାସ ଦଶଦିନ ପୂରିଲାରୁ ସାନ ରାଣୀର ଗୋଟିଏ ପୁଅ ହେଲା । ରାଜା ବଡ଼ ଖୁସି ହେଲେ ରାଜ୍ୟରେ ଡେଙ୍ଗୁରା ଦିଆଗଲା, ସମସ୍ତେ ଆନନ୍ଦ ଉତ୍ସବ କଲେ । ଷଠୀ ପଞ୍ଚୁଆତୀ ବାରଯାତ୍ରା ଏମାନ ଗଲା, ଏକୋଇଶା ଦିନ ସେ ସିଦ୍ଧପୁରୁଷ ଫେର୍‌ ଆସିଲେ, ଏ ପୁଅର ନାମ ଡାଳିମ୍ୱକୁମର ଦେଇ ଗଲେ । ସାନରାଣୀକି ଗୋପନରେ କହିଗଲେ ତୋ ପୁଅ ସହଜରେ ମରିବ ନାହିଁ । ତମର ଯେଉଁ ଦାଣ୍ଡ ପୋଖରୀ ଅଛି, ତହିଁରେ ଗୋଟିଏ, ରାଘବ ମାଛ ଅଛି, ତାର ପେଟଭିତରେ ଗୋଟିଏ ଫରୁଆ ଅଛି, ତହିଁରେ ଯେଉଁ ଡାଳିମ୍ୱହାର ଅଛି, ଏହାର ଜୀବନ ସେଥିରେ ଅଛି । ସେ ଦ୍ୱାରକୁ ଫରୁଆ ଭିତରୁ ବାହାର କରି ଯଦି କେହି ଲଗାଇବ, ତେବେ ଏ ପୁଅ ମରିବ । ଏହା କହି ସେ ସିଦ୍ଧପୁରୁଷ ଗଲେ ବାହାରି । ଡାଳିମ୍ୱକୁମର କୁ ଛ ସାତ ବର୍ଷ ହୋଇଗଲା ପାଠ ହେରିକା ଖୁବ ପଢ଼ିଲା । ତାର ପାରାରେ ବଡ଼ ଶରଧା, ବହୁତ ପାରା ପୋଷିଥାଏ । ପାରାଙ୍କୁ ଚରିବାକୁ ଛାଡ଼ିଦେଲା ବେଳେ ଦିଇଟା ଗୋଟାଏ ବଡ଼ ରାଣୀ ଦୁଆରକୁ ଯାନ୍ତି ବାହାରି ଚରିବାକୁ । ବଡ଼ରାଣୀ ତାଙ୍କୁ ସବୁ ଧରି ରଖେ, ଏ ମାଗିଲେ ୟାକୁ କହେ ଯା ତୋ ବୋଉକୁ ପଚାରିବୁ ତୋ ଜୀବନ କେଉଁଠି ଅଛି, ବୁଝି ଆସି ଯେବେ କହିବୁ ତେବେ ତୋ ପାରା ଦେବି । ଡାଳିମ୍ୱ କୁମାର ଯାଇ ତା ମାକୁ ପଚାରେ, ତା ଜୀବନ କେଉଁଠି ଅଛି ମା କହେ ତୁ ସେଥିରୁ କଣ ପାଇବୁ ? ଏହିପରି କହି ଭୁଲାଇଦିଏ । ବଡ଼ ରାଣୀ ବି ପାରା ଦିଏ ନାହିଁ-। ଏହିପରି ଗୋଟିଏ ଦୋଟି ରଖୁ ରଖୁ ବଡ଼ରାଣୀ ସବୁପାରାଯାକ ରଖିଲା । ଏ ମାଗିଲାକୁ କହିଲା ତୋ ଜୀବନ କେଉଠି ଅଛି ନ କହିଲେ ମୁଁ କେଭଁ ପାରା ଦେବି ନାହିଁ । ତୋ ବୋଉ ଯଦି ନକହୁଚି, ତେବେ ତୁ ରୁଷିଲେ ସେ କହିବ । ଏ ଗଲା ସେଦିନ ଖାଲି ତଳେ ଗଡ଼ିଲା ମା ସଙ୍ଗେ ଏକଯିଦ୍‌ କଲା କହ ମୋ ଜୀବନ କୋଉଠି ଅଛି ? ମା କହିଲା ଏକଥା ତତେ କିଏ ଶିଖେଇଚି ? ଏ କହିଲା ମତେ କେହି ଶିଖାଇ ନାହିଁ, ମୁଁ ନିଜେ ଜାଣିବି ମତେ କହ । ଏହିପରି ଲଗାଇ ଲଗାଇ ମାଠାରୁ ସବୁ ଜାଣିଲା ୟା ଜୀବନ କୋଉଠି ଅଛି ଆସି ବଡ଼ ରାଣୀ ଆଗରେ ସବୁକଥା କହିଦେଲା । ବଡ଼ରାଣୀ ଶୁଣିଲା ଯେଉଁଠୁ ସବୁ ପାରା ଛାଡ଼ିଦେଲା । ତହିଁ ଆରଦିନ ବଡ଼ରାଣୀ କଣ କଲା ଧାଈ ହାତରେ ରାଜାଙ୍କ ପାଖକୁ ଖବର ଦେଲା, କହିଲା ରାଜାଙ୍କୁ କହିବ, ବଡ଼ରାଣୀଙ୍କ ଦେହ ଦୁଃଖ ହୋଇଚି, ଦାଣ୍ଡ ଗାଡ଼ିୟା ମାଛ ମରିବେ, ସେଥିରେ ଯେଉଁ ରାଘବ ମାଛ ଅଛି ତାକୁ ଖାଇଲେ ତାଙ୍କ ଦେହ ଭଲ ହେବ । ରାଜା ତ ଆଉ ଏକଥା ଜାଣନ୍ତି ନାହିଁ । କହିଲେ ହଉ ଜାଲ ପକାଅ । ବଡ଼ ଜାଲ ଥରେ ବୁଲାଇ ଆଣି ଆଉ ଥରେ ବୁଲାଇ ଆଣିଲା ବେଳକୁ ସେହି ରାଘବ ମାଛ ପଡ଼ିଲା । ତାକୁ ବଡ଼ ରାଣୀଙ୍କ ଉଆସକୁ ନେଇଗଲେ-। ବଡ଼ରାଣୀ ନିଜେ ସେ ମାଛକୁ କେଳେଇ ବସିଲା । ତାକୁ ଦିଗର କରି କାଟି ଦେଲା ପେଟକୁ ଚିରି ଦେଇ ହାର ଫରୁଆକୁ କାଢ଼ି ରଖିଲା, କହିଲା ନିଅ ୟାକୁ କାଟିକୁଟି ତରକାରୀ କର-। ଏ ଫରୁଆରୁ ହାରଟିକୁ କାଢ଼ି ବେକରେ ପକାଇଲା ଯୋଉଠୁ ତେଣେ ଡାଳିମ୍ୱ କୁମାର ମରିଗଲା । ସାନ ରାଣୀ କାନ୍ଦି ଉଠିଲା, ଆଉ ସମସ୍ତେ ଯାଇ ଦେଖନ୍ତି ଯେ ଡାଳିମ୍ୱ କୁମାର ମରି ପଡ଼ିଚି । ରଜା ବଡ଼ ବ୍ୟସ୍ତ ହେଲେ, କହିଲେ ନିଅ ତାକୁ ଦାହ କରିଦିଅ । ଗୁଆଘିଅ ଚନ୍ଦନ କାଠରେ । ସାନ ରାଣୀ କହିଲା ମୋ ପୁଅ ପୋଡ଼ା ହେବ ନାହିଁ କି ପୋତା ହେବ ନାହିଁ, ବନସ୍ତ ଭିତରେ ଗୋଟିଏ ଘର ତୋଳାହେବ, ସେ ଘର ଭିତରେ ସବୁ ଖାଇବା ପଦାର୍ଥ ରହିବ, ସେଠାରେ ନୂଆ ପୋଖରୀ ଖୋଳା ହେବ; ଚାରିପାଖଯାକ ପାଚେରୀ ବୁଲିବ, ଫୁଲ ବଗିଚା ହେବ ମୋ ପୁଅ ସେଇଥିଭିତରେ ରହିବ । ସବୁ ସେହିପରି ହେଲା । ଡାଳିମ୍ୱକୁମର କୁ ନେଲେ ସେମନ୍ତି ଖଟସୁଦ୍ଧା ସେହି ଘରେ ଥୋଇଦେଇ ଆସିଲେ । ଏଆଡ଼େ ବଡ଼ ରାଣୀ କଣ କରେ, ସେ ହାରକୁ ଦିନଯାକ ଲଗାଏ ରାତିହେଲା କ୍ଷଣି ଥୋଇଦିଏ, ରାଜା ଦେଖିବେ ବୋଲି । ଡାଳିମ୍ୱକୁମର ଦିନଯାକ ମରେ ରାତି ହେଲାରୁ ଜୀଇଁ ଉଠେ-। ହାର ଥୋଇଦେଲା କ୍ଷଣି ଉଠି ଖାଏ ପିଏ, ଫୁଲ ବଗିଚାକୁ ଯାଏ ବୁଲେ, ଏହିପରି ରାତିଯାକ କରେ, ସକାଳ ହେଲାରୁ ମରି ଶୁଏ । ଆରଦେଶ ରାଜା ଝିଅକୁ ବରଘର ଲାଗିଲା ଯୋଉଠି ଯେତେ ଖୋଜିଲେ କୋଉଠି ବର ଘଟଣା ହେଲା ନାହିଁ । ରାଜା ବଡ଼ ବ୍ୟସ୍ତ ହୋଇ ପଣ୍ଡିତମାନଙ୍କୁ ଡକାଇଲେ, ପଚାରିଲେ ୟାକୁ କାହିଁକି ବର ମିଳୁ ନାହିଁ । ଏମାନେ ଗଣନା କରି କହିଲେ, ଯେ ଦିନରେ ମରୁଥିବ ରାତିରେ ଜୀଇଥିବ ୟାକୁ ସେ ବିବାହ ହେବ । ରାଜା କହିଲେ ଏ ଅଲକ୍ଷଣୀଟାର ମୁହଁ ଚାହଁ ନା ଗୋଟିଏ ମଲା ମଣିଷ ବାହା ହେବ, ଏମନ୍ତ ଗୋଟିଏ ବର ଫେର୍‌ କୋଉଠି ମିଳିବ-। ୟାକୁ ବାହାର କରିଦିଅ । ସେ ଝିଅକୁ ବାହାର କରି ଦେଲେ । ଝିଅ ବୁଲି ବୁଲି ଆସି ଯେଉଁ ବନସ୍ତରେ ଡାଳିମ୍ୱକୁମର ଅଛି, ସେଇଠି ପହଞ୍ଚିଲା ଦେଖିଲା ଯେ ବନସ୍ତ ଭିତରେ ଗୋଟିଏ ଘର ଦିଶୁଚି, ଯାଇ ସେ ଫୁଲ ବଗିଚାରେ ରହିଲା-। ଆପଣା ଦୁଃଖରେ କାନ୍ଦୁଥାଏ । ରାତି ହେଲାରୁ ରାଜାପୁଅ ଜୀଇ ଉଠିଲା ଗାଧୋଇଆସି ରାନ୍ଧିଲାବାଢ଼ିଲା, ଖାଇଲାପିଇଲା, ଫୁଲବାରିକି ଗଲା ବେଳକୁ, ଏ ବସି କାନ୍ଦୁଛି । ଡାଳିମ୍ୱକୁମର ୟାକୁ ସବୁ ପଚାରିଲା । ଏ କହିଲା ମୁଁ ସେ ଦେଶର ରଜାଝିଅ, ମୋ ପାଇଁ ବରଘର ଲାଗୁଥିଲା; ପଣ୍ଡିତମାନେ ଏପରି କହିବାରୁ ବାପା ମତେ ବାହାର କରି ଦେଇଛନ୍ତି । ଡାଳିମ୍ୱକୁମର କହିଲା ତୁମର ବର ମୁଁ, ବିଧାତା ଘଟଣା କରିଚି, ମୁଁ ଦିନରେ ମରେଁ, ରାତିକି ବଞ୍ଚେ । ଏହା କହିଲା, ରଜାଝିଅକୁ ଘର ଭିତରକୁ ନେଇଗଲା । ଦିହେଁ ଆନନ୍ଦରେ ରହିଲେ ଖାଇଲେ ପିଇଲେ, ବସିଲେ ଉଠିଲେ । ଦିନକର ରଜାଝିଅ ପଚାରିଲା ଡାଳିମ୍ୱକୁମରକୁ ତେମେ କାହିଁକି ଏପରି ହୁଅ, ଦିନରେ ମର ରାତିରେ ଜୀଅ । ଏ ଆଦ୍ୟରୁ ପ୍ରାନ୍ତ ପର୍ଯ୍ୟନ୍ତ ସବୁ କହିଗଲା । ରଜାଝିଅ ଶୁଣି ମନ କଥା ମନେ ରଖିଥାଏ । କେତେଦିନ ଗଲା, ଏହାର ଗର୍ଭ ହେଲା ଗୋଟିଏ ପୁଅ ଜନ୍ମ ହେଲା । ପୁଅକୁ ଦି ଚାରି ବର୍ଷ ହୋଇଗଲା, ଦିନକର ଏ କଣ କଲା ପୁଅକୁ ବାପ ପାଖରେ ଛାଡ଼ିଦେଲା, ଗୋଟିଏ ଭଣ୍ଡାରୁଣୀ ବେଶ ଧରି ଟୋକେଇଟିଏ କାଖେଇଲା ପଚାରି ପଚାରିକା ଗଲା, ରଜାଘରକୁ । ଆଗେ ସାନ ରାଣୀ ପାଖକୁ ଗଲା, ତାଙ୍କୁ ଦଣ୍ଡବତ କଲା, ପଚାରିଲା ବଡ଼ ରାଣୀ କେଉଁଠି ଅଛନ୍ତି । ସାନରାଣୀର ପୁଅ ମଲାଦିନୁ ମନରେ ଜମା ସୁଖ ନାହିଁ, କହିଲା ସେ ଘରେ କୋଉଠି ଅଛନ୍ତି ଦେଖ-। ଏ ଖୋଜିଖୋଜିକା ବଡ଼ରାଣୀଙ୍କ ପାଖକୁ ଗଲା ତାଙ୍କୁ କହିଲା କେତେଦିନ ହେଲା ନଖ ତୋଳା ହୋଇ ନାହିଁ ଆସ ତୋଳି ଦେବି । ବଡ଼ ରାଣୀ ପଚାରିଲେ ତୁ କିଏ ? ତୋର ଘର କୋଉଠି-? ଏ କହିଲା ମୋ ଘର ଏ ଦେଶରେ ନୁହେଁ, ମୁଁ ତମ ଭଣ୍ଡାରୁଣୀର ମଉଳାଝିଅ ଭଉଣୀ, ଆସ ଜଲଦି ତେଣେ ମୋ ପୁଅ କାନ୍ଦୁଥିବ, ଆସ ନଖ ତୋଳିଦେଇ ଯାଇଥିବି, କାଲି ପୁଅକୁ ଘେନିକରି ଆସିବି ଯେ ଅଳତା ଲଗାଇ ଦେଇଯିବି । ତର ତର ହୋଇ ନଖ ତୋଳି ଦେଇ ସେ ଦିନ ଗଲା ବାହାରି-। ତହିଁ ଆାରଦିନପୁଅକୁ ଘେନି କରି ଆସିଲା । ପୁଅକୁ ଶିଖାଇଥାଏ ବଡ଼ରାଣୀ ବେକରେ ଯେଉଁ ହାର ଅଛି ମୁଁ ତାକୁ ମାଗିବି ଦେଖିବାକୁ, ସେ ମତେ କାଢ଼ି କରି ଦେଖିବାକୁ ଦେବେ ତେତେବେଳେ ତୁ କଣ କରିବୁ ହାରକୁ ଛଡ଼ାଇ ନେଇଯିବୁ ମୋ ହାତରୁ ଧରିବୁ, ମୁଁ ତୋହ ହାତରୁ ଆଣିଲାବେଳକୁ, ତୁ କାନ୍ଦିବୁ ଯେ ମୁଁ କହିବି ଥାଉ ପିଲା କାନ୍ଦୁଚି ଆଜି ନେଇ ଯାଇଥାଉ; କାଲି ବୁଝିଗଲେ ମୁଁ ଦେଇଯିବି-। ବଡ଼ରାଣୀଙ୍କ ନଖ ତୋଳି ବସିଚି, ବେକକୁ ଅନାଇ ଦେଲା କହିଲା ସାନ୍ତାଣି ଏ ହାର କୋଉଠୁ ଆଣିଥିଲ, ୟାକୁ କୋଉ ଦେଶର ବଣିଆ ଗଢ଼ିଛି ? ଏତ ଆମ ଦେଶର ଗଢ଼ାପରି ଦିଶୁ ନାହିଁ । ବଡ଼ ରାଣୀ କହିଲା ୟାକୁ ଆମ ବାପା ଘରଆଡ଼ ବଣିଆ ଗଢ଼ିଛି । ଏ କହିଲା ଦେଖି ସାନ୍ତାଣି କେମନ୍ତି-? ବଡ଼ରାଣୀ ବେକରୁ ବାହାର କରିଦେଲା । ଏ ଦେଖୁ ଦେଖୁ ପୁଅ ଛଡ଼ାଇ ନେଇ ଧରିଲା-। ଧରିଥାଏ, ଏ ନଖ ତୋଳି ସାରିଲା, ଅଳତା ଲଗାଇଦେଇ ସାରିଲା ପୁଅକୁ କହିଲା ତାଙ୍କ ହାର ଦେ ଆମର ଘରକୁ ଯିବା-। ପୁଅ ଆଉ ଛାଡ଼ିଲା ନାହିଁ, କାନ୍ଦିକରି ଗଡ଼ିଲା । ଏ କହିଲା ଦେଉତ ନାହିଁ, ମୁଁ ଘରକୁ ନେଇ ଯାଉଚି କାଲି ସକାଳୁଁ ହାର ଦେଇଯିବି ବୁଝିଗଲେ । ରାଣୀ କହିଲେ ହଉ ନେ-। ଏ ହାରକୁ ନେଇ ଆସିଲା ବାହାରି, ଆଉ ଫେରାଇ ଦେଲା ନାହିଁ । ସେହି ଦିନଠାରୁ ଡାଳିମ୍ବକୁମର ସର୍ବଦା ଜୀଇଲା ଆଉ ମଲା ନାହିଁ । ରାଜାଙ୍କର ମାଳୀଯାଏ ସେଠାକୁ ଫୁଲ ପାଇଁ ସବୁଦିନେ, ଯାହା ନିଃଶବ୍ଦ ହୋଇଥିଲା ସେଠାରେ, ଏବେ ସର୍ବଦା ଗହଳଚହଳ ଲାଗିବାର ଶୁଣିଲା । ଆସି ରାଜାଙ୍କୁ କହିଲା ମଣିମା ଗୋଟିଏ କଥା କହିବାକୁ ଭାରି ଭୟ ଲାଗୁଚି, ରଜା କହିଲା କଣ କହ-। ମାଳୀ କହିଲା ମଣିମା ବନସ୍ତ ଭିତରେ ଯୋଉ ନଅରରେ ଛାମୁଙ୍କର ଡାଳିମ୍ବକୁମରକୁ ରଖିଦେଇ ଆସିଥିଲେ ସେଠାକୁ ମୁଁ ଆଗେ ଫୁଲତୋଳି ଯାଉଥିଲି ଯେ ସର୍ବଦା ନିଶବ୍ଦ ଜଣା ଯାଉଥିଲା, ଏବେ କେତେଦିନ ହେଲା ସେଠାରେ ବଡ଼ ଗହଳଚହଳ ଲାଗିଚି । ରଜା କହିଲେ କାଲି ସେ ଆଡ଼କୁ ବୁଲିଯିବି ଦେଖି ଆସିବି-। ସେ ଦିନ ଗଲା ତହିଁ ଆାରଦିନରାଜା ଗଲେ ସେ ଆଡ଼କୁ ବୁଲି-। ଡାଳିମ୍ୱକୁମର ଘର କବାଟ ଫିଟାଇ ଦେଖିଲାବେଳକୁ ଡାଳିମ୍ବକୁମର ଖଟ ଉପରେ ବସିଚି । ତା ଭାରିଯା ତଳେ ବସିଚି, ପୁଅ ଡାଳିମ୍ୱକୁମର ପାଖରେ ବସିଚି । ରଜା ଦେଖି କାବା ହୋଇଗଲେ, ଡାଳିମ୍ବକୁମରକୁ ସବୁ କଥା ପଚାରିଲେ । ଡାଳିମ୍ୱକୁମର ସବୁକଥା କହିଗଲା ବଡ଼ରାଣୀ ଯାହା କରିଥିଲା ଆଦ୍ୟରୁ ପ୍ରାନ୍ତ ପର୍ଯ୍ୟନ୍ତ ରଜାଙ୍କୁ ସବୁ କହିଲା । ସେ ରଜାଝିଅ ଆଉ ପୁଅକୁ ଦେଖି ରଜା ପଚାରିଲେ ଏ ସବୁ କିଏ-? ରଜାଝିଅ କହିଲା ମୁଁ ଆପଣଙ୍କର ବୋହୂ, ଆଉ ଯେତେ ଯେତେ କଥା ତା ସମ୍ୱନ୍ଧରେ ଘଟିଥିଲା ସବୁ କହିଗଲା, ଭଣ୍ଡାରୁଣୀ ବେଶ ହୋଇ ଯେମନ୍ତି ବଡ଼ ରାଣୀଙ୍କଠାରୁ ହାର ଆଣିଥିଲା ସବୁ କହିଗଲା । ରଜା ପୁଅ ବୋହୂ ନାତି ଦେଖି ବଡ଼ ଖୁସି ହେଲେ ସେମାନଙ୍କୁ ଘରକୁ ନେଇଗଲେ, ଗୋଟିଏ ଦୀଘୀ ଖୋଳାଇ ବଡ଼ ରାଣୀକୁ ତହିଁରେ ପକାଇ ଦେଇ ତଳକଣ୍ଟା ଉପର କଣ୍ଟା ଛାଟି ଦେଲେ । ସାନରାଣୀ ପୁଅ ବୋହୂ ନାତି ନେଇ ଘର ଦ୍ୱାର କଲା, ମୁଁ ଗଲାକୁ କଥା କହିଲା ନାହିଁ-। ମୋ କଥାଟି ସରିଲା, ଇତ୍ୟାଦି ।

Image

 

କଲୁରିବେଣ୍ଟ କଥା

 

ଗୋଟିଏ ବ୍ରାହ୍ମଣଟିଏ, ଦୁଆର ଓଳାଉ ଓଳାଉ କଲରା ମଞ୍ଜିଟିଏ ପାଇଲା । ତାକୁ ମନ୍ଦାରମୂଳେ ଗୋଟିଏ ଗାଡ଼ ଖୋଳି ଲଗାଇ ଦେଲା, କହିଲା କାଲିକି ଯେବେ ଉଠିଥିବୁ ତ ଉଠିଥିବୁ ନଇଲେ ମାମୁଁ ଘର କଟୁରୀ ଆଣି ହାଣିବି । ସତକୁ ସତ ତହିଁ ଆାରଦିନଗୋଟିଏ ଗଜାହେଲା ସେ ଦିନ ସେ କହିଲା, କାଲିକି ଯେବେ ଚାରି ଚାରି ପତ୍ର ହୋଇଥିବୁ ତ ହୋଇଥିବୁ, ନ ହେଲେ ମାମୁଁଘର କଟୁରୀରେ ହାଣିବି । ୟା’ର ସେହିପରି ଚାରିଟି ପତ୍ର ହେଲା । ସବୁଦିନେ ଏହିପରି କହି କହି ସେ କଲରାଗଛରେ ଗୋଟିଏ କସି ଧରିଲା । କସିଟି ପାକଳ ହେଲା, ଲାଲ ଟହ ଟହ ହୋଇ ପାଚିଲା । ଗୋଟିଏ କାଉ ଆସି କହିଲା ହେ କଲୁରି ବେଣ୍ଟ ମୁଁ ତତେ ଖାଆନ୍ତି । କଲୁରିବେଣ୍ଟ କହିଲା ତୁ ଥଣ୍ଟ ଧୋଇ ଆ ଯା କି ମତେ ଖାଇବୁ । କାଉ କୂଅ ପାଖକୁ ଗଲା, କହିଲା—

 

ଦେ କୂଅ ଦେ ପାଣି, ଧୁଅଇ ଥଣ୍ଟ

ଧାଇ ଧାଇଁ ଖାଏଁ କଲୁରିବେଣ୍ଟ ।

 

କୂଅ କହିଲା ଯା କୁମ୍ଭାରଘରକୁ କଳଶ ଆଣିବୁ କି ପାଣି କାଢ଼ିବୁ । କାଉ କୁମ୍ଭାର ଘରକୁ ଗଲା କହିଲା—

 

ଦେ କୁମ୍ଭାର କଳଶ ଗୋଟି

କାଢ଼ଇଁ ପାଣି ଧୁଅଇ ଥଣ୍ଟ

ଧାଇଁ ଧାଇଁ ଖାଏ କଲୁରିବେଣ୍ଟ ।

 

କୁମ୍ଭାର କହିଲା, ଯା ବିଲରୁ ମାଟି ଆଣିବୁ କି କଳଶ ଗଢ଼ିଦେବି । କାଉ ବିଲକୁ ଗଲା, କହିଲା—

ଦେ ବିଲ ଦେ ମାଟି

ଗଢ଼ୁ କୁମ୍ଭାର କଳଶ ଗୋଟି

କାଢ଼ଇ ପାଣି ଧୁଅଇ ଥଣ୍ଟ

ଧାଇଁ ଧାଇଁ ଖାଏ କଲୁରିବେଣ୍ଟ ।

ବିଲ କହିଲା, ଯା ହରିଣଠଉଁ ଶିଙ୍ଘ ଆଣୁବୁ କି ମାଟି ଖୋଳିବୁ । କାଉ ହରିଣଠେଇଁ କି ଗଲା, କହିଲା—

ଦେ ହରିଣ ଦେ ଦେ ଶିଙ୍ଘ ଖୋଳଇଁ ମାଟି

ଗଢ଼ୁ କୁମ୍ଭାର କଳଶ ଗୋଟି

କାଢ଼ଇଁ ପାଣି ଧୁଅଇଁ ଥଣ୍ଟ

ଧାଇଁ ଧାଇଁ ଖାଏ କଲୁରିବେଣ୍ଟ ।

ହରିଣ କହିଲା ଯା କାଳୀଗାଈଠଉଁ ଦୁଧ ଆଣିବୁକି; ମୁଁ ଖାଇବି, ତତେ ଶିଙ୍ଘ ଦେବି । କାଉ ଗଲା, କହିଲା—

ଦେ କାଳୀ ଗାଈ ଦେ ଦୁଧ, ଖାଉ ହରିଣ ଦେଉ ଶିଙ୍ଘ

ଖୋଳଇଁ ମାଟି

ଗଢ଼ୁ କୁମ୍ଭାର କଳଶ ଗୋଟି

କାଢ଼ଇ ପାଣି ଧୁଅଇଁ ଥଣ୍ଟ

ଧାଇଁ ଧାଇଁ ଖାଏ କଲୁରିବେଣ୍ଟ ।

 

କାଳୀଗାଈ କହିଲା ଯା, ହିଡ଼ରୁ ଘାସ ଆଣ୍‌ ଯା, ମୁଁ ଖାଇବି ଦୁଧ ଦେବି । ଏ ହିଡ଼ ପାଖକୁ ଗଲା, କହିଲା—

 

ଦେ ହିଡ଼ ଦେ ଘାସ, ଖାଉ କାଳୀଗାଈ ଦେଉ ଦୁଧ

ଖାଉ ହରିଣ ଦେଉ ଶିଙ୍ଘ

ଖୋଳଇଁ ମାଟି

ଗଢ଼ୁ କୁମ୍ଭାର କଳଶ ଗୋଟି

କାଢ଼ଇଁ ପାଣି ଧୁଅଇଁ ଥଣ୍ଟ

ଧାଇଁ ଧାଇଁ ଖାଏ କଲୁରିବେଣ୍ଟ ।

 

ହିଡ଼ କହିଲା ଯା କମାର ଘରୁ ଦାଆ ଆଣିବୁ କି ଘାସ କାଟିବୁ । କାଉ କମାର ଘରକୁ ଗଲା, କହିଲା—

 

ଦେ କମାର ଦେ ଦା, କାଟଇଁ ଘାସ

ଖାଉ କାଳୀଗାଈ ଦେଉ ଦୁଧ

ପିଉ ହରିଣ ଦେଉ ଶିଙ୍ଘ

ଖୋଳଇଁ ମାଟି

ଗଢ଼ୁ କୁମ୍ଭାର କଳଶ ଗୋଟି

କାଢ଼ଇ ପାଣି ଧୁଅଇ ଥଣ୍ଟ

ଧାଇଁ ଧାଇଁ ଖାଏ କଲୁରିବେଣ୍ଟ ।

 

କମାର କହିଲା ବସ୍‌ ଦାଆ ଗଢ଼ି ଦେଉଛି । କାଉ ବସିଲା, କମାର ଦାଆଟିଏ ଗଢ଼ି ପଚାରିଲା, କେମନ୍ତି ନେବୁ ? କାଉ କହିଲା ମୋ ପିଠିରେ ଲଦି ଦେ, ଏ କହିଲା, ପିଠି ପୋଡ଼ିଯିବ ଆଉ କୋଉଠି ନବୁ ? କାଉ କହିଲା ଥଣ୍ଟରେ ଦେ, ଏ କହିଲା ଥଣ୍ଟ ପୋଡ଼ିଯିବ ଆଉ କୋଉଠି ଦେଖା । କାଉ ବେକ ଦେଖାଇ ଦେଲା, କମାର ତତଲା ଦାଆ ଖଣ୍ଡି କାଉ ବେକରେ ଥୋଇଦେଲା-। କାଉର କଲୁରିବେଣ୍ଟ ଖାଇବା ଲୋଭ ଲାଗିଚି, ଦାଆଖଣ୍ଡି ବେକରେ ନେଇକରି ଗଲା, କିଛି ଦୂର ଯାଇ ଦାଆ ତାତିରେ ପୋଡ଼ି ହୋଇ ମରିଗଲା । ଗୋଟିଏ ବୁଢ଼ା ଚଷାଟିଏ ଗୋଟିଏ ବୁଢ଼ୀ ଚାଷୁଣୀଟିଏ ଦୋଟି ଯାଉଥିଲେ ସେ ବାଟରେ, ବୁଢ଼ୀ ପାଇଲା କାଉଟିକି ବୁଢ଼ା ପାଇଲା ଦାଆଖଣ୍ଡି-। ବିଚାରିଲା କାଉଟିକି ତୂଣ କରି ଖାଇବି, ଘରକୁ ଗଲା, କାଉଟିକି କାଟିଲା କୁଟିଲା ତୂଣ କଲା, ଥୋଇ ଦେଇ ଗାଧୋଇ ଗଲା । ବୁଢ଼ୀ କହିଲା ଦେଖେଁ, ଚାଖେଁ କେମନ୍ତିକିୟା ତରକାରୀ ହୋଇଛି-? ଚାଖୁ ଚାଖୁ ସବୁତକ୍‍ ଖାଇଦେଲା । ବିଲେଇଟା ମାରି ହାଣ୍ଡିରେ ମୁହଁ ଘଷିଦେଇ ସେଇଠି ପକାଇଦେଲା, ହେଁସଟାଏ ଘୋଡ଼ି ହୋଇ ଶୋଇଲା ଜର କଲାଣି ବୋଲି । ବୁଢ଼ା ଗାଧୋଇ ଆସିଲାବେଳକୁ ବୁଢ଼ୀ କମ୍ପୁଚି ବିଲେଇଟାଏ ମରି ପଡ଼ିଚି, ହାଣ୍ଡିରେ କିଛି ତୂଣ ନାହିଁ-। ବୁଢ଼ା ସବୁ କଥା ବୁଝିପାରିଲା, ବୁଢ଼ୀକି ଗୁଡ଼ାଏ ଗାଳିଦେଲା । ବୁଢ଼ୀ ଛାଡ଼ିବାର ଲୋକ ନୁହେଁ, ରାଣ ନିୟମ ପକାଇ ବିଲେଇର ସବୁ ଦୋଷ ବୋଲି ପ୍ରମାଣ କରିଦେଲା । ବୁଢ଼ା ଆଉ କଣ କରିବ ତୁନି ହୋଇ ରହିଲା, ଏଣେ କଲୁରିବେଣ୍ଟ କାଉକୁ ଅନାଇ ଅନାଇ ଅଭିମାନରେ ତିନିଫାଳ ହୋଇଗଲା-। ମୋ କଥାଟି ସରିଲା; ଫୁଲ ଗଛଟି ଇତ୍ୟାଦି ।

Image

 

ଅଜଗର ସାପ କଥା

 

ଗୋଟିଏ ରଜାଟିଏ ଯେ ତାର ଦୁଇ ଭାରିଯା, ସାନ ରାଣୀର ଗୋଟିଏ ଝିଅ, ବଡ଼ ରାଣୀର ଗୋଟିଏ ଝିଅ । ରାଜା ସାନ ରାଣୀକି ବଡ଼ ଦେଖିପାରନ୍ତି, ବଡ଼ରାଣୀକି ଜମା ଦେଖିପାରନ୍ତି ନାହିଁ । ବଡ଼ରାଣୀକି ଗୋଟିଏ ଅଲଗା ଘର ତୋଳି ଦେଇଥାନ୍ତି, ତାକୁ ରୋଜ୍‌ ହାତଟେକିୟା କରି ପଡ଼ି ଦେଉଥାନ୍ତି, ତା’ ଝିଅକୁ ଧାନ କ୍ଷେତ ଜଗିବାକୁ ପଠାନ୍ତି, ବାୟା ଖାଇ ଯିବେ ବୋଲି । ଝିଅ ନିତି ଯାଏ କହେ ହୋରେ ବାୟା ହୋ । ଆର ଦେଶର ରାଜା ପୁଅ ଶାପରେ ଆଜଗର ସାପ ହୋଇ ସେହି ବନସ୍ତରେ ଥାଏ । ରଜା ଝିଅ ଯେତେବେଳେ ‘ହୋରେ ବାୟା ହୋ’ କହି ବାୟା ହୁରୁଡ଼ାଏ, ରଜାପୁଅ ତେତେବେଳେ ଅଜଗର ସାପ ଭିତରେ ଥାଇ କହେ, ‘ମା’କୁ କହ ଯା ମୁଁ ତମକୁ ବିଭା ହୋ’ । ରଜାଝିଅ ସବୁଦିନ ଏହିପରି ଶୁଣେ । ଦିନକର ବଡ଼ରାଣୀଙ୍କ ଆଗେ କହିଲା ବୋଉ, ମୁଁ ନିତି ହୋରେ ବାୟା ହୋ, ଏହା କହି ବାୟା ହୁରୁଡ଼େଇଲାବେଳକୁ ବଣ ଭିତରୁ କିଏ ଗୋଟାଏ କହେ ‘ମା’କୁ କହ ଯା ମୁଁ ତମକୁ ବିଭା ହୋ ।’ ବଡ଼ରାଣୀ ଶିଖାଇଦେଲା, ଆଜି ଯେତେବେଳେ ସେ ଏହା କହିବ ତାକୁ କହିବୁ, ‘ତମେ ଯଦି ଆମକୁ ବିଭା ହୋ, କାଲି ସକାଳୁ ଆମ ଦାଣ୍ଡ ଦୁଆାରେ ଠିଆ ହୋ ।’ ଏତ ଆଉ ଜାଣେନା ଅଜଗର ସାପ ବୋଲି, ମା ଯେମନ୍ତି କହିଥିଲା ସେହିପରି କହିଲା ତାକୁ । ତହିଁ ଆରଦିନ ରାତି ପାଇନାହିଁ ଅଜଗର ସାପ ଆସି ଦାଣ୍ଡ ଦୁଆରେ ଗର୍ଜନ ଛାଡ଼ୁଛି । ସମସ୍ତେ କହିଲେ ଏ କଅଣ ଏ କଅଣ ଅଜଗର ସାପୁଟାଏ କାହିଁକି ଏମନ୍ତି ଦାଣ୍ଡରେ ଗରଜୁଛି । ବୁଝୁ ବୁଝୁ ବଡ଼ରାଣୀ କହିଲା ଏମନ୍ତି ଏମନ୍ତି ମୋ ଝିଅକୁ ବିଭା ହେବାକୁ ଆସିଛି । ସମସ୍ତେ ବଡ଼ ଦୁଃଖିତ ହେଲେ, କହିଲେ ସେଡ଼େ ସୁନ୍ଦର ଝିଅକୁ ଅଜଗର ମୁହଁରେ ଦେବ-। ସାନରାଣୀ କହିଲା କହିଚିତ ବିଭା କରିବ ନାହିଁ କଣ ? ଆଉ କଣ ଅଜଗରକୁ ଫେରାଇଦେବ-? ରାଜା ବି ସେଇଆ କହିଲେ । ବଡ଼ରାଣୀ ଆଉ ତା ଝିଅ କାନ୍ଦୁଥାନ୍ତି, ବିଭାଘରର ସବୁ ଆୟୋଜନ ହେଲା, ବେଦୀ ତୋଳା ହେଲା ସବୁଠାରୁ ସବୁ ହେଲା । ପୁରୋହିତ ଆସିଲେ, ଭଣ୍ଡାରୁଣୀ ଆସିଲା, ଅଜଗର ସାପକୁ ଧରି ଆଣି ବେଦୀଖୁମ୍ୱରେ ବାନ୍ଧିଦେଲେ, ପୁରୋହିତ ମନ୍ତ୍ର ପଢ଼ି ବିଭାଘର କରିଦେଲେ । ସବୁ ସରିଲା, ଚତୁର୍ଥୀଦିନ ରାତିରେ ମଧୁଶଯ୍ୟାଘରେ ବିଛଣା କରିଦେଲେ, ଝିଅକୁ ଖଟ ଉପରେ ଶୁଆଇ ଦେଲେ, ଅଜଗର ସାପକୁ ଖଟଗୋଡ଼ରେ ବାନ୍ଧିଦେଲେ, ଆସିଲେ ସମସ୍ତେ ଶୋଇଲେ । ନିଃଶବ୍ଦ ହେଲା ଯୋଉଠୁ, ଏ ରଜାପୁଅ ସାପ ଖୋଳରୁ ବାହାରିଲା, ବାହାରକୁ ଗଲା-। ରଜାଝିଅକୁ ତ ଆଉ ନିଦ ନଥାଏ ରଜାପୁଅ ବାହାରିଗଲା ଯେମନ୍ତି ଖୋଳକୁ ଛାଡ଼ି, ଏ କଅଣ କଲା ଖୋଳଟିକି ନିଆଁ ଲଗାଇ ପୋଡ଼ିଦେଲା । ରଜାପୁଅ ତେଣୁ ଆସି ଦେଖେ ଖୋଳ ପୋଡ଼ିଗଲାଣି କହିଲା, କିକଲ କିକଲ ମୋ ଖୋଳ ପୋଡ଼ି ଦେଲ, ମୋ ଦେହ ପୋଡ଼ୁଚି । ସେଠାରେ ଚୁଆ ଚନ୍ଦନ ଥୁଆ ହୋଇଚି ବୋଳି ହୋଇପଡ଼, ଦେହ ପୋଡ଼ିବ ନାହିଁ । ରଜାପୁଅ ଚୁଆଚନ୍ଦନରେ ଦେହ ଶୀତଳ କରି ରଜାଝିଅ ସାଙ୍ଗରେ ଖଟ ଉପରେ ବସିଲା, କଥାବାର୍ତ୍ତା ହେଲେ-। ରଜାଝିଅ ପଚାରଲା ତମେ କାହିଁକି ଅଜଗର ସାପ ହୋଇଥିଲ ? ରଜାପୁଅ କହିଲା ଆମେ ସବୁ ପିଲା ହୋଇଥିଲୁଁ, ଦିନେ ଖେଳୁ ଖେଳୁ ଗୋଟିଏ ବୁଢ଼ୀ ସାଙ୍ଗେ ଟାପରା ଲଗାଇଲୁଁ, ସେ ମୋତେ ଶାପ ଦେଲା କି ତୁ ଅଜଗର ସାପ ହୋଇଯା । ମୁଁ ତାକୁ ଯେତେ ନେହୁରା ହେଲି, କେଭେ ମୁକ୍ତ କଲାନାହିଁ, କହିଲା, ଆର ଦେଶ ରଜାଝିଅ ଆସିବ ଧାନ ଜଗିବ ତୁ ତାକୁ ବିଭା ହେବୁ, ସେ ତୋ ଖୋଳକୁ ପୋଡ଼ିଦେଲେ ତୁ ଯାଇ ମୁକ୍ତ ହେବୁ । ଏହିପରି କଥାବାର୍ତ୍ତା ହେଉ ହେଉ ରାତି ପାହା ପାହା ହେଲା, ନିଦ ଲାଗିଗଲା ଶୋଇପଡ଼ିଲେ ଦିନ ପ୍ରହରେ ହୋଇଗଲାଣି, ଆଉ କବାଟ ଫିଟିଲା ନାହିଁ, କବାଟ ତାଡ଼ି ଫିଟାଇଲା ବେଳକୁ ୟାଙ୍କ ନିଦ ଭାଙ୍ଗିଗଲା, ରଜାପୁଅ ଲାଜରେ ଦାଣ୍ଡକୁ ପଳାଇଲା, ଝିଅ କବାଟ କଣକୁ ଗଲା ବାହାରି । ସମସ୍ତେ କହିଲେ ଦେଖ ବଡ଼ ରାଣୀ ଝିଅ ଅଜଗରସାପ ବିଭା ହୋଇଥିଲା, ତା ଭିତରୁ କେମନ୍ତ ସୁନ୍ଦର ରଜାପୁଅ ବାହାରିଲା । ସମସ୍ତେ ଯୋଉଠୁ ଏପରି କହିଲେ ସାନରାଣୀ ଝିଅ କହିଲା ମୁଁ ଅଜଗର ସାପ ବିଭା ହେବି । ରଜା ନାହିଁ ନାହିଁ ହେଉଥାନ୍ତି, ସାନରାଣୀ କହିଲା ନା ମୋ ଝିଅ ଅଜଗର ସାପକୁ ବିଭା ହେବ ତ । ରଜା ନାଚାର ହୋଇ ହଁ ଭରିଲେ, ଗଣ୍ଡାଏ କି ପାଞ୍ଚଟା ମଣିଷ ପାହାଡ଼କୁ ଗଲେ, ଗୋଟିଏ ଅଜଗର ସାପ ଧରି ଆଣିଲେ । ସେ ଗର୍ଜ୍ଜନ ଛାଡ଼ୁଥାଏ ଯେ ଘର ଦ୍ୱାର ଭାଙ୍ଗୁଥାଏ । ତାକୁ ବେଦୀ ଖମ୍ୱରେ ବାନ୍ଧିଦେଲେ, ଲଣ୍ଡ ଭଣ୍ଡ କରି ବିଭା କରିଦେଇ ପୁରୋହିତ ଗଲେ ବାହାରି । ରାତିକି ଖଟ ଉପରେ ବିଛଣା କରି ଆଣି ଝିଅକୁ ଶୁଆଇଦେଲେ, ଅଜଗରକୁ ଖଟ ଗୋଡ଼ରେ ବାନ୍ଧି ଦେଇ ଆସିଲେ-। ଧାଈ ଆରପାଖ ଘରେ ଶୋଇଥାଏ, ରାତି ଅଧ ହେଲାଣି ଅଜଗର ସେ ଖଟ ଗୋଡ଼ରୁ ବାହାରିଲା, ଖଟ ଉପରକୁ ଯାଇ ସାନରାଣୀ ଝିଅକୁ ଗୋଡ଼ଆଡ଼ୁ ଗିଳିଲା । ଏ ଡାକିଲା ଧାଈ ଗୋଡ଼ ଗଲା, ଧାଈ ଆର-ଘରୁ କହୁଥାଏ ଜୋଇଁ ଗୋଡ଼ରେ ବଳା ପାହୁଡ଼ ଲଗାଇ ଦେଉଛନ୍ତି, ପାଟି କରୁଚୁ କାହିଁକି ? ଏ କହିଲା ମୋ ଅଣ୍ଟା ଗଲା, ଧାଈ କହିଲା ଜୋଇଁ ଚନ୍ଦ୍ରହାର ଲଗାଉଛନ୍ତି ନା, ଏ କହିଲା ମୋ ହାତ ଗଲା ଧାଈ କହିଲା ଜୋଇଁ ଚୁଡ଼ୀ ଖଡ଼ୁ ଲଗାଉଛନ୍ତି, ଏ କହିଲା ମୋ ବେକ ଗଲା ଧାଈ କହିଲା ଜୋଇଁ ଚାପସରୀ ପିନ୍ଧାଇ ଦେଉଛନ୍ତି । ଏହି ପରି ସାପ ଗୋଟିକଯାକ ଗିଳିଦେଇ ଖଟ ଉପରେ ଥିରି ହୋଇ ଶୋଇଲା । ରାତି ପାହିଲା, ଦିନ ଦିପହର ହେଲାଣି, ଆଉ କବାଟ ଫିଟିଲା ନାହିଁ-। ସାନରାଣୀ ଖାଲି ଛଟପଟ ହେଉଥାଏ, କେମନ୍ତି ବଡ଼ ରାଣୀ ପରି ଗୋଟିଏ ସୁନ୍ଦର ଜୁଆଁଇ ଦେଖିବ-। ବେଳ ଗଡ଼ିଗଲା ଯୋଉଠୁ କବାଟ ଭାଙ୍ଗି ଘରେ ପଶିଲେ, ଦେଖିଲେ ଝିଅ ନାହିଁ, ଅଜଗର ସାପ ପଡ଼ିଚି ଝିଅକୁ ଗିଳିଦେଇ କରି । ଯୋଉଠୁ ସମସ୍ତେ ଗଦା ହୋଇ ପଡ଼ିଲେ ଦେଖିବାକୁ, ଅଜଗର ସାପ ଗୋଟିଏ ଗର୍ଜ୍ଜନ ଛାଡ଼ି ସମସ୍ତଙ୍କୁ ମାଡ଼ିଦେଇ ପାହାଡ଼କୁ ପଳାଇ ଗଲା-। ସାନରାଣୀ କାନ୍ଦିବୋବାଇ ରହିଲା । ବଡ଼ରାଣୀ ଝିଅଜୋଇଁ ଘେନି ସୁଖରେ ହସିଖେଳି ଘରଦୁଆାର କଲା, ମୁଁ ଗଲାରୁ କଥା କହିଲା ନାହିଁ । ମୋ କଥା ସରିଲା ଇତ୍ୟାଦି ।

Image

 

ନେଉଳଭାଇ କଥା

 

ଗୋଟିଏ ସାଧବ ଥାଏ ଯେ ତାର ସାତ ପୁଅ । ସାତ ବୋହୂ ସାତଯାଆ ଯାକ ଗର୍ଭ ହୋଇଥାନ୍ତି, ଆମ୍ୱକ ସମୟ ହୋଇଚି, ବାରିକି ଗଲେ ଛ ଯାଆ ଛଅଟି ଭଲ ଆମ୍ୱ ପାଇଲେ, ସବା ସାନ ଯା ଗୋଟିଏ ଖଣ୍ଡିଆ ଆମ୍ୱ ପାଇଲା, ଯେଝା ଆମ୍ବ ଯେଝା ଖାଇଲେ, ସାନ ଯା ଆମ୍ୱଟି ନେଉଳ ଖାଇଥିଲା; ସାନ ଯା ସେହି ନେଉଳ ଖଣ୍ଡିଆଟି ଖାଇଲା । ସମସ୍ତଙ୍କ ଦଶ ମାସ ହେଲା, ସମସ୍ତେ କଷ୍ଟ ପାଇଲେ, ପୁଅ ଜନ୍ମ କଲେ, ସାନ ଯା ଗୋଟିଏ ନେଉଳ ଜନ୍ମ କଲା । ସାନ ଯାଟି କାନ୍ଦୁଣୀ ମାନ୍ଦୁଣୀ ହେଉଥାଏ । ସମସ୍ତେ କହିଲେ ଏ କାହିଁକି ନେଉଳ ଜନ୍ମ କଲା ? ଛଅ ଯା ଯାକ କହିଲେ, ଆମେ ସବୁ ଆମ୍ୱଗଛ ମୂଳକୁ ଯାଇଥିଲୁ, ଆମେ ଛଅଟି ଭଲ ଆମ୍ୱ ପାଇ ଖାଇଲୁ, ସେ ଗୋଟିଏ ଖଣ୍ଡିଆ ଆମ୍ୱ ପାଇ ଖାଇଲା । ତାକୁ ନେଉଳ ଖାଇଥିଲା, ଏ ସେହି ନେଉଳ ଜନ୍ମ କଲା । ଷଠୀ ପଞ୍ଚୁଆତୀ ସାତପାଣି ବୁଡ଼ ସବୁ ସରିଲା । ଗଲା କିଛି ଦିନ, ପୁଅମାନେ ପାଠ ପଢ଼ିଲେ, ଘୋଡ଼ା ଚଢ଼ିଲେ, ସବୁ କଲେ, ନେଉଳଟି ଆଉ କଣ କରିବ ? ତା ମା ପାଖରେ ଥାଏ । ଛ ଭାଇଯାକ କହିଲେ, ହେ ଆମର ଚାଲ ବିଦେଶ କରିଯିବା, ସବୁଦିନେ କଣ ଘରେ ବସିଥିବା ? ମା ମାନଙ୍କୁ କହିଲେ, ଘୋଡ଼ାରେ ଚଢ଼ିଗଲେ । ନେଉଳ କହିଲା ଆଲୋ ମା ମୁଁ ଯାନ୍ତି ଭାଇମାନଙ୍କ ସାଙ୍ଗେ ? ମା କହିଲା ତୁ କୋଉଠିକୁ ଯିବୁ ? ତୋତେ ତ କିଏ ମାଡ଼ି ପକାଇବ କି କଅଣ କରିବ, ତୁ କୋଉଠିକୁ ଯିବୁ ? ନେଉଳ କହିଲା ନାହିଁ ମା ମୁଁ ଯିବି, ମା କହିଲା ହଉ ଯା, ବୁଝି କାହାରି ସଙ୍ଗେ ଖଳବ ଲଗାଇବୁ ନାହିଁ । ମା ହଳଦୀ ଟିକିଏ ତେଲ ଟିକିଏ ଲଗାଇ ଦେଲା, ଲୁଗା ଖଣ୍ଡେ ଅଣ୍ଟାରେ ଗୁଡ଼ାଇ ଦେଲା, ଛାଡ଼ିଦେଲା । ସେ ଛଅ ଭାଇ ଯାକ ଘୋଡ଼ାରେ ଯାଉଥାନ୍ତି, ନେଉଳ କଣେ କଣେ ଯାଉଥାଏ । ବାଟରେ ଗୋଟିଏ ଆମ୍ୱଗଛ ଦେଖିଲା, ତହିଁରେ ଖୁବ୍‌ ସୁନ୍ଦର ଆମ୍ୱ ପାଚିଚି । ଛ ଭାଇ ଯାକ କହିଲେ ଆହା ନେଉଳ ଭାଇକି ସାଙ୍ଗରେ ଆଣିଥାନ୍ତେ କି, ଆମ୍ୱ ପାରି ଦେଇଥାନ୍ତା । ଖାଇଥାନ୍ତେଇଁ ସମସ୍ତେ । ନେଉଳ ବଣ ଭିତରୁ ବାହାରି ପଡ଼ି କହୁଚି ଆରେ ଭାଇ ! ମୁଁ ଆସିଚି ମଁ । ଏ ସବୁ କହିଲେ ଆରେ ନେଉଳ ଭାଇତ ଆସିଚି । ଦେ ଗଛରେ ଚଢ଼, ଆମ୍ୱ ପାର, ଆମକୁ ଦେ । ନେଉଳ ଗଛରେ ଚଢ଼ିଲା, ସବୁ ପାକିଲା ଆମ୍ୱଯାକ ଖାଉଥାଏ, ୟାଙ୍କ ପାଇଁ ସବୁ କଞ୍ଚାଆମ୍ୱ ପକାଉଥାଏ । ଏମାନେ କହୁଥାନ୍ତି ନେଉଳଭାଇ ଦେ ମଁ ଆମକୁ ଭଲ ଆମ୍ୱ ? ଏ ଦେଉ ନଥାଏ । ଏ ସବୁ କହିଲେ ହଉ ରହ, ତୁ ତଳକୁ ଆ କି ତୋହର ରଙ୍ଗ ବୁଝାଯିବ । ନେଉଳ ସବୁ ଗଛକଯାକ ଆମ୍ୱ ଖାଇଲା, ୟାଙ୍କୁ ଆଉ ଦେଲା ନାହିଁ କି ତଳକୁ ଆସିଲା ନାହିଁ । ଏମାନେ ଠିଆ ହୋଇଥାନ୍ତି, ନେଉଳ ତଳକୁ ଆସିଲେ ତାକୁ ମାରିବେ ବୋଲି । ନେଉଳ ଗଛରେ ବସି ବସି କେତେବେଳକୁ ତଳକୁ ଆସିଲା । ଏମାନେ କଣ କଲେ ତାକୁ ଗୁଡ଼ାଏ ମାରିଲେ, ସେ ଗଛରେ ବାନ୍ଧିଦେଲେ, ଗଲେ-। ନେଉଳ ଓଟାରି ଓଟାରି ହୋଇ ସେଥିରୁ ଫିଟିଲା, ତାଙ୍କରି ସାଙ୍ଗେ ସାଙ୍ଗେ ବଣେ ବଣେ ଗଲା-। ସେମାନେ ବାଟରେ ଗୋଟିଏ ତାଳ ଗଛ ଦେଖିଲେ, କହିଲେ ନେଉଳ ଭାଇକୁ ତ ଛାଡ଼ି ଅଇଲେଇଁ, ଆଣି ଥାଆନ୍ତେଇଁ କି, ପାଚିଲା ତାଳ ଖାଇଥାନ୍ତେଇଁ । ଏହା କହିଲାକ୍ଷଣି ନେଉଳ ସେହିପରି ବାହାରି ପଡ଼ିଲା କହିଲା ଭାଇ ! ମୁଁ ଆସିଚି । ନେଉଳ ସେହିପରି ଗଛରେ ଚଢ଼ି ରସ ଯାକ ଖାଉଥାଏ, ମଞ୍ଜିଯାକ ଫୋପାଡ଼ୁଥାଏ । ସେମାନେ ସେହିପରି ଚଦିଲେ ତଳକୁ ଆସିଲାକ୍ଷଣି ନେଉଳକୁ ଗୁଡ଼ାଏ ବାଡ଼େଇଲେ, ସେ ଗଛରେ ବାନ୍ଧିଦେଇ ଚାଲିଗଲେ । ଏହିପରି ବାଟରେ ଯୋଉଠି ଗଛ ଦେଖନ୍ତି ସେହିପରି ହୁଅନ୍ତି, ନେଉଳକୁ ଖୋଜନ୍ତି । ନେଉଳ ଯାଏ, ଫେର ନେଉଳ ସେହିପରି କଲାବେଳକୁ ଗଛରେ ତାକୁ ବାନ୍ଧି ଦିଅନ୍ତି, ଯାଆନ୍ତି । ଏହିପରି ଯାଇଁ ଯାଇଁ ଆରଦେଶ ରଜାଗାଁରେ ପହଞ୍ଚିଲେ-। ରଜାଘରେ ଏ ଛ ଭାଇଯାକ ରହିଲେ, ନେଉଳଟି ଗୋଟିଏ ରାଣ୍ଡି ବ୍ରାହ୍ମଣୀ ଘରେ ରହିଲା-। ରାଣ୍ଡିବ୍ରାହ୍ମଣୀର କେହି ନାହାନ୍ତି, ଖାଲି ଦି ବର୍ଷର ପୁଅଟିଏ ଥାଏ । ନେଉଳ କହିଲା ମାଉସୀ, ମୁଁ ତୋ ଘରେ ଚାକରି ରହନ୍ତି ? ରାଣ୍ଡି ବ୍ରାହ୍ମଣୀ କହିଲା ତୁ ଗୋଟିଏ କଣ ଚାକରି କରିବୁ-? ନେଉଳ କହିଲା ମାଉସୀ, ମୁଁ ତୋର ସବୁ କାମ କରିବି, ତୁ ମତେ ରଖ । ରାଣ୍ଡିବ୍ରାହ୍ମଣୀ କହିଲା ହଉ ତେବେ ରହ । ନେଉଳ ରହିଲା, ସବୁ କାମ କରୁଥାଏ, ସେ ପୁଅକୁ ଯେତେବେଳେ ହଗେଇ ନିଏ, ଏ ସେତେବେଳେ କଣ କରେ ଗାଣ୍ଡିକୁ କାମୁଡ଼ିଦିଏ ଯେ ପୁଅ କାନ୍ଦେ । କାନ୍ଦେ ଯୋଉଠୁ ନେଉଳଭାଇ କହେ କାହିଁକି କାନ୍ଦୁଚୁ ? ପୁଅ କହେ ତୁ ମତେ କାମୁଡ଼ୁଚୁ । ନେଉଳଭାଇ କହେ ମୁଁ ତତେ କାମୁଡ଼ିବି ନାହିଁ, ତୁ କହ ମତେ ତୋ ମା କେଉଠି ଟଙ୍କା ରଖିଚି । ପୁଅ କହିଲା ଚୁଲି ମୁଣ୍ଡେ ପୋତିଛି-। ନେଉଳଭାଇ କଣ କରେ ରାତିରେ ତାକୁ ଖୋଳେ ସେ ଟଙ୍କା ତକ ନିଏ-। ରାଣ୍ଡିବ୍ରାହ୍ମଣୀର ଗୋଟିଏ ବୁଢ଼ୀ ମେଣ୍ଢା ଥାଏ ଯେ ତାକୁ ଗିଳାଉଥାଏ, କାଳେ ହଗି ପକାଇବ ବୋଲି ଗାଣ୍ଡିରେ ଖଣ୍ଡେ ଶୋଲ ମାରି ଦେଇଥାଏ । ସେହିପରି ସବୁଦିନେ କରେ । ରାଣ୍ଡି ବ୍ରାହ୍ମଣୀର ଯେତେ ଟଙ୍କା ଥିଲା, ସବୁ ତା ପୁଅକୁ ପଚାରି ଖୋଳି ସେ ମେଣ୍ଡାକୁ ଗିଳାଇ ଥାଏ । ଯେଉଁଦିନ ସେ ଛ ଭାଇ ଘରକୁ ବାହାରିଲେ, ଏ କହିଲା ମାଉସୀ । ମୁଁ ଯାଉଚି ଘରକୁ ରାଣ୍ଡି ବ୍ରାହ୍ମଣୀ କହିଲା, ତୁ ଏତେଦିନ ଥିଲୁ ମୋ ଘରେ କଣ ନେବୁ କହ । ନେଉଳ ଭାଇ କହିଲା ମୁଁ କିଛି ନେବି ନାହିଁ, ମତେ ଏ ବୁଢ଼ୀ ମେଣ୍ଡାଟା ଦିଅ-। ରାଣ୍ଡି ବ୍ରାହ୍ମଣୀ କହିଲା ହେଉ ନେ । ନେଉଳଭାଇ ସେହି ବୁଢ଼ୀ ମେଣ୍ଢା ଉପରେ ବସିଲା, ଗଲା-। ଏ ଛ ଭାଇ ଯାଉଥାନ୍ତି ଘୋଡ଼ାରେ ଚଢ଼ି, ନେଉଳ ଯାଉଥାଏ ମେଣ୍ଢାରେ ଚଢ଼ି । ଏ ଛଅ ଭାଇ କହିଲେ କିରେ ନେଉଳଭାଇ ! ଆସିଲୁ କି ? କଣ ଆଣିଚୁ ? ନେଉଳ କହିଲା ମୁଁ ଏହି ବୁଢ଼ୀ ମେଣ୍ଢାଟି ନେଉଚି ତୁମେ ସବୁ କଣ ଆଣିଲ ? ଏମାନେ କହିଲେ ଆମେ କିଛି ଆଣିନାହୁଁ । ଏ ଛ ଭାଇ ଘରେ ଆଗରେ ପହଞ୍ଚିଲେ, ନେଉଳର ମା କହିଲା ମୋ ନେଉଳକୁ ଦେଖିଚ ? ଏ ସବୁ ବାଦରେ କହିଲେ ନାହିଁ ଆମେ ଦେଖିନାହୁଁ । ଏ ସବୁ ଘରେ ଖାଇ ପିଇ ଶୋଇଛନ୍ତି, ନେଉଳ ଆସି ପହଞ୍ଚିଲା, ଡାକିଲା ମା ଲୋ ! କବାଟ ଫିଟା । ମା ଧଡ଼ପଡ଼ କରି କବାଟ ଫିଟାଇ ଦେଲା, ଏ ବୁଢ଼ୀ ମେଣ୍ଢାଟି ନେଇ ଘରେ ପଶିଲା, ମାକୁ କହିଲା କୁଲାଟାଏ ଆଣିବୁଟି । ଏ କୁଲାଟାଏ ଆଣିଲା । ନେଉଳଭାଇ କଣକଲା ନା ମେଣ୍ଢାଗାଣ୍ଡିରୁ ଶୋଲ ଖଣ୍ଡ ଫିଟାଇ ଦେଲା; ମେଣ୍ଢା ସବୁ ଟଙ୍କା ତକ ଗାଳି ପକାଇଲା-। ନେଉଳ ଭାଇ ଗୋଟିଏ ଟଙ୍କା ସେ ମେଣ୍ଢାକୁ ଫେର୍‍ ଗିଳାଇ ଦେଲା, ଆଉ ସବୁ ଟଙ୍କା ମାକୁ ଦେଲା, କହିଲା ମାଲୋ ମା, ନେ, ୟାକୁ ଗାଡ଼ିଆରେ ଧୋଇଆଣି ରଖିଦେ । ଏ ଧୋଇଧାଇ ରଖିଦେଲା, ସକାଳୁ ସେ ଛ ଭାଇଯାକ କହିଲେ, ହଇରେ ନେଉଳଭାଇ ! ତୁ ଏତେ ଟଙ୍କା କେଉଠୁଁ ଆଣିଲୁ ? ନେଉଳ କହିଲା ମୋ ବୁଢ଼ୀ ମେଣ୍ଢା ହଗିଲା । ଏ କହିଲେ ହେ, ଆମକୁ ସେ ମେଣ୍ଢାଟିକି ଦିଅନ୍ତୁ ଟଙ୍କା ନିଅନ୍ତୁ, ନେଉଳ ଭାଇ କହିଲା, ହଉ ନିଅ, ମତେ ଟଙ୍କା ଦିଅ, ନେଉଳଭାଇ ଟଙ୍କା ଆଣିଲା, ତାକୁ ମେଣ୍ଢାଟିକି ଦେଲା । ଏ ନେଇ ସେ ମେଣ୍ଢାକୁ ବାଡ଼େଇଲେ, ବାଡ଼େଇ ବାଡ଼େଇ ମେଣ୍ଢା ଗୋଟିଏ ଟଙ୍କା ହଗିଲା, ଆଉ ହଗିଲା ନାହିଁ, ମରିଗଲା । ଏ ଛଅଭାଇ କହିଲେ ରହ ରହ ନେଉଳଭାଇ ! ତୋ ଘର ଯେବେ ଆମେ ପୋଡ଼ି ନାହୁଁ, ତୁ ଆମକୁ ଠକି ଦେଲୁ ! ନେଉଳଭାଇ ତ ଶୁଣିଥାଏ, ଏ ଘର ପୋଡ଼ିଦେବେ ବୋଲି ସବୁ ଜିନିଷ ତକ କୂଅରେ ପକାଇ ଦେଲା । ତୁନି ହୋଇ ମା ପୁଅ ଦୁହେଁ ଲୁଚିକରି ଏଆଡ଼େ ରହିଲେ । ଏ ଛଅ ଭାଇ କଣ କଲେ ତା ଘରେ ନିଆଁ ଲଗାଇ ଦେଲେ । ନେଉଳ ଭାଇ କଣ କରିବ ଲିଭେଇତ ପାରିବ ନାହିଁ, ଘର ପୋଡ଼ି ଯେ ଉଠୁ ଛିଡ଼ି ପଡ଼ିଲା ନିଆଁରେ ପାଣି ପକାଇ ଲିଭାଇଲା-। ଅଙ୍ଗାରତକ ବାଛିଲା, ବଳଦିଆ ବସ୍ତାଟାଏ ଆଣିଲା, ତାକୁ ସବୁ ତହିଁରେ ପୂରାଇଲା, ବଳଦ ଉପରେ ନଦିଲା, ନେଇ କରି ଗଲା ବିକିବାକୁ । ଯାଉଚି, ତେଣୁ, ବଳଦିଆ ସାତୁଟା ଆସୁଛନ୍ତି ସର୍କାର ଖଜଣା ଟଙ୍କା ଘେନି । ନେଉଳ ଭାଇକି କହିଲେ, କିରେ କିରେ କଣ ନେଉଚୁ କି ? ନେଉଳ କହିଲା ତମେ କଣ ନେଉଚ ? ଏ ସବୁ କହିଲେ ଆମେ ଟଙ୍କା ବଳଦ ନେଉଚୁ । ନେଉଳଭାଇ ମିଛରେ କହିଲା ମୁଁ ସେହି ଟଙ୍କାବଳଦ ନେଉଚି । ନେଉଳ କହିଲା ତେମେ କେଉଁଠିକି ଯାଉଚ ? ଏସବୁ କହିଲେ ଆମେ ସର୍କାର କୁ ଯାଉଚୁ । ରାତି ହେଲା ଯୋଉଠୁ ବଳଦିଆଯାକ କହିଲେ ସମସ୍ତେ ତ ଏକାଠାକୁ ଯିବା, ଏଇଠି ଏକାଠେଇଁ ସମସ୍ତେ ରହିଯିବା-। ନେଉଳଭାଇ କହିଲା ହଉ ତେବେ ଭଲ ହେବ-। ସମସ୍ତେ ରହିଲେ, ରୋଷେଇବାସ କଲେ, ଖାଇଲେ ପିଇଲେ ଶୋଇଲେ । ଏ ସବୁଙ୍କୁ ଯୋଉଠୁ ନିଦ ଲାଗିଗଲା ନେଉଳଭାଇ ଉଠିଲା, ୟାଙ୍କୁ ସବୁ ଡାକେ ଡାକେ ମାରିଦେଲା । ଏ ସବୁ କହିଲେ ଆମେ ଅଇଛିକା ଯିବୁ ନାହିଁ, ତୁ ନଇଲେ ଆଗରେ ବାହାରି ଯା । ନେଉଳ କଣ କଲା ଅଙ୍ଗାର ପଟକ ସେମାନଙ୍କର ଗୋଟିଏ ବଳଦ ଉପରେ ଲଦି ଦେଲା, ଟଙ୍କା ପଟକ ତା ବଳଦ ଉପରେ ଲଦିଲା, ଘେନିକରି ବାହାରି ଆସିଲା । ଘରକୁ ଆସି କବାଟରେ ମାରିଲା, ମା କବାଟ ଫିଟାଇଲା, ମା ପୁଅ ଦୁହେଁ ଟଙ୍କାପଟକୁ ଧରାଧରି କରି ନେଇ ଧୋଇଦେଲେ । ନେଉଳଭାଇ ଘରେ ଶୋଇଥାଏ, ଏଣେ ଏ ବଳଦିୟାଏ ଉଠିଲେ, ପଟ ବଳଦଉପରେ ନଦିଲାବେଳକୁ ଅଙ୍ଗାର ପଟ ଉଶ୍ୱାସ ଲାଗିଲା । ଏମାନେ କହିଲେ ଆରେ ଆରେ ଆମକୁ ନେଉଳ ଠକି ଦେଇ ଗଲା ! ବାଡ଼େଇ କଚାଡ଼ି ହେଲେ ରହିଲେ, ଆଉ ନେଉଳକୁ ପାଇଲେ ନାହିଁ । ରାତି ପାହିଲା, ଏ ଛଅ ଭାଇ ଉଠିଲେ, କହିଲେ, କିରେ ନେଉଳଭାଇ ! କଣ ଆଣିଲୁ-? ନେଉଳଭାଇ କହିଲା ଅଙ୍ଗାରପଟକୁ ଟଙ୍କା ପଟେ ଆଣିଲି । ଏ ଛ ଭାଇ କହିଲେ ଆମ ଘର ଆମେ ପୋଡ଼ି ଦେବା କି ଟଙ୍କା ଆଣିବା, ନେଉଳ ଭାଇ କହିଲା ପୋଡ଼, ମୁଁ କଣ ତମକୁ ନାହିଁ କରୁଚି-? ଏମାନେ ନିଜ ଘର ସବୁ ପୋଡ଼ିଦେଲେ । ଅଙ୍ଗାର ବାଛି ଛ ପଟ ସିଲେଇ କଲେ; ବଳଦ ଉପରେ ଲଦିଲେ, ନେଇକରି ଗଲେ । ନେଉଳଭାଇକି ପଚାରିଲେ ନେଉଳଭାଇ, ତୁ କଣ ଡାକିକରି ବିକ୍ରି କଲୁ ? ନେଉଳଭାଇ ମିଛରେ କହିଲା, ମୁଁ କହିଲି ଅଙ୍ଗାର ପଟ କିଏ ନେବରେ, ଟଙ୍କା ପଟ କିଏ ଦେବରେ ? ଏମାନେ ନେଇ ସେଇଆ ଡାକିଲେ । କିଏ କାହିଁକି ଅଙ୍ଗାର ଗୁଡ଼ାକ ନେବ । ଦିଅଣା ଅଣାକର କିଏ କେମନ୍ତି କିଣିଲା, ଆଉ କେହି ନେଲେ ନାହିଁ । ଏମାନେ ଚାରି ଛ ଦିନ ରହି ଫେରି ଆସିଲେ । ନେଉଳଭାଇ କୋଠା ତୋଳି ଦେଉଳ ତୋଳି ବସିଚି । ଏ ଛ ଭାଇଯାକ କହିଲେ ରହ ରହ, ଆଜି ନେଉଳଭାଇକି ପଟରେ ସିଲେଇ କରି ପାଣିକି ପକାଇ ଦେବା ଯେ ଏକାନଟକେ ଯିବ-। ନେଉଳକୁ ଡାକି ନେଲେ, ଗୋଟିଏ ପଟ ଆଣିଲେ, କହିଲେ ଏଥିରେ ପଶିଲୁ, ଦେଖିବୁ କେତେ ଧାନ ସମେଇବ ? ନେଉଳ ପଶିଲା, ଏମାନେ କଣ କଲେ, ନେଉଳଭାଇ ଯୋଉଠୁ ପଶିଗଲା, ପଟକୁ ସିଲେଇ କରିଦେଲେ, ନଈକି ଫୋଫାଡ଼ି ଦେଲେ । ସେଠାରେ ଗୋଟିଏ ଗଉଡ଼ ଗାଈ ଜଗୁଥାଏ, ତାକୁ ଡାକି ନେଉଳ ଭାଇ କହିଲା, ହେ ମୋତେ ମୋ ଭାଇମାନେ ବିଭା କରିବାକୁ ନେଇ ଯାଉଛନ୍ତି, ମୁଁ ଅଇଛିକା ବିଭା ହେବି ନାହିଁ । ତୁ ମତେ ଏଥିରୁ ବାହାର କରି ଦେ, ତୁ ପଶ ଯେ ତୁ ବିଭା ହେବୁ । ଗଉଡ଼ ଆଉ ଏତେ କଥା ଜାଣିଚି, ଗଉଡ଼ ବାହାର କରିଦେଲା ନେଉଳଭାଇକି, ସେଥିରେ ନିଜେ ପଶିଲା । ନେଉଳ କଣ କଲା ଗଉଡ଼କୁ ନଈକୁ ଫୋଫାଡ଼ି ଦେଲା, ତାର ଗାଈ ପଲକୁ ଘିତିଲା, ଘରକୁ ଆସିଲା । ଏ ଛଅ ଭାଇଯାକ ଦେଖି କାବା ହୋଇଗଲେ, ପଚାରିଲେ ହଇରେ ତୁ ଏ ଗାଈ କେଉଁଠୁ ଆଣିଲୁ ? ନେଉଳଭାଇ କହିଲା ତମେ ମତେ ପାଣିରେ ପକାଇ ଦେଇ ଆସିଲ, ବହୁତ ଦୂରରେ ପକାଇ ଦେଇଥିଲେ ମୁଁ ବହୁତ ଗାଈ ଆଣିଥାନ୍ତି । ଏମାନେ କହିଲେ ହେ ନେଉଳଭାଇ ! ଆମକୁ ତୁ ପଟରେ ପୂରାଇ ନଈକି ଫୋଫାଡ଼ି ଦିଅନ୍ତୁ; ନେଉଳଭାଇ କହିଲା ହଉ ପଶ ମୁଁ କଣ ମନା କରୁଚି-? ଏ ଛଅ ଭାଇ ଛ’ଟା ପଟରେ ପଶିଲେ, ନେଉଳଭାଇ ପଟ ମୁହଁ ସିଲେଇ କରିଦେଲା । ନଈରେ ଖୁବ୍‌ ଦୂରରେ ଫୋଫାଡ଼ି ଦେଲା-। ଆସି ଏ ଛ ମା ଯାକଙ୍କୁ ନେଇ ଘରେ ରଖିଲା, ବିଭା ହେଲା, ଘର ଦୁଆାର କଲା ଖୁବ୍‌ ସୁଖରେ ରହିଲା, ମୁଁ ଗଲାରୁ କଥା ନ କହିଲା । ମୋ କଥାଟି ସରିଲା ଇତ୍ୟାଦି ।

Image

 

ଅନନ୍ତା କଥା

 

ଗୋଟିଏ ଚଷା ଘରେ ମା ବାପା, ପୁଅ, ଝିଅ ଚାରୋଟି ଲୋକ ଥାନ୍ତି । ଝିଅଟି ବିଭା ହୋଇଗଲା ଗୋଟିଏ ଖୁବ୍‌ ଧନବନ୍ତ ଘରେ, ବାପଟି ମରିଗଲା । ଏ ମା’ ପୁଅ ଦୋଟି ଭାରି କଷ୍ଟରେ ଥାନ୍ତି, ରୋଜିନା ଚାରି ସେର ମୂଲ ଆଣି ଚଳନ୍ତି । ପୁଅଟି ନା ଅନନ୍ତା । ଭଉଣୀଘରେ ବିଭା ଘର ହେଉଥିଲା, ଅନନ୍ତା କହିଲା, ମା ! ନାନୀ ଘରେ ବିଭାଘର ହେଉଚି, ମୁଁ ଯାନ୍ତି ଦେଖିବାକୁ ? ମା କହିଲା ହଉ ଯା । ଅନନ୍ତାଗଲା ଭଉଣୀଘରକୁ, ଯାଇ ସନ୍ଧ୍ୟାବେଳେ ପହଞ୍ଚିଲା । ଭିଣେଇ ଦେଖିଲା, କହିଲା ଅନନ୍ତା ଆସିଚ କି ? ହଉ ତେବେ ଏ ଖଲିପତ୍ର ଦିଖଣ୍ଡ ସିଇଁ ଦିଅ, ଏହା କହି ଦି ବୋଝ ପତର ଦେଇଗଲା ଖଲି ସିଇଁବାକୁ । ଅନନ୍ତା ଖଲିପତ୍ର ସିଉଁ ସିଉଁ ରାତି ପାହାନ୍ତିଆ ହେଲା ସମସ୍ତେ ଖାଇ ପିଇ ଶୋଇଲେଣି, ଭଉଣୀର ମନେ ପଡ଼ିଲା ଅନନ୍ତାତ ଆସିଚି ଖାଇ ନାହିଁ ! ଏହା କହି ହାଣ୍ଡିଶାଳରେ ହାଣ୍ଡି ଦେଖିଲାବେଳକୁ ହାଣ୍ଡିରେ କିଛି ନାହିଁ, ପେଜମିଶା ହୋଇ ଭାତ ଗଣ୍ଡିଏ ରହିଚି-। ଡାକିଲା, ଅନନ୍ତା ! ପେଜ ପିଇବୁ ? ଅନନ୍ତା କହିଲା ନାହିଁ ନାନୀ, କାଲି ସକାଳ ଯାଏ, ରାତି ପାହିଗଲାଣି କାଲି ସକାଳେ ଖାଇବି । ଭଉଣୀ ଫେରିଗଲା ଘରକୁ । କେତେ ସମୟ ପରେ ରାତି ପାହିଲା । ଭିଣୋଇ ଘରୁ ଉଠିଆସି ଦେଖେ ଯେ ଅନନ୍ତା ପିଣ୍ଡାରେ ବସିଚି, କହିଲା ଅନନ୍ତା-! ଏ ଦାଆଖଣ୍ଡି ନେବଟି, ଘୋଡ଼ାପାଇଁ ଘାସ କେରାଏ ଆଣିବ, ଅନନ୍ତା ଦାଆକୁ ଆଣିଲା, ଆସିଲା । ମନେ ମନେ ଭାବିଲା, ମୁଁ ସିନା ଦୁଃଖୀଟିଏ ବୋଲି ମତେ ଏମନ୍ତି କହୁଛନ୍ତି । ବାଟରେ ଦାଆକୁ ଫୋପାଡ଼ି ଦେଲା, ଆପଣା ଘରକୁ ଫେରି ଆସିଲା-। ଆସୁଚି, ବାଟରେ ଗୋଟିଏ ମଲା ନାଗସାପ ଦେଖିଲା, କହିଲା ବଞ୍ଚିଛି ବୋଲି ସିନା ଏତେ ଅପମାନ, ଯାଉଚି ଏ ମଲା ସାପକୁ ନେଇ ସିଝାଇ କରି ଖାଇବି ଯେ ମରିବି । ଏହା କହି ସାପଟିକୁ ନେଇ ଘରକୁ ଆସିଲା, ମାକୁ କହିଲା ମା ! ୟାକୁ ସିଝା, ଖାଇବା । ମା ସାପଟିକୁ କାଟିକୁଟି ରାନ୍ଧି ରଖିଲା । ଅନନ୍ତା ଗାଧୋଇ ଆସିଲା, ମା ଗଲା ଅନନ୍ତାକୁ ଖାଇବାକୁ ଦେବାକୁ । ହାଣ୍ଡି ଦେଖିଲା ବେଳକୁ ସାପ ସିଝା ନାହିଁ । ସୁନା ମୁଣ୍ଡା ମୁଣ୍ଡା ହୋଇ ହାଣ୍ଡିରେ ରହିଚି । ମା ଦେଖି କାବା ହୋଇଗଲା, ପୁଅକୁ ଦେଖାଇଲା । ପୁଅ କହିଲା ମା ଆମ କପାଳ ଝଡ଼ିଲା । ମା ସବୁ ସୁନା ଯାକ ରଖିଦେଲା । ଅନନ୍ତା ସେଥିରୁ ଖଣ୍ଡେ ନେଇ ଗଲା, ହାଟରେ ବିକିକରି ସବୁ ସରଞ୍ଜାମ ଆଣିଲା । ମା ପୁଅ ଦିହେଁ ଖାଇ ପିଇ ସୁଖରେ ରହିଲେ-। ଅନନ୍ତା ଖୁବ୍‌ ଘରଦ୍ୱାର କଲା । ଗୋଟାଏ ହାତୀ କିଣିଲା, ଭଉଣୀପାଇଁ ସାଜେ ଅଳଙ୍କାର କଲା, ଦି’ଟା ସୁନାମୁଦି ରୂପାମୁଦି ତା’ପାଇଁ ଗଢ଼ାଇଲା । ଯୋଡ଼ାଏ ଘଣ୍ଟି ଗଢ଼ାଇଲା, ଗୋଟିଏ ଘଣ୍ଟି କହୁଥାଏ, ‘ଅନନ୍ତା ପେଜ ପିଇବୁ ଆ’ ଆଉ ଗୋଟିଏ କହେ ‘ନାହିଁ ନାନୀ କାଲି ସକାଳ ଯାଏ’-। ଏହିପରି ସବୁ କରି ସାରିଲା । ମାକୁ କହିଲା ମା ମୁଁ ଯାଉଚି ନାନୀ ଘରକୁ । ଅନନ୍ତା ହାତୀ ଉପରେ ବସି, ଅଳଙ୍କାର ପେଡ଼ି ସାଙ୍ଗରେ ନେଲା, ସୁନାମୁଦି ରୂପା ମୁଦି ନେଲା, ଘଣ୍ଟି ଦିଟା ନେଲା, ଗଲା ଭଉଣୀ ଘରକୁ । ଗାଁ ମୁଣ୍ଡରେ ହେଲାରୁ ସେହ ଘଣ୍ଟି ଯୋଡ଼ିକ ହାତୀ ବେକରେ ପକାଇଦେଲା-। ଗୋଟିଏ ଘଣ୍ଟି କହୁଥାଏ ‘ଅନନ୍ତା ପେଜ ପିଇବୁ ଆ’ ଆଉ ଗୋଟିଏ କହୁଥାଏ ‘ନାହିଁ ନାନୀ କାଲି ସକାଳ ଯାଏ’ ଏହିପରି ସେ ଘଣ୍ଟି ଯୋଡ଼ାକ ବାଜୁଥାଏ । ଗାଁ ଲୋକେ ଶୁଣି କହିଲେ, ଭଉଣୀ ଭାଇକି ଏହା କହିଥିଲା ବୋଲି ଭାଇ ଏପରି ଘଣ୍ଟି ବଜାଇ ଆସୁଛି । ଅନନ୍ତା ଭଉଣୀ ଦୁଆରେ ପହଞ୍ଚିଲାବେଳକୁ କିଏ ପାଣି ନୋଟା ଧରି ଛିଡ଼ା ହୋଇଛି, କିଏ ହାତ ଧରି ନେବାକୁ ବସିଚି, କିଏ ବିଛଣା କରିଦେଉଚି, ଏହିପରି ସବୁ ହାଜର ଅଛନ୍ତି । ଗୋଡ଼ ଧୋଇ ଘର ଭିତରକୁ ଗଲାବେଳକୁ ଘରେ ଭାତ ବଢ଼ାହୋଇଚି, ଭଉଣୀ ଠିଆ ହୋଇଚି । ଅନନ୍ତା ଅଳଙ୍କାର ପେଡ଼ିଟି ଭଉଣୀ ଆଗରେ ଥୋଇଦେଲା, ଠା ପାଖକୁ ଯାଇ ବସିଲା, କହିଲା ଆଉ ଥରେ ଆସିଥିଲି ଯେ ଭିଣୋଇ କହିଲେ ଖଲିପତ୍ର ସିଇଁ ! ଭଉଣୀ କହିଲା ପେଜ ପିଇବୁ ଆ ! ଏଥର ସିନା ଧନ ଦରବ ଆଣିଚି ବୋଲି ଏତେ ଆଦର, ଏହାକହି ସୁନାମୁଦି ରୂପାମୁଦିକି ଭାତରେ ପୋତି ଦେଲା କହିଲା ‘ଭୁଞ୍ଜ ସୁନା ଭୁଞ୍ଜ ରୂପା’ ମୁଁ ଖାଇବି ନାହିଁ । ଏହା କହି ଥାଳୀ ପାଖରୁ ଉଠି ଆସିଲା, ଭଉଣୀକୁ କହିଲା ତୁ ଏ ଆଡ଼େ ମୁଁ ସେ ଆଡ଼େ; ଏହା କହି ହାତୀରେ ଚଢ଼ି ବାହାରି ଆସିଲା, ଘରେ ପହଞ୍ଚି ସୁଖରେ ଘର ଦୁଆର କଲା, ଭଉଣୀକୁ ଆଉ ପଚାରିଲା ନାହିଁ, ମୁଁ ଗଲାକୁ ମତେ କଥା କହିଲା ନାହିଁ । ମୋ କଥାଟି ସରିଲା ଇତ୍ୟାଦି ।

Image

 

କଞ୍ଚନବତୀ କଥା

 

ଗୋଟିଏ ସାଧବଟି ତାର ସାତ ପୁଅ ସାତ ବୋହୂ, କଞ୍ଚନବତୀ ବୋଲି ଗୋଟିଏ ଝିଅ । ଦିନକର ଭାଇଯାକ ମା’କୁ କହିଲେ, ଆଜି କଞ୍ଚନବତୀ ଶାଗ ଖରଡ଼ୁ । ମା କହିଲା ହଉ, କଞ୍ଚନବତୀକୁ ଶାଗ ଗୁରିଏ ଦେଲା, କହିଲା ଯା ଖରଡ଼ିବୁ, ଭାଇମାନେ କହିଛନ୍ତି ଖାଇବାକୁ । ଏ ଗଲା ଶାଗ ଧୋଇ ଆଣିଲା, କାଟିଲା, ସୁନ୍ଦର କରି ଖରଡ଼ିଲା । ସବୁ ଭାଇମାନଙ୍କୁ, ମାକୁ, ବାପାକୁ ଖାଇବାକୁ ଦେଲା, ସମସ୍ତେ କହିଲେ ଆଜି ଶାଗ ଭଲ ହୋଇଛି, ସାନବୋହୂ କାହିଁକି ଏମନ୍ତି ଅବର୍ଜିୟା କରି ଖରଡ଼େ ? ଏହିପରି ସାନବୋହୂକୁ ସମସ୍ତେ ନିନ୍ଦା କଲେ, ରାତିରେ ଯେତେବେଳେ ତାର ସ୍ୱାମୀ ସଙ୍ଗେ ଦେଖାହେଲା, ଖାଲି କାନ୍ଦିଲା । ସ୍ୱାମୀ ଯେତେ ପଚାରୁଥାଏ କିଛି କହୁନଥାଏ, କେତେବେଳେ ସରିକି କହିଲା, ତେମେ ସତ୍ୟ କର ମୁଁ କହିବି । ସେ ସତ୍ୟ କଲା, ସେଉଠୁ ତା ଭାରିଜା କହିଲା କଞ୍ଚନବତୀ ଯୋଗୁଁ ମୋର ଆଜି ଏତେ ନିନ୍ଦା, ସେ ଯେବେ ଆଜି ଏଘରୁ ଯିବ ମୁଁ ତ ଭାତ ଖାଇବି, ନଇଁଲେ କେଭେ ଭାତ ଖାଇବି ନାହିଁ । ତାର ବର କହିଲା ହଉ, କାଲି ତାକୁ ନେଇ ମାରିପକାଇବି । ତହିଁ ଆାରଦିନ ସକାଳୁ ସାନଭାଇ କଣ କଲା ଦାଣ୍ଡଦୁଆରୁ ଅଇଲା, କହିଲା ବୋଉ, କଞ୍ଚନବତୀର ଶଶୁର କହିଚି କଞ୍ଚନବତୀକି ପଠାଇଦେବାକୁ । ମା ଭାର ସଜିଲ କଲା, ସାନ ଭାଇ ସାଙ୍ଗରେ ଝିଅକୁ ଶାଶୁଘରକୁ ପଠାଇଦେଲା । କଞ୍ଚନବତୀ ଆଉ ତା ଭାଇ ଯାଉଛନ୍ତି, ବାଟରେ ଗୋଟିଏ ଗାଁ ପାଖରେ କଞ୍ଚନବତୀକି ତା ଭାଇ କହିଲା, ତୁ ଏଇଠି ବସିଥା ମୁଁ ଗାଁ ଭିତରୁ ପାଣି ପିଇ ଆସେ । ଏହା କହିଲା, ଗଲା ଯେ ସେ ଆଡ଼େ କେତେବେଳ ଯାଏ ରହିଲା । ଯେ ଯାଉଥାଏ ବାଟରେ କଞ୍ଚନବତୀ ପଚାରୁଥାଏ ମୋ ଭାଇକି ଦେଖିଚକି ? ସମସ୍ତେ ନାହିଁ କରୁଥାନ୍ତି, କେତେବେଳେକେ ତାର ଭାଇ ତେଣୁ ଗୋଟାଏ ପଠାଣର ପୋଷାକ ପିନ୍ଧି ଖଣ୍ଡା ପଟେ ହାତରେ ଧରି ପିକାଟାଏ ଖାଇଖାଇକା ଆସିଲା, କଞ୍ଚନବତୀକୁ ହାଣି ପକାଇଲା । କଞ୍ଚନବତୀ ସେଇଠି ଗୋଟିଏ ଆଛା ସୁନ୍ଦର କଞ୍ଚନଗଛ ହୋଇ ରହିଲା । ତହିଁର କେତେଦିନକେ କଞ୍ଚନବତୀର ଶଶୁର କଞ୍ଚନବତୀକୁ ନେବାକୁ ଆସି ବାଟରେ ସେହି କଞ୍ଚନଗଛମୂଳେ ବସିଲା । ଶଶୁର ସାଙ୍ଗେ ଯେଉଁ ବାରିକ ଥିଲା ସେ ଗଛରେ କି ସୁନ୍ଦର ଫୁଲଗୁଡ଼ିଏ ଫୁଟିଚି ଦେଖି ଫୁଲଟିଏ ତୋଳିବାକୁ ଯେମନ୍ତି ହାତ ବଢ଼ାଇଚି, ସେ କଞ୍ଚନଗଛରେ କଞ୍ଚନବତୀ କହିଲା ଥିରି ଥିରି କରି ତୋଳ ହେ ବାରିକ, ଗଛରୁ ପତର ଝଡ଼େଟି, ମୋର ସାନଭାଇ ଖଣ୍ଡାରେ ହାଣିଚି ତହିଁକି ମୋ ଦେହ ଥରେଟି । ଗଛ ଭିତରୁ ଏମନ୍ତ ଶବଦ ବାହାରୁଚି ଶୁଣି ସମସ୍ତେ କାବା ହୋଇଗଲେ । କଞ୍ଚନବତୀ ଶଶୁର ଫେର୍‌ ଗଛରେ ବିଡ଼ବାପାଇଁ ଗଛକୁ ଫୁଲ ତୋଳିବାକୁ ହାତ ବଢ଼ାଇଲା; ସେ ଗଛରୁ ସେହିପରି ଶବଦ ହେଲା ଥିରି ଥିରି କରି ତୋଳ ହେ ଶଶୁର ଗଛରୁ ପତର ଝଡ଼େଟି; ମୋର ସାନ ଭାଇ ଖଣ୍ଡାରେ ହାଣିଚି ତହିଁକି ମୋ ଦେହ ଥରେଟି । ଶଶୁର ମନରେ କେତେ ଦୋଦୋପାଞ୍ଚ କଲା, ଗଲା ତା ଘରକୁ ବୋହୂ ଆଣିବାକୁ । ଶଶୁର ଆସି କହିଲା ମୋ ବୋହୂକୁ ପଠାଅ, କଞ୍ଚନବତୀର ବାପା ମା ଭାଇମାନେ ସମସ୍ତେ କହିଲେ ଆମେ ଝିଅକୁ ତ କୋଉଦିନୁ ଛାଡ଼ି ଆସିଲୁଣି, ତମେ ଆଉ ବୋହୂପାଇଁ କଣ ଆସିଛ ? ଶଶୁର କହିଲା ହଉ ତେବେ ଏ ଗଛ ମୂଳକୁ ଆସିଲ, ଏ ଗଛ କଣ କହୁଚି ? ସମସ୍ତେ ଗଲେ, ଛ ଭାଇ, ଛ ଭାଉଜ, ବାପା, ମା, ସାନଭାଇ, ସାନଭାଉଜ ଗଲେ ନାହିଁ । ଆଗେ ବାପା ଗଲା ଫୁଲ ତୋଳିବାକୁ, ଗଛ କହିଲା, ଥିରି ଥିରି କରି ତୋଳ ହେ ବାପା, ଗଛରୁ ପତ୍ର ଝଡ଼େଟି; ତମ ସାନପୁଅ ଖଣ୍ଡାରେ ହାଣିଚି ତହିଁକି ମୋ ଦେହ ଥରେଟି । ମା, ଆଉ ଭାଇ ମାନେ ସେହିପରି ଗଲେ, ସେମାନଙ୍କୁ ବି ସେହିପରି କହିଲା । ଜାଣିପାରିଲେ ଯେ ସାନ ଭାଇ କଞ୍ଚନବତୀକୁ ସେଠାରେ ମାରି ପକାଇଚି । ମା, ବାପା, ଶଶୁର, ଭାଇ, ଭାଉଜ ସମସ୍ତେ ବସି ସେଠାରେ କାନ୍ଦିଲେ-। ରାତି ଯାଏ କାନ୍ଦୁଥାନ୍ତି, ରାତି ଅଧହେଲାଣି, ଈଶ୍ୱର ପାର୍ବତୀ ଉଡ଼ିଯାଉଛନ୍ତି, ଏମାନଙ୍କ କାନ୍ଦଣା ଶୁଣି ସେଠାକୁ ଆସିଲେ । ଏମାନଙ୍କୁ ପଚାରିଲେ ତେମେ ସବୁ କିଏ ? ଭୂତ ନା ପ୍ରେତ-? କାହିଁକି କାନ୍ଦୁଚ ? ଏମାନେ କହିଲେ, ଆମ୍ଭେମାନେ କେହି ନୋହୁ ଏହି ମଞ୍ଚର ଲୋକ, ଆମର ଗୋଟିଏ ଝିଅ ମରି ଗଛ ହୋଇଚି, ଆମେ ତାରି ପାଇଁ କାନ୍ଦୁଚୁଁ । ଈଶ୍ୱର କହିଲେ ହଉ, ତେଣିକି ମୁହଁବୁଲା, ଏମାନେ ସେ ଆଡ଼କୁ ମୁହଁକରି ବସିଲେ । ଈଶ୍ୱର କଣ କଲେ, ଫୁଲ ପାଣି କରି ତିନିମୁଠା ଛିଞ୍ଚିଦେଲେ ଯେ କଞ୍ଚନବତୀ ଜୀଇଁ ଉଠିଲା । ଶଶୁର ବୋହୂକୁ ଘରକୁ ନେଇଗଲା । ଭାଇ, ଭାଉଜ, ମା ବାପା ଘରକୁ ଆସିଲେ, ଗୋଟାଏ ଖଣି ଖୋଳିଲେ, ସାନପୁଅ, ସାନବୋହୂକୁ ସେଥିରେ ପେଲି ଦେଲେ; ତଳକଣ୍ଟା ଉପରକଣ୍ଟା ଛାଟିଦେଲେ । ନିଶ୍ଚିନ୍ତରେ ଘର ଦୁଆର କଲେ । ମୁଁ ଗଲାକୁ କଥା ନ କହିଲେ । ମୋ କଥାଟି ସରିଲା ଇତ୍ୟାଦି ।

Image

 

ଟକ୍‌ମକ୍‌ ପାଣି ଚଳନ୍ତି ବାଜା କଥା

 

ଗୋଟିଏ ରାଜାଟିଏ, ତାର ସାତ ଭାରିଯା । ରାଜା ଦିନକର ପାରିଧିକି ଯାଉଥିଲେ, ପାତ୍ରମନ୍ତ୍ରୀ ସମସ୍ତିଙ୍କି ସାଙ୍ଗରେ ନେଇ ଯାଇଥିଲେ । ଅସୁରୁଣୀ ସାତ ଭଉଣୀ ଯେ, ସାତ ଭଉଣୀଯାକ କଳିକଜିଆ କରି ସବା ସାନଭଉଣୀକି ଘରୁ ତଡ଼ି ଦେଇଥିଲେ ଯେ ସେ ଆସି ଗୋଟାଏ ଗଛରେ ଚଢ଼ି କାନ୍ଦୁଥିଲା ବନସ୍ତରେ, ରାଜାଙ୍କ ଉପରେ ଲୁହ ପଡ଼ିଲା । ରାଜା କହିଲେ ଚାଖୁଆଣିଆକୁ, ଚାଖିବୁତି, ଆମ ସରିସା କି ତମ ସରିସା ? ଚାଖୁଣିଆ ଚାଖିଲା, କହିଲା ଆପଣଙ୍କ ସରିସା ହେବ । ରାଜା କହିଲେ, ମନ୍ତ୍ରୀଙ୍କି ଯାଅ, ହାତ ଧରିକରି ଆଣ । ମନ୍ତ୍ରୀ ଗଲେ, ହାତ ଧରିକରି ଆଣିଲେ, ରାଜାଙ୍କ ପାଖରେ ଠିଆ କରିଦେଲେ । ରଜା ଅସୁରୁଣୀକି ପଚାରିଲେ ତୁ କିଏ-? ଏଠାକୁ କାହିଁକି ଆସିଚୁ ? ଅସୁରୁଣୀ ରଜାଙ୍କୁ ଦେଖି ଖୁବ୍‌ ସୁନ୍ଦର ମୋହିନୀ ବେଶ ଧରିଲା ରାଜା ଯେପରି ଭୁଲି ଯିବେ, ମିଛରେ କହିଲା ମୁଁ ଆର ଦେଶ ରାଜାର ଝିଅ, ବାଟ ନ ପାଇ ଏଠାକୁ ଆସିଲି ବାହାରି, ରାଜା କହିଲେ ହଉ ଚାଲ, ତେବେ ତେମେ ଆମର ପାଟରାଣୀ ହେବ, ରଜା ତାକୁ ସୁଆରିରେ ବସାଇଲେ, ନେଇକରି ଗଲେ । ଗାଁ ଲୋକେ ସବୁ କହିଲେ, ରାଜା ପାରିଧିକି ଯାଇଥିଲେ, ଗୋଟିଏ ନୂଆ ରାଣୀ ଆଣିଚନ୍ତି, ଏହିପରି କହିଲେ, ଦେଖିକରି ଗଲେ । ରାଜା ୟାକୁ ଆଣି ଘରେ ରଖି ବିଭା ହେଲେ । ଦି ଚାରିଦିନ ଗଲା, ସମସ୍ତଙ୍କୁ ଯେତେ ଲେଖା ଭାତ ଦିଅନ୍ତି ତାକୁ ସେତିକି ଦିଅନ୍ତି । ଏତ ଅସୁରୁଣୀଟାଏ, ଏହା ପେଟ ପୂରୁଚି କେଉଁଠି ? ଏ କଣ କରେ ରାତି ଅଧରେ ସମସ୍ତେ ଯହୁଁ ଶୋଇପଡ଼ନ୍ତି, ଯାଏ ହାତୀଶାଳକୁ, ହାତୀ ଗୋଟାଏ ଗିଳେ; ଆସେ-। କୋଉଦିନ ଘୋଡ଼ା, କେଉଁଦିନ ଗାଈ; ଏହିପରି ଗୋଟାଏ ଗୋଟାଏ ଗିଳେ । ଏମନ୍ତି କରୁ କରୁ ଘୋଡ଼ା, ଗାଈ, ହାତୀ ସବୁ ଊଣା ହୋଇଗଲେ । କେହି କିଛି ବୁଝିପାରନ୍ତି ନାହିଁ, ରାଜା ଖାଲି ଗଉଡ଼କୁ ମାରନ୍ତି, ଆମର ଗାଈ, ଗୋରୁ, ହାତୀ, ଘୋଡ଼ା କଣ କରୁଚୁ ବୋଲି । ରାଜାଙ୍କର ଆର ସାତ ଭାରିଯାଯାକ ଜାଣିଥାନ୍ତି ସାନରାଣୀ ଖାଉଚି ବୋଲି, ଧରେଇ ଦେଇ ପାରୁନାହାନ୍ତି ବୋଲି କିଛି ଆଉ କହୁ ନଥାନ୍ତି । ଏମାନେ ଦିନେ ଶିଖାଶିଖି ହେଲେ, କହିଲେ ଚାଲ ଆମେ ଗୁହାଳରେ ଲୁଚିଥିବା, ଏ କେମନ୍ତି ଖାଇବ ଦେଖିବା । ଏ ଯାଇ ଲୁଚିଛନ୍ତି ଗୁହାଳ କଣରେ, ଅସୁରୁଣୀ ଗଲା ଗୁହାଳକୁ ଏଣିକିତେଣିକି ଅନାଇ ଗୋଟିଏ ଗାଈ ଫିଟାଇ ଖାଇଗଲା । ଖାଇସାରି ବାହାରିଗଲାବେଳକୁ ଅସୁରୁଣୀର ଏମାନଙ୍କ ଉପରେ ନଜର ପଡ଼ିଗଲା; ଆଗବଳିପଡ଼ି ଦଉଡ଼ିଆସି ରାଜାଙ୍କୁ କହିଲା ଦେଖିଲଣି ତେମେ ଗଉଡ଼ହେରିକାଙ୍କୁ କଣ ମାରୁଚ, ତମର ତ ଏହିମାନେ ଗୋରୁ ଖାଇଯାଉଛନ୍ତି । ରାଜା ଦେଖିଲେ, କହିଲେ ସତେ, ଏହିମାନେ ତ ଖାଉଛନ୍ତି । ଏମାନେ ଯେତେ ମନାକଲେ, ରାଜା ଜମା ମାନିଲେ ନାହିଁ; କହିଲେ ଏମାନଙ୍କୁ କଣ ଦଣ୍ଡ ଦିଆହେବ ? ଅସୁରୁଣୀ କହିଲା ଖୁବ୍‌ ବଡ଼ ଗୋଟାଏ ଟୋପର ଖୋଳାଅ, ସେଇଥି ଭିତରେ ଏମାନଙ୍କୁ ପକାଇ ଦିଅ, ଆଉ ଏମାନଙ୍କୁ ପକାଇ ଦିଅ, ଆଉ ଏମାନଙ୍କ ଆଖିଖୋଳି ରଖ ଯେ ସେଇଥି ଭିତରେ ପଡ଼ି କୁଆଡ଼େ ଯାଇ ନପାରି ମରିଯିବେ । ରାଜା କହିଲେ ହଉ, ଖୁବ୍‌ ବଡ଼ ଟୋପରଟାଏ ଖୋଳା ହେଲା, ଏମାନଙ୍କ ଆଖି ଖୋଳି ରଖି ସେଇଥି ଭିତରେ ପକାଇଦେଲେ, ଟୋପର ଉପରେ ପଟା ପକାଇଦେଇ ମାଟି ଚଢ଼ାଇଦେଲେ । ଏ ସାତ ସଉତୁଣୀଯାକ ଗର୍ଭ ହୋଇଥାନ୍ତି, ସେ ଟୋପରରେ ପଡ଼ି କେତେଦିନ କଷ୍ଟ ସହିଲେ; ଆଗ ହୋଇ ବଡ଼ ସଉତୁଣୀର ପୁଅଟିଏ ହେଲା । ସାନ ସଉତୁଣୀକି ଛାଡ଼ି ଆଉ ପାଞ୍ଚ ସଉତୁଣୀ କହିଲେ ହେ ଆଣ ତୋ ପୁଅକୁ, ସମସ୍ତେ ବାଣ୍ଟିକୁଣ୍ଟି ଖାଇ ପେଟଜାଳା ନିବାରଣ କରିବା, ତୋର ଆମେ ଖାଇଥିବୁ, ଆମର ହେଲେ ତୁ ଖାଇବୁ ସାନ ସଉତୁଣୀ ଆଉ କିଛି କହିଲା ନାହିଁ । ବଡ଼ ସଉୁତୁଣୀ କହିଲା ହଉ, ପୁଅକୁ ସାତଖଣ୍ଡ କରିଦେଲା, ନିଜେ ଖଣ୍ଡେ ଖାଇଲା, ଆଉ ଛ’ଖଣ୍ଡ ଛ’ଜଣଙ୍କୁ ବାଣ୍ଟିଦେଲା । ଏ ପାଞ୍ଚ ସଉତୁଣୀ ଖାଇଲେ, ସାନ ସଉତୁଣୀ ଆଉ ଖାଇଲା ନାହିଁ, ରଖିଦେଇଥାଏ । ଏହିପରି ଛ ସଉତୁଣୀଙ୍କର ପୁଅ ହେଲା, ସମସ୍ତେ ମାରିକରି ଖାଇଦେଲେ ବାଣ୍ଟିକୁଣ୍ଟି କରି, ଆଉ ସାନ ସଉତୁଣୀ ରଖିଥାଏ, ଖାଇ ନ ଥାଏ । ତାର ଯେତେବେଳେ ପୁଅ ହେଲା, ଏ ସବୁ ଲଗାଇଲେ ତୋର ପୁଅକୁ ଦେ ଖାଇବୁଁ, ଏ କହିଲା ତମର ଯାହାକୁ ସବୁ ଦେଇଛ, ତାକୁ ନିଅ ମୁଁ ରଖିଚି, ମୋ ପୁଅକୁ କେହି ଖାଅନା । ଏହିପରି କହି ପୁଅଟିକୁ ରଖିଲା । ସମସ୍ତେ ଏ ପୁଅଟିକୁ ଶରଧା କଲେ, ଆଦର କରି ଦୁଧ ଦେଲେ ରଖିଲେ ଏ ପୁଅଟିକୁ ଯୋଉଠୁ ଦଶ ବାର ବର୍ଷ ହୋଇଗଲା, ସେ କହିଲା ତେମେ ସବୁ ଏଠେଇଁ କାହିଁକି ପଡ଼ିଚ କହ, ଏମାନେ ସବୁ କହିଗଲେ ଆଦ୍ୟରୁ ପ୍ରାନ୍ତ ପର୍ଯ୍ୟନ୍ତ, ପୁଅ କହିଲା, ତମମାନଙ୍କ ଦୁଃଖ ପେଡ଼ିବ, ତମେମାନେ ମତେ ଉପରକୁ ଉଠାଇ ଦିଅ । ଏମାନେ ଅସୁରୁଣୀ ଭୟରେ ନାହିଁ କରୁଥାନ୍ତି । ପୁଅ ଏକାଜିଦ୍‌ ଲଗାଇଲା ଯୋଉଠୁଁ ଏମାନେ କଣ କଲେ, ତା’ଉପରେ ତା’ଉପରେ ହୋଇ ଠିଆ ହେଲେ, ପୁଅକୁ ଉପରକୁ ଉଠାଇ ଦେଲେ । ପୁଅ ଆସିଲା ଉପରକୁ, ସବୁ ଚାକରମାନଙ୍କୁ ପଚାରିଲା ରାଣୀଙ୍କ ଉଆସ କେଉଁଠି ? ସମସ୍ତେ ରାଣୀଙ୍କ ଉଆସ ଦେଖାଇ ଦେଲେ । ଏ ଯାଇ ଦଣ୍ଡବତ କଲା ଅସୁରୁଣୀକି କହିଲା ମୋ ମା ମାନଙ୍କର ଆଖି ଦିଅ । ଏ କହିଲା ମୁଁ ଆଖି ଦେଖି ନାହିଁ । ଏ ସେଇଠୁ ରାଜାଙ୍କ ପାଖକୁ ଗଲା, ଦଣ୍ଡବତ କଲା । ୟାକୁ ଯାଉଁ ରାଜା ଜାଣିଲେ ଯେଉଁମାନଙ୍କୁ ଦୀଘାରେ ପକାଇଛନ୍ତି, ତାଙ୍କରିମାନଙ୍କର ପୁଅ ବୋଲି; ରାଜା କହିଲେ ହଉ ଆମ ପାଖରେ ରହ । ଏ କେତେ ଦିନ ରହିଲା । ଅସୁରୁଣୀର ଫିକର ଲାଗିଥାଏ କେମନ୍ତି ୟାକୁ ମାରିବି-। ଦିନେ ମିଛରେ ଜର କଲା ବୋଲି ଶୋଇଲା, ରଜାଙ୍କୁ ଡକାଇପଠାଇ କହିଲା ଆମ ଦେଶରେ ଯେଉଁ ଚଳନ୍ତି ବାଜା, ଟକମକ ପାଣି ଅଛି ସେ ଯେବେ ଆସିବ ଔଷଧ ତିଆରି ହେବ, ମୁଁ ଖାଇଲେ ଜର ଭଲ ହେବ । ରାଜା ଭାବିଲେ କିଏ ଯିବ ଏସବୁ ଆଣିବ ? ଅସୁରୁଣୀ କହିଲା, ସେ କଣ ସହଜ କଥା ? ଯେବେ ସେହି ପୁଅ ଯିବ ଆଣିପାରିବ, ନଇଲେ ଆଉ କେହି ଆଣିପାରିବେ ନାହିଁ-। ରାଜା କହିଲେ ହଉ, ପୁଅକୁ କହିଲେ ପୁଅ କଣ କଲା, ରାଜାଙ୍କ ଘୋଡ଼ାଶାଳରୁ ଘୋଡ଼ାଟିଏ ନେଲା, ବାହାରିଲା, ଗଲାବେଳେ ଏ ଅସୁରୁଣୀକୁ ଦଣ୍ଡବତ କରିବାକୁ ଗଲା । ଅସୁରୁଣୀ ଖଣ୍ଡେ ଭାଷା ଲେଖିଲା ଛ’ଭଉଣୀଙ୍କ ପାଖକୁ, କି ଏ ମୋ ସଉତୁଣୀଙ୍କ ପୁଅ ଯାଉଚି, ୟା କୁ ଯେପରି ମାରି ଖାଇଦେବ; ଆଉ ଯେମନ୍ତି ଏ ରାଜ୍ୟକୁ ନ ଆସିବ । ଏତ ଦିଘି ଭିତରେ ବଢ଼ିଥିଲା; ପାଠ ପଢ଼ି ନାହିଁ, ଭାଷା କେଉଁଠୁ ପଢ଼ିବ ? ଭାଷା ଖଣ୍ଡିକ ଘେନି ଘୋଡ଼ାରେ ଚଢ଼ି ବାହାରିଲା । ଅଧବାଟରେ ହେଲାଣି, ଗୋଟାଏ ଜଉତିଷ ଦେଖିଲା, ତାକୁ କହିଲା ହେ ଏ ଭାଷାକୁ ପଢ଼ିବଟି, ଏଥିରେ କଣ ସବୁ ଲେଖା ହୋଇଚି । ଯାହା ସବୁ ଲେଖା ହୋଇଥିଲା, ଜଉତିଷ ପଢ଼ିଗଲା, ଏ ଶୁଣିଲା କହିଲା ସେ ଭାଷାକୁ ଚିରି ପକାଅ, ଆଉ ଖଣ୍ଡେ ଲେଖିଦିଅ ମୋ ପୁଅ ଯାଉଚି, ତାକୁ ଯେପରି ଅଣହେଳା କରିବ ନାହିଁ; ଜଉତିଷ ଏପରି ଖଣ୍ଡେ ଭାଷା ଲେଖିଦେଲା, ଏ ନେଇକରି ଯାଇଁ ଅସୁର ଦେଶରେ ପହଞ୍ଚିଲା । ଭାଷା ଦେଖି ସମସ୍ତେ କହିଲେ, ଆମ ସାନ ଭଉଣୀ ପୁଅ ଆସିଲାଣି । ଏ ସମସ୍ତିଙ୍କି ଦଣ୍ଡବତ କଲା । ୟାକୁ ସବୁ ଏମାନେ ତଳେ ପକାଇ ଦେଲେ ନାହିଁ । ଭାରି ଯତ୍ନରେ ରଖାଇଲେ, ସବୁ ଘର ଦ୍ୱାର ଦେଖାଇଦେଲେ; ଏମାନଙ୍କ ଜୀବନ ଯେଉଁଥିରେ ଥିଲା ଓ ୟା ମା’ମାନଙ୍କ ଆଖି ଅସୁରୁଣୀ ବାପଘରକୁ ପଠାଇଦେଇଥିଲା ତାକୁ ସବୁ ଦେଖାଇଲେ । ଏ ପଚାରିଲା ଆଖି କେମନ୍ତି ଲାଗିବ ? ଅସୁରୁଣୀଯାକ କହିଲେ ଟକ୍‍ମକ୍ ପାଣି ଦେଇ ଲଗାଇଦେଲେ ଆଖିସବୁ ଲାଗିଯିବ-। ଏହିପରି ବୁଝାସୁଝା କରି ସାରିଲା, ସେଠାରେ ଦି ଚାରିଦିନ ରହିଲା; ଦିନେ ଅସୁରୁଣୀଯାକ ଚରିବାକୁ ଯାଇଛନ୍ତି, ଏକଣ କଲା, ବଗଟିମାନଙ୍କ ବେକ ମୋଡ଼ିଦେଲା ଯେ ଛ ଭଉଣୀଯାକ ସେ ଆଡ଼େ ମରିଗଲେ । ଯୋଉ ଅସୁରୁଣୀ ରାଜାଘରେ ଅଛି ତାର ଜୀବନକୁ ନେଇ ଟକ୍ ମକ୍ ପାଣ, ଚଳନ୍ତି ବାଜା, ମା ମାନଙ୍କ ଆଖି ଘେନି ଘରକୁ ଆସିଲା । ଆସି ରାଜାଙ୍କ ପାଖକୁ ଗଲା, କହିଲା, ତମ ରାଣୀ ପରା ଅସୁରୁଣୀ ନୁହେଁ ? ତାକୁ ଡାକ, ଦେଖିବ କେତେ ଘୋଡ଼ା, ହାତୀ, ଗାଈ, ଗୋରୁ ଖାଇଚି । ରାଜା ରାଣୀକି ଡକାଇ ପଠାଇଲେ; ଏଣେ ପୁଅ କଣ କରୁଥାଏ, ବଗବେକକୁ ମୋଡ଼ି ଦେଉଥାଏ, ଯେ ଅସୁରୁଣୀର ବେକ ମୋଡ଼ି ହୋଇଯାଉଥାଏ । ଅସୁରୁଣୀ ଆସି ପହଞ୍ଚିଲା, ପୁଅ କହିଲା ଏପରା ଅସୁରୁଣୀ ନୁହେଁ ? ଏହିକ୍ଷଣି ସବୁ ଜଣାଯିବ । ଆପଣମାନେ ଏଇଠି ବସନ୍ତୁ, ମୁଁ ଆପଣଙ୍କ ହାତୀ, ଘୋଡ଼ା ସବୁ ଏହାରିଠାରୁ ଅସୁଲ କରି ଦେଉଛି । ଏହିପରି କହି ଅସୁରୁଣୀକି ବଗଟିକୁ ଦେଖାଇଦେଲା । ଅସୁରୁଣୀ ବଗଟିକି ଦେଖି ଲଗାଉଥାଏ ମତେ ସେ ବଗଟିକୁ ଦେ, ମୁଁ ତମର ସବୁ ଦେବି, ପୁଅ ଲଗାଇଥାଏ ସବୁ ଦେଇ ସାରେ ମୁଁ ବଗ ଦେବି । ଅସୁରୁଣୀ ବାନ୍ତି କରି ପକାଇଲା ଯେ ହାତୀ ଘୋଡ଼ା ସବୁ ବାହାରି ପଡ଼ିଲେ । ଏ ସେଉଠୁ ବଗଟିକୁ ମାରିଦେଲା, ଅସୁରୁଣୀ ଛଟୁପଟୁ ହୋଇ ମରିଗଲା । ଏମାନଙ୍କୁ ଦିଘିରୁ ବାହାର କଲା, ଟକ୍‍ମକ୍ ପାଣିରେ ତାଙ୍କ ଆଖି ଲଗାଇଦେଲା । ରାଜା ଆଉ ରାଣୀ ଖୁବ୍‌ ସୁଖରେ ରହିଲେ, ଏ ପୁଅକୁ ବାହାଚୋରା କଲେ-। ଏ ଆନନ୍ଦରେ ରହି ଘର ଦୁଆାର କଲା । ମୁଁ ଗଲାରୁ କଥା ନ କହିଲା । ମୋ କଥାଟି ସରିଲା, ଫୁଲଗଛଟି ଇତ୍ୟାଦି ।

Image

 

ପକ୍ଷିରାଜ ଘୋଡ଼ା କଥା

 

ଗୋଟିଏ ଚକୁଳିଆ ପଣ୍ଡାଟିଏ ଯେ ତାର ସାତ ଝିଅ । ଚକୁଳିଆ ପଣ୍ଡା ନଅଗାଁ ଗଲେ ସେରେ, ଛଅଗାଁ ଗଲେ ସେରେ ଆଣେ, ଭାତ ରନ୍ଧା ହୁଏ ଯେ ଆଉ ଅଣ୍ଟେ ନାହିଁ, ଚକୁଳିଆ ପଣ୍ଡା ଭାରିଯାକୁ ଗାଳିଦିଏ, କହେ, ଯେତେ ଆଣିଦେଲେ ଅଣ୍ଟିଲା ନାହିଁ ଆଉ କଣ କରିବି ? ଭାରିଯା କହେ, ପିଲାଏତ ଖାଇଯାନ୍ତି ମୁଁ କ’ଣ କରିବି । ଚକୁଳିଆ ପଣ୍ଡା କହେ ପିଲାଙ୍କୁ କାହିଁକି ଦେଉ, ନାହିଁ କରୁ ଦେଉ ନାହିଁ ? ଏହିପରି ନିତି କହେ, ଯାଏ ଭିକ ମାଗି । ଦିନକର ଭାରିଯାକୁ କହିଲା, ଆଜି ପିଠାକର, ଚାଉଳ ଦେଇ ଗାଧୋଇଗଲା । ଭାରିଯା ଚାଉଳବାଟି ପିଠା କଲାବେଳକୁ ସାତଝିଅ ଯାକ ଆସିଲେ, କହିଲେ ମା କ’ଣ କରୁଛୁ ଆମକୁ ଦେ । ମା ସାତ ଝିଅଙ୍କୁ ଗୋଟିଏ ଗୋଟିଏ ଦେଉଁ ଦେଉଁ ସବୁ ସରିଗଲା । ବାପା ପାଇଁ ଆଉ କିଛି ରହିଲା ନାହିଁ । ବାପା ଗାଧୋଇ ଆସିଲା, କହିଲା ପିଠାପରା କରିଥିଲୁ ଆଣ । ଏ କହିଲା, ପିଠା ନାହିଁ ସରିଗଲାଣି । ପିଲାଏ ଖାଇଗଲେ, ମୁଁ କଣ କରିବି । ବାପ କିଛି ନକହି ଚୁପ ହୋଇ ରହିଲା । ମନ କଥା ମନରେ ଥାଏ, ଦି ଘଡ଼ି ଗଲା, ଏ ମିଛରେ ଦାଣ୍ଡ ଆଡ଼କୁ ଯାଇ ଫେରି ଆସି କହିଲା ଆଲୋ ହେ ! ମାମୁଘର କହି ପଠାଇଚି ପିଲାଏ ସବୁ ଯିବେ । ମା କହିଲା, ହଉ ଯାଆନ୍ତୁ, ପିଲାଙ୍କୁ ହଳଦୀ ଟିକିଏ ଟିକିଏ ଲଗାଇ ଦେଲା, କଳା ସିନ୍ଦୂର ଲଗାଇ ଦେଲା, ପେଡ଼ିରୁ ଶାଢ଼ୀ ଖଣ୍ଡେ ଖଣ୍ଡେ ବାହାର କରି ପିନ୍ଧାଇ ଦେଇ ବାପା ସାଙ୍ଗରେ ଛାଡ଼ିଦେଲା । ବାପ ନେଇକରି ଗଲା, ଯାଇ ଯାଇ ବନସ୍ତରେ ଗୋଟାଏ ଆମ୍ୱଗଛମୂଳେ ବସାଇଦେଇ କହିଲା ଏଇଠି ବସିଥାଅ, ମୁଁ ପାଣି ପିଇ ଆସେ । ଏହା କହି ବାହାରିଗଲା, କହିଗଲା ଯାଉଚି, ବାଟରେ ଦେଖିବ ଯେମନ୍ତ ପାଣି ଟୋପା ଟୋପା ହୋଇ ପଡ଼ିଥିବ ମନେ କରିବ ବାପା ଜୀଇଚି; ରକତ ଟୋପା ଟୋପା ହୋଇ ପଡ଼ିଥିଲେ କହିବ ଯେ ବାପା ମଲାଣି । ଏହା କହିଲା, ଗଲା । ଗୋଟାଏ ଚଢ଼େଇ ମାରି ବାଟରେ ରକତ ଟୋପା ଟୋପା କରି ପକାଇ ଘରକୁ ଆସିଲା ବାହାରି । ପିଲାଏ ବସି ବସି ଯୋଉଠୁ ବେଶୀ ସମୟ ହେଲା, ଗଲେ ବାଟ ଦେଖି ଦେଖିକା । ଦେଖିଲେ ରକତ ପଡ଼ିଛି ଟୋପା ଟୋପା ହୋଇ, ମନେ କଲେ ବାପାକୁ କିଏ ମାରି ସାରିଲାଣି । ଫେରିକରି ଆସି ସେହି ଆମ୍ୱଗଛମୂଳେ ବସିଲେ । କାନ୍ଦୁଥାନ୍ତି, କାନ୍ଦି କାନ୍ଦି ରାତି ହେଲା ଯୋଉଠୁ, କହିଲେ ହେ ବୃକ୍ଷରାଜ, ତୁ ଫାଟି ଯା ଆମେ ପଶିଯାଉଁ । ଗଛ ଫାଟିଗଲା ଏମାନେ ପଶିଗଲେ । ଖାଇବାକୁ ପିଇବାକୁ ନପାଇ ଏଥି ଭିତରେ କାନ୍ଦୁଥାନ୍ତି ସବୁବେଳେ । ଦିନକର ରାଜା ପାରିଧିକି ଆସିଥିଲେ ସେହି ବନସ୍ତକୁ । ଏମାନେ ଗଛ ଭିତରେ ଗୁଣୁ ଗୁଣୁ ହୋଇ କାନ୍ଦୁଥାନ୍ତି, ମନ୍ତ୍ରୀ ଉପରେ ଲୁହ ଟୋପାଏ ପଡ଼ିଲା । ମନ୍ତ୍ରୀ କହିଲା, ମଣିମା ଗୋଟିଏ କଥା କହିବାକୁ ଭାରି ଭୟ ଲାଗୁଚି । ରାଜା କହିଲେ କଣ କହୁନାହଁ ? ମନ୍ତ୍ରୀ କହିଲା, ମଣିମା ! ଏ ଗଛରେ କିଏ ଅଛି କାନ୍ଦୁଚି ଯେ ଲୁହ ପଡ଼ିଲା ମୋ ଉପରେ । ରାଜା କହିଲେ ଚାଖୁଣିଆକୁ ଚାଖିବୁଟି, ଆମ ଭଳିକା କି ତମ ଭଳିକା ? ଚାଖୁଣିଆ ଚାଖିକରି କହିଲା, ନାହିଁ ମଣିମା, ଆପଣଙ୍କ ସରିସା (୧) ରାଜା ସେଉଠୁ କହିଲେ, ଆମ ସମାନ ଯେବେ, ହାତ ଧରି କରି ଆଣ । ମନ୍ତ୍ରୀ ଯାଇଁ ଦେଖେ ଯେ ସାତଟି ଝିଅ, ତାଙ୍କୁ ସବୁ ହାତ ଧରି କରି ନେଇ ରାଜାଙ୍କ ପାଖେ ଠିଆ କରାଇ ଦେଲା । ରାଜା ପଚାରିଲେ, ହଇଲୋ ! ତେମେମାନେ କି ଘରର ଝିଅ ? ଏମାନେ କହିଲେ ଆମେ ଚକୁଳିଆ ପଣ୍ଡା ଝିଅ, ଆମକୁ ଏଠେଇଁ ବାପା ଛାଡ଼ିଦେଇ ଗଲେ, ଏହିପରି ସବୁ କଥା କହିଗଲେ । ରାଜା କହିଲେ ତେମେ ସବୁ କି କାମ କରିବ ? ଆଗ ବଡ଼କୁ ଡାକିଲେ, ପଚାରିଲେ ତୁ କି କାମ କରିବୁ ? ଏ କହିଲା, ମୁଁ ସବୁ କାମ କରିବି—ଚାଉଳ ଡୋଲିକ ଭାତ ରାନ୍ଧିବି, ସମସ୍ତଙ୍କୁ ଖାଇବାକୁ ଦେବି, ସାହି ଦେବି ,ପଡ଼ିଶା ଦେବି, ବାସି କରିବି, ତିଆସି କରିବି । ତା’ ତଳ ଭଉଣୀକୁ ପଚାରିଲେ, ସେ ବି ସେମନ୍ତ କହିଲା—ମୁଁ ବିରି ଗଉଣୀକ ବାଟିବି, ପିଠା କରିବି, ସମସ୍ତଙ୍କୁ ଖାଇବାକୁ ଦେବି, ସାହି ଦେବି, ପଡ଼ିଶା ଦେବି, ବାସି କରିବି ତିଆସି କରିବି; ଏହିପରି ଆଉ ଆଉ ଭଉଣୀ କହିଲେ । ସବା ସାନ ଭଉଣୀ କହିଲା, ମୁଁ କିଛି କରିପାରିବି ନାହିଁ—ରାଜାଙ୍କ ପାଟ ରାଣୀ ହେବି, ସାତପୁଅ ଓ ସୁନାନାକୀ ଝିଅ ଜନ୍ମ କରିବି । ଯେ ଯେପରି କହିଥିଲେ, ରାଜା ସେମାନଙ୍କୁ ସେହିପରି କାର୍ଯ୍ୟ ଦେଲେ । ସମସ୍ତଙ୍କୁ ନଅରରେ ରଖାଇଲେ, ସାନ ଭଉଣୀକି ପାଟ ରାଣୀ କଲେ, ରଖିଲେ । ଏହିପରି କେତେଦିନ ଗଲା, ସାନରାଣୀର ଗର୍ଭ ହେଲା । ରାଜା ଦରବାରକୁ ଯାନ୍ତି । ୟାକୁ ଖଣ୍ଡେ ଖଞ୍ଜଣୀ ଦେଇଯାନ୍ତି, କହନ୍ତି ଯେତେବେଳେ ତୋ ଦେହ ହେବ (୨) ସେତେବେଳେ ୟାକୁ ବଳାଇବୁ ଯେ ମୁଁ ଆସିବି । କବାଟ କିଳିଦେଇଥିବୁ, ତୋ ଭଉଣୀମାନେ ଯେତେ କବାଟରେ ମାରିବେ କେଭେ ଫିଟାଇବୁ ନାହିଁ । ଦିନେ ଏ କଣ କଲା, ମିଛର ଟିକିଏ ଖଞ୍ଜଣୀ ବଜାଇଦେଲା, ଦେହ କିଛି ହେଉନଥାଏ, ଖଞ୍ଜଣୀବଜା ଶୁଣି କରି ରାଜା ଆସିଲେ ବାହାରି କଚେରୀ ଭାଙ୍ଗି ଦେଇ । ଆସି ଦେଖିଆସିଲାବେଳକୁ ଦେହ କିଛି ହୋଇ ନାହିଁ । ରାଜା ବଡ଼ ବିରକ୍ତି ହେଲେ, ରାଣୀକି କହିଗଲେ, ଏଣିକି ବଜାଇ ବଜାଇ ଥକିବୁ ମୁଁ କେଭେ ଆସିବି ନାହିଁ, ଆଉ ରାଜା ଆସିଲେ ନାହିଁ । ଏ ଛଅ ଭଉଣୀ, ଧାଈ ସବୁ ଗଲେ, କବାଟରେ ମାରିଲେ, କହିଲେ ଆମେ କିଛି କରିବୁ ନାହିଁ ତୁ କବାଟ ଫିଟା । କେତେ କରି କହିଲେ, ରାଣ ନିୟମ ପକାଇଲେ ଯୋଉଠୁ, ଏ କବାଟ ଫିଟାଇ ଦେଲା । ଧାଈ ଘର ଭିତରକୁ ପଶିଗଲା, ଶୂଳ ଧଇଲା, ଯେତେବେଳକୁ ପୁଅ ଜନ୍ମ ହେବ ତେତେବେଳେ କଣ କଲେ, କହିଲେ ଏ ଗାଁରେ ଅଛି ମୁହଁରେ (୨) ଅନ୍ଧୁଣୀ ପକାଇ ଜନ୍ମ କରନ୍ତି, ଏହା କହି ମୁହଁରେ ଅନ୍ଧୁଣୀ ପକାଇ ଦେଲେ । ପୁଅ ଯେମନ୍ତି ଜନ୍ମ ହୋଇପଡ଼ିଲା; ଧାଈ ଧଡ଼ପଡ଼ ହୋଇ ତାକୁ ନେଇଗଲା, ଖତଗଦାରେ ପୋତି ଦେଇ ଆସିଲା, ଗୋଟିଏ କାଠକଣ୍ଢେଇ ସେଠାରେ ପକାଇ ଦେଇ ସାନରାଣୀ ମୁହଁରୁ ଅନ୍ଧୁଣି ଫିଟାଇ ଦେଲେ କହିଲେ କାଠକଣ୍ଢେଇଟାଏ ଜନ୍ମ କରିଚି । ସାନରାଣୀ କାନ୍ଦି ବୋବୋଇ ତୁନି ହୋଇ ରହିଲା । ରାଜା ଆସିଲେ, ପଚାରିଲେ କଣ ଜନ୍ମ ହେଲା ? ଏମାନେ ଆଗତୁରା କରି କହିଲେ, କାଠ କଣ୍ଢେଇଟାଏ ଜନ୍ମ କରିଚି । ରାଜା କହିଲେ ତେବେ ତା ମୁହଁ ଚାହଁନା, ତାକୁ ଘୋଡ଼ାଶାଳ ଲଣ୍ଡି ପୋଛାଅ, ତାର ଚୁଟି କାଟିଦେଇ ଘୋଡ଼ାଶାଳକୁ ପଠାଇଦିଅ । ସାନରାଣୀର ଚୁଟି କାଟିଦେଇ ଘୋଡ଼ାଶାଳକୁ ପଠାଇଦେଲେ । ସେ ପୁଅକୁ ଯେତେବେଳେ ଖତଗଦାରେ ପୋତିଦେଲେ ଆଉ କେହି ଦେଖି ନାହାନ୍ତି କୁକୁର ଦେଖିଥାଏ । କୁକୁର ଗଲା ପିଲାଟିକୁ ଖତଗଦାରୁ ବାହାରକଲା, ଆଉ ତାକୁ ଖାଇଲା ନାହିଁ, ଚାଟିଚୁଟି ସଫା କରି ଦେଇ ଦୁଧ ପିଆଇଲା, ସେଇ ଖତ ଗଦାରେ ରଖିଦେଇ ଆସିଲା । କୁକୁର ଏହିପରି ସବୁ ଦିନେ କରୁଥାଏ, ଏମନ୍ତ କେତେଦିନ ଗଲା । ଦିନକର ଧାଈ ଦେଖିଲା, ବଡ଼ରାଣୀଙ୍କ ଆଗରେ କହିଲା, ସାନ୍ତାଣି ! ଆମେ ଯେଉଁ ପୁଅଟିକୁ ଖତ ଗଦାରେ ପୋତି ଦେଇ ଆସିଥିଲୁ, ତାରି ପରି ଗୋଟିଏ ପିଲା କୁକୁର ଖତଗଦାରୁ ବାହାରକରି ଚାଟିଲା, ତାକୁ ଦୁଧ ପିଆଇଲା, ସେହି ଖତଗଦାରେ କୋଉଠି ରଖିଦେଲା, ଆଉ ତାକୁ ଖାଇଲା ନାହିଁ କି କିଛି କଲା ନାହିଁ । ବଡ଼ରାଣୀ କଣ କଲା, ରାଜାଙ୍କପାଖକୁ ଖବର ଦେଲା, କହିଲା ରାଜା ବଡ଼ରାଣୀଙ୍କୁ ଜର କରିଚି, କୁକୁର ରକ୍ତରେ ଗାଧେଇଲେ ଜର ଛାଡ଼ିବ । ଧାଈ ଗଲା ରାଜାଙ୍କୁ ସେଇଆ କହିଲା । ରାଜା ମନ ଭୋଳ ତ କହିଲେ ହଉ । କୁକୁର ଏହା ଜାଣିପାରି କୂଅପାଖକୁ ଗଲା, ପୁଅଟିକି ପାଣିରେ ପକାଇଦେଲା, କହିଲା ହେ ଗଙ୍ଗାମାତା ତୁ ଏଇଟିକି ପାଳ, ମତେ ତ ହାଣିବାକୁ କହିଲେଣି । କୂଅଭିତରେ ଗଙ୍ଗାମାତା କଣ କରନ୍ତି ପୁଅଟିକି ଉପରକୁ ଉଠାଇ ଦିଅନ୍ତି, ଫେର୍‌ (୩) ନେଇଯାନ୍ତି, ଏହିପରି ସବୁଦିନେ ଖୋଳାଉଥାନ୍ତି, ଦିନେ ଧାଈ ଦେଖିଲା ଯାଇ ବଡ଼ ରାଣୀଙ୍କି କହିଲା, ଆମେ ଯେପରି ପିଲାଟିକୁ ଖତଗଦାରେ ପୋତି ଦେଇଥିଲୁଁ ସେହିପରି ପିଲାଟି କୂଅରେ ଖେଳୁଚି । ବଡ଼ରାଣୀ ଶୁଣିଲା, ରାଜାଙ୍କ ପାଖକୁ ଖବର ଦେଇ ପଠାଇଲା ଯେ ବଡ଼ରାଣୀଙ୍କ ଦେହ ବ୍ୟସ୍ତ ଅଛି, କାଲି କୂଅକ ପାଣି ବୁହାହେବ, ସେଥିରେ ଯେଉଁ ମାଛ ଅଛି ତାକୁ ଖାଇଲେ ଦେହ ଭଲ ହେବ । ଧାଈ ଗଲା ରାଜାଙ୍କୁ କହିଲା, ରାଜା କହିଲେ ହଉ । ଗଙ୍ଗାମାତା ଶୁଣିଲେ, କାଳିଗାଈକୁ କହିଲେ ହେ । ତୁ ଏଇ ପୁଅଟିକି ରଖ, ଦୁଧ ପିଆଇବୁ, ଖୋଳାଇବୁ, ରଖିଥିବୁ । କାଲି ତ କୂଅକ ପାଣି ବୁହାଯିବ, ମୁଁ ଆଉ କେଉଁଠି ରଖିବି ? କାଳିଗାଈ ପୁଅଟିକୁ ନେଇ ରଖିଲା । ତହିଁ ଆରଦିନ କୁଅରୁ ଟିକକଠଉଁ (୪) ପାଣି ବୁହା ହେଲା, ଦେଖିଲାବେଳକୁ କିଛି ନାହିଁ । କାଳୀଗାଈ କଣ କରେ ଅରଣ୍ୟ ଭିତରକୁ ଯାଏ ବାହାରି, ପୁଅକୁ ପେଟ ଭିତରେ ରଖିଥାଏ, ବାନ୍ତି କରି ବାହାର କରେ । ଚାଟେ, ଖେଳାଏ, ଦୁଧ ପିଆଏ, ଫେର୍‌ ଗିଳିଦିଏ ଚରିବୁଲି ଆସେ । ଏହିପରି ସବୁଦିନ କରେ । କାଳୀଗାଈର ଦୁଧ ଊଣା ହେଲା, ଗଉଡ଼କୁ ମାଡ଼ ହେଲା, କାହିଁକି ଦୁଧ ଊଣା ହେଉଚିବୋଲି, ଗଉଡ଼ କହିଲା ମୁଁ ତ ସବୁଦିନେ ଚରାଇକରି ଆଣୁଚି, ବାଛୁରୀର ଜମା ଦେଖା ସାକ୍ଷାତ ନାହିଁ, ଦୁଧ କାହିଁକି କମ୍‌ ହେଲା ମୁଁ କଣ କରିବି ? ଦିନକର ଗଉଡ଼ ଲୁଚିକରି ବସିଲା, ଦେଖେ ଯେ ଗାଈ ଗୋଟିଏ ପିଲା ବାହାର କରି ପେଟ ଭିତରୁ ଦୁଧ ପିଆଉଚି । ଦୁଧ ପିଆଇ ସାରି ପିଲାଟିକୁ ଫେର୍‌ ଗିଳିଦେଲା । ଗଉଡ଼ ଏସବୁ ଦେଖି ବଡ଼ରାଣୀକୁ କହିଲା ବଡ଼ରାଣୀଙ୍କର ହୁକୁମ ପଡ଼ିଲା ଯେ କାଳୀଗାଈ ହଣା ହେବ, ତା ମାଉଁସ ଖାଇଲେ ମୋ ଦେହ ଭଲ ହେବ । କାଳୀଗାଈ ଏହା ଶୁଣି ଘୋଡ଼ାଶାଳକୁ ଗଲା, ପକ୍ଷିରାଜ ଘୋଡ଼ାକୁ କହିଲା ମୁଁ ଏତେଦିନଯାଏଁ ରଖଥିଲି, ମତେ ତ ହାଣିବାକୁ ବସିଲେଣି ତୁ ୟାକୁ ନେ, ଯେଉଁଆଡ଼େ ଇଚ୍ଛା ସେଆଡ଼େ ନେଇଯା । ଘୋଡ଼ା ପୁଅକୁ ରଖିଲା, ଉପରେ ବସାଇ ନେଇ କରି ଗଲା ବାହାରି । ପକ୍ଷିରାଜ ଘୋଡ଼ା ପବନ ବେଗରେ ଚାଲୁଚି, ଯାଉ ଯାଉ ଗୋଟାଏ ଶୋଲ ପୋଖରୀ ପାଖରେ ବାୟା ଚଢ଼େଇ ଗୁଡ଼ାଏ ଆଡ଼ୁଆ ତଡ଼ୁଆ ହୋଇ ଗଣ୍ଠି ପଡ଼ି ଯାଇଛନ୍ତି ଫିଟି ପାରୁନାହାନ୍ତି, ଏହାର ଶବ୍ଦରେ ଫିଟିଗଲେ । ଘୋଡ଼ା ସେଇଠି ଦମ୍‌ ମାରିଲା, ବାୟା ଚଢ଼େଇଗୁଡ଼ିକ କହିଲେ ରାଜାପୁଅକୁ, ଆମେ ବାରବର୍ଷ ହେଲା ଗଣ୍ଠି ପଡ଼ି ଯାଇଥିଲୁ, ଫିଟି ପାରୁନଥିଲୁ, ଖାଉ ନଥିଲୁ, ପିଉ ନଥିଲୁ, ତମେ ଆମକୁ ଉଦ୍ଧାର କଲ, ତମର ଆମେ କଣ ଉପକାର କରିବୁଁ ? ରାଜାପୁଅ କହିଲା ଅଇଛିକା (୫) ତମର କିଛି କରିବା ଦରକାର ନାହିଁ, ଯେତେବେଳେ ମତେ ବିପତ୍ତି ପଡ଼ିବ ତେମେ ସେତିକିବେଳେ ମୋର ଉପକାର କରିବ । ଏହାକହି ପକ୍ଷିରାଜ ଘୋଡ଼ା ଉପରେ ଚଢ଼ି ସେଠାରୁ ଗଲା, ଯାଇ ଏକ ରାଜା ଦେଶରେ ପହଞ୍ଚିଲା, ସେଠାରେ ଗୋଟିଏ ମାଲୁଣୀଘରେ ରହିଲା । ଦି ଚାରିଦିନ ଗଲା, ମାଲୁଣୀ ଫୁଲ ଗୁନ୍ଥୁଚି, ଏ ପୁଅ କହିଲା, ହଇଲୋ ମାଉସୀ କାହା ପାଇଁ ଫୁଲ ଗୁନ୍ଥୁଚୁକି ? ମୁଁ ଖଣ୍ଡିଏ ଗୁନ୍ଥନ୍ତି ? ମାଲୁଣୀ କହିଲା ରାଜାଙ୍କ ଜେମା (୬) ପାଇଁ ଫୁଲ ଗୁନ୍ଥୁଚି, ତୁ କୋଉଠି ଗୁନ୍ଥିବୁ, ଅବୁର୍ଜିୟା ହେବ । ଏ କହିଲା ମୁଁ ଖଣ୍ଡିଏ ଗୁନ୍ଥେ ତୁ ଦେଖ୍‌, ସୁନ୍ଦର ହେଲେ ନେଇଯିବୁ ଅସୁନ୍ଦର ହେଲେ ପକାଇ ଦେଇ ଯିବୁ । ରାଜାପୁଅ ଯେଉଁ ଫୁଲଖଣ୍ଡି ଗୁନ୍ଥିଲା ସେ ଅତି ସୁନ୍ଦର ହେଲା, ମାଲୁଣୀ ନେଇ ରାଜାଝିଅକୁ ଦେଲା । ଜେମାଦେଈ କହିଲେ, ଆଜି ଏ ଫୁଲ କିଏ ଗୁନ୍ଥିଛି କି ଏଡ଼େ ସୁନ୍ଦର ହୋଇଚି ? ମାଲୁଣୀ କହିଲା ମୋ ଝିଆରୀ ଆସିଚି ଯେ ତାହାରି ହାତର ଗୁନ୍ଥା । ଜେମା ସେଇ ଝିଆରୀକି ଦେଖିବାକୁ ଲଗାଇଲେ । ମାଲୁଣୀ ତହିଁ ଆରଦିନ ରାଜାପୁଅ ତଉଁରି (୭) ଶାଢ଼ୀ ଖଣ୍ଡେ, ପିତ୍ତଳ ଖଡ଼ୁ ଦିପଟ ପିନ୍ଧାଇ ଦେଇ ରାଜାପୁଅକୁ ନଅରକୁ ନେଇଗଲା ଜେମା ଏହାସାଙ୍ଗରେ କଥାବାର୍ତ୍ତା ହେଲେ । ରାଜାପୁଅ କହିଲା ମୁଁ ଝିଅ ନୁହେଁ ମୁଁ ଆର ଦେଶର ରାଜାପୁଅ, ଏମନ୍ତି ଦୁର୍ଘଟଣାରେ ପଡ଼ି ଏଠାକୁ ଆସି ମାଲୁଣୀଘରେ ରହିଅଛି । ଏହିପରି ଦେଖା ସାକ୍ଷାତ ହୋଇ ରାଜାପୁଅର ଆଉ ସେ ଜେମାର ବଡ଼ ମନ ମିଳିଲା । ରାଜାପୁଅ ସବୁଦିନେ ରାତିରେ ଜେମାଙ୍କ ପାଖକୁ ଯିବା ଆସିବା କରେ, ତା ଆଉ କେହି ଜାଣନ୍ତି ନାହିଁ । ରାଜାଝିଅ ସବୁଦିନେ ତଉଲା ହୁଏ, ଗୋଟିଏ ଫୁଲର ଓଜନ ହୁଏ ୟାଡ଼କୁ ୟାଡ଼କୁ ବେଶୀ ବେଶୀ ଓଜନ ହେଲା । ଯେ ବଣିୟା ତଉଲେ ସେ ରାଜାଙ୍କୁ କହିଲା ମଣିମା-! ଆପଣଙ୍କ ଜେମାଦେଈ ଏବେ ବେଶୀ ଭାରି ହେଲେଣି, ଗୋଟିଏ ଫୁଲରେ ଆଉ ଏବେ ଓଜନ ଉଠୁ ନାହାନ୍ତି । ରାଜା ବିଚାର କଲେ ଝିଅପାଖକୁ କିଏ ଆଉ ଆସୁଚି । ହୁକୁମ ଦେଲେ ଯେ ଆଜି ସିନ୍ଦୂରରେ ବିଛଣା କର, ଯେ ଆସିବ ସେ ଚିହ୍ନା ପଡ଼ିବ । ଧୋବାକୁ କୁହା ହୋଇଥାଏ କି ତୋ ଘରେ ଯେ ଏପରି ଲୁଗା ପକାଇବ ତାକୁ ଧରାଇ ଦେବୁ, ନ ଦେଲେ ତୋର ସର୍ବଶ୍ୱ ମୁଣ୍ଡ କାଟ ହେବ । ସେଦିନ ରାତିକି ରାଜାପୁଅ ଆସିଲା । ଜେମାଦେଈ କହିଲେ ହେ ! ତେମେ ଆଜି ଯାଅ ବାହାରି, ସିନ୍ଦୂରରେ ବିଛଣା ହୋଇଚି । ଏ ଅମାନିଆ ହୋଇ ବିଛଣାରେ ବସା ଉଠାକଲା, ଧୋବାକୁ ଟଙ୍କା ଦେଇ ଲୁଗା କଚାଇ ଆଣିଲା, ଆଉ କେହି ଜାଣି ପାରିଲେ ନାହିଁ । ତହିଁ ଆରଦିନ ଧୋବାକୁ ପଚରା ହେଲା, ସେ ନାହିଁ କଲା, କହିଲା, କେହି ମୋ ଘରେ ଲୁଗା ପକାଇ ନାହାନ୍ତି-। ରାଜା କହିଲେ ଆଉ କଣ କଲେ ଜଣାପଡ଼ିବ ? ମନ୍ତ୍ରୀ କହିଲେ, କଂସାରେ କରତ କରି କବାଟ ଦେହରେ ଦେଇଥାଅ, ଯେ ଆସିବ ତା ଉପରେ ପଡ଼ିଲେ ମରିବ । କଂସାର କରତ ତିଆାରି ହେଲା, ନାଗବନ୍ଧ ଦେହରେ ଦିଆଗଲା । ରାଜାପୁଅ ସେହିଦିନ ସେହିପରି ଆସିଲା, ରାଜାଝିଅ କହିଲା କାହିଁକି ଆସିଲ, ଆଜି କଂସାର କରତ କରି ନାଗବନ୍ଧରେ ଦେଇଛନ୍ତି, ତମେ ଫେରିଯାଅ-। ରାଜାପୁଅ କହିଲା ଓହୋ ! କଣ ହୋଇଯିବ ? ଯେବେ କିଛି କଥା ହୋଇଯିବ, ତେବେ ମତେ ପୋଡ଼ିବ ନାହିଁ କି ପୋତିବ ନାହିଁ, ନେଇକରି ଶୋଲ ପୋଖରୀ ପାଖରେ ଶୁଆଇ ଦେଇ ଆସିବ-। ଏହାକହି ଘରଭିତରକୁ ପଶିଗଲାବେଳକୁ କରତ ଖସିଲା ରାଜାପୁଅ ମୁଣ୍ଡରେ ପଡ଼ିଲା, ରାଜାପୁଅ ସେଇଠି ମରିପଡ଼ିଲା । ତହିଁ ଆରଦିନ ସବୁ ଦେଖିବାକୁ ଆସିଲେ, ଆସି ଦେଖନ୍ତି ଯେ ଉତ୍ତମ ସୁନ୍ଦର ରାଜାପୁଅଟିଏ ମରି ପଡ଼ିଛି । ରାଜା କହିଲେ ଝିଅକୁ ଆହା ! ଏଡ଼େ ସୁନ୍ଦର ପିଲାଟିକୁ ତୁ କାହିଁକି ମାରିଲୁ, କହିଥିଲେ ସେହିଆକୁ ବିଭା କରାଇ ଦେଇଥାନ୍ତି । ଝିଅକୁ ସମସ୍ତେ ଗାଳିଦେଲେ-। ରାଜା କହିଲା ଗୁଆଘିଅ ଚନ୍ଦନ କାଠ ଆଣି ଦାହ କରାଇଦିଅ । ଝିଅ କହିଲା ସେ ମନା କରିଛନ୍ତି, କହିଛନ୍ତି ମତେ ପୋଡ଼ିବ ନାହିଁ କି ପୋତିବ ନାହିଁ, ଶୋଲପୋଖରୀ କୂଳେ ଶୁଆଇ ଦେଇ ଆସିବ-। ରାଜା କହିଲେ ହଉ ନିଅ, ସେ ଯାହା କହିଚି ସେଇଆ କର । ନେଲେ ଶୋଲ ପୋଖରୀକୂଳରେ ଶୁଆଇ ଦେଇ ଆସିଲେ ବାହାରି । ସେ ବାୟା ଚଢ଼େଇଯାକ ଚିହ୍ନିଲେ, ସେ ରାଜାପୁଅ ପାଖରେ ବସି ଗୁଣୁ ଗୁଣୁ ହୋଇ କାନ୍ଦିଲେ । ଏହିପରି କାନ୍ଦି କାନ୍ଦି ରାତି ଅଧ ହେଲା, ଈଶ୍ୱରପାର୍ବତୀ ଆକାଶରେ ଉଡ଼ିଯାଉଥିଲେ, କାନ୍ଦଣା ଶୁଭିଲା । ପାର୍ବତୀ କହିଲେ ରହିବଟି ପୃଥିବୀ କାହିଁକି ଭାରୀ ଭାରୀ ଲାଗୁଛି କିଏ ଗୁଡ଼ିଏ ଗୁଣୁ ଗୁଣୁ ହୋଇ କାନ୍ଦିଲା ପରି ଶୁଭୁଚି । ଈଶ୍ୱର କହିଲେ ଚାଲ ବାହାରି ହୋ ! ଆମର ସେଥିରେ କଣ ଅଛି ? ପାର୍ବତୀ କହିଲେ କିଛିତ ନାହିଁ ପୃଥିବୀର ଭାର ନେଇଚ କାହିଁକି ? ଈଶ୍ୱର କହିଲେ ହଉ ଚାଲ । ଗଲେ, ପଚାରିଲେ, ତୁମେ କିଏ କାହିଁକି କାନ୍ଦୁଚ-? ବାୟାଚଢ଼େଇଗୁଡ଼ିକ ଆପଣାର ଆଉ ରାଜାପୁଅର ଯେତେ ଯେତେ କଥା ଥିଲା ସବୁ କହିଗଲା-। ଈଶ୍ୱର ପାର୍ବତୀ କହିଲେ, ହଉ ତେବେ ତେଣିକି ମୁହଁ ବୁଲା । ଏମାନେ ସେ ଆଡ଼କୁ ମୁହଁ ବୁଲାଇ ବସିଲେ, ଈଶ୍ୱର ପାର୍ବତୀ ଫୁଲପାଣି କରି ତିନିମୁଠା ଛିଞ୍ଚି ଦେଲେ ଯେ ରାଜାପୁଅ ଜୀଇଁ ଉଠିଲା, ଈଶ୍ୱର ପାର୍ବତୀ କୁଆଡ଼େ ଉଭେଇଗଲେ । ରାଜାପୁଅ ତହିଁ ଆରଦିନ ଉଠି ମାଲୁଣୀଘରକୁ ଗଲା, ସେଦିନ ରାତିରେ ରାଜାଝିଅ ସାଙ୍ଗେ ଦେଖାକଲା । ସେ ବଞ୍ଚିକରି ଆସିଲାଣି ବୋଲି ରାଜା ଜାଣିଲେ, କହିଲେ, ଆମ ଝିଅକୁ ୟାକୁ ବିଭା କରିଦେବା । ଘରଲିପା ହେଲା, ବେଦୀତୋଳା ହେଲା, ବିଭାଘରର ଆଉ ସବୁ ଆୟୋଜନମାନ କରାହେଲା । ରାଜା ଭଲ ଦିନ ଦେଖି ରାଜାଝିଅକୁ ସେ ରାଜାପୁଅ ସଙ୍ଗେ ବିଭା କରିଦେଲେ । ବହୁତ ଯାନିଯଉତୁକ ଦେଇ ଝିଅ ଜୋଇଁକୁ ବିଦା କରାଇଲେ । ରାଜାପୁଅ ବିଭା ହୋଇ ଘରକୁ ଆସୁଚି, ଗାଁପାଖରେ ହେଲାଣି ସମସ୍ତେ କହିଲେ କୋଉଁ ରାଜା ଆସୁଚି, ଯୁଦ୍ଧ କରିବାକୁ । ରାଜା ଆଉ ପୁଅ ବୋଲି ଜାଣିନାହାନ୍ତି, ବେକରେ ପାଳଦଉଡ଼ି ଗୋଛାଏ ପକାଇ ଦଣ୍ଡବତ କରିବାକୁ ଗଲେ, ଯାଇଁ ପାଲିଙ୍କି ପାଖରେ ଳମ୍ୱହୋଇ ଗୋଡ଼ତଳେ ପଡ଼ିଗଲେ । ଏ ପାଲିଙ୍କିରୁ ଡେଇଁପଡ଼ିଲା କହିଲା ଏ କଣ ! ତେମେ ବାପା, ମୁଁ ପୁଅ, ତେମେ ମୋ ଗୋଡ଼ତଳେ ପଡ଼ୁଚ ? ରାଜା କହିଲେ ମୁଁ ପୁଅ କେଉଁଠୁ ପାଇବି ? ଏ କହିଲା ତୁମ ଘୋଡ଼ାଶାଳ ଲାଣ୍ଡିକୁ ଡାକ, ଧାଈକୁ ଡାକ, ଏମାନେ ସବୁକଥା କହିବେ । ଏମାନଙ୍କୁ ଡକରା ହେଲା-। ଏମାନଙ୍କ ଆଗରେ ରାଜାପୁଅ ସବୁ କହିଗଲା, ଯେପରି ସେ ଜନ୍ମ ହେବାବେଳେ ଧାଈ କାଠ କଣ୍ଢେଇଟାଏ ଦେଖାଇ ତାକୁ ଖତ ଗଦାରେ ପକାଇଦେଲା, କୁକୁର, କୂଅ, କାଳୀଗାଈ, ପକ୍ଷିରାଜଘୋଡ଼ା ଯେପରି ତାକୁ ବଞ୍ଚାଇ ମନିଷ କଲେ ସବୁ କଥା କହିଗଲା । ଏ ସବୁ କଥା ମାନିଗଲା । ରାଜା ପୁଅବୋହୂକୁ ଘରକୁ ନେଲେ, ଘୋଡ଼ାଶାଳରୁ ଲାଣ୍ଡିକୁ ଆଣିଲେ, ତାକୁ ସଫାସୁତରା କରାଇ ପାଟପିତାମ୍ୱର ପିନ୍ଧାଇ ଘରକୁ ନେଲେ । ଗୋଟିଏ ଟୋପର ଖୋଳାଇ ଏ ଛଅଭଉଣୀକି ଧାଈକି ତହିଁରେ ପକାଇଦେଲେ, ତଳକଣ୍ଟା ଉପରକଣ୍ଟା ଛାଟିଦେଲେ, ମାଟି ଚଢ଼ାଇଦେଲେ । ରାଜା ପୁଅବୋହୂ ଘେନି ଘର ଦୁଆାର କଲେ, ମୁଁ ଗଲାରୁ କଥା କହିଲେ ନାହିଁ-। ମୋ କଥାଟି ସରିଲା ଇତ୍ୟାଦି ।

 

(୧) ପ୍ରସବ ବେଦନା ହେବ । (୨) ଚକ୍ଷୁ ଘୋଡ଼ାଇବାର ବସ୍ତ୍ର । (୩) ପୁନଶ୍ଚ । (୪) ଶେଷ ପର୍ଯ୍ୟନ୍ତ । (୫) ବର୍ତ୍ତମାନ । (୬) ରଙ୍ଗ

Image

 

Unknown

ହଳାହଳକୁମର ବା ଶଶିସେନା ଅଭିମନ୍ୟୁ କଥା

 

ଗୋଟିଏ ଦେଶରେ ରାଜାଟିଏ, ତାର ଗୋଟିଏ ଝିଅ । ଝିଅଟି ନାଁ ଶଶିସେନା । ସେହି ଦେଶରେ ଗୋଟିଏ ଚକୁଳିଆ ପଣ୍ଡା ଥାଏ, ତାର କେହି ନାହିଁ; ଗୋଟିଏ ଭାରିଯା । ଚକୁଳିଆ ପଣ୍ଡା ଛଅଗାଁ ଗଲେ ସେରେ, ନଅଗାଁ ଗଲେ ସେରେ ଆଣେ, ତାକୁ ଗିରସ୍ତ ଭାରିଯା ଖାଇ ପିଇ ସୁଖରେ ଥାନ୍ତି । ଦିନକରେ ଚକୁଳିଆପଣ୍ଡା ନଈକୁ ଗାଧୋଇ ଯାଇଥିଲା, ନାଗଲୋକର ରାଜାର ପୁଅ ହଳାହଳକୁମରର ମଞ୍ଚ ଦେଖିବାକୁ ବଡ଼ ଇଚ୍ଛା; ସେ ନଈରେ ସାପଛୁଆଟିଏ ହୋଇ ଖେଳୁଥିଲା, ଚକୁଳିଆପଣ୍ଡାର ଢାଳରେ ପଶି ତା ଘରକୁ ଆସିଲା । ଚକୁଳିଆପଣ୍ଡାର ଭାରିଯା ପାଣି ଢାଳିଲାବେଳେ ଦେଖିଲା ଯେ ସାପଛୁଆଟି ଗୋଟିଏ ଉତ୍ତମ ସୁନ୍ଦର ବାଳକଟିଏ ହୋଇ ଢାଳରେ ଅଛି । ଚକୁଳିଆପଣ୍ଡା ଦେଖିଲା, ଦୁହେଁଯାକ ବଡ଼ ଖୁସି ହେଲେ, ପିଲାଟିକୁ ଆପଣାର ପୁଅକରି ପାଳିଲେ । ପୁଅଟିର ନାଁ ଦେଇଥାନ୍ତି ଅଭିମନ୍ୟୁ । ପୁଅଟି ବଡ଼ ହେଲା, ତାକୁ ଚାହାଳିରେ ପାଠପଢ଼ିବାକୁ ପଠାଇଲେ । ସେହି ଚାହାଳିରେ ରାଜାଝିଅ ଶଶିସେନା ପଢ଼ୁଥାଏ । ଦିନକର ଅଭିମନ୍ୟୁର ଖଡ଼ି ଗଡ଼ିଗଲା ଶଶିସେନା ଆଡ଼କୁ । ଏ କହିଲା ହେ ଶଶିସେନା ! ଟିକିଏ ଖଡ଼ି ଦେବୁଟି ? ଶଶିସେନା କହିଲା ତୁ ସତ୍ୟ କର ଖଡ଼ି ଦେବି, ଅଭିମନ୍ୟୁ କହିଲା ଦେ ହୋ ଖଡ଼ି, ସତ୍ୟ ଗୋଟାଏ କଣ ? ଏ କହିଲା ନା, ତୁ ସତ୍ୟ ନକଲେ ମୁଁ କେଭେ ଖଡ଼ି ଦେବି ନାହିଁ । ଅଭିମନ୍ୟୁ କହିଲା ହଁ, ମୁଁ ସତ୍ୟ କଲି ଖଡ଼ି ଦେ, ଏ ସେଉଠୁ ଖଡ଼ି ଦେଲା । ଚାହାଳି ଛୁଟି ହେଲା, ଯେ ଯାହା ଘରକୁ ଗଲେ । ତହିଁ ଆରଦିନ କେହି ଆସିନାହାନ୍ତି, ଏକା ଶଶିସେନା ଚାହାଳିରେ ଅଛି, ତେଣୁ ଅଭିମନ୍ୟୁ ଆସିଲା ଶଶିସେନାର ଆଖିକୁ ବୁଜି ଧରିଲା, ଖୁବ୍‌ କଟମଟ କରି ବୁଜି ଧଇଲା, କାଲି କାହିଁକି ସତ୍ୟ କରାଇଥିଲୁ କହ । ଶଶିସେନା କହିଲା ମତେ ତେମେ ବିଭା ହେବ, ଅଭିମନ୍ୟୁ କହିଲା ହଉ ମାତ୍ର ଆମର ଏ ରାଜ୍ୟରେ ଆଉ ରହିବ ନାହିଁ । ଶଶିସେନା କହିଲା ହଉ ଚାଲ ଯିବା ଆଉ କେଉଁ ଦେଶକୁ । ଗଲେ ଘୋଡ଼ା ଶାଳରୁ ଗୋଟିଏ ବଢ଼ିଆ ଘୋଡ଼ାଟିଏ ହସୁଥିଲା ଆଣିଲେ, ଛାଟ ଆଣିଲେ, ବାରହାତ ଖଣ୍ଡା ଆଣିଲେ, ଦୁହେଁଯାକ ଘୋଡ଼ାରେ ବସିଲେ, ଗଲେ । ଯାଉଛନ୍ତି, ବାଟରେ ଗୋଟିଏ ଠେକୁଆଲାଙ୍ଗୁଡ଼ ପଡ଼ିଚି, ସେ କହିଲା ମତେ ସାଙ୍ଗରେ ନିଅ ମୁଁ ତୁମର ବଡ଼ ଉପକାରରେ ଆସିବି । ଶଶିସେନା କହିଳା ହଉ ଆଣ । ତାକୁ ଆଣିଲେ, ଘୋଡ଼ା ଲାଙ୍ଗୁଡ଼ରେ ବାନ୍ଧିଦେଲେ, ନେଇକରି ଗଲେ । ଫେର୍‌ ଆଉ କେତେ ଦୂର ଯାଇଛନ୍ତି, କୁଲା ବାଉଁଶିଆ ଗୁଡ଼ାଏ ଯାଉଛି ବିକା ହେବାକୁ, ଠେକୁଆ ଲାଙ୍ଗୁଡ଼ କହିଲା ଅଭିମନ୍ୟୁ ! ଏଥିରୁ ଦିଟା ନିଅ, ବହୁତ ଉପକାରକୁ ଆସିବ, କୁଲା ବାଉଁଶିଆ ଦିଟା ନେଲେ । ଆଉ କିଛି ଦୂର ଯାଇଛନ୍ତି, ଲଙ୍ଗଳ ଲୁହାଟାଏ ବାଟରେ ପଡ଼ିଚି, ଠେକୁଆ ଲାଙ୍ଗୁଳ କହିଲା ଅଭିମନ୍ୟୁ ! ଏଇଟାକୁ ନିଅ ବହୁତ ଉପକାର କରିବ । ତାକୁ ନେଲେ, ଯାଇ ଗୋଟିଏ ବୁଢ଼ୀ ଅସୁରୁଣୀ ଦୁଆରେ ରାତି ହେଲା, ସେଇଠି ରହିଲେ । ବୁଢ଼ୀଅସୁରୁଣୀ ବଡ଼ ଆଦର କଲା, ଗୋଟିଏ ଘରେ ନେଇ ଏମାନଙ୍କୁ ରଖାଇ ଦେଲା । ଏମାନେ ଆଉ ଜାଣନ୍ତି ନାହିଁ ଅସୁର ଘର ବୋଲି । ଅଛନ୍ତି, ଅସୁରୁଣୀର ପୁଅଯାକ ବୁଲିଯାଇଥିଲେ, ରାତିକି ସମସ୍ତେ ଆସିଲେ । ବୁଢ଼ୀଅସୁରୁଣୀ କହିଲା ଆସ ତମପାଇଁ ଆଛା ସୁନ୍ଦର ଦରବ ରଖିଚି, ସାତ ଭାଇଯାକ ଆନନ୍ଦରେ ଖାଇବ । ଏସବୁ କହିଲେ କାହିଁ, ବୁଢ଼ୀଅସୁରୁଣୀ କହିଲା ଆର ଘରେ ଅଛନ୍ତି-। ଏମାନେ ଦଉଡ଼ିଲେ, ସେ ଘରେ ଅଭିମନ୍ୟୁ ହେରିକା କବାଟ କିଳି ନିଘମ ହୋଇ ଶୋଇଚନ୍ତି-। ଏ ପଚାରିଲେ ତେମେ କିଏ ? ଠେକୁଆ ଲାଙ୍ଗୁଡ଼ କହିଲା ଆମେ ଅସୁରଙ୍କ ଶଶୁର । ଏସବୁ ଡରିଲେ, ବିଚାରିଲେ ଆମେତ ଅସୁର, ଆମର ଗୋଟାଏ ଶଶୁର କୋଉଠୁ ଅଇଲା ? କହିଲେ ଆଛା ହଉ ତେମେ ଯେବେ ଅସୁରଙ୍କ ଶଶୁର ତେବେ ତମ ଜିଭ କାହିଁ ଦେଖାଅ ? ଠେକୁଆ ଲାଙ୍ଗୁଡ଼ କୁଲାଟାକୁ ଦେଖାଇ ଦେଲା । ତମ ପାଟି କାହିଁ ଦେଖାଅ ? ଏ ବାଉଁଶିଆକୁ ଦେଖାଇ ଦେଲା, ତମ ଦାନ୍ତ କାହିଁ ଦେଖାଅ ? ଏ ଲଙ୍ଗଳଲୁହାଟାକୁ ଦେଖାଇଦେଲା । ଅସୁରଯାକ ଡରି କରି ରହିଲେ, କହିଲେ ସେ କାଳେ ଆମର ଶଶୁର ହୋଇଥିବେ । ରାତିରେ ଖାଇପିଇ ଶୋଇଲେ, ଏମାନଙ୍କ ନିଦ ବାରି ଠେକୁଆଲାଙ୍ଗୁଡ଼ ଅଭିମନ୍ୟୁ ଶଶିସେନାକୁ ଉଠାଇ ସବୁକଥା କହିଲା, ଏମାନେ ରାତି ରାତି ଘୋଡ଼ାରେ ବସି ଗଲେ ବାହାରି । ସକାଳ ହେଲାରୁ ଅସୁରମାନେ ଦେଖନ୍ତି ଯେ କେହି ନାହିଁ-। ବୁଢ଼ୀଅସୁରୁଣୀ କହିଲା ଦେଖିଲ, ଏବେ ଚିତାକାଟି ଚାଲିଗଲେ, ଯାଅ ମୁଁ ଘୋଡ଼ା ଲାଙ୍ଗୁଡ଼ରେ ସୋରିଷ ବାନ୍ଧି ଦେଇଚି, ସୋରିଷ ବୁଣି ବୁଣି ଯାଉଥିବ, ଗଛ ଉଠି ଉଠି ଯାଉଥିବ; ଫୁଲ ଫୁଟି ଫୁଟି ଯାଉଥିବ; ଦେଖିବ ସେମାନେ ସେହି ବାଟରେ ଯାଉଥିବେ । ଅସୁର ସାତଭାଇ ଦଉଡ଼ିଲେ ସେହିବାଟ ଦେଖି ଦେଖିକା । ପାଖରେ ମିଶିବାକୁ ଅଳପବାଟ ଅଛି ଶଶିସେନା ଅନାଇ ଦେଲା, ଦେଖିଲାବେଳକୁ ଅସୁରଗୁଡ଼ାକ ଗୋଡ଼ାଇଚନ୍ତି । ଅଭିମନ୍ୟୁକୁ ଦେଖାଇ ଦେଲାରୁ ଅଭିମନ୍ୟୁ କଣ କଲା ଗୁଡ଼ାଏ ବେତମଞ୍ଜି ବୁଣିଦେଲା ଯେ ବେତବଣ ହୋଇଗଲା । ଅସୁରମାନେ ତାକୁ ମାନିଲେ ନାହିଁ, ମାଡ଼ିଦେଇଗଲେ । ଅଭିମନ୍ୟୁ ପଛକୁ ଅନାଇ ଦିଏ ଯେ ଅସୁର ଗୋଡ଼ାଇ ଆସୁଛନ୍ତି । ସେ ସେଉଠୁ ଗୁଡ଼ାଏ ଅଙ୍ଗାର ବୁଣିଦେଇ କହିଲା ଯେବେ ସତ୍ୟଯୁଗ ହୋଇଥିବ, ଖାଲି ଅଗ୍ନିମୟ ହୋଇଯିବ । ସବୁ ଅଗ୍ନିମୟ ହୋଇଗଲା, ଅସୁର ନିଆଁକୁ ମାନିଲେ ନାହିଁ ମାଡ଼ି ଦେଇ ଚାଲିଗଲେ, ତାଙ୍କ ପଛକୁ ପଛକୁ ଲାଗିଗଲେ । ଅଭିମନ୍ୟୁ ସେଉଠୁ କ’ଣ କଲା, ପଛକୁ ଅନାଇଁ ଫୁକରି ଫୁଙ୍କିଦେଲା ଯେ କୁହୁଡ଼ି ଘୋଟିଗଲା, । କାହାକୁ ବାଟ ଦିଶିଲାନାହିଁ । ଅସୁର ମନିଷ ଗନ୍ଧ ସୁଙ୍ଘି ସୁଙ୍ଘି ଘୋଡ଼ାପଛକୁ ଲାଗିଗଲେ । ଅଭିମନ୍ୟୁ କହିଲା ମୋର ଆଉ ଦୋଷ ନାହିଁ, ଏହା କହି ବାରହାତ ଖଣ୍ଡାକୁ ବୁଲାଇଦେଲା ଯେ ଅସୁରଯାକ କଚ୍‌କାଚ୍‌ କାଟି ହୋଇଗଲେ; ଏକା ସବା ସାନଭାଇଟି ମା’ ଅସୁରଟି ଘୋଡ଼ା ପେଟତଳେ ଲୁଚିଗଲା । ଟିମା ଅସୁର ବାହାରିପଡ଼ି କହଲା ହେ ମତେ ମାରନା, ମୁଁ ତମର ଭଣ୍ଡାରି ହୋଇ ତୁମ ସାଙ୍ଗରେ ରହିବି । ଶଶିସେନା କହିଲା ହଉ ଥାଉ; ନିଅ ତାକୁ ମାରନା । ତାକୁ ସାଙ୍ଗରେ ନେଲେ, ଯାଇ ଗୋଟିଏ ନିର୍ଜନ ଥାନରେ ଯୋଉଁଠି କୁଆ କୋଇଲିର ରାବ ନାହିଁ, ମନିଷର ଠାବ ନାହିଁ ସେଇଠି ପହଞ୍ଚିଲେ, ସେଇଠି ବସା କରି ରହିଲେ । ଶଶିସେନା ରୋଷେଇ ବାସ କଲା, ଟିମା ଅସୁର ତେଲ ନେଇଗଲା ଅଭିମନ୍ୟୁ ଗାଧୋଇବ ବୋଲି । ଅଭିମନ୍ୟୁ କେତେବେଳେ ବାରହାତ ଖଣ୍ଡା ହାତରୁ ଛାଡ଼େ ନାହିଁ । ଟିମା ଅସୁର ତେଲ ଲଗାଇ ଦେଉ ଦେଉ କହିଲା, ସବୁବେଳେ କାହିଁକି ଖଣ୍ଡାଟା ହାତରେ ଧରିଥାଅ ? ରଖିଦିଅ, ମୁଁ ଭଲକରି ତେଲ ଲଗାଇ ଦିଏ, ଅଭିମନ୍ୟୁ ଖଣ୍ଡା ଥୋଇଦେଲା । ଟିମା ଅସୁର ତେଲ ଲଗାଇ ଦେଉଚି, କଣ ମନେ ବିଚାରିଲା, ଅଭିମନ୍ୟୁକୁ ହାଣି ପକାଇଲା । ହାତଗୋଡ଼ ଦିହିଙ୍କୁ ପୋତି ପକାଇଲା, ଗଣ୍ଡିକୁ ଗିଳିଦେଲା, ଚିକ୍କଣ ହୋଇ ଘସିପସି ହୋଇ ଗାଧୋଇ ଆସିଲା, ଅଭିମନ୍ୟୁର ଲୁଗା ପିନ୍ଧିଲା; ଗାମୁଛା କାନ୍ଧରେ ପକାଇଲା, ଖଣ୍ଡାକୁ ହାତରେ ଧରିଲା, ଅଭିମନ୍ୟୁ ବେଶ ଧରି ଗଲା ଶଶିସେନା ପାଖକୁ । ଶଶିସେନା ଆଉ ଜଣେନା ଟିମାଅସୁର ଛଦ୍ମବେଶ ଧରିଚି, ତାକୁ ଭାତ ବାଢ଼ିଦେଲା, ଅଭିମନ୍ୟୁ ଯେତିକି ଖାଏ ସେତିକି ଦେଲା । ଏତ ଅସୁରଟାଏ, ୟା ପେଟ କୋଉଠି ପୁରୁଚି-? ଶଶିସେନା ଯେତେ ଦେଉଥାଏ ପଛରେ, ଏ ଆଉ ନାହିଁ କରୁନଥାଏ, ସବୁ ଖାଉଥାଏ । ଶଶିସେନା ମନେ ମନେ ହେଉଥାଏ ଆଜି କାହିଁକି ଏତେ ଖାଉଛନ୍ତି । ଏହିପରି ଭାବି ହେଉଥାଏ, ଆଉ ଫିଟେଇ କରି କିଛି କହୁନଥାଏ । ଯେତେ ହାଣ୍ଡି ଭାତ ରୋଷେଇ କରିଦେଲା ଏ ସବୁ ଖାଇଲା-। କେତେବେଳକେ ଉଠିଲା ଖାଇବାଠାରୁ । ଶଶିସେନା ମନରେ ଦୋଦୋପାଞ୍ଚ ହୋଉଥାଏ, ସେ ପଚାରିଲା ଟିମା ଅସୁର କାହିଁକି ? ଅଭିମନ୍ୟୁ ବେଶଧାରୀ ଟିମା ଅସୁର ମୁର୍କିହସା ଦେଇ କହିଲା, ମୁଁ ପରା ଟିମାଅସୁର । ତମ ଅଭିମନ୍ୟୁ ନଈରେ ବୁଡ଼ି ମରିବାରୁ ମୁଁ ପରା ତାଙ୍କ ଲୁଗାପଟା ପିନ୍ଧି ଆସିଚି ! ଶଶିସେନା ଅଭିମନ୍ୟୁର ବାରହାତ ଖଣ୍ଡାଧରି କହିଲା ଅଭିମନ୍ୟୁ କୋଉଠି ମରିଚି ଦେଖା-। ନଇଲେ ଏ ଖଣ୍ଡାରେ ତୋର ପ୍ରାଣ ନେବି । ଟିମାଅସୁର ଭୟରେ ଯୋଉଠି ଗୋଡ଼ହାତ ପୋତିଥିଲା ଦେଖାଇଦେଲା । ଶଶିସେନା କହିଲା ଏ ସିନା ହାତଗୋଡ଼, ଗଣ୍ଡି କାହିଁ-? ଟିମାଅସୁର ଗଣ୍ଡିକୁ ବାନ୍ତି କରିଦେଲା । ଶଶିସେନା ଅଭିମନ୍ୟୁର ଗୋଡ଼ହାତ ମୁଣ୍ଡ ସବୁ ଏକାଠି ଯୋଖି ଦେଲା, ସେଇଠି ବସି କାନ୍ଦିଲା । କାନ୍ଦି କାନ୍ଦି ରାତି ଅଧରୁ ବଳିଲାଣି, ଚାରିଆଡ଼େ ସମସ୍ତେ ନିଶବ୍ଦ ହେଲେଣି, ଈଶ୍ୱର ପାର୍ବତୀ ଆକାଶରେ ଉଡ଼ି ଯାଉଥିଲେ, ପାର୍ବତୀ କହିଲେ ରହିଥିବଟି, ମଞ୍ଚରେ କିଏ କାନ୍ଦୁଚି । ଈଶ୍ୱର କହିଲେ ଚାଲଯିବା ବାହାରି, ଆମର ସେଥିରେ କ’ଣ ଅଛି । ପାର୍ବତୀ କହିଲେ କିଛିତ ବୁଝିବ ନାହିଁ, ଏ ସୃଷ୍ଟି ଭିଆଇଚ କାହିଁକି ? ଈଶ୍ୱର ପାର୍ବତୀ ଗଲେ, ଶଶିସେନାକୁ ପଚାରିଲେ ତୁ କିଏ, ଭୂତ କି ପ୍ରେତ କି ଡାହାଣୀ କି ଚିରୁଗୁଣୀ କି କିଏ, ତୁ କାହିଁ କାନ୍ଦୁଛୁ ? ଏ କହିଲା, ମୁଁ ଭୂତ କି ପ୍ରେତ କେହି ନୁହେଁ, ଏମନ୍ତ ରାଜା ଝିଅ, ଅଭିମନ୍ୟୁ ସଙ୍ଗରେ ଆସିଥିଲି, ତାକୁ ଟିମାଅସୁର ମାରି ପକାଇଚି, ଆଦ୍ୟରୁ ପ୍ରାନ୍ତ ପର୍ଯ୍ୟନ୍ତ ସବୁ କହିଗଲା । ଈଶ୍ୱର ପାର୍ବତୀ କହିଲେ ହଉ ତେବେ ତେଣିକି ମୁହଁ ବୁଲା, ଫୁଲପାଣି କରି ତିନିମୁଠା ଛିଞ୍ଚିଦେଲେ ଯେ ଅଭିମନ୍ୟୁ ଜୀଇଁ ଉଠିଲା, ଈଶ୍ୱର ପାର୍ବତୀ ଅନ୍ତର୍ଦ୍ଧାନ ହୋଇଗଲେ । ଶଶିସେନା ଅଭିମନ୍ୟୁକୁ ଯାହା ଯାହା ଟିମାଅସୁର କରିଥିଲା ସବୁ କହିଲା । ଅଭିମନ୍ୟୁ କହିଲା ଆଉ ୟାକୁ ବିଶ୍ୱାସ ନାହିଁ, ୟା ଛ’ ଭାଇ ୟାକୁ ଖୋଜିଲେଣି, ଏହା କହି ତାକୁ ସେଠି ହାଣି ପକାଇଲେ, ଆଉ ସେଠାରେ ରହିଲେ ନାହିଁ, ଗଲେ ଯାଇ ଗୋଟିଏ ରଜା ଦେଶରେ ପହଞ୍ଚିଲେ । ଗୋଟିଏ ଆମ୍ୱ ଗଛ ମୂଳେ ବସିଛନ୍ତି, ଅଭିମନ୍ୟୁକୁ ଶୋଷ କଲା, ଶଶିସେନାକୁ ସେଇଠି ବସାଇ ଦେଇଗଲା ଗାଁ ଭିତରକୁ ପାଣିପିଇବାକୁ-। ଅଭିମନ୍ୟୁ ଯାଉଚି ଗୋଟିଏ ଜ୍ଞାନଦେଈ ମାଲୁଣୀ ଡାକି ନେଲା ଘରକୁ, ଗୋଟିଏ କଳାଫୁଲ ଶୁଙ୍ଘାଇ ଦେଇ ତାକୁ କାଳିଆମେଣ୍ଢା କରିଦେଲା, ରଖିଲା । ଶଶିସେନା ଅନାଇଁ ଅନାଇଁ ଯାଉଁ ଅଭିମନ୍ୟୁ ନଆସିଲା, ଗଲା ଖୋଜିବାକୁ ଗାଁ ଭିତରକୁ ଏଣେ ସହର ଭିତରେ ଧେଣ୍ଡୁରା ଦିଆହେଉଚି ଯେ ସେ ରାଇଜରେ ଗଣ୍ଡାଗୟଳ ମାତିଚି, ଯେ ଗୟଳକୁ ମାରିଦେବ ସେ ରଜା ଝିଅକୁ ବିଭା ହେବ । ଶଶିସେନା ଗୋଟିଏ ମରଦ ବେଶ ଧରିଲା, ଆଉ ଅନେକ ରାଜା ଆଉ ଆଉ ଦେଶରୁ ଆସିଥାନ୍ତି, ସେ ସବୁ ଯାଉଥାନ୍ତି ଗଣ୍ଡା ଗୟଳ ମାରିବାକୁ, ଶଶିସେନା ତାଙ୍କ ପଛେ ପଛେ ଘୋଡ଼ାରେ ଚଢ଼ି ଗଲା । ସମସ୍ତେ ଯାଇ ଗଣ୍ଡାଗୟଳ ବନସ୍ତରେ ପହଞ୍ଚିଲେ । ଶଶିସେନାଠାରେ ବାର ହାତ ଖଣ୍ଡା ଥାଏ, ଦୂରରୁ ତାକୁ ବୁଲାଇ ବୁଲାଇ ଫିଙ୍ଗିଲା ଯେ ଗଣ୍ଡାଗୟଳ ତିନିଗର ହୋଇ ପଡ଼ିଲା । ଏ ଦଉଡ଼ିଯାଇ ଗଣ୍ଡା ଗୟଳର ଜିଭ ନଖ କାଟି ଆଣିଲା, ଆଉ ସବୁ ରାଜାମାନେ ଫେରି ଆସିଲେ । ଶଶିସେନା ଗଣ୍ଡାଗୟଳର ଜିଭ ନଖ ରଜାଙ୍କ ଆଗେ ଥୋଇଦେଲା, ରାଜାଝିଅକୁ ତାକୁ ବିଭା କରିବାର ସ୍ଥିର କଲେ । ବିଭାଘର ଯୋଗାଡ଼ ହେଉଥାଏ, ଶଶିସେନା କହିଲା, ମୋର ଗୋଟିଏ ବ୍ରତ ଅଛି ବରଷେ, ମୁଁ ତାକୁ ପୂରଣ କରି ସାରିଲେ ବିଭା ହେବି, ବିଭାଘର ବନ୍ଦ ରହିଲା-। ଶଶିସେନା ମରଦ ବେଶ ଧରି ରାଜା ଘରେ ଥାଏ, ମନେ ମନେ ଅଭିମନ୍ୟୁକୁ ଖୋଜୁଥାଏ-। ଅନେକ ଦିନ ଚାଲିଗଲା, ଅଭିମନ୍ୟୁର ଖୋଜ ଖବର ମିଳିଲା ନାହିଁ । ଶଶିସେନା ଗୋଟିଏ ବୁଦ୍ଧି ପାଞ୍ଚିଲା, ବରଷ ପୂରିବାକୁ ଦଶ ପନ୍ଦର ଦିନ ଅଛି, ରଜାଙ୍କୁ କହିଲା ଏଠେଇ ଯୋଉ ମହାଦେବ ଅଛନ୍ତି, ତାଙ୍କଠାରେ ବାରୁଣୀବୁଡ଼ ପଡ଼ିବ, ଡେଙ୍ଗୁରା ପିଟାଇଦିଅ ଯେ ଏ ରାଇଜରେ ଯେତେ ଲୋକ ଅଛନ୍ତି ସମସ୍ତେ ଆସିବେ ବୁଡ଼ ପକାଇବାକୁ । ରାଜା ସେହିପରି କରାଇଦେଲେ ଯୋଉଦିନ ବୁଡ଼ ପଡ଼ିବ ସେଦିନ ସକାଳୁ ଶଶିସେନା ଗାଧୋଇ ଆସି ଘୋଡ଼ାରେ ଚଢ଼ି ଦେଉଳ ଚାରିପାଖ ବୁଲୁଥାଏ, ଅଭିମନ୍ୟୁ ଆଗରୁ ଶୁଣୁଥାଏ ଯେ ଜଣେ କିଏ ବାରହାତ ଖଣ୍ଡାରେ ଗଣ୍ଡାଗୟଳକୁ ମାରି ରଜା ଝିଅକୁ ବିଭା ହେବ ବୋଲି ତାଙ୍କ ଘରେ ଅଛି, ସେ ଏ ବାରୁଣୀ ବୁଡ଼ କରାଉଚି । ମନେ ମନେ ଭାବୁଥାଏ ଶଶିସେନା କଣ ଛଦ୍ମ ବେଶରେ ଏପରି କରିଚି ? ସେ ଦିନ ଅଭିମନ୍ୟୁ କହିଲା ମାଲୁଣୀକି, ମାଉସୀ-! ସମସ୍ତେ ବାରୁଣୀକି ଯାଉଛନ୍ତି, ମୁଁ ଟିକିଏ ଯାନ୍ତି । ମାଲୁଣୀ କହିଲା ନା ତୁ କୋଉଠିକୁ ଯିବୁ-? ଅଭିମନ୍ୟୁ ଯାଉଁ ଏକଜିଦ୍‌ ଲଗାଇଲା, ମାଲୁଣୀ ତାକୁ ଗୋଟିଏ ମାଇପି ବେଶ କରି ସାଙ୍ଗରେ ନେଲା । ଅଭିମନ୍ୟୁ ବୁଡ଼ ପକାଇଲା, ଗଲା ଦେଉଳ ଭିତରକୁ ଦର୍ଶନ କଲା । ସେହି ଦେଉଳ ଭିତରେ ଲେଖି ଦେଇଗଲା—

 

ଶଶିସେନା ବାଳୀ ମନରେ ଭାଳେଣୀ ଅଭିମନ୍ୟୁ ତାର ବର,

ଜ୍ଞାନଦା ମାଲୁଣୀ ବନ୍ଦୀ କରିଅଛି ଦିନେ କରେ ମେଷବର ।

 

ରାତିରେ ଧବଳ ପୁଷ୍ପ ଶୁଙ୍ଘାଇଣ କରଇ ଭେଣ୍ଡା ସୁନ୍ଦର,

ଏଥିରୁ ମୁକତ କରିପାରୁ ଯଦି ଶଶିସେନା ବେଗେ କର ।

 

ଅଭିମନ୍ୟୁ ତ ସ୍ତୀରୀ ବେଶ ହୋଇଚି, ଶଶିସେନା ବୁଲି ବୁଲି ଆଉ ତୁଠଠେଇଁ ତାକୁ ପାଇଲା ନାହିଁ । ଦେଉଳ ଭିତରେ ଗୁଡ଼ାଏ କଣ ଲେଖା ହୋଇଚି ବୋଲି ପଢ଼ିଲାବେଳକୁ ଅଭିମନ୍ୟୁର କଥା ସବୁ ଲେଖା ହୋଇଚି । ଶଶିସେନା ତହିଁ ଆରଦିନ ମାଲୁଣୀକି ଓ ତାର କାଳିଆ ମେଣ୍ଢାକୁ ଘେନାଇ ଆସିଲା, ମାଲୁଣୀକୁ କହିଲା ତାକୁ ମଣିଷ କରିଦେ, ମାଲୁଣୀ କହୁଥାଏ ମେଣ୍ଢାଟା କିପରି ମନିଷ ହେବ ? ଆଉ କିଛି କରୁନଥାଏ । ଯାଉଁ ମାଲୁଣୀକି ବିଛୁଆତିରେ ଗୁଡ଼ାଏ ମାଡ଼ ହେଲା, ମାଲୁଣୀ ଧଳାଫୁଲ ସୁଙ୍ଘାଇ ଅଭିମନ୍ୟୁକୁ ନିଜ ରୂପ କରିଦେଲା । ରଜା ସବୁ କଥା ଜାଣିଲେ, ମାଲୁଣୀକି ଶୂଳିଆ ପଦାରେ ଶୂଳିଦେଲେ, ତା’ ଘରେ ଯେତେ ଧନ ଦରବ ଥିଲା ନଅରକୁ ଘେନି ଆସିଲେ । ଶଶୀସେନା ରାଜାଙ୍କ ହାତ ଧରି ପକାଇଲା, କହିଲା ମୁଁ ଆପଣଙ୍କର ଧର୍ମଝିଅ ହେଲି । ଆଜିଠାରୁ ଆପଣଙ୍କ ଝିଅକୁ ଆଉ ମୋତେ ଅଭିମନ୍ୟକୁ ବିଭା କରିଦିଅନ୍ତୁ । ରଜା ବଡ଼ ଖୁସି ହେଲେ, ଶଶିସେନାକୁ ଆଉ ଜେମାକୁ ଅଭିମନ୍ୟୁକୁ ବିଭା କରିଦେଲେ । ଏମାନେ ତିନିହେଁ ଆନନ୍ଦରେ ରହିଲେ । ଏହିପରି ଥାନ୍ତି, ଏଣେ ଅଭିମନ୍ୟୁର ନାଗଲୋକର ଭାରିଯାମାନେ ଭାରି ଭାବତରେ ଥାନ୍ତି, ଏତ ନରଲୋକକୁ ଯାଇ ସୁଖରେ ରହିଲେ, ଆଉ କ’ଣ ଆସିବେ କି ? ସମସ୍ତେ ବିଚାର କଲେ, ଜଣେ ତାଙ୍କ ଭିତରୁ ଗୋଟିଏ ଶବରୀ ବେଶ ହୋଇ ଗୁଡ଼ିଏ ଅମରଫଳ ଟୋକେଇରେ ଘେନି ଅଭିମନ୍ୟୁ ଶଶିସେନା ଯୋଉଠି ଅଛନ୍ତି, ସେଇ ଗାଁକୁ ଆସିଲା ଅଭିମନ୍ୟୁର ଦୁଇ ଭାରିଯାଙ୍କ ପାଖକୁ । ଏମାନେ ତିନୋଟି ଅମର ଫଳ ମାଗିଲେ କିଣିବାକୁ, ୟାଙ୍କ ପାଇଁ ଦୋଟି ଅଭିମନ୍ୟୁ ପାଇଁ ଗୋଟିଏ, ଶବରୀ କହିଲା ଅଭିମନ୍ୟୁ ତ ଅମର ତାଙ୍କର ଏ ଫଳ କଣ ହେବ ? ଏହା କହି ଦୋଟି ଫଳ ଦେଲା, ଏମାନେ ପଚାରିଲେ ଅଭିମନ୍ୟୁ ଅମର କେମନ୍ତି ଆମକୁ କହ । ଶବରୀ କହିଲା ତାଙ୍କୁ ପଚାରିବ ସେ ସବୁ କହିବେ, ଏହା କହି ଚାଲିଗଲା । ୟାଙ୍କର ମନ ଲାଗିଚି, ସେ ଦିନ ଅଭିମନ୍ୟୁକୁ ତାର ନିଜ ନା କ’ଣ ପଚାରିଲେ । ଅଭିମନ୍ୟୁର ନାଗଲୋକ କଥା ମନେ ପଡ଼ିଲା । ସେଠା ଭାରିଯାମାନେ ମନେ ପଡ଼ିଲେ, କହିଲା ମୋ ନାଁରୁ ତେମେ କଣ ପାଇବ । ଏମାନେ ଏକଜିଦ୍‌ ଲଗାଇଲେ ଯୋଉଠୁ ଅଭିମନ୍ୟୁ କହିଲା ଆସ ମୋ ସାଙ୍ଗେ ନଈ କୂଳକୁ, ନାଆଁ କହିବି । ସମସ୍ତେ ଗଲେ, ଅଭିମନ୍ୟୁ ନଈରେ ଛାତିକ ପାଣିକି ଗଲା କହିଲା;—

 

କହ କହ ସୁନ୍ଦରୀ ଗୋ ମୋ’ଠାରେ ଲୋଭା

କିବା ମୋର ନାମେ ଅଛି ତୁମ୍ଭ ଶରଧା ।

 

ଏମାନେ କହିଲେ—

 

ନକରଟି ସ୍ୱାମୀ ଆମ୍ଭଠାରେ ଅବିଶ୍ୱାସ

ନାମରେ ତୁମ୍ଭର ଆମ୍ଭେ ହୋଇବୁଁ ସନ୍ତୋଷ ।

 

ଅଭିମନ୍ୟୁ କହିଲା,—

 

ଯାଅ ଯାଅ ସୁନ୍ଦରୀ ଗୋ କରିବ ଘର

ମୋ ନାଁ ନାଗଲୋକେ ହଳାହଳ କୁମର ।

 

ଏହା କହି ଅଭିମନ୍ୟୁ ବୁଡ଼ିଲା ଯେ ଆଉ ଉଠିଲା ନାହିଁ । ଶଶିସେନା ଆଉ ସେ ରଜାଝିଅ କାନ୍ଦି ବୋବାଇ ହୋଇ ଅଭିମନ୍ୟୁ ଯୋଉଠି ବୁଡ଼ିଥିଲା ସେଇଠି ବୁଡ଼ିଲେ, ଅଭିମନ୍ୟୁ ସାଙ୍ଗେ ଯାଇ ନାଗଲୋକରେ ମିଳିଲେ । ସେଠାରେ ନାଗପତ୍ନୀମାନେ ୟାଙ୍କୁ ପାଖେ ପୂରାଇ ଦେଲେ ନାହିଁ । ଏମାନେ ଅପ୍‍ସରାଙ୍କ ସାଙ୍ଗେ ମିଶି ନୃତ୍ୟ କଲେ । ସବୁଦିନେ ଏହିପରି ନୃତ୍ୟ କରନ୍ତି, ଖୁବ୍ ଭଲ ସୁନ୍ଦର ନୃତ୍ୟ କରନ୍ତି, ଅଭିମନ୍ୟୁ ଦେଖନ୍ତି ଆସନ୍ତି । ଦିନକର ନାଗରାଜା ବାସୁକୀ କହିଲେ, ଏ ଅପସରା ଦୋଟି ଭଲ ନୃତ୍ୟ କରୁଛନ୍ତି, ୟାଙ୍କୁ ବିଦାକୀ କଣ ଦେଉଚ ? ସମସ୍ତେ କହିଲେ ନାହିଁ ସେ କିଛି ନେଉନାହାନ୍ତି । ନାଗରାଜା ଏ ଦିହିଁକି ଡକାଇଲେ ପଚାରିଲେ, ତେମେ କଣ ନେବ ? ଏମାନେ କହିଲେ ଆମେ କିଛି ନେବୁ ନାହିଁ, ଆମକୁ ଏ ପୁରୁଷଟିକୁ ଦିଅ, ଅଭିମନ୍ୟୁକୁ ଦେଖାଇଦେଲେ । ନାଗପତ୍ନୀମାନେ ନାହିଁ କଲେ ଯୋଉଠୁ ନାଗରାଜା ଆଉ କିଛି କହୁ ନ ଥାନ୍ତି । ଏମାନେ ଅଳି ଲଗାଇଲେ ଭାରୀ, ବାସୁକୀ କହିଲେ, ହଉ ନିଅ, ଏ ନରଲୋକରେ ଛମାସ ରହିବ, ନାଗଲୋକରେ ଛଅମାସ ରହିବ । ଏ ଦିହେ ଅଭିମନ୍ୟୁକୁ ସାଙ୍ଗରେ ଘେନିକରି ଆସିଲେ, ସୁଖରେ ରହିଲେ, ଘର ଦୁଆର କଲେ, ମୁଁ ଗଲାକୁ କଥା ନକହିଲେ । ମୋ କଥାଟି ସରିଲା; ଇତ୍ୟାଦି ।

Image

 

ଉଜ୍ଜ୍ୱଳବତୀ କନ୍ୟା କଥା

 

ରଜାପୁଅ, ମନ୍ତ୍ରୀପୁଅ, ସାଧବପୁଅ, କଟୁଆଳପୁଅ ଏ ତାରି ସଙ୍ଗାତ ପଶା ଖେଳୁଥିଲେ । ରଜାପୁଅ ହାରିଲା, କହିଲା ରହ ଆଜି ଦୀପ ଦିହୁଡ଼ି, ମଶାଲ ଲଗାଇ ଖେଳିବି, ନଜିତିଲେ କେଭେ ଉଠିବି ନାହିଁ । ଉଜ୍ଜ୍ୱଳବତୀ ଦେଶର ଗୋଟିଏ ବ୍ରାହ୍ମଣ ଆସି ସେଠେଇଁ ବସିଥାଏ, ସେ କହିଲା, ଦୀପ ଦିହୁଡ଼ି କଣ ? ରଜାପୁଅହେରିକା କହିଲେ, ତମେ ଆଜିଯାଏ ଦୀପ ଦିହୁଡ଼ି କ’ଣ ଜାଣନା ? ତାକୁ ସବୁ ବୁଝାଇ ଦେଲେ । ଏ ବ୍ରାହ୍ମଣ କହିଲା ଆମଦେଶରେ ଉଜ୍ଜ୍ୱଳବତୀ କନ୍ୟା ଯୋଗେ ଦୀପ ଜଳେ ନାହିଁ । ଏହା ଶୁଣି ରଜାପୁଅ ଉଜ୍ଜ୍ୱଳବତୀକି ବିଭା ହେବାକୁ ବାହାରିଲା, ମନ୍ତ୍ରୀପୁଅସାଙ୍ଗେ ତାର ମନ ମିଳେ, ତାଙ୍କୁ ସାଙ୍ଗରେ ନେଇଗଲା । ଦୁହେଁଯାକ ଘୋଡ଼ାରେ ଚଢ଼ି ଯାଉଚନ୍ତି, ବାଟରେ ଗୋଟିଏ ପଥର ଚକଡ଼ା ହୋଇଚି, ତା’ ଉପରେ ଦୁଇ ଜଣ ଚୋର ବସି କଜିୟା କରୁଚନ୍ତି । ସେ ଦିନ ସାଧବଘର ଚୋରୀ କରି ଆଣିଥାନ୍ତି; ଜଣେ କହୁଚି ମୁଁ ମୋହମଣି, ମନପବନ ଖଣ୍ଡା ନେବି, ତୁ ଆଉ ସବୁ ପଦାର୍ଥ ନେ, ଆରଜଣକ ବି ସେଇୟା କହୁଥାଏ । ଏହିପରି କଜିୟା କରୁଥାନ୍ତି, ରାତି ପାହା ପାହା ହେଲାଣି, ରଜାପୁଅ, ମନ୍ତ୍ରୀପୁଅ ବିଚାର କଲେ, ଜଣେ ଏ ପାଖରୁ ବୁଲିଗଲା, ଜଣେ ସେ ପାଖରୁ ବୁଲିଗଲା, ଏହିପରି ଚୋରଙ୍କୁ ଘେରିଗଲେ । ଚୋର ୟାଙ୍କୁ ଦେଖି ପଳାଇଗଲେ । ରଜା ପୁଅ ମନ୍ତ୍ରୀପୁଅ ମୋହମଣି, ମନପବନ ଖଣ୍ଡା ରଖିଲା । ଆଉ ସବୁ ଧନ ଯୋଉ ସାଧବଘରୁ ଚୋରୀ ଯାଇଥିଲା, ତାକୁ ଦେଇଦେଲେ, ଗଲେ, ଯାଇଁ ଉଜ୍ଜ୍ୱଳବତୀ ନଗରରେ ଗୋଟିଏ ଜ୍ଞାନଦେୟୀ ମାଲୁଣୀଘରେ ରହିଲେ । ମାଲୁଣୀ ଦିନେ ଫୁଲ ଗୁନ୍ଥୁଥିଲା, ମନ୍ତ୍ରୀପୁଅ କହିଲା, ହଇଲୋ ମାଉସୀ । କାହାପାଇଁ ଫୁଲଗୁନ୍ଥୁଚୁ କି ? ମାଲୁଣୀ କହିଲା ଉଜ୍ଜ୍ୱଳବତୀ ପାଇଁ, ମନ୍ତ୍ରୀପୁଅ କହିଲା, ମୁଁ ଖଣ୍ଡିଏ ଗୁନ୍ଥନ୍ତି ? ମାଲୁଣୀ କହିଲା ଅବର୍ଜିୟା ହେଲେ ରଖିଯିବୁ, ସୁନ୍ଦର ହେଲେ ନେଇଯିବୁ । ମନ୍ତ୍ରୀପୁଅ ଖଣ୍ଡିଏ ଗୁନ୍ଥିଲା, ମାଲୁଣୀ ଖଣ୍ଡିଏ ଗୁନ୍ଥିଲା, ମାଲୁଣୀ ଫୁଲଠାରୁ ମନ୍ତ୍ରୀପୁଅ ଫୁଲଖଣ୍ଡି ସୁନ୍ଦର ହେଲା । ମାଲୁଣୀ କହିଲା ଏ ଫୁଲଖଣ୍ଡି ଦେଇ କାହା ନାଆଁରେ କହିବି ? ମନ୍ତ୍ରୀପୁଅ କହିଲା, କହିବୁ ମୋ ଝିଆରୀ ଆସିଚି ସେହି ଗୁନ୍ଥିଚି । ମାଲୁଣୀ ଦି ଖଣ୍ଡ ଯାକ ନେଇକରି ଗଲା, ଉଜ୍ଜ୍ୱଳବତୀ ପଚାରଲା, ଏ ଫୁଲ ଖଣ୍ଡି କିଏ ଗୁନ୍ଥିଚି କି ଲୋ ! ମାଲୁଣୀ କହିଲା, ମୋ ଝିଆରୀ ଗୁନ୍ଥିଚି । ଉଜ୍ଜ୍ୱଳବତୀ କହିଲା ତାକୁ ଟିକିଏ କାଲି ଏଠିକି ଆଣିବୁ, ଦେଖିବି । ତହିଁ ଆରଦିନ ମାଲୁଣୀ ମନ୍ତ୍ରୀ ପୁଅକୁ ଖଣ୍ଡେ ଶାଢ଼ୀ ପିନ୍ଧାଇ ଦେଲା । ଖଡ଼ୁ ଯୋଡ଼ାଏ ଲଗାଇ ଦେଲା, ନେଇ କରି ସାଙ୍ଗରେ ଗଲା । ଦ୍ୱାରୀମାନେ ପଚାରିଲେ, ସେ କିଏ ? ମାଲୁଣୀ କହିଲା ସେ ମୋ ଝିଆରୀ । ତାକୁ ବାଟ ଛାଡ଼ିଦେଲେ, ସେ ଉଜ୍ଜ୍ୱଳବତୀକି ଦେଖିକରି ଆସିଲା । ମନ୍ତ୍ରୀପୁଅ ଆସି ଉଜ୍ଜ୍ୱଳବତୀର ଗୋଟିଏ ଚିତ୍ର ଲେଖି ରଜାପୁଅକୁ ଦେଖାଇଲା । ରଜାପୁଅ ଉଜ୍ଜ୍ୱଳବତୀର ଚିତ୍ର ଦେଖି ମୋହ ହୋଇପଡ଼ିଲା । ମନ୍ତ୍ରୀପୁଅ ତାକୁ ଚେତା କଲା ଯେ ରଜାପୁଅର ଆଉ ଚେତା ହେଲା ନାହିଁ । ମନ୍ତ୍ରୀପୁଅ ତାକୁ କିଛି ନକରି ତେଲକୁଆରେ ପକାଇ ରଖିଦେଲା । ସେ ଦେଶରେ ଗଣ୍ଡାଗୟଳ ବଡ଼ ଉତପାତ କରୁଥାଏ । ରାଜାଙ୍କର ଆଜ୍ଞା ହୋଇଥାଏ ଯେ ଗଣ୍ଡାଗୟଳକୁ ମାରିଦେବ ତାକୁ ଉଜ୍ଜ୍ୱଳବତୀ ବିଭା ହେବ । ବହୁତ ରାଜା ମାରିବାକୁ ଆସିଥାନ୍ତି । ସମସ୍ତେ ମାରିବାକୁ ଧାଇଁଚନ୍ତି, ଏ ମନ୍ତ୍ରୀପୁଅ ସମସ୍ତଙ୍କ ପଛରେ ଗଲା, ଯାଇ ଗଣ୍ଡାଗୟଳ ବନସ୍ତରେ ପହଞ୍ଚିଲା । ମନ୍ତ୍ରୀପୁଅ କଣ କଲା, ମନ ପବନ ଖଣ୍ଡାକୁ ଧରିଲା, କହିଲା ସତ୍ୟଯୁଗର ଯେମନ୍ତ ମନପବନ ଖଣ୍ଡା ହୋଇଥିବୁ, ମୁଁ ପକାଇଦେଲାକ୍ଷଣି ଗଣ୍ଡାଗୟଳ ତିନିଗର ହୋଇ ପଡ଼ିଯିବେ । ମନ୍ତ୍ରୀପୁଅ ଏହା କହି ଖଣ୍ଡାକୁ ଛାଡ଼ିଲା ଯେ ଗଣ୍ଡାଗୟଳ ତିନିଗର ହୋଇପଡ଼ିଲେ । ମନ୍ତ୍ରୀପୁଅ ଦଉଡ଼ିଯାଇ ତା’ର ଜିଭ ନଖ କାଟିକରି ଘେନି ଅଇଲା । ଆଉ ରଜାଯାକ କିଏ ଟିକିଏ ରକ୍ତ ଆଣିଚି, କିଏ ଟିକିଏ ରୁମ ଆଣିଚି ଏହିପରି ସବୁ ଆଣି ରାଜାଙ୍କୁ ଯାଇ କହିଲେ, ମୁଁ ମାରିଚି ମୁଁ ମାରିଚି । ମନ୍ତ୍ରୀପୁଅ ଜିଭ ନଖ ରଜାଙ୍କ ପାଖେ ନେଇ ଥୋଇଦେଲା, ରାଜା କହିଲେ ଏଇ ମୋ ଝିଅକୁ ବିଭା ହେବ । ମନ୍ତ୍ରୀପୁଅ ମାଲୁଣୀଘରକୁ ଗଲା, ରଜାପୁଅକୁ ତେଲରୁ ବାହାରକରି ତଳେ ଶୁଆଇ ଦେଲା; ମୋହ ମଣିରୁ ଟିକିଏ ଘୋରି ରଜାପୁଅ ପାଟିରେ ଦେଲାକ୍ଷଣି ରଜାପୁଅ ଜୀଇ ଉଠିଲା । ମନ୍ତ୍ରୀପୁଅ ରଜାପୁଅକୁ ସଜ କରିଦେଲା, ବିଭା ହେବାକୁ ଘୋଡ଼ା ଉପରେ ବସାଇଲା, ନିଜେ ଭଣ୍ଡାରି ହୋଇ ସାଙ୍ଗରେ ଚାଲିକରି ଗଲା ରଜାନଅରକୁ । ରଜାପୁଅ ଉଜ୍ଜ୍ୱଳବତୀକି ବିଭା ହେଲା; ରଜା ଗୁଡ଼ାଏ ଖୁବ୍‍ ଦାନ ଯଉତୁକ ଦେଲେ, ରଜାପୁଅ ସବୁ ଘେନିକରି ଆସିଲା । ମନ୍ତ୍ରୀପୁଅ ସାଙ୍ଗରେ ଥାଏ, ବାଟରେ ସେହି ପଥରଚକଡ଼ା ଠେଇଁ ରାତି ହେଲା, ସେଇଠି ସମସ୍ତେ ଶୋଇଲେ । ମନ୍ତ୍ରୀପୁଅ ବରକନ୍ୟାଙ୍କ ପାଲିଙ୍କି ପାଖେ ଚେଇଁକରି ଶୋଇଥାଏ । ପ୍ରଥମ ପ୍ରହର ରାତି ହୋଇଚି, ଯୋଡ଼ିଏ ସ୍ତ୍ରୀପୁରୁଷ ବାହାରିଲେ । ସ୍ତ୍ରୀ କହିଲା ଆହା ! କି ସୁନ୍ଦର ସ୍ତ୍ରୀ ପୁରୁଷ ଯୋଡ଼ିଏ ଶୋଇଚନ୍ତି ! ପୁରୁଷ କହିଲା, ସୁନ୍ଦର ହେଲେ କଣ ହେବ, ପୁଅତ ମରିବ, ବୋହୂ ତ ବିଧବା ହେବ । ସ୍ତ୍ରୀ କହିଲା ଆହା ! ଏହା କାହିଁକି କହିଲ ? ପୁରୁଷ କହିଲା, ବାଟରେ ଯାଉ ଯାଉ ଗୋଟିଏ ଦେଉଳ ପଡ଼ିବ, ରଜାପୁଅ ପାଲିଙ୍କି ତା’ ପାଖରେ ଯିବାବେଳେ ଦେଉଳ ଭାଙ୍ଗିପଡ଼ିବ । ସେ ତା’ ଉପରେ ପଡ଼ିବ । ଏଥିରେ କିଏ ଚେତା ଥାନ୍ତା, ସେବାଟରେ ନ ନେଇ ଆଉ ଗୋଟାଏ ବାଟରେ ବୁଲାଇ ନିଅନ୍ତା ଯେ ରଜାପୁଅ ବଞ୍ଚନ୍ତା । ଏହା ଯେ ଆଉ କାହାକୁ କହିବ ସେ ପଥର ହୋଇଯିବ । ଏହାକହି ସେ ସ୍ତ୍ରୀପୁରୁଷ ଦୋଟି ଉଭେଇ ଗଲେ । ଦ୍ୱିତୀୟ ପହର ରାତିରେ ଆଉ ଦୋଟି ସ୍ତ୍ରୀ ପୁରୁଷ ବାହାରିଲେ । ସେ ସେମନ୍ତି କଥାବାର୍ତ୍ତା ହେଲେ, ସୁନ୍ଦର ହେଲେ କ’ଣ ହେବ, ପୁଅ ତ ମରିବ, ବୋହୂ ଥାଇ କରି କ’ଣ କରିବ ? ବରକନ୍ୟା ଘରପାଖରେ ହେଲାକ୍ଷଣି ବାପ କ’ଣ କରିବ ପୁଅ ବିଭା ହୋଇ ଆସୁଚି ବୋଲି ଗୋଟିଏ ହଜାର ଟଙ୍କାର ଘୋଡ଼ା ଆଣି ଠିଆ କରିଦେବ । ସେଇଟା ତ ମତୁଆଲା ଘୋଡ଼ା, ପୁଅ ଚଢ଼ିଲାକ୍ଷଣି ଘୋଡ଼ା ଫୋପାଡ଼ି ଦେବ ଯେ ପୁଅତ ମରିବ, ବୋହୂ ବିଧବା ହେବ, ଏଥିରେ କିଏ ଚେତା ଥାନ୍ତା କି, ବାପା ଘୋଡ଼ା ଆଣି ଦେଲାକ୍ଷଣି ଏ ଯାଆନ୍ତା, ଘୋଡ଼ା ଚାରିଟାପୁରୁ କରି ହାଣି ଦିଅନ୍ତି । ଏହା ଯେ ଆଉ କାହା ଆଗେ କହିବ ସେ ପଥର ହୋଇଯିବ । ଏହା କହି ସେ ଉଭେଇଁ ଗଲେ । ରାତି ତୃତୀୟ ପହର, ଆଉ ଦୋଟା ସ୍ତ୍ରୀ ପୁରୁଷ ବାହାରିଲେ, ସେହିପରି କଥାବାର୍ତ୍ତା ହେଲେ । ପୁରୁଷ କହିଲା ପୁଅବୋହୂ ଘରେ ପହଞ୍ଚିଲାରୁ, ୟାଙ୍କୁ ନେଇ ଗୋଟିଏ ପକ୍କାଘରେ ବସାଇବେ । ସେ ପକ୍କାରୁ ଦଶହାତ ଛିଡ଼ିପଡ଼ିବ ଯେ ପୁଅତ ମରିବ, ବୋହୂ ବିଧବା ହେବ । ଏଥିରେ କିଏ ଚେତା ଥାଆନ୍ତା କି, ସେ ପକ୍କାରୁ ଆଗକରି ଦଶହାତ ହାଣି ପକାନ୍ତା । ଏହା ଯେ କାହା ଆଗେ କହିବ ସେ ପଥର ହେବ-। ଏହା କହି ସେ ଦୁହେଁଯାକ ଗଲେ ବାହାରି । ଚତୁର୍ଥ ପହରକୁ ଆଉ ଯୋଡ଼ିଏ ସ୍ତ୍ରୀପୁରୁଷ ବାହାରିଲେ । ସେ ସେମନ୍ତି କହିଲେ ଚତୁର୍ଥୀ ଦିନ ଏ ପୁଅ ବୋହୂ ଶୋଇଥିବେ, ନାଗନାଗୁଣୀ ଆସି ପୁଅକୁ ଡଂସି ଦେବେ ଯେ ପୁଅ ମରିବ, ବୋହୂ ବିଧବା ହେବ । ଏଥିରେ କିଏ ଚେତାଥାନ୍ତା କି ସେଦିନ ସେ ଘରେ ଲୁଚି କରିଥାନ୍ତା, ନାଗନାଗୁଣୀକି ହାଣି ପକାନ୍ତା । ଏହା ଯେ କାହା ଆଗେ କହିବ, ସେ ପଥର ହୋଇଯିବ, ଏହିପରି କହି ଉଭେଇ ଗଲେ । ରାତି ପାହିଗଲା । ଏ କଥାସବୁ ମନ୍ତ୍ରୀପୁଅ ଶୁଣିଥାଏ, ସମସ୍ତେ ଉଠି ବାହାରିଲେ । ଯାଉ ଯାଉ ବାଟରେ ଦେଉଳ ପଡ଼ିଲା, ରାଜାପୁଅକୁ ସେ ବାଟରେ ନ ନେଇ ଆଉ ଗୋଟିଏ ବାଟରେ ମନ୍ତ୍ରୀପୁଅ ନେଇଗଲା । ସେଠେଉଁ ଯାଇ ଗାଁ ପାଖରେ ପହଞ୍ଚିଲେ । ରାଜାପୁଅ ଆସୁଛି ବୋଲି ଶୁଣି ଗୋଟାଏ ଘୋଡ଼ା ପଠାଇ ଦେଲେ-। ରାଜାପୁଅ ସେ ଘୋଡ଼ାରେ ନ ଚଢ଼ୁଣୁ ମନ୍ତ୍ରୀପୁଅ ତା ଚାରିଟାପୁରୁ କରି ହାଣି ଦେଲା । ଏଥିରେ ରଜାପୁଅ ମନେ ମନେ ଭାରି ଚିଡ଼ୁଥାଏ, କିଛି କହିପାରୁନଥାଏ । ଏମିତି ସେ ପକ୍କାଘର ପାଖକୁ ଆସିଲେ । ରଜାପୁଅ ତା ଭିତରକୁ ଯାଉଚି; ମନ୍ତ୍ରୀପୁଅ ସେ ଘରୁ ଦଶହାତ ହାଣି ପକାଇଲା-। ରଜାପୁଅ ଆହୁରି ରାଗୁଥାଏ । ଚତୁର୍ଥୀ ଦିନ ରାତିରେ ରଜାପୁଅ ଆଉ ଉଜ୍ଜ୍ୱଳବତୀ ଶୋଇଥିଲେ, ମନ୍ତ୍ରୀପୁଅ ଖଟତଳେ ଲୁଚିଥାଏ, ତେଣୁ ନାଗନାଗୁଣୀ ଆସିଲେ, ମନ୍ତ୍ରୀପୁଅ ଖଣ୍ଡାଧରିଥିଲା ତାଙ୍କୁ ହାଣି ପକାଇଲା । ସେ ଘରୁ ବାହାରି ଆସୁଚି, ଦେଖିଲା ଯେ ଉଜ୍ଜ୍ୱଳବତୀ ଦେହରେ ଟୋପାଏ ରକ୍ତ ଛିରିକି ପଡ଼ିଚି । ଧଡ଼ପଡ଼ ହୋଇ ପୋଛିଦେଲାବେଳକୁ ଉଜ୍ଜ୍ୱଳବତୀର ନିଦ ଭାଙ୍ଗିଗଲା । ରଜାପୁଅ ଉଠିଲା, ଭାରୀ ରାଗିକରି କହିଲା, ତୁମେ କାହିଁକି ଏ ଘରେ ପଶିଥିଲ କହ । ମନ୍ତ୍ରୀପୁଅ କହୁଥାଏ ସଙ୍ଗାତ, ମତେ ସେ କଥା ପଚାରନା, କହିଲେ ପଥର ହୋଇଯିବି । ରାଜାପୁଅ କେଭେ ମାନିଲା ନାହିଁ, ଭାରି ଜିଗିରି ଲଗାଇଲା । ମନ୍ତ୍ରୀପୁଅ ଆଉ କ’ଣ କରିବ, ସବୁ କହିଗଲା, ସେଇଠି ପଥର ହୋଇପଡ଼ିଲା । କେମନ୍ତି ସଙ୍ଗାତକୁ ମୁଁ ପଥର କଲି । ଏହା ଭାବି ଭାବି ରଜାପୁଅ ପାଗଳ ହୋଇଗଲା । ପାଗଳ ହୋଇ କୁଆଡ଼େ ବାହାରିଗଲା । ତହିଁର କେତେଦିନେ ରାଜାପୁଅର ଗୋଟିଏ ପୁଅ ହେଲା । ରଜାପୁଅ ଏଆଡ଼େ ସେଆଡ଼େ ବୁଲି ବୁଲି ସେହି ସମୟକୁ ଯାଇ ଦିନେ ରାତିରେ ସେହି ପଥରଚକଡ଼ା ଉପରେ ଶୋଇ ପଡ଼ିଥିଲା । ରାତି ଅଧ ହେଲାଣି, ଯୋଡ଼ିଏ ସ୍ତ୍ରୀ ପୁରୁଷ ବାହାରିଲେ, କହିଲେ ଆହା ! ସେ ମନ୍ତ୍ରୀ ପୁଅଟି ପଥର ହୋଇଯିବାରୁ ଏ ବାୟା ହୋଇ ଏମନ୍ତ ବୁଲୁଚି, ଏହାର ଯେମନ୍ତ ହେଜ ହୁଅନ୍ତା; ଏହାର ଗୋଟିଏ ପୁଅ ହୋଇଚି, ସେ ପୁଅକୁ ନିଅନ୍ତା, ସେ ପଥର ଉପରେ ହାଣି ଦିଅନ୍ତା ଯେ ମନ୍ତ୍ରୀ ପୁଅ ଜୀଇ ଉଠନ୍ତା । ରଜାପୁଅ ଚେତା ହେଲା; ଘରକୁ ଫେରିଯାଇ ସେ ପୁଅ ପାଖକୁ ଗଲା । ତାକୁ ନେଇ ପଥର ଉପରେ କଚାଡ଼ି ଦେବାରୁ ମନ୍ତ୍ରୀପୁଅ ଜୀଇଁ ଉଠିଲା । ମନ୍ତ୍ରୀପୁଅ କହିଲା ସଙ୍ଗାତ ! କି କଲ କି କଲ, ମୋ ଛାର ପାଇଁ ପୁଅକୁ ମାଇଲ ? ୟାଠେଇଁ ତ ମୋହମଣି ଅଛି, ତହିଁରୁ ଟିକିଏ ଘୋରି କରି ପୁଅକୁ ପିଆଇ ଦେଲା ପୁଅ ଜୀଇ ଉଠିଲା । ରଜାପୁଅର ମନ୍ତ୍ରୀପୁଅର ଆଗେ ଯେମିନ୍ତି ଥିଲା ସେହି ପରି ମନ ମିଳିଲା, ରାଜାପୁଅ ଉଜ୍ଜ୍ୱଳବତୀକୁ ନେଇ ସୁଖରେ ଘରଦ୍ୱାର କଲା, ମୁଁ ଗଲାରୁ କଥା ନକହିଲା । ମୋ କଥାଟି ସରିଲା, ଇତ୍ୟାଦି ।

Image

 

ମଉନାବତୀ କଥା

 

ଗୋଟିଏ ରଜାଟିଏ, ତାର ଗୋଟିଏ ପୁଅ । ପୁଅକୁ କନ୍ୟାଘର ଲାଗିଲା । ପୁଅ କହିଲା ମୁଁ କନ୍ୟାକୁ ଦଶ ବିଧା ମାରିବି ସେ ଯେବେ ସହିବ ମୁଁ ତାକୁ ବିଭା ହେବି । ଯୋଉଁ ରଜା ଏକଥା ଶୁଣିଲା, ସେ କହିଲା ମୁଁ କାହିଁକି ବିଭା କରିବି, ମୋର କ’ଣ ଝିଅକୁ ବର ମିଳୁନାହିଁ ? ଏହିପରି ସମସ୍ତେ ନାହିଁ କଲେ । ସେଆଡ଼ ଦେଶର ରଜା ଘରକୁ ଭଲଲୋକ ଗଲା । ରଜା ନାହିଁ ନାହିଁ ହେଉଥାଏ, ଝିଅ କେମନ୍ତି ଶୁଣିପାରି କହିଲା, ହଉ ବିଭାଘର କର, ଝିଅ ତ ମଙ୍ଗୁଚି ଆମର କ’ଣ ଅଛି ? ବିଭାଘର ସରିଲା, ବରକନ୍ୟା ଘରକୁ ଆସିଲେ, ଚତୁର୍ଥୀ ଦିନ ରାତିରେ ରଜାପୁଅ ସେ ରଜାଝିଅକୁ କହିଲା, ମୁଁ ପରା ତୁମକୁ ଦଶବିଧା ମାରିବି ଆସ । ରଜା ଝିଅ କହିଲା ହଁ ମାରିବ ଯେ, ମୁଁ ଯୋଉ କଥାଟି କହୁଚି ତା ଯେବେ କରିପାରିବ ତେବେ ମାରିବ । ଏ ପଚାରିଲା କଥାଟି କଣ ? ରଜାଝିଅ କହିଲା, ସେ ଦେଶର ରଜାଝିଅ ମଉନାବତୀ ଅଛି, ତାକୁ ଯେ କଥା କୁହାଇବ ସେ ତାକୁ ବିଭା ହେବ, ତମେ ଯେବେ ତାକୁ କଥା କୁହାଇପାରିବ, ତେବେ ମତେ ଦଶବିଧା ମାରିବ । କିଛିଦିନ ଗଲା, ରଜାପୁଅ ମଉନାବତୀ ଦେଶକୁ ବାହାରିଲା, କେତେ ଦିନପରେ ମଉନାବତୀ ନଗରରେ ପହଞ୍ଚିଲା । ସେଠାରେ ଦୁଇ ଏକ ଦିନ ରହି ମଉନାବତୀପୁରକୁ ଗଲା, କହିଲା ଧାଈ, ତମ ଝିଅ କ’ଣ ଆମକୁ କଥା କହିବେ ନାହିଁ ? ଧାଈ କହିଲା, ଏପରିତ କେତେ କେତେ ରଜା ଆସି ବନ୍ଦିଘରେ ପଡ଼ିଚନ୍ତି, ବିଭା ହୋଇ ପାରି ନାହାନ୍ତି, ସେମାନେ ତ ପଦେ କଥା କେହି ନେଇପାରିଲେ ନାହିଁ, ଆଉ ତମେ ଗୁଡ଼ାଏ ନେବ; ହଉ ଦେଖ । ରାତି ପାଇଗଲା, ଏ ରଜାପୁଅ ଆଉ କଥା ନେଇପାରିଲା ନାହିଁ, ତାକୁ ନେଇ ବନ୍ଦୀ ଘରେ ରଖିଲେ । ଏଣେ ଏ ରଜାଝିଅ(ତାର ଭାରିଯା) କଣ କଲା–କିଛି ଦିନ ଚାହିଁଲା (୧), ଯୋଉଠୁ ରଜାପୁଅ ନ ଆସିଲା, ଗୋଟାଏ ମରଦ ବେଶ ଧରିଲା, ଘୋଡ଼ାରେ ଚଢ଼ି ମଉନାବତୀ ଦେଶକୁ ବାହାରିଲା । ଯାଉଚି, ବାଟରେ ଅସୁର ଚାରିଟା ପଶା ଖେଳୁଛନ୍ତି ଯେ କେହି ଜିତି ପାରୁନାହାନ୍ତି କି ହାରୁନାହାନ୍ତି । ୟାକୁ ଦେଖି ସେମାନେ କହିଲେ, ହେ ! ଆମକୁ ଟିକିଏ ଜିତାଇ ଦିଅ, ଆମେ ତମକୁ ଖାଇବୁ ନାହିଁ । ଏ ସେଠାରେ ବସିଲା, ବାଜିଏ ୟାଙ୍କୁ ଜିତାଇ ଦେଲା, ବାଜିଏ ତାଙ୍କୁ ଜିତାଇ ଦେଲା, ଏହିପରି ସମସ୍ତଙ୍କୁ ଖୁସି କରିଦେଲା, ସେଉଠୁ ବାହାରିଲା, କହିଲା ମୋର ଗୋଟିଏ କାମ ଅଛି, ମୁଁ ଯାଉଚି । ଏମାନେ କହିଲେ, ଆମକୁ ସାଙ୍ଗରେ ନିଅ, ଆମେ ତମର ବହୁତ ଉପକାର କରିବୁଁ, କହିଲେ, ରଜାଝିଅ ସାଙ୍ଗେ ସାଙ୍ଗେ ଗଲେ । ପାଞ୍ଚ ଜଣଯାକ ମଉନାବତୀ ନଗରରେ ପହଞ୍ଚିଲେ । ରଜା ଶୁଣିଲେ, ଏମାନଙ୍କୁ ସବୁ ସିଦ୍ଧ ସରଞ୍ଜାମ ଦେଲେ । ଅସୁର ଚାରିଜଣଙ୍କୁ ଯେତେ ଆଣି ଦେଉଥାନ୍ତି, ସେ କେଭେ ମନା କରୁନଥାନ୍ତି, ଯେତେକ ମାହାଲରେ ପରିବାପାତି ଥିଲା ସବୁ ଆଣି ଦେଲେ, ତାକୁ ସୁଦ୍ଧା କଞ୍ଚାରେ ଖାଇଦେଲେ, ଦଶଭରଣ ଚାଉଳର ଭାତ ଖାଇଲେ, ନଈକପାଣି ପିଇଗଲେ । ଏହିପରି ଥାନ୍ତି, ଯାଉଁ ସନ୍ଧ୍ୟାବେଳ ହେଲା, ରଜାଝିଅ ସେମାନଙ୍କୁ କହିଲା, ତମେ ଜଣେ ମଉନାବତୀର ଖଟ ଖୁରାରେ ରହିବ, ଜଣେ ଦୀପରୁଖାରେ, ଜଣେ ଚାଳରେ, ଜଣେ ତା ବେକର ହାରରେ ରହିବ, ମୁଁ ଯେତେବେଳେ ଯାହାକୁ ଯାହା ପଚାରିବି ସେ ତାର ଗୋଟିଏ ଅସମ୍ଭବ ଉତ୍ତର ଦେବ । ରାତି ହେଲାରୁ ରଜାଝିଅ ମଉନାବତୀ ପୁରକୁ ଗଲା, ଧାଈକି ପଚାରିଲା ତମ ଝିଅ କଥା କହିବେ ନାହିଁ ? ଧାଈ ସମସ୍ତଙ୍କୁ ଯେପରି କହେ, ସେହିପରି କହିଲା । ଏ କହିଲା, ହଉ ନ କୁହନ୍ତୁ, ମୁଁ ଗୋଟିଏ କଥା କହୁଚି ଶୁଣନ୍ତୁ-। ଅସୁରମାନେ ଅଦୃଶ୍ୟ ହୋଇ ରଜାଝିଅ ଯେମନ୍ତି, କହିଥିଲା ସେହିପରି ସେ ଘରଭିତରେ ଥାନ୍ତି । ରାତି ପ୍ରଥମପ୍ରହର, ରଜାଝିଅ ଗୋଟିଏ କଥା କହିଲା—

 

(୧) ଅପେକ୍ଷା କଲା ।

Image

 

ବେଶ୍ୟା ଓ ଶୁକପକ୍ଷୀ କଥା

 

ଗୋଟିଏ ବେଶ୍ୟାଟିଏ ଯେ ସେ ଗୋଟିଏ ଶୁଆ ପୋଷିଥିଲା । ଦିନକର ଶୁଆମେଳ (୧) ହେଲା । ଏ ଶୁଆ ବେଶ୍ୟାକୁ କହିଲା ଆମର ଶୁଆମେଳ ହେଉଚି ମା ! ମୁଁ ଟିକିଏ ସେଠାକୁ ଯାନ୍ତି ? ଏ କହିଲା ହଉ ଯା, ଶୁଆ ଗଲା ମେଳରେ ମିଶିଲା । ମେଳ ଭାଙ୍ଗିବାରୁ ସବୁ ଶୁଆଯାକ ଗଲେ ବାହାରି । ଏ ଶୁଆ ମନେ ବିଚାରିଲା, ଖାଲି ହାତରେ କ’ଣ ଯିବି, ବେଶ୍ୟାପାଇଁ କିଛି ନ ନେଇଗଲେ ସେ କ’ଣ କହିବ ? ଆଉ ଶୁଆମାନେ କହିଲେ, ତାକୁ କ’ଣ ଅପୂରୁବ ଯେ କ’ଣ ନେବୁ-? ନେଲେ ଏହି ବୁଢ଼ୀ ବୟସର (୨) ଫଳରୁ ଗୋଟିଏ ନେ । ଏ ସେହି ଫଳରୁ ଗୋଟିଏ ଆଣି ବେଶ୍ୟାପାଖରେ ପକାଇ ଦେଲା । ବେଶ୍ୟା ସେ ଫଳକୁ ବାରିଆଡ଼କୁ ଫିଙ୍ଗି ଦେଇଥିଲା-। ଯେ ତହିଁରୁ ଗୋଟିଏ ଗଛ ଉଠି ଏଡ଼େବଡ଼ ଗଛ ହୋଇ ରାଇଜର (୩) ଫଳ ଫଳି ପାଚିଥାଏ ଗୋଟିଏ ଖୁବ୍‍ ସୁପାକଲାଟିଏ, ତାକୁ ସାପ ସୁଙ୍ଘି ଦେଇ ଯାଇଥାଏ । ବେଶ୍ୟା ସେହିଟିକୁ ଆଣିଲା, ଦିଫାଳ କରିଦେଇ ଫାଳେ କାଉ ଆଡ଼କୁ ପକାଇଦେଲା, କହିଲା ଦେଖେଁ କି ଫଳ ଆଣିଚି । କାଉ ସେ ଫଳକୁ ଯେମନ୍ତି ଖାଇଲା, ସେମନ୍ତି ମରିଗଲା । ବେଶ୍ୟା କହିଲା ହଁ ମତେ ମାରିବାକୁ ବିଚାର କରିଥିଲା । ଏହା କହି କାଠେ ପକାଇଲା ଯେ ଶୁଆଟି ମରିଗଲା । ତହିଁର କେତେଦିନେ ଧୋବଣୀଟିଏ ଯେ ତାର ସ୍ୱାମୀ ତାକୁ ମାରିଥାଏ, ସେ ବେଶ୍ୟାବାରିର ସେହି ଫଳରୁ ଗୋଟିଏ ଖାଇ ମରିବାକୁ ବିଚାର କରୁଥାଏ । ବେଶ୍ୟାଘରକୁ ଲୁଗା ଘେନିକରି ଆସିଲାବେଳେ ସେ ଫଳରୁ ଗୋଟିଏ ଖାଇଦେଲା, ଖାଇଦେଲାକ୍ଷଣି ତାର ଯୁବା ବୟସ ହୋଇଗଲା । ବେଶ୍ୟାକୁ ଡାକିଲା, ଲୁଗା ନିଅ, ବେଶ୍ୟା ଆଉ ଚିହ୍ନି ପାରିଲା ନାହିଁ, କହିଲା ନାହିଁ ସାନ୍ତାଣି । ମୋ ବୋହୂ ଚିହ୍ନି ପାରିଲା ନାହିଁ, କହିଲା ତୋ ଶାଶୁକୁ ନପଠାଇ ତୁ ଅଇଲୁ କାହିଁକି ? ଏ କହିଲା ନାହିଁ ସାନ୍ତାଣୀ-। ମୋ ବୋହୂ ଆସିନାହିଁ ମୁଁ ଆସିଚି, ମୁଁ ତମ ବାରିର ବିଷଫଳ ଖାଇଥିଲି ମରିବି ବୋଲି, ଏମନ୍ତି ହୋଇଗଲି । ବେଶ୍ୟା କହିଲା । ମୁଁ କଣ କଲି, ଶୁଆଟିକୁ ମୋର ମିଛରେ ମାରି ପକାଇଲି ! ସେତ ମୋ ପାଇଁ ବୁଢ଼ୀ ବୟସର ଫଳ ଆଣିଥିଲା ! ଏହିପରି କେତେ ସନ୍ତାପି ହେଲା, ଆଉ କଣ କରିବ, ଥିରି ହୋଇ ରହିଲା । ଏକଥାଟି କହି ସାରି ରଜାଝିଅ କହିଲା, କହିଲୁ ହେ ଖଟଖୁରା, ଏଥିରେ କାହାର ଦୋଷ ? ଖଟଖୁରା କହିଲା ଏଥିରେ ଶୁଆର ଦୋଷ । ମଉନାବତୀ ଥିଲା କହିଲା, ମୋ ଖଟଖୁରା ହୋଇ ତୁ ଏମନ୍ତି କଥା କହୁଚୁ ? ଏଥିରେ ବେଶ୍ୟାର ଦୋଷ । ରଜା ଝିଅ ସେଉଠୁ କହିଲା, ଶୁଣିଥାଅ ହୋ ଧାଈ, ତମ ଝିଅ ପ୍ରଥମ ପ୍ରହର କଥା କହିଲେ । ଏହିପରି ଦ୍ୱିତୀୟ ପ୍ରହର ରଜାଝିଅ ଆଉ ଗୋଟିଏ କଥା କହିଲା ।

 

(୧) ଶୁଆମାନଙ୍କର ସଭା । (୨) ଯେ ଫଳ ଖାଇଲେ ବୃଦ୍ଧାବସ୍ଥା ଲୋପ ହୋଇ ଯୁବା ହେବାକୁ ହୁଏ । (୩) ଅପର୍ଯ୍ୟାପ୍ତ ।

Image

 

ମହାଜନ ଓ କୁକୁରର କଥା

 

ଗୋଟିଏ ମହାଜନଟିଏ ଯେ ସେ ରଜାପୁଅ ସଙ୍ଗେ ସଙ୍ଗାତ । ସେ ଗୋଟିଏ କୁକୁର ପୋଷିଥିଲା । ରଜାଙ୍କ ନଅରରେ ଭାରୀ ଚୋର ଗୋଲମାଲ ଲାଗିଲା । ରଜାପୁଅ କହିଲା ହେ ସଙ୍ଗାତ ! ତମ କୁକୁରକୁ ଟିକିଏ ଆଠଦିନ ସକାଶେ ଦିଅନ୍ତ କି, ନଅରରେ ଚୋର ଗୋଲମାଲ ଲାଗିଚି, ପହରା ଦିଅନ୍ତା, ଚୋର ଗୋଲମାଲ ଗଲେ ତମ କୁକୁରକୁ ପଠାଇ ଦିଅନ୍ତି । ମହାଜନ ରଜାପୁଅ ସାଙ୍ଗେ କୁକୁରକୁ ପଠାଇଦେଲା, କୁକୁର ଦି ଚାରିଦିନ ରହି ରଜାଙ୍କ ନଅରରୁ ଚୋର ଘଉଡ଼ାଇ ଦେଲା, ଆଉ ଜମା ପୂରାଇ ଦେଲା ନାହିଁ । ଚୋର ଗୋଲମାଲ ଭାଙ୍ଗିଲାରୁ ରଜାପୁଅ କୁକୁର ବେକରେ ଖଣ୍ଡେ ଚିଠି ଲଟକାଇ ଦେଲା । ତିନୋଟି ଟଙ୍କା ବାନ୍ଧିଦେଲା, କହିଲା ଯା, ତୋ ସାନ୍ତ ପାଖକୁ, ଏହା କହି ଆଠଦିନ ପୂରିନାହିଁ ପଠାଇଦେଲା । ମହାଜନ ୟାକୁ ଦେଖି ମନେ କଲା ଏ ବାହାରି ଆସିଲା, କହିଲା ନିମକହାରମ କୁକୁର ତୁ ପଳାଇ ଆସିଲୁ, ଏହା କହି ଠେଙ୍ଗାଏ ଦେଲା ଯେ କୁକୁରଟି ମରିଗଲା । ପରେ ଦେଖେ ଯେ ୟା ବେକରେ ଖଣ୍ଡେ ଚିଠି ଲଟକିଚି, ପଢ଼ିଲାବେଳକୁ ରଜାପୁଅ ଲେଖିଚି ଯେ କୁକୁର କାର୍ଯ୍ୟ ସାଧନ କରିଗଲା । ମହାଜନ ବଡ଼ ବିଥେଇ ହେଲା (୧) ଆଉ କଣ କରିବ, ଆପେତ କରିଚି ତୁନିହୋଇ ରହିଲା । ଏହା କହିସାରି ରଜାଝିଅ ପଚାରିଲା ଚାଳ, କହିଲୁ ଏଥିରେ କାହାର ଦୋଷ ? ଚାଳ କହିଲା କୁକୁରର ଦୋଷ । ଏହା ଶୁଣି ମଉନାବତୀ କହିଲା ଉଁ କୁକୁରର କିପରି ଦୋଷ ହେଲା ନା । ଏ କହିଲା ଶୁଣିଥାଅ: ହୋ ଧାଈ, ତମ ଝିଅ ଆମକୁ ଦ୍ୱିତୀୟ ପହର କଥା କହିଲେ । ତୃତୀୟପହର ରଜାଝିଅ କହିଲା—

Image

 

ରାଣ୍ଡି ବ୍ରାହ୍ମୁଣୀ ଓ ନେଉଳର କଥା

 

ଗୋଟିଏ ରାଣ୍ଡି ବ୍ରାହ୍ମୁଣୀ ନେଉଳଟିଏ ପୋଷିଥାଏ । ସେ ଦୁଃଖ ଧନ୍ଦାରେ ଗଲାବେଳେ ନେଉଳକୁ ପୁଅକୁ ଜଗାଇ ଦେଇ ଯାଏ । ଦିନେ ସେ କାହାଘରେ ଧାନ କୁଟିବାକୁ ଗଲା, ନେଉଳକୁ କହିଗଲା ମୋ ପୁଅ ଏଠାରେ ଶୋଇଚି, ୟାକୁ ଜଗିଥିବୁ । ନେଉଳ ଜଗିଥିଲା, ଟିକିଏ ଶୋଇପଡ଼ିଲା । ଏହି ସମୟରେ ସାପ ଆସି ପୁଅକୁ ଦଂଶିଦେଲା । ନେଉଳର ନିଦ ଭାଙ୍ଗିଗଲା, ଅନାଇଁ ଦିଏ ଯେ ସାପ ଚାଲିଯାଉଚି, ପୁଅ ମରିପଡ଼ିଚି । ନେଉଳ ଧଡ଼ପଡ଼ ହୋଇ ଉଠି ଆଗ ସାପକୁ ମାରି ପକାଇଲା, ନେଇ କୁଆଡ଼େ ଫୋଫାଡ଼ି ଦେଲା, ବଣକୁ ଯାଇ ଅମର ଗଦ ଓଷଧ ଆଣୁଚି ପୁଅକୁ ଖୁଆଇ ବଞ୍ଚାଇବ ବୋଲି ରାଣ୍ଡିବ୍ରାହ୍ମୁଣୀ ଆସି ପହଞ୍ଚିଲା, ଦେଖିଲା ଯେ ପୁଅ ମରିଚି, ନେଉଳ ରକ୍ତ ସର ସର ହୋଇଚି, ମନେ କଲା ଏହି ମୋ ପୁଅକୁ ମାରିଚି ବୋଲି, ପାହାରେ ପକାଇଲା ଯେ ନେଉଳଟି ମରିଗଲା, ତା ପାଟିରୁ ଖଣ୍ଡେ ଚେର ଖସି ପଡ଼ିଲା ରାଣ୍ଡିବ୍ରହ୍ମୁଣୀ ସେ ଚେର ଖଣ୍ଡି ନେଇ ଘୋରି ପୁଅକୁ ପିଆଇ ଦେଲା ଯେ ପୁଅ ବଞ୍ଚି ଉଠିଲା । ରାଣ୍ଡୀବ୍ରାହ୍ମଣୀ କହିଲା ଆହା ! ମୁଁ ନେଉଳକୁ କାହିଁକି ମାରିଲି, ସେତ ମୋ ପୁଅପାଇଁ ଓଷଧ ଆଣୁଥିଲା । ଏହା କହିଲା, ବଡ଼ ବ୍ୟସ୍ତ ହେଲା, ରହିଲା । ଏହା କହି ରଜାଝିଅ କହିଲା, କହିଲୁ ହେ ଦୀପରୁଖା ଏଥିରେ କାହାର ଦୋଷ ହେଲା ? ଦୀପରୁଖା କହିଲା ନେଉଳର ଦୋଷ l ଏଥିରେ ମଉନାବତୀ ରାଗିଯାଇ କହିଲା କଣ, ନେଉଳର ଦୋଷ ହେଲା ? ମୋ ଦୀପରୁଖା ହୋଇ ଏମନ୍ତି କହୁଚୁ ! ଏଥିରେ ରାଣ୍ଡୀବ୍ରାହ୍ମୁଣୀ ଦୋଷୀ । ଏ ସେଉଠୁ କହିଲା ଦେଖିଥାଅ ହୋ ଧାଈ, ତମଝିଅ ଆମକୁ ତୃତୀୟପହର କଥା କହିଲା-। ଏହିପରି ଚତୁର୍ଥପହର ରଜାଝିଅ ଆଉ ଗୋଟିଏ କଥା କହିଲା । ସେ କଥାଟି ଏହି—

Image

 

ଚାରି ସଙ୍ଗାତ କଥା

 

ଗୋଟିଏ ଦେଶରେ ରଜାପୁଅ, ସୁନାରୀବଣିଆ ପୁଅ, ବଢ଼େଇପୁଅ, ତନ୍ତିପୁଅ ଏ ଚାରି ସଙ୍ଗାତ । ଏ ଦିନକର ବିଦେଶ କରି ବାହାରିଲେ ଯାଉ ଯାଉ ଗୋଟିଏ ବନସ୍ତରେ ରାତି ହେଲା, ସେଇଠି ରହିଲେ, ପହରକୁ ପହର ଜଣେ ଲେଖାଁ ଜଗି ବସିଲେ, ଆଉ ସମସ୍ତେ ଶୋଇଲେ । ପ୍ରଥମ ପହରର ବଢ଼େଇର ପାଳି ପଡ଼ିଲା, ସେ ଜଗିଥାଏ, ଖଣ୍ଡିଏ କାଠରେ ଗୋଟିଏ କନ୍ୟାଟିଏ ଗଢ଼ିଲା, ଦ୍ୱିତୀୟପହର ସୁନାରୀବଣିଆର ପାଳି, ସେ କନ୍ୟାଟିକି ଗୁଡ଼ିଏ ଅଳଙ୍କାର ଖଞ୍ଜାଇଦେଲା । ତୃତୀୟ ପହର ତନ୍ତିପୁଅ ଜଗିଲା, ସେ କନ୍ୟାଟିକୁ ଲୁଗା ପିନ୍ଧାଇ ଦେଲା । ଚତୁର୍ଥପହର ରଜାପୁଅର ପାଳି ପଡ଼ିଲା, ସେ କନ୍ୟାଟିକୁ ଜୀବଦାନ ଦେଲା । ଏହିପରି ସମସ୍ତେ କଲେ, ରାତି ପାହିଲା, କନ୍ୟାଟିକୁ ଦେଖି ସମସ୍ତେ ଲୋଭ ବଳାଇଲେ । ଏହା କହି ରଜାଝିଅ କହିଲା, କହିଲୁ ହେ ହାର ସେ କନ୍ୟାକୁ କିଏ ନେବ ? ମଉନାବତୀ ବେକର ହାର କହିଲା ନେଲେ ନେବ ରଜାପୁଅ, ନଇଲେ ବଢ଼େଇପୁଅ । ମଉନାବତୀ କହିଲା ଉଁ । ତୁ ମୋର ହୋଇ ଏଡ଼େ ଅନ୍ୟାୟ କଥା କହୁଚୁ ! ବଢ଼େଇପୁଅ ରଜାପୁଅ କେମନ୍ତି ନେବେ ? ବଢ଼େଇତ ଜନ୍ମଦାତା, ରଜାପୁଅତ ଜୀବନଦାତା, ଏ ଦୁହେଁ କିପରି ନେବେ ? ନେଲେ ନେବେ ବଣିଆପୁଅ, ନଇଲେ ତନ୍ତି ପୁଅ । ଏ କହିଲା ଶୁଣିଥାଅ ହୋ ଧାଈ ତମ ଝିଅ ଆମକୁ ଚାରିପହରଯାକ କଥା କହିଲେ । ରାତି ପାହିଲା, ଏ ଚାରି ଅସୁର ତାଙ୍କ ସୂତ୍ରରେ ଚାଲିଗଲେ । ଏ ରାଜା ଝିଅ ରଜାଙ୍କ ପାଖକୁ ଗଲା, କହିଲା ତମ ଝିଅ ଆମକୁ କଥା କହିଛନ୍ତି । ରଜା କହିଲେ ଆଉ ବିଳମ୍ୱ କାହିଁକି, ବିଭାଘର ହେଉ । ରଜାଝିଅ କହିଲା ହଉ ବିଭାଘର ହେବ ଯେ ଆଗେ ଆପଣଙ୍କ ବନ୍ଦୀଶାଳରେ ଯେତେକ ବନ୍ଦୀ ହୋଇଚନ୍ତି ତାଙ୍କୁ ମୁକୁଳାଇ ଦିଅନ୍ତୁ । ରଜା ଆଜ୍ଞା ଦେଲେ ମୁକୁଳାଇବାକୁ, ସମସ୍ତେ ମୁକୁଳି ଗଲେ । ଏ ରଜାଝିଅର ଯେ ବର, ତାକୁ ଏ ସୂତ୍ରରେ ଡାକି କହିଲା ହେ ମୁଁ ମଉନାବତୀକି କଥା କୁହାଇଚି, ରଜା ମତେ ତାକୁ ବାହା କରିଦେବାକୁ ବସିଛନ୍ତି, ମୁଁ ତାକୁ ବିଭାହେବି ନାହିଁ, ତୁମେ ତାକୁ ବିଭା ହୁଅ, ମୁଁ ତମ ସାଙ୍ଗରେ ଭଣ୍ଡାରି ହୋଇଯିବି । ସେହିପରି ସବୁ ହେଲା, ରଜାପୁଅ ମଉନାବତୀକି ବିଭା ହେଲା, ବହୁତ ଦାନ ଯୌତୁକ ଘେନିଲା, ଘରକୁ ଆସିଲା । ତା ଆଗ ଭାରିଯା ଭଣ୍ଡାରି ବେଶ ହୋଇ ତା ସାଙ୍ଗେ ସାଙ୍ଗେ ଥାଏ । ଦିନେ ବାଟରେ ଏ ହାଠତ୍‌ ଭଣ୍ଡାରି ବେଶ ଛାଡ଼ି ନିଜ ରୂପ ଧରି ରଜାପୁଅ ପାଖରେ ପହଞ୍ଚିଲା, ରଜାପୁଅ ଦେଖି କାବା ହୋଇଗଲା କହିଲା ତମେ କିପରି ଏଠାକୁ ଆସିଲ ? ଏ କହିଲା ତମ ବିଭାଘର ଦେଖିବାକୁ ଆସିଥିଲି । ରଜାପୁଅତ ଏ ସବୁ କିଛି ଜାଣେନା, କହିଲା ଏବେ ତ ମଉନାବତୀକି ବିଭା ହୋଇ ଆସିଲି, ତମକୁ ଦଶବିଧା ମାରିବାର ମୋର ଫାବିଲା । ଏ କହିଲା ଚଟକଣା ଖାଇ ରହୁନାହିଁ ଯେ ଫେର୍‌ କହୁଚ ? ତେମେତ ମୋ ଯୋଗେ ବନ୍ଦିଘରୁ ମୁକୁଳିଲ, ନଇଲେ ସେଇଠି ଥାନ୍ତ, ତେମେ କଣ ମଉନାବତୀଠାରୁ କଥା ନେଇଚ ? ରଜାଝିଅ ଆଦ୍ୟରୁ ପ୍ରାନ୍ତ ପର୍ଯ୍ୟନ୍ତ ସବୁ କହିଗଲା, ରଜା ପୁଅ ଶୁଣି ଦି ଭାରିଯାଙ୍କୁ ନେଇ ସୁଖରେ ରହିଲା, ମୁଁ ଗଲାରୁ କଥା ନ କହିଲା । ମୋ କଥାଟି ସରିଲା ଇତ୍ୟାଦି ।

Image

 

ସୁନାଫୁଲ କଥା

 

ଗୋଟିଏ ମନ୍ତ୍ରୀଟିଏ, ତାର ସାତପୁଅ ସାତ ବୋହୂ, ସୁନାଫୁଲ ବୋଲି ଗୋଟିଏ ଝିଅ । ସେ ଝିଅ ସୁନାଫୁଲ ଫୁଟେ । ଭାଉଜମାନଙ୍କୁ ଦିନକର ସୁନାଫୁଲ କହିଲା, ହେ, ମୁଁ ସୁନାଫୁଲ ଫୁଟିବି, ତମେମାନେ କ’ଣ କରିବ; ଘର ବଖୁରିଏ ଲିପି ଆଣିବ, ଗାଡ଼ଟିଏ ଖୋଳିବ, ମୁଁ ସେଥିରେ ବସିବି, ମୋ ଉପରେ ମାଟି ଚଢ଼ାଇ ଦେବ, ହଳଦୀ ପାଣି ମୁଠିଏ ଛିଞ୍ଚିଦେବ, କହିବ ଫୁଟ ଗୋ ସୁନାଫୁଲ ଫୁଟ । ଫୁଟି ସାରିଲାରୁ ସେହିପରି ହଳଦିପାଣି ମୁଠିଏ ଛିଞ୍ଚି ଦେବ, କହିବ ଉଠ ଗୋ ସୁନାଫୁଲ ଉଠ । ଭାଉଜମାନେ ସେହିପରି କଲେ । ସୁନାଫୁଲ ଦିବ୍ୟସୁନ୍ଦର ଫୁଲଗଛଟିଏ ହେଲା, ସେ ଘର ଯାକ ଫୁଲ କଢ଼ି ହୋଇ ଫୁଟିଲା । ସାତ ଭାଉଜଯାକ ଗଲେ, ଡାଳପତ୍ର କିଛି ଭାଙ୍ଗିଲେ ନାହିଁ, ସାତଯାଙ୍କ ପାଇଁ ସାତଟି, ସୁନାଫୁଲ ପାଇଁ ଗୋଟିଏ, ଆଠଟି ଫୁଲ ତୋଳିଲେ, ହଳଦୀପାଣି ମୁଠାଏ ଛିଞ୍ଚି ଦେଲେ, କହିଲେ ଉଠ ଗୋ ସୁନାଫୁଲ ଉଠ । ସୁନାଫୁଲ ଉଠି ବସିଲା । ସେ ସୁନାଫୁଲରୁ ସାତଯା ସାତଟି ଲଗାଇଲେ, ସୁନାଫୁଲକୁ ଗୋଟିଏ ଦେଲେ, ରହିଲେ । ଦିନକର ସାତ ଯାକ କହିଲେ ଆଜି ନଈକି ଗାଧୋଇ ଯିବା, ରାତି ଟିକିଏ ଅଛି, ସମସ୍ତେ ଗାଧୋଇବାକୁ ଗଲେ । ସମସ୍ତେ ଗାଧୋଇ ଅଇଲେ, ସାନବୋହୂ ରାତି ପାହିଯାଉଛି ବୋଲି ଧଡ଼ପଡ଼ ହୋଇ ଗାଧୋଇ ଚାଲି ଆସିଲା ବେଳକୁ, ତା ମୁଣ୍ଡରୁ ସୁନାଫୁଲଟି ଖସି ପଡ଼ିଲା କେତେବେଳେ, ସେ ଆଉ ଜାଣେ ନାହିଁ । ରଜାଙ୍କ ହାତୀ ପାଣି ପିଇବାକୁ ଆସିଥିଲା ନଈକି, ପାଣି ପିଉ ପିଉ ସେ ସୁନାଫୁଲଟିକୁ ଦେଖିଲା, ତାକୁ ନେଇକରି କଳରେ ଯାକିଥାଏ; ଆଉ ଖାଇଲା ନାହିଁକି ପିଇଲା ନାହିଁ, ସବୁବେଳେ ଝୁରି ହେଉଥାଏ । ଝୁରି ଝୁରି ହାତୀର କଣ୍ଟା ରହିଲା । ଦିନକର ରଜା କହିଲେ ହାତୀଟି କାହିଁକି ଜମା ଖାଉ ନାହିଁ ଝଡ଼ି ଗଲାଣି, ଏହା କହି ତାକୁ ଆଉଁସିଲେ ଆଉସୁଁ ଆଉସୁଁ ହାତୀ ରଜାଙ୍କ ହାତରେ ସୁନାଫୁଲଟିକୁ ପକାଇଦେଲା । ରଜା ଦେଖି ବଡ଼ ଆଶ୍ଚର୍ଯ୍ୟ ହେଲେ, ମନ୍ତ୍ରୀଙ୍କୁ କହିଲେ ମନ୍ତ୍ରୀ, ଏ ଫୁଲ କୋଉଠୁ ଆସିଲା, ତମେ ଯେବେ ଏ ଫୁଲରୁ କାଲିକି ଭାରେ ଦେବ ତ ଦେବ, ନଇଲେ ତମ ବଂଶ ରହିବେ ନାହିଁ । ମନ୍ତ୍ରୀ ବଡ଼ ଭାବନାରେ ପଡ଼ିଲା, କହିଲା ମୁଁ ଏବେ ସୁନାଫୁଲ ଭାରେ କୋଉଠୁ ଆଣିବି । ବ୍ୟସ୍ତ ହୋଇ ଘରକୁ ଗଲା, ଖାଇଲା ନାହିଁ ପିଇଲା ନାହିଁ ଗୋଟିଏ ଘରେ ଭାବନାରେ ଶୋଇଲା । ପୁଅମାନେ ବୋହୂମାନେ ଡାକିବାକୁ ଗଲେ, ଜମା ଶୁଣିଲା ନାହିଁ କି କଥା କହିଲା ନାହିଁ । ସବା ଶେଷରେ ସୁନାଫୁଲ ଡାକିଲା । ଏ କହିଲା ଆଜି ଖାଇଲେ କଣ ହେବ, କାଲି ତ ବଂଶଯାକର ମୁଣ୍ଡ କଟା ହେବ । ସୁନାଫୁଲ କହିଲା ଏମନ୍ତି କଥା କାହିଁକି କହୁଚ ବାପା ? ମନ୍ତ୍ରୀ କହିଲା ରଜାତ ଅବୁଝାମଣା, ହୁକୁମ କରିଛନ୍ତି ମୁଁ କାଲିକି ସୁନାଫୁଲ ଭାରେ ଦେବି, ନଇଲେ ସବଂଶରେ ମରିବି ! ସୁନାଫୁଲ କହିଲା ଏହି ଛାରକଥା ପାଇଁ ଏତେ ଭାବନା ! ଭାରେ କାହିଁକି, ସାତଭାର ନେବେ । ମନ୍ତ୍ରୀ ଶୁଣି ଟିକିଏ ଆଶ୍ୱସ୍ତ ହେଲା । ସମସ୍ତେ ଖାଇପିଇ ସାରିଲେ, ସୁନାଫୁଲ କ’ଣ କଲା ଭାଉଜମାନଙ୍କୁ ଡାକି ନେଇ ଗୋଟିଏ ଘର ଲିପାଇ ଆଣିଲା । ସେହି ଘରେ ତାକୁ ପୋତିଦେଲେ, ହଳଦିପାଣି ଛିଞ୍ଚିଦେଲେ, କହିଲେ ଫୁଟ ଗୋ ସୁନାଫୁଲ ଫୁଟ । ସେଦିନ ବହୁତ ଫୁଲ ଫୁଟିଲା, ସାତ ଯାଯାକ ଫୁଲ ତୋଳି ଗଦା କଲେ, ଶେଷକୁ ହଳଦିପାଣି ମୁଠାଏ ଛିଞ୍ଚିଦେଲେ, କହିଲେ ଉଠ ଗୋ ସୁନାଫୁଲ ଉଠ; ସୁନାଫୁଲ ଉଠିବସିଲା । ସବୁ ଫୁଲଯାକ ଭାର ଭାର କରି ସଜାଡ଼ି ଦେଲେ, ସାତଭାର ଫୁଲ ହେଲା, ତାକୁ ନେଇ ମନ୍ତ୍ରୀ ରଜାଙ୍କ ଦୁଆରେ ଥୋଇଦେଲା । ରଜା ଦେଖି ବଡ଼ ଖୁସି ହେଲେ, ବୁଝୁ ବୁଝୁ ବୁଝିଲେ ଯେ ମନ୍ତ୍ରୀଝିଅ ନିଜେ ସୁନାଫୁଲ ଫୁଟେ । ରଜା କହିଲେ ମନ୍ତ୍ରୀ ଆମେ ତମ ଝିଅକୁ ବିଭା ହେବା । ମନ୍ତ୍ରୀ କହିଲା ଆପଣଙ୍କୁ ଯେବେ ସୁନ୍ଦର ଦିଶିଲା ତେବେ ବିଭାଘର ହେଉ, ରଜା ମନ୍ତ୍ରୀଝିଅ ସୁନାଫୁଲକୁ ବିଭା ହେଲେ । ସେ ରଜାଙ୍କର ଆଉ ସାତ ରାଣୀ ଥାନ୍ତି, ମନ୍ତ୍ରୀ ଝିଅକୁ ବିଭା ହେବାରୁ ସେମାନଙ୍କୁ ଆଉ ରଜା ଦେଖି ପାରିଲେ ନାହିଁ ଏଇୟାକୁ ଭଲ ଦେଖିପାରିଲେ । ଦିନକର ରଜା ପାରିଧିକି ଗଲେ, ମନ୍ତ୍ରୀ ଝିଅକୁ କହିଗଲେ ତମ ସଉତୁଣୀମାନେ ଯେବେ ଫୁଲଫୁଟିବାକୁ ଲଗାଇବେ, ତେବେ କେଭେ ଫୁଟିବ ନାହିଁ, ତମକୁ ବାଦରେ ମାରି ପକାଇବେଟି । ମନ୍ତ୍ରୀଝିଅ ନାହିଁ କଲା । ରଜା ଯୋଉଠୁ ଗଲେ ବାହାରି, ଏ ସାତ ସଉତୁଣୀଯାକ ଆସି, ୟା ସଙ୍ଗେ ଲଗାଇଲେ ତେମେ କେମନ୍ତି ସୁନାଫୁଲ ଫୁଟ ଆଜି ଟିକିଏ ଫୁଟିବଟି, ଆମେ ଦେଖିବୁ, ଏହାକହି ୟା ସଙ୍ଗେ ଏକ ଜିଦ୍‌ ଲଗାଇଲେ, ଭାରି ରାଣ ନିୟମ ପକାଇଲେ । ଏ କହିଲା ହଉ ଫୁଟୁଚି, ତେମେ ଯେତେଜଣ ସେତିକିଟି ତୋଳିବ ଆଉ କଢ଼ ଛିଣ୍ଡାଇବ ନାହିଁ କି ଡାଳ ଭାଙ୍ଗିବ ନାହିଁ । ଏହା କହିଲା, ଗୋଟିଏ ଘରଟିଏ ଲିପା ପୋଛା କରାଇ ସେହିପରି ଫୁଲ ଫୁଟିଲା; ଏ ସବୁ ବାଦରେ ଫୁଲକଢ଼ ଛିଣ୍ଡାଇ ପକାଇଲେ, ଡାଳ ସବୁ ଭାଙ୍ଗିଭୁଙ୍ଗି ନଈକି ପକାଇଦେଲେ । ଏ ଡାଳ ସବୁ ଭାସି ଭାସି ଯାଇ ସେପାରି ତୁଠରେ ରଜା ଗାଧୋଉଥିଲେ ତାଙ୍କରି ହାତରେ ଲାଗିଲା । ରଜା ତାକୁ ଦେଖି ବଡ଼ ବ୍ୟସ୍ତ ହେଲେ, କହିଲେ ମୁଁ ଏତେ କରି କହି ଆସିଥିଲି, ଏ ଫୁଟିଲା । ସଉତୁଣୀମାନେ ବାଦରେ ଡାଳଫାଳ ଭାଙ୍ଗି ଫିଙ୍ଗି ଦେଇଚନ୍ତି । ରଜା ସେହିଲାଗେ ବାହାରି ଆସିଲେ ସେଠାରୁ ଘରକୁ । ଘରେ ଆସି ଦେଖନ୍ତି ଯେ ସୁନାଫୁଲ ନାହିଁ । ଆଉ ଭାରିଯାମାନଙ୍କୁ ପଚାରିବାରୁ ସେମାନେ ସମସ୍ତେ କହିଲେ ଆମେ ଦେଖିନାହୁଁ । ରଜା ବଡ଼ ମନଦୁଃଖରେ ସେ ଡାଳପତ୍ରଗୁଡ଼ିକ ନେଇ ଗୋଟିଏ ଅରଣ୍ୟରେ ଯାଇ କାନ୍ଦିଲେ । କାନ୍ଦୁଛନ୍ତି ବସି, ରାତି ଅଧ ହେଲାଣି, ଈଶ୍ୱର ପାର୍ବତୀ ଉଡ଼ି ଯାଉଥିଲେ; କାନ୍ଦଣା ଶୁଣିଲେ । ପାର୍ବତୀ କହିଲେ ଆଜି କାହିଁକି ପୃଥିବୀଟା ଭାରି ଭାରି ଲାଗୁଚି, ଏ ଅରଣ୍ୟରେ କିଏ ଗୋଟିଏ ଶୋକ କଲାପରି ଶୁଭୁଚି, ଚାଲ ଯିବା ଦେଖିବା । ଈଶ୍ୱର କହିଲେ ଆମର ସେଥିରେ କଣ ଅଛି ? ପାର୍ବତୀ କହିଲେ ଆମେ ଆଉ ତେବେ ସୃଷ୍ଟି ଭିଆଇଛୁ କାହିଁକି କିଛିତ ବୁଝିବା ନାହିଁ, ଆଉ ଆମର ସୃଷ୍ଟିରେ ଅଛି କଣ ? ଈଶ୍ୱର କହିଲେ ହଉ ତେବେ ଦେଖି ଆସିବା ଚାଲ । ଈଶ୍ୱର ପାର୍ବତୀ ଦୁହେଁଯାକ ଗଲେ, ରଜାଙ୍କୁ ଯାଇ ପଚାରିଲେ ତୁ କିଏ ଭୂତ କି ପ୍ରେତ, ଏଠି ବସି କାନ୍ଦୁଛୁ କାହିଁକି ? ରଜା କହିଲେ ମୁଁ ଏ ଦେଶର ରଜା; ଏମନ୍ତି ମୋ ସାନ ଭାରିଯାକୁ ସଉତୁଣୀମାନେ ମାରି ପକାଇଚନ୍ତି ମୁଁ ତାକୁ ନେଇ ଏଠାରେ କାନ୍ଦୁଚି । ଈଶ୍ୱର ପାର୍ବତୀଙ୍କର ଦୟା ହେଲା, କହିଲେ ତେଣିକି ମୁହଁବୁଲା । ରଜା ତେଣିକି ମୁହଁ ଫେରାଇଲେ, ଈଶ୍ୱର ପାର୍ବତୀ ଫୁଲପାଣି କରି ତିନିମୁଠା ଛିଞ୍ଚିଦେଲେ ଯେ ସୁନାଫୁଲ ଜୀଇ ଉଠିଲା । ଈଶ୍ୱର ପାର୍ବତୀ ଉଭେଇ ଗଲେ । ରଜା ସୁନାଫୁଲକୁ ଘେନି ଘରକୁ ଆସିଲେ, ବଡ଼ ସାତରାଣୀଙ୍କୁ ଖଣି ଖୋଳାଇ ତହିଁରେ ପକାଇ ଦେଲେ, ତଳକଣ୍ଟା ଉପର କଣ୍ଟା ଛାଟିଦେଲେ । ସୁନାଫୁଲକୁ ନେଇ ଆନନ୍ଦରେ ଘର ଦୁଆର କଲେ, ମୁଁ ଗଲାରୁ କଥା ନ କହିଲେ । ମୋ କଥାଟି ସରିଲା ଇତ୍ୟାଦି ।

Image

 

ପାନସୋରୀ କଥା

 

ଗୋଟିଏ ସାଧବଟିଏ ଯେ ତାର ସାତ ପୁଅ ସାତ ବୋହୂ । ସବା ସାନ ବୋହୂଟିକୁ କେହି ଦେଖି ପାରନ୍ତି ନାହିଁ । ସାତ ଯା ଯାକ ଗର୍ଭ ହେଲେ, ବଡ଼ ଛଅ ଯାକଙ୍କର କାହାର ପୁଅ ହେଲା କାହାର ଝିଅ ହେଲା, ସାନ ଯାର କିଛି ହୋଇ ନଥାଏ । ଏ ଘରର କାମଦାମ ସବୁ କରୁଥାଏ । ଯେଉଁଦିନ କଷ୍ଟ ପାଇଲା ଶାଶୁକୁ କହିଲା, ସାନ୍ତାଣି ମୋ ଦେହ କଣ ହେଉଚି । ଶାଶୁ କହିଲା ଯା ଆଗେ ପାଣିହେରିକା ଆଣି ସାର ପଛେ କଷ୍ଟ ପାଇବୁ, ଏ ଆଉ କଣ କରିବ ? ସବୁ କାମ କରି ସାରିଲା, ଫେର୍‌ ଶାଶୁକୁ କହିଲା ଶାଶୁ କ’ଣ କଲା ନା ଅରଟଖଣ୍ଡିଏ ହାତରେ ଦେଲା-। ଗୋଟିଏ ବରଣା (୧) ଦେଲା, କହିଲା ୟାକୁ ସୂତା କାଟିକାଟି ଯା, ଏ ଯୋଉଠି ସରିବ ସେଇଠି ଜନ୍ମ କରିବୁ, ପୁଅଟିଏ ହେଲେ ଆଣିବୁ, ଝିଅ ହେଲେ ସେଠାରେ ଫୋଫାଡ଼ି ଦେଇ ଆସିବୁ ଏ ସେହିପରି ସୂତା କାଟି କାଟି ଗଲା ବାଟଯାକ, ଯାଇଁ ଯାଇଁ ଗୋଟିଏ ପାନବରଜ ପାଖେ ବରଣାଟି ସରିଲା । ସେଇଠି ଜନ୍ମ କଲା, ଝିଅଟିଏ ହେଲା । ଶାଶୁତ କହିଚି ଝିଅ ହେଲେ ଫୋଫାଡ଼ି ଦେଇ ଆସିବୁ, ଆଉ ନେଇ କରି ଯିବି କେମନ୍ତି ? ଝିଅଟିକୁ କଣ କଲା ନା ପାନ ବରଜ ଭିତରେ ପାନଗୁଡ଼ାଏ ପାରି ଦେଲା ତା ଉପରେ ଶୁଆଇ ଦେଲା, ତା ପାଖରେ ବସି ଗୁଡ଼ାଏ କାନ୍ଦିଲା, ଘରକୁ ଆସିଲା । ଆର ଦେଶର ରଜା ପାରିଧକୁ ଆସିଥିଲେ । ଏ ଝିଅଟି ପାନ ବରଜରେ କାନ୍ଦୁଚି ଶୁଣିଲେ, କହିଲେ କେହିତ କୁଆଡ଼େ ନାହିଁ, ପିଲାଟିଏ କେଉଁଠି କାନ୍ଦୁଚି ଦେଖିଲ, ଖୋଜିଲ-। ଚାକରମାନେ ଗଲେ ଖୋଜିଲେ, ପାନବରଜ ଫିଟାଇ ଦେଖିଲାବେଳକୁ ଝିଅଟିଏ କାନ୍ଦୁଚି ତାକୁ ନେଇକରି ଗଲେ ରଜାଙ୍କ ପାଖକୁ । ରଜା କହିଲେ ତାକୁ ନେଇ ଯାଅ ଆମ ଘରକୁ, ଆମେ ତାକୁ ଝିଅ କରିବା । ନେଇକରି ଗଲେ ଘରକୁ, ରାଣୀଙ୍କି ଦେଲେ, କହିଲେ ଏଇଟିକୁ ପାଳ, ଆମର ଝିଅ କରିବା । ରାଣୀ ପାଳିଲେ, ଝିଅଟିକୁ ଅତି ସ୍ନେହରେ ବଢ଼ାଇଲେ । ତାର ନାଆଁଟି ଦେଲେ ପାନସୋରୀ । ପାନସୋରୀକି ଦଶ ବାର ବରଷ ହେଲା । ବଡ଼ ହେଲା, ବରଘର ଲଗାଇଲେ, ଆରଦେଶ ରଜାପୁଅକୁ ବିଭା କରିଦେବେ । ପାନସୋରୀ ଖୁବ୍‌ ସୁନ୍ଦରୀ, ଆରଦେଶର ରଜାପୁଅ ଆଉ ତାକୁ ଦେଖି ଦାଣ୍ଡକୁ ବାହାରିଲା ନାହିଁ, ସବୁବେଳେ ତା ପାଖରେ ଥାଏ । ପ୍ରଜାମାନେ କହିଲେ ରଜାପୁଅତ ଘରୁ ବାହାରିଲେ ନାହିଁ, କିଛି ବୁଝିଲେ ନାହିଁ, କିପରି ଚଳିବ ? ଏହିପରି ଯୋଉଠୁ ସମସ୍ତେ କହିଲେ ରଜାପୁଅ କଣ କଲା, ଦିନକର ରାତିରୁ ଉଠି ଘୋଡ଼ାରେ ଚଢ଼ି କୁଆଡ଼େ ବାହାରି ଗଲା । ଯାଇଁ ଯାଇଁ ଆର ଦେଶ ରଜାଗାଁରେ ପହଞ୍ଚିଲା । ସେ ଦେଶ ରଜାଝିଅକୁ ବର ମିଳୁ ନ ଥାଏ ଯେ ସେ ଧଳାଗାର, କଳାଗାର, ନାଲିଗାର, ନେଳୀଗାର, ହଳଦିଆଗାର କାଟି ବସିଚି-। ଏ ରଜାପୁଅ ଆଉ ଜାଣେନା, ଗାର ଡେଇଁ ଦେଇ ଗଲା ବାହାରି । ଏ ରଜାଝିଅର ଧାଈ ତାକୁ ଫେରାଇ ଆଣିଲା, କହିଲା ଆମ ଝିଅଙ୍କର ନିୟମ ଅଛି, ଯେ ଗାର ଡେଇଁବ ସେ ତାଙ୍କୁ ବିଭା ହେବ, ତେମେ ଫେରି ଆସ ବିଭା ହେବ । ଧାଈ ଯାଇ ରଜାଙ୍କୁ କହିଲା ତମଲାଖି (୧) ଜୋଇଁ ମିଳିଲାଣି ବିଭାଘର କର । ରଜା ସବୁ ଯୋଗାଡ଼ କଲେ, ବିଭାଘର ହେଲା । ସେ ରଜାଝିଅର ନାମ ତାରାବତୀ । ତାରାବତୀ ଆଉ ଏ ରଜାପୁଅ ବିଭା ହୋଇ ସେଇଠି ରହିଲେ । କିଛିଦିନ ଗଲା ବାହାରି, ତାରାବତୀ ଏ ରଜାପୁଅ ପାଇଁ ପାନ ଭାଙ୍ଗିଦିଏ, ଲୁଗା କୁଞ୍ଚେଇ ଦିଏ, ଭାତ ବାଢ଼ିଦଏ, ଚିତାପେଡ଼ି ସଜାଡ଼ି ଦିଏ, ଘର ଓଳାଇଦିଏ, ଏ ରଜାପୁଅର ମନକୁ ଆଉ ଆସେ ନାହିଁ । ସବୁବେଳେ ପାନସୋରୀକି ବାହୁନି କରି କହେ, କି ପାନ ଭାଙ୍ଗିଚୁ ଲୋ ତାରା, ନୁହେ ମୋ ପାନସୋରୀ ପରା, କି ଠାଆ (୨) ଭାଙ୍ଗିଚୁ ଲୋ ତାରା, ନୁହେ ମୋ ପାନସୋରୀ ପରା, କି ଭାତ ବାଢ଼ିଚୁ ଲୋ ତାରା ନୁହେଁ ମୋ ପାନସୋରୀ ପରା, କି ଲୁଗା କୁଞ୍ଚିଚୁ ଲୋ ତାରା, ନୁହେ ମୋ ପାନସୋରୀ ପରା, ଏହିପରି ସବୁଦିନେ ବାହୁନେ । ତାରାବତୀ ଆଉ ଏ ରଜାପୁଅ ମନକୁ ଆସେ ନାହିଁ । ତାରାବତୀ କହିଲା ୟାଙ୍କର ଗୋଟାଏ ପାନସୋରୀ । ଏ କେଡ଼େ ସୁନ୍ଦର ଯେ ଏମନ୍ତି, ମତେ ସବୁବେଳେ ଖୁଣିଲେ । ମନକଥା ମନରେ ଥାଏ, ଦିନେ ରଜାପୁଅକୁ ପଚାରିଲା, ହେ ତମଗାଁରେ କଅଣ ମିଳେନାହିଁ । ଏ କହିଲା ଆମର ରଜାରାଇଜ, ଅପୂରୁବ କଣ ? ସବୁ ମିଳେ ଯେ ଏକା ପଚା ତାଳପତ୍ର ଝିଲ୍ଲୀଶଙ୍ଖା ମିଳେ ନାହିଁ । ତାରାବତୀ କଣ କଲା, ଚାରିପାଞ୍ଚ ଟଙ୍କାର ପଚା ତାଳପତ୍ର ଝିଲ୍ଲୀଶଙ୍ଖା କିଣି ଆଣିଲା, ଜ୍ଞାନଦେୟୀ ମାଲୁଣୀକି ଡାକି ଆଣିଲା, ମନପବନ ଡଙ୍ଗା ଖଣ୍ଡେ ଆଣିଲା, ମାଲୁଣୀକି କହିଲା ତୁ ଆର ଦେଶ ରଜାଗାଁକୁ ଏ ସବୁ ନେଇକରି ଯିବୁ, ଡାକିକରି ବିକ୍ରୀ କରିବୁ-। ସମସ୍ତେ ଆସିବେ ନେବାକୁ, ତୁ କହିବୁ ଆଗେ ରାଣୀ ଆସି ନେଲେ ମୁଁ ପଛେ ସମସ୍ତେଙ୍କୁ ଦେବି-। ଯୋଉଠୁ ରାଣୀ ଆସି ଡଙ୍ଗା ଉପରେ ବସି କିଣିବାକୁ ଧରିବ, ତୁ ରାଣୀକି ନେଇ ଚାଲି ଆସିବୁ-। ଜ୍ଞାନଦେୟୀ ମାଲୁଣୀ ଯାଇ ସେହିପରି କହିଲା, ସମସ୍ତେ ଆସି ପାନସୋରୀକି ଡାକିଲେ, ଆସ ତେମେ ଆଗ ନେଲେ ସମସ୍ତେ ପଛେ ନେବେ । ପାନସୋରୀ ଗଲା ଶାଶୁପାଖକୁ କହିଲା ମୁଁ କିଣିବାକୁ ଯାଉଚି । ଶାଶୁ ଶଶୁରଙ୍କୁ ଆଉ ଜମା ଦିଶୁନାହିଁ ପୁଅକୁ ଝୁରିଝୁରି । ପାନସୋରୀ ଯୋଉଠୁ କହିଲା କିଣିବାକୁ ଯିବି, ଶାଶୁ କହିଲେ ହଉ ଯା । ପାନସୋରୀ ଯାଇ ଡଙ୍ଗା ଉପରେ ବସିଲାକ୍ଷଣି, ମାଲୁଣୀ କହିଲା ଯେବେ ସତ୍ୟଯୁଗର ମନପବନ ଡଙ୍ଗା ହୋଇଥିବୁ, ତେବେ ୟାକୁ ନେଇ ପବନ ବେଗରେ ଚାଲିଯିବୁ । ଏହା କହିଲାକ୍ଷଣି ଡଙ୍ଗା ଚାଲିଲା ଯେ ଆସି ତାରାବତୀ ରାଜ୍ୟରେ ପହଞ୍ଚିଲା-। ତାରାବତୀ ପାନସୋରୀକି ନେଇ ଗୋଟାଏ ଘରେ ଲୁଚାଇକରି ରଖାଇଲା । ତହିଁ ଆରଦିନ ପାନସୋରୀ ହାତରେ ଘର ଓଳାଇଲା, ପାନ ଭଙ୍ଗାଇଲା, ଭାତ ବଢ଼ାଇଲା, ଲୁଗା କୁଞ୍ଚେଇଲା, ସବୁ କରାଇଲା, ପାନସୋରୀକି ସେଆଡ଼ ଘରେ ଛାଡ଼ିଦେଇ ଆସିଲା । ରଜାପୁଅ ସେଦିନ ସବୁ ଦେଖିଲା, ଖୁଣିଲା ନାହିଁ, ଭାତ ଖାଇଲା, ଗଲା ବାହାରି, ତାରାବତୀ ଭାବିଲା ହଁ ୟାକୁ ସବୁବେଳେ ଝୁରିଲେ, ମତେ ଦେଖିପାରିଲେ ନାହିଁ । ଏହା ମନରେ ପାଞ୍ଚି ପାନସୋରୀକି ବନସ୍ତକୁ ଡାକିନେଲା, ହାଣି ପକାଇ ଆସିଲା । ସେ ବନସ୍ତରେ କଣ ହେଲା, ପାନସୋରୀର ପେଟ ପୋଖରୀ ହେଲା, ପିଠି ପଥର ହେଲା, ମୁଣ୍ଡ ମଣ୍ଡପ ହେଲା, ହାତ ଫୁଲଗଛ ହେଲା, ଗୋଡ଼ କଦଳୀଗଛ ହେଲା, ଆଖିଦୋଟି ଶୁଆସାରୀ ହେଲେ, ଏହିପରି ହୋଇଥାଏ । ଗାଈଜଗା ପିଲାଏ ଏଇଠୁ ଫୁଲ ନିଅନ୍ତି ଖେଳନ୍ତି । ଦିନକର ରଜାଙ୍କର ମାଳୀ ଫୁଲ ଖୋଜି ଖୋଜି ଆଉ କୋଉଠି ଫୁଲ ପାଇଲା ନାହିଁ, ଦେଖିଲା ଗାଈଜଗା ପିଲାଏ ଫୁଲ ନେଇ ଖେଳୁଛନ୍ତି । ମାଳୀ କହିଲା ଆରେ ପିଲାଏ ତେମେ କୋଉଁଠୁ ଏ ଫୁଲ ଆଣିଲ, ମୁଁ ଏତେ ରାଇଜ ଖୋଜୁଚି ପାଉନାହିଁ । ସେମାନେ କହିଲେ ହେଇଟି ସେ ବନସ୍ତରେ କେତେ ଫୁଲ ଫୁଟିଚି ପାଉନାହୁଁ ? ମାଳୀ ଫୁଲ ଆଣିବାକୁ ଗଲା । ଆଗ ହୋଇ ପଥର ଉପରେ ଠିଆ ହେଲାକ୍ଷଣି, ପାନସୋରୀ କହିଲା, ‘ଧୀର ହୋଇ ଠିଆହୁଅ ହେ ମାଳୀ, ମୋ ପିଠିକି କାଟିବଟି, ମୁଁ ଯେଉଁ ସାଆନ୍ତଙ୍କ ହାତ ଧରିଥିଲି ସେ ଅତି ସୁକୁମାର ଟି’ । ମାଳୀ ଏଣିକି ତେଣିକି ଅନାଇଲା ଦେଖିଲା କେହି ନାହିଁ । ପୋଖରୀରେ ପଶି ଗୋଡ଼ ଧୋଇଲା ବେଳକୁ ଫେର୍‌ ପାନସୋରୀ କହିଲା, ‘ଧୀରେ ଧୀରେ ଗୋଡ଼ ଧୁଅ ହେ ମାଳୀ ମୋ ପେଟକୁ କାଟିବ ଟି, ମୁଁ ଯେଉଁ ସାଆନ୍ତଙ୍କ ହାତ ଧରିଥିଲି ସେ ଅତି ସୁକୁମାର ଟି’ । କଦଳୀଗଛ ପତର ଚିରିଲାବେଳକୁ ସେହିପରି କହିଲା ‘ଆରେ ମାଳୀଭାଇ ଧୀରେ ଚିରିବୁଟି; ମୋର ଗୋଡ଼କୁ କାଟିବଟି, ଯେଉଁ ସାଆନ୍ତର ହାତ ଧରିଥିଲି ସେ ଅତି ସୁକୁମାରଟି’ । ମାଳୀ ସେଠାରୁ ଗଲା, ଫୁଲ ତୋଳିଲା ବେଳକୁ କହିଲା ‘ଆରେ ମାଳୀଭାଇ ଧୀରେ ତୋଳିବୁ ଟି ମୋ ହାତକୁ କାଟିବ ଟି, ମୁଁ ଯେଉଁ ସାଆନ୍ତ ହାତ ଧରିଥିଲି ସେ ଅତି ସୁକୁମାର ଟି’ । ମଣ୍ଡପ ଉପରେ ଚଢ଼ିଲାବେଳକୁ କହିଲା ‘ଆରେ ମାଳୀଭାଇ ଧୀରେ ଚଢ଼ିବୁଟି, ମୋ ମୁଣ୍ଡକୁ କାଟିବଟି’ ଯେଉଁ ସାଆନ୍ତର ହାତ ଧରିଥିଲି ସେ ଅତି ସୁକୁମାର ଟି’ । ସେମନ୍ତି ଶୁଆ ସାରୀଙ୍କି ଧରିଲାବେଳକୁ ଶୁଆସାରୀ କହିଲେ ‘ଧୀରେ ଧରିବଟି, ଆହେ ମାଳୀଭାଇ ମୋ ଆଖିକି କାଟିବ ଟି, ଯେଉଁ ସାଆନ୍ତର ହାତ ଧରିଥିଲି ସେ ଅତି ସୁକୁମାର ଟି’ । ମାଳୀ ଗଲା ରଜାଙ୍କ ଆଗରେ କହିଲା ମଣିମା, ଗୋଟିଏ କଥା କହିବାକୁ ଭାରୀ ଭୟ ଲାଗୁଛି । ରଜା କହିଲେ କଣ କହ, ଭୟ କାହିଁକି କରୁଚୁ । ମାଳୀ ସବୁ କହିଗଲା । ରଜା କହିଲେ ଚାଇଲୁ ଦେଖିବା । ମାଳୀ ଆଉ ରଜା, ଦିହେଁଯାକ ସେ ବନସ୍ତକୁ ଗଲେ, ରଜା ଛିଡ଼ା ହେଲେ ମାଳୀ ସେହିପରି ପଥର ଉପରେ ଛିଡ଼ାହେଲା, ପାଣିରେ ଗୋଡ଼ ଧୋଇଲା, ଆଉ ସବୁ କଲା । ପାନସୋରୀ ଆଗପରି ସବୁ କହିଲା । ରଜା ଶୁଣିଲେ ଜାଣିପାରିଲେ ତାରାବତୀ ପାନସୋରୀକି ଏଠାରେ ହାଣିଚି । ମାଳିକି ପଠାଇ ଦେଲେ, କହିଲେ ମୁଁ ଏଠାରେ ଥିବାର ତୁ ଆଉ କାହା ଆଗେ କହିବୁ ନାହିଁ, ଯେବେ କହିବୁ କାହାଆଗେ ତୋ ବଂଶକୁ ଶୂଳିୟାପଦାରେ ଶୂଳିଦେବି । ମାଳୀ ଘରକୁ ଅଇଲା ବାହାରି କାହା ଆଗେ କିଛି କହିଲା ନାହିଁ । ରଜା ସେହି ପୋଖରୀ କୂଳରେ ବସି କାନ୍ଦୁଥାନ୍ତି । କାନ୍ଦି କାନ୍ଦି ରାତି ଅଧ ହେଲାଣି, ଈଶ୍ୱର ପାର୍ବତୀ ଆକାଶରେ ଉଡ଼ି ଯାଉଛନ୍ତି, ପାର୍ବତୀ କହିଲେ ରହିଥାଅ ରହିଥାଅ କିଏ ଗୋଟିଏ କାନ୍ଦୁଚି ଏତେବେଳେ, ଈଶ୍ୱର କହିଲେ ଚାଲହୋ ଆମର ସେଥିରେ କଣ ଅଛି ? ପାର୍ବତୀ କହିଲେ ଆଉ ଆମେ ସୃଷ୍ଟି କାହିଁକି ଭିଆଇଚୁ ? ଲୋକଙ୍କ ଭଲମନ୍ଦ କିଏ ବୁଝିବ ? ଈଶ୍ୱର ପାର୍ବତୀ ଦିହେଁଯାକ ବନସ୍ତ ଭିତରକୁ ଗଲେ ରଜାପାଖକୁ, ପଚାରିଲେ ତୁ କିଏ, ଭୂତ କି ପ୍ରେତ କି ଡାହାଣୀ କି ଚିରିଗୁଣୀ ତୁ କିଏ ? ରଜା କହିଲେ ମୁଁ କେହି ନୁହେଁ ଆରଦେଶର ରଜାପୁଅ ଏପରି ପାନସୋରୀକି ବିଭା ହୋଇଥିଲି ଆଉ ସବୁ କଥା କହିଗଲେ । ଈଶ୍ୱର ପାର୍ବତୀ କହିଲେ ହଉ ତୁ ତେଣିକି ମୁହଁବୁଲା, ରଜା ତେଣିକି ମୁହଁ ବୁଲାଇଲାରୁ, ଫୁଲପାଣି କରି ତିନିମୁଠା ଛିଞ୍ଚି ଦେଲେ ଯେ ପାନସୋରୀ ଜୀଇ ଉଠିଲା । ଈଶ୍ୱର ପାର୍ବତୀ ଉଭେଇ ଗଲେ । ଏ ରଜାପୁଅ ପାନସୋରୀକି ଘେନି ଆସିଲା ବାହାରି ଆପଣା ରାଜ୍ୟକୁ, ତାରାବତୀକି ଛାଡ଼ିଦେଇ ଆସିଲା । ପାନସୋରୀକି ନେଇ ଘରଦ୍ୱାର କଲା, ସୁଖରେ ରହିଲା, ମୁଁ ଗଲାରୁ କଥା କହିଲା ନାହିଁ । ମୋ କଥାଟି ସରିଲା ଇତ୍ୟାଦି ।

Image

 

କଳା ରାଜନ କଥା

 

ଗୋଟିଏ ଦେଶରେ ରଜାପୁଅ, ମନ୍ତ୍ରୀପୁଅ, ସାଧବପୁଅ, କଟୁଆଳ ପୁଅ ଏ ଚାରି ସଙ୍ଗାତ-। ଦିନକର ଚାରିହେଁଯାକ ବିଚାରକଲେ ବିଦେଶ କରିଯିବା, ଗୋଟିଏ ଗୋଟିଏ ଘୋଡ଼ା ଚଢ଼ିଲେ ଗଲେ । ଯାଉ ଯାଉ ଗୋଟିଏ ଅସୁରୁଣୀ ଦୁଆରେ ରାତି ହେଲା । ଅସୁରୁଣୀକି କହିଲେ ମାଉସୀ ଟିକିଏ ଘରେ ଯାଗା ଦେବୁ ? ଅସୁରୁଣୀ ବୁଢ଼ୀ କହିଲା ହଉ ରହ । ଘର ଯେଗା ଦେଲା ରୋଷାଇ କରିବାକୁ ଡାଲି ଚାଉଳ, ହାଣ୍ଡି ପରିବା ହେରିକା ସବୁ ଦେଲା । ଏମାନେ ଗୋଟିଏ ଘରେ ରହି ରୋଷାଇବାସ କରୁଛନ୍ତି । ବୁଢ଼ୀଅସୁରୁଣୀ ଆଉ ଗୋଟିଏ ଘରେ ତାର ରୋଷାଇବାସ କରିବାକୁ ଗଲା । ମନ୍ତ୍ରୀପୁଅ କାହିଁକି ଦୁଆରକୁ ଯାଇ ଦେଖେ ଯେ ଅସୁରୁଣୀ କଣ କରିଚି ନା ଗୋଟିଏ ଗୋଡ଼ ଚୁଲିକୁ ମୁହାଁଇ ଦେଇଚି, ଆଉ ଗୋଟିକରେ ପାଣି ଆଣୁଚି, ଚାଉଳ ଧୋଉଚି ଏହିପରି ସବୁ ଘର କାମଦାମ କରୁଚି । ଏ ଯାଇ ଆଉ ତିନି ସଙ୍ଗାତଙ୍କୁ କହିଲା ହେ ସଙ୍ଗାତ ଏ ଅସୁରୁଣୀ ଘରୁଟାଏ, ଚାଲ ଆମେ ଏଠାରୁ ଯିବା ବାହାରି । ଚାରିହେଁ ଯାକ ଆଉ ଖାଇଲେ ନାହିଁ, ପିଇଲେ ନାହିଁ, ରୋଷାଇ ଛାଡ଼ି ଦେଇ ଘୋଡ଼ା ଉପରେ ବସି ଗଲେ ବାହାରି, ବୁଢ଼ୀଅସୁରୁଣୀ ଯାଉଁ ଜାଣିଲା ଏମାନେ ଯାଉଚନ୍ତି ବାହାରି ଲଣ୍ଡଭଣ୍ଡ ହୋଇ ଘରୁ ସୋରିଷ ଦି ସେରେ ଘେନି ଆସିଲା, ମନ୍ତ୍ରୀପୁଅ ଘୋଡ଼ା ଲାଙ୍ଗୁଡ଼ରେ ବାନ୍ଧି ଦେଲା, କହିଲା ତୁ ଯେମନ୍ତ ସତ୍ୟଯୁଗର ସୋରିଷ ହୋଇଥିବୁ, ବିଞ୍ଚି ବିଞ୍ଚି ଯାଉଥିବୁ, ଗଛ ଉଠି ଉଠି ଯାଉଥିବ, ଫୁଲ ଫୁଟି ଫୁଟି ଯାଉଥିବ । ଏହା କହି ଘରକୁ ଆସିଲା ଝିଅମାନଙ୍କୁ ଡାକ ଛାଡ଼ିଲା କୁଆଡ଼େ ଯାଇଚ ଲୋ, କି ସୁନ୍ଦର ଭେଣ୍ଡା ଆଣି ରଖିଥିଲି, ଖାଇଥାନ୍ତ କୁଆଡ଼େ ଗଲ । ଏମାନେ ଡାକ ଶୁଣି ଦଉଡ଼ି ଆସିଲେ କହିଲେ ମା କଣ, କାହିଁକି ଡାକୁଚୁ-? ଏ କହିଲା ତେମେମାନେ ଯାଅ, ଦଉଡ଼ ମୁଁ ଘୋଡ଼ା ଲାଙ୍ଗୁଡ଼ରେ ସୋରିଷ ବାନ୍ଧି ଦେଇଚି, ଗଛ ଉଠି ଉଠି ଯାଉଥିବ, ଫୁଲ ଫୁଟି ଫୁଟି ଯାଉଥିବ, ସେଇ ବାଟକୁ ଚାହିଁ ଚାହିଁକା ଦଉଡ଼ିବ ଯେ ସେ ଚାରି ଭେଣ୍ଡାଙ୍କୁ ପାଇବ । ଏ ସାତଝିଅଯାକ ଦଉଡ଼ିଲେ, ଯାଇ ଘୋଡ଼ା ପଛରେ ଲାଗିଲେ । ଏମାନେ ଅନାଇଦେଲା ବେଳକୁ ଅସୁରୁଣୀ ସାତଟା ଆସି ଘୋଡ଼ା ପଛରେ ଲାଗି ଗଲେଣି । ଏ ଚାରିସଙ୍ଗାତ କହିଲେ ନିଶ୍ଚୟ ଯେମନ୍ତ ସତ୍ୟଯୁଗ ହୋଇଥିବ ଆମ୍ଭ ପଛରେ ଖାଲି କଣ୍ଟାବଣ ହୋଇଯିବ-। କଣ୍ଟାବଣ ହୋଇଗଲା ଯୋଉଠୁ ସବା ବଡ଼ ଭଉଣୀ ରହିଲା ଆଉ ଛ ଭଉଣୀ ଫେରି ଆସିଲେ, କଣ୍ଟାରେ ପଶି ପାରିଲେ ନାହିଁ । ଏ କଣ କରୁଥାଏ କଣ୍ଟା ସବୁ ଦାନ୍ତରେ କାଟିପକାଉଥାଏ, ଏମାନଙ୍କ ପଛେ ପଛେ ଦଉଡ଼ୁଥାଏ । ଫେର୍‌ ଏମାନଙ୍କ ପଛରେ ଲାଗିଗଲା । ଏମାନେ କହିଲେ ଯେବେ ସତ୍ୟ ଯୁଗ ହୋଇଥିବ ସବୁ ଅଗ୍ନିମୟ ହୋଇଯିବ । ସବୁ ଅଗ୍ନିମୟ ହୋଇଗଲା-। ଅସୁରୁଣୀ ଛେପ ପକାଇ ପକାଇ ନିଆଁ ଲିଭାଇ ଦେଲା, ଏମାନଙ୍କ ପଛରେ ମିଶି କଟୁଆଳ ପୁଅକୁ ଆଉ ତା ଘୋଡ଼ାକୁ ଖାଇଗଲା । ବାକୀ ତିନିସଙ୍ଗାତ ପଳାଉଛନ୍ତି, ଏ ତାଙ୍କ ପଛେ ପଛେ ଦୌଡ଼ୁ ଦୌଡ଼ୁ ସାଧବପୁଅକୁ ଓ ମନ୍ତ୍ରୀପୁଅକୁ ଖାଇଦେଲା । ରଜାପୁଅ ସମସ୍ତଙ୍କ ଆଗରେ ଥାଏ-। ସେଠାରେ ଗୋଟିଏ ଆମ୍ୱଗଛ ଥିଲା ତହିଁରେ ଚଢ଼ିଗଲା କହିଲା ହେ ବୃକ୍ଷରାଜ, ନିଶ୍ଚୟ ସତ୍ୟଯୁଗର ଯେବେ ହୋଇଥିବୁ ତୁ ଫାଟିଯିବୁ ମୁଁ ପଶିଯିବି । ରଜାପୁଅ ଆମ୍ୱଗଛ ଭିତରେ ରହିଲା, ଅସୁରୁଣୀ ତା ଘୋଡ଼ାଟିକି ଖାଇଦେଇ ସେହି ଗଛମୂଳେ ବସି ରହିଲା । ଗୋଟିଏ ଦିବ୍ୟସୁନ୍ଦର ରାଣୀ ବେଶ ଧରି ବସିଲା, ମିଛେ ମିଛେ କାନ୍ଦୁଥାଏ । ରଜା ଆସିଥିଲେ ପାରିଧିକି, ତାଙ୍କ ଉପରେ ଲୁହ ପଡ଼ିଲା-। ରଜା କହିଲେ ଚାଖୁଣିଆକୁ, ଚାଖିବୁଟି କାହା ଲାଖ୍‌ କନ୍ୟା । ଚାଖୁଣିଆ ଚାଖିଲା, କହିଲା ଛାମୁଙ୍କ ଲାଖ୍‌ । ରଜା ସେଉଠୁ ସେ ଅସୁରୁଣୀକୁ ସାଙ୍ଗରେ ନେଇ ଘରକୁ ଗଲେ, ବିଭା ହେଲେ ରହିଲେ-। ଅସୁରୁଣୀ ରଜାକୁ କହିଲା ମୁଁ ଯେଉଁ ଆମ୍ୱଗଛ ତଳେ ବସିଥିଲି, ତାକୁ ଆଣ ମୋ ଆଗରେ ଗଦାକର । ରଜା ଧୋବାକୁ ହୁକୁମ ଦେଲେ ଗଛକୁ କାଟିଆଣି ରାଣୀଙ୍କ ଆଗେ ଗଦା କରିବାକୁ-। ଧୋବା ଗଲେ ଗଛକୁ ହାଣିଲେ । ସେ ରଜାପୁଅର ନାଁ କଳାରାଜନ । ସେ ଗଛରେ ଥାଇ କହିଲା, ତୁ ଯେମନ୍ତ ସତ୍ୟଯୁଗର ଆମ୍ୱଗଛ ହୋଇଥିବୁ, ଏହିକ୍ଷଣି କେଣ୍ଡିଏ ବଉଳିବୁ, ଚଣା ଫୁଟିବ, ଆମ୍ୱ ହେବ, ପାଚିବ ମୁଁ ତହିଁରେ ପଶିବି, ସେ ଆମ୍ୱଟି ବେଣ୍ଟ ପୋଖରୀକି ଝଡ଼ିପଡ଼ିବ । ସତକୁ ସତ ସେହିଆ ହେଲା, କଳାରାଜନ ଆମ୍ୱ ଭିତରେ ପଶି ବେଣ୍ଟ ପୋଖରୀକି ଝଡ଼ି ପଡ଼ିଲା-। ଧୋବାମାନେ ସେ ଗଛକୁ ହାଣିହୁଣି ରାଣୀଙ୍କ ଆଗେ ଜମା କରିଦେଇଗଲେ । ଅସୁରୁଣୀ ଖଣ୍ଡକୁ ଖଣ୍ଡ କାଠ ରଡ଼ମଡ଼ କରି ଚୋବାଉଥାଏ, କହୁଥାଏ କାଠେଇଖିଆ ଏଥିରେତ ନାହିଁ ଏହିପରି କରି ଗଛକ କାଠ ଚୋବାଇଲା । ଯେଉଁ ଧୋବା କାଠକାଟିବାକୁ ଆସିଥିଲେ ସେ କହିଲେ ମଣିମା, ଗୋଟିଏ କଥା କହିବାକୁ ଭୟ ଲାଗୁଚି, ଆମେ ଯେତେବେଳେ ସେ ଗଛକୁ ହାଣି ପକାଉଥିଲୁଁ ସେ ଗଛ ସେହିକ୍ଷଣି ବଉଳିଲା, ଚଣା ହେଲା, ଗୋଟିଏ ଆମ୍ୱ ହେଲା ପାଚିଲା, ସେ ପୋଖରୀରେ ଛିଡ଼ି ପଡ଼ିଲା । ଅସୁରୁଣୀ କହିଲା ସେଇଥିରେ ତ କାଠେଇଖିଆ ଗଲା ବାହାରି ଏଥିକି କୋଉଠୁ ଆସିବ-? ଗଲା ରଜାଙ୍କୁ କହିଲା, ଗଛମୂଳେ ସେ ଯେଉଁ ବେଣ୍ଟ ପୋଖରୀ ଅଛି ତହିଁରେ ଯେତକ ମାଛ କଇଁଚ ଗେଣ୍ଡା ଅଛନ୍ତି ମୋ ପାଖକୁ ସବୁ ଆସିବ, ପଙ୍କ ଛଡ଼ା । କେଉଟ ଗଲେ ପୋଖରୀଟାର ପାଣି ବୁହାଇଲେ, ଯେତେ ମାଛ କଇଁଛ ଥିଲେ ସବୁ ଆଣି ଅସୁରୁଣୀକି ଦେଲେ, ଆଉ ବଡ଼ ମାଛ ଦୋଟି, ତାଙ୍କ ନା ରାଘବ ତିଳକ, ସୋ ଦୋଟିକି ବଡ଼ରାଣୀଙ୍କ ପାଖରେ ଦେଲେ । ଆଉ ବଡ଼ ମାଛ ଦୋଟି, ତାଙ୍କ ନାଁ ରାଘବ ତିଳକ, ସେ ଦୋଟିକି ବଡ଼ରାଣୀଙ୍କ ପାଖରେ ଦେଲେ । ବଡ଼ରାଣୀ ରାଘବ ମାଛକୁ କାଟିଲା ବେଳକୁ କଳାରାଜନ ତହିଁ ଭିତରେ ଥାଇ ବୋଇଲା, ମା ଧୀରେ କାଟିବୁ ଟି, ମୁଁ ହାଣି ହୋଇଯିବି । ବଡ଼ରାଣୀ ମାଛ ଭିତରେ ମନିଷତୁଣ୍ଡ ଶୁଣି ଧୀରେ ବେକଠଉଁ କାଟିଲାବେଳକୁ କଳାରାଜନ ବାହାରି ପଡ଼ିଲା । କହିଲା ତେମେ ମୋର ଧର୍ମର ମା, ମୁଁ ତୁମର ଧର୍ମର ପୁଅ, ଅସୁରୁଣୀର ସବୁକଥା କହିଗଲା । ବଡ଼ରାଣୀ ଶୁଣିଲେ, ପୁଅଟିକୁ ରଖିଲେ, ରହିଲେ, ଏଣେ ଅସୁରୁଣୀ ସବୁ ଗେଣ୍ଡାରୁ କଇଁଛ ପର୍ଯ୍ୟନ୍ତ ସୁଙ୍ଘୁଥାଏ, ଖାଇ ଦେଉଥାଏ, କହୁଥାଏ ଏଥିରେତ ସେ କାଠେଇଖିଆ ନାହିଁ କୁଆଡ଼େ ଗଲା ? ଏହିପରି କରି ପୋଖରୀକ ମାଛ କଙ୍କଡ଼ା ସବୁ ଖାଇଲା-। କେତେବେଳ ସରିକି ଶୁଣିଲା ବଡ଼ରାଣୀଙ୍କ ଉଆସକୁ ଯୋଡ଼ାଏ ବଡ଼ମାଛ ଯାଇଚି, ସେଥିରୁ ଗୋଟିଏ ପୁଅ ବାହାରିଚି କହିଲା ସେଥିରେତ କାଠେଇଖିଆ ଚାଲିଗଲା । ଏହା କହିଲା ତୁନିହୋଇ ରହିଲା । କିଛିଦିନ ଗଲା ଅସୁରୁଣୀର ଗର୍ଭ ହେଲା, ତା’ର ପୁଅଟିଏ ହେଲା । ପୁଅଟିକି ଦଶ ବାର ବରଷ ହୋଇଗଲା ଯାଉଁ ଘୋଡ଼ା ଚଢ଼ି ଶିଖିଲା, କାଣ୍ଡମାରି ଶିଖିଲା । ବଡ଼ରାଣୀ ପୁଅ କଳାରାଜନ ସାଙ୍ଗେ ଘୋଡ଼ା ଦଉଡ଼ କରେ, କାଣ୍ଡ ମାରେ । କଳାରାଜନ ଯେମନ୍ତି ଘୋଡ଼ା ଦୌଡ଼ କରିପାରେ, ଯେମନ୍ତି କାଣ୍ଡ ମାରିପାରେ, ଅସୁରୁଣୀ ପୁଅକୁ ସେମନ୍ତି ଆସେ ନାହିଁ । ଅସୁରୁଣୀ ପୁଅର ସୁନାନଳ, ସୁନାକାଣ୍ଡ, କଳାରାଜନର ବାଉଁଶନଳ ବାଉଁଶ କାଣ୍ଡ । କଳାରାଜନ ବାଉଁଶକାଣ୍ଡକୁ ଯୋଉଁଠିକି ଲାଖ କରେ, ସେଇଠି ପଡ଼େ, ଅସୁରୁଣୀ ପୁଅର ସୁନାକାଣ୍ଡ ଏଣେତେଣେ ହୋଇ ଚାଲିଯାଏ-। ଦିନେ ଅସୁରୁଣୀ ପୁଅ କଳାରାଜନକୁ କହିଲା, ଭାଇ ତେମେ ଏ କାଣ୍ଡକୁ ମାର, ମୁଁ ତମ କାଣ୍ଡ ମାରେ । କଳାରାଜନ ସୁନାକାଣ୍ଡକୁ ମାରିଦେଲା ଯେ ଯାଇ ଅସୁରୁଣୀ ରାଇଜରେ ପଡ଼ିଲା, ବୁଢ଼ୀ ଅସୁରୁଣୀର ସାନ ଝିଅ ଗୋଟାଇକରି ରଖିଥାଏ । ଅସୁରୁଣୀ ପୁଅ ଯାଇ ମା’ ଆଗରେ କହିଲା, ଭାଇ ମୋ କାଣ୍ଡ କୁଆଡ଼େ ମାରିଦେଲା ଆଉ ମାଗି ମାଗି ମତେ ଦେଉନାହିଁ-। ଅସୁରୁଣୀ କଳାରାଜନକୁ ଡକାଇ କହିଲା ମୋ ପୁଅର କାଣ୍ଡ ଆଣି ଦେ ନଇଲେ ତୋର ମୁଣ୍ଡ କାଟହେବ-। ଏ ଯାଇଁ ବଡ଼ରାଣୀ ଆଗରେ କହିଲା, ମା ମତେ ଛଅମାସ ଛୁଟିଦିଅ, ମୁଁ ତାଙ୍କ କାଣ୍ଡ ଆଣିଦେବି-। ଏ କାନ୍ଦୁଣିମାନ୍ଦୁଣି ହୋଇ ବିଦାୟ ଦେଲା । କଳାରାଜନ ଘୋଡ଼ାରେ ଚଢ଼ି ବାହାରିଲା, ଯାଇ ପାରାରଜା ଦେଶରେ ପହୁଞ୍ଚିଲା । ପାରାରଜା ଝିଅକୁ ବର ମିଳୁନଥାଏ ଯେ ସେ ଚୁଆ ଗାରେ, ଚନ୍ଦନ ଗାରେ, ଗନ୍ଧକ ଗାରେ କାଟିଦେଇ ବସିଚି, କଳାରାଜନ ସେ ଗାର ଡେଇଁ ଦେଇ ଘୋଡ଼ା ନେଇଗଲା-। ପାରାରଜା ଝିଅ ଧାଈ ଦଉଡ଼ି ଆସି କଳାରାଜନକୁ ଡାକିଲା କହିଲା କୁଆଡ଼େ ଯାଉଚ ଫେରି ଆସ; ଆମ ଦେଈଙ୍କର ସତ୍ୟ ହୋଇଚି ଏ ଗାର ଯେ ଡେଇଁବ ସେ ତାଙ୍କୁ ବିଭା ହେବ-। କଳାରାଜନ କହିଲା ହଉ ତେବେ ରହୁଚି । ରାଜାଙ୍କ ପାଖକୁ ଖବର ଗଲା; ବିଭାଘରର ଯୋଗାଡ଼ ହେଲା, ବିଭାଘର ହେଲା । ଚତୁର୍ଥୀ ଦିନ ରାତିରେ କଳାରାଜନ ପାରାରଜା ଝିଅକୁ କହିଲା ହେ ତମ ରାଜ୍ୟରେ ପଟେ ସୁନାକାଣ୍ଡ ପଡ଼ିଚି କି ? ଏ କହିଲା ଆମ ଦେଶରେ ପଡ଼ିନାହିଁ, ଅପାରାଇଜରେ ପଡ଼ିଥିବ । ଏ କହିଲା ଅପା ରାଇଜ କୋଉଠି, ଏଠିକି କେତେ ବାଟ ? ପାରାରଜା ଝିଅ କହିଲା ବାଘରଜା ଦେଶରେ, ଏଠିକି ପାଏ ବାଟ ହେବ । ତହିଁ ଆରଦିନ କଳାରାଜନ ବାଘରଜା ଦେଶକୁ ବାହାରିଲା, ଯାଉଚି ବାଘରଜା ଝିଅକୁ ବର ମିଳୁ ନ ଥାଏ ଯେ ସେ ସେହିପରି ତିନିଗାର କାଟିଦେଇ ବସିଚି, ସେ ଗାର ଡେଇଁ ଚାଲିଗଲା । ଧାଈ ସେହିପରି ଡାକି ଆଣିଲା, ରଜା ଜାଣିଲେ ବିଭାଘର ହେଲା । ଚତୁର୍ଥୀ ଦିନ କଳାରାଜନ ବାଘରଜା ଝିଅକୁ କାଣ୍ଡକଥା ପଚାରିଲା । ଏ କହିଲା ଆମ ରାଇଜରେ ପଡ଼ିନାହିଁ ଅପାରାଇଜରେ ପଡ଼ିଥିବ । କଳାରାଜନ ପଚାରିଲା ଅପାଘର କୋଉଠି, ଏଠିକି କେତେବାଟ ହେବ ? ବାଘରଜା ଝିଅ କହିଲା ଅପାଘର ବାର୍‍ହା ରଜା ଦେଶରେ, ଏଠିକି ପାଏ ବାଟ ହେବ । ତହିଁ ଆରଦିନ କଳାରାଜନ ଘୋଡ଼ାରେ ଚଢ଼ି ବାର୍‍ହା ରଜା ଦେଶକୁ ଗଲା-। ସେଠାରେ ସେହିପରି ବାର୍‍ହା ରଜା ଝିଅକୁ ବର ମିଳୁ ନ ଥାଏ ବୋଲି ସେ କଳା, ଧଳା, ହଳଦିଆ ତିନିଗାର କାଟି ବସିଚି, କଳାରାଜନ ଗାର ଡେଇଁ ଚାଲିଗଲା । ତାକୁ ସେଠାରେ ଅଟକାଇ, ବାର୍‍ହା ରଜାଝିଅ ସଙ୍ଗେ ବିଭା କରାଇଦେଲେ । ଚତୁର୍ଥୀ ଦିନ ଏ ସେହିପରି କହିଲା, ସୁନାକାଣ୍ଡ ଏଠି ପଡ଼ିନାହିଁ, ଅପାରାଇଜ ଯମରଜା ଦେଶରେ ପଡ଼ିଥିବ । କଳାରାଜନ ତହିଁ ଆରଦିନ ଯମରଜା ଦେଶକୁ ଗଲା, ଯମରଜା ଝିଅକୁ ସେହିପରି ବିଭା ହେଲା; ଯମରଜା ଝିଅ କାକଚରିତ ପଢ଼ା, ତାକୁ ତିନିପୁରର କଥାଜଣା । ଏ ଯୋଉଠୁ ପଚାରିଲା ସୁନାକାଣ୍ଡ ପଟେ ଏ ଦେଶରେ ପଡ଼ିଚିକି-? ସେ କହିଲା ଆମ ରାଇଜରେ ପଡ଼ିନାହିଁ, ବୁଢ଼ୀଅସୁରୁଣୀ ରାଇଜରେ ପଡ଼ିଚି, ତା ସାନଝିଅ ପାଇକରି ରଖିଚି । ତେମେ ଯେମନ୍ତ ଆଣିବାକୁ ଯିବ, ଏଇୟା କରିବ, ଅସୁରୁଣୀ ଛ ଝିଅ ଆଉ ବୁଢ଼ୀଅସୁରୁଣୀ ଖରା ପୁଆଉଁଥିବେ, ତେମେ ଯିବ ମେଘନାଦ ପାଚେରୀକି ଡେଇଁ ପଡ଼ିବ, ସବା ସାନଝିଅକୁ ବିଧାଏ ପକାଇବ; କହିବ ତୋର କଣ ମନେ ନାହିଁକି, ତୁ ହୋଇଥିଲୁ ଛ ମାସର ମୁଁ ହୋଇଥିଲି ବରଷକର, ତୋର ମୋର ବିଭାଘର ହୋଇଥିଲା, ତୁ ଏବେ ମତେ ଚିହ୍ନିପାରୁନାହୁଁ ? ଏହା କହିବ, ତାକୁ କାନି ଧରି ଘରକୁ ଝିଙ୍କି ନେଇଯିବ । ଏପରି କଲାକ୍ଷଣି ଆଉ ସମସ୍ତେ ବାହାରିଯିବେ ଦେଢ଼ଶାଶୁ ଶାଶୁ ମାନନା କରି, ତମକୁ ସେ ଘରକୁ ଡାକି ନେଇଯିବ, କଥାବାର୍ତ୍ତା ହେବ, ତେମେ ତାକୁ କଥାରେ କଥାରେ ସବୁ ପଚାରିନେବ । କଳାରାଜନ ସବୁ ଶୁଣିଲା, ତହିଁ ଆରଦିନ ଘୋଡ଼ାରେ ବସି ଅସୁରୁଣୀ ରାଇଜକୁ ଗଲା, ଯମରଜା ଝିଅ ଯେମନ୍ତି କହିଥିଲା ସବୁ ସେମନ୍ତ କଲା । ବୁଢ଼ୀଅସୁରୁଣୀ ଆଉ ତାର ବଡ଼ଝିଅମାନେ କୁଆଡ଼େ ଚାଲିଗଲେ ଜୋଇଁ ମାନନ୍ତା ଲେଖା କରି, ଏ ଦିହେଁଯାକ ରହିଲେ, କଥାବାର୍ତ୍ତା ହେଲେ । କଳାରାଜନ କହିଲା ତମ ଦେଶରେ ପଟେ ସୁନାକାଣ୍ଡ ପଡ଼ିଚି କି-? ଏ କହିଲା ହଁ ପଡ଼ିଥିଲା । ମୁଁ ପାଇ ରଖିଚି, ଏହା କହିଲା, ଯୋଉ ଘରେ ରଖିଥିଲା ତାକୁ ଫିଟାଇ ଆଣିବାକୁ ଗଲା । କଳାରାଜନ ତା ସାଙ୍ଗେ ସାଙ୍ଗେ ଯାଇଥାଏ, ଦେଖିଲା ସେ ଘରେ ଗୋଟିଏ ଭାଡ଼ି ଉପରେ ଆଠଟି ଲାଉ ଥୁଆ ହୋଇଚି । ଏ ପଚାରିଲା ଏ ଲାଉଗୁଡ଼ାକ କାହିଁକି ଅଛି ? ଅସୁରୁଣୀ ଝିଅ କହିଲା, ଏଥିରେ ସବୁ ଆମ୍ଭମାନଙ୍କର ଜୀବନ ଅଛି; ଏ ବଡ଼ଟିରେ ମୋ ମାର, ୟାଠାରୁ ଯୋଉଟି ସାନ ସେଇଟା ମୋ ବଡ଼ଭଉଣୀର, ସେ କେତେଦିନ ହେଲା କୁଆଡ଼େ ଯାଇଚି ଆସିବାକୁ ନାହିଁ, ସବା ସାନଟି ମୋର, ଆଉ ଗୁଡ଼ାକ ମୋ ଭଉଣୀମାନଙ୍କର, ଏହିପରି ସବୁ ଦେଖାଇଦେଲା-। କଳାରାଜନ କ’ଣ କଲାନା ସେ ସାନ ଲାଉଟିକୁ ଘେନି ଆସି ପିଟିଦେଲା ଯେ ସାନ ଅସୁରୁଣୀ ମରିଗଲା । ସାନ ଅସୁରୁଣୀ ମରିଗଲା ଯୋଉଠୁ ଆଉ ଛଅଟା ଲାଉ ବାଡ଼େଇ ଦେଲା, ବଡ଼ ଭଉଣୀର ଲାଉଟି ଆଣିଲା, ସୁନାନଳ ସୁନାକାଣ୍ଡ ଘେନିଲା, ଆସି ଯମରାଜା ଦେଶରେ ପହଞ୍ଚିଲା, କହିଲା ଆମକୁ ବିଦା କରିଦିଅ । ଯମରଜା ଝିଅ ଶିଖାଇଥାଏ ତେମେ ବାପାଙ୍କୁ କିଛି ମାଗିବ ନାହିଁ, ଗଲାବେଳକୁ କହିବ ମତେ ସେ ଛୋଟୀ ଯମଟିକୁ ଦିଅ । ଯମରଜା ଝିଅ ଜୋଇଁଙ୍କୁ ବିଦାକଲେ, ଯିବାବେଳକୁ କଳାରାଜନ କହିଲା ମତେ ସେ ଛୋଟୀ ଯମଟିକୁ ଦିଅନ୍ତୁ, ଯମରାଜା କହିଲେ ଝିଅ ନ କହିଥିଲେ କି ଜୋଇଁ ମାଗନ୍ତା ? ହଉ ଦିଅ, ଏହା କହିଲେ ଛୋଟୀ ଯମଟିକୁ ଦେଇ ବିଦା କରାଇ ଦେଲେ । ସେଠାରୁ ଆସି ଯମରାଜାଝିଅକୁ ବାଟରେ ରଖାଇ, କଳାରାଜନ ବାର୍‍ହା ରଜା ଘରକୁ ଗଲା, କହିଲା ମତେ ବିଦା କରିଦିଅ ମୁଁ ଯିବି, ବାଟରେ ମନିଷ ବସିଛନ୍ତି । ବାର୍‍ହା ରଜାଝିଅ ସେହିପରି କହିଥାଏ ତେମେ ଗଲାବେଳେ ବାପାଙ୍କୁ ଛୋଟୀ ବାର୍‍ହା ଟିକି ମାଗିବ । ବାର୍‍ହା ରଜା ସବୁ ଦେଲା, ବିଦା କଲାବେଳକୁ କଳାରାଜନ କହିଲା ଆପଣଙ୍କ ଛୋଟୀ ବାର୍‍ହାଟିକୁ ମତେ ଦିଅନ୍ତୁ-। ଛୋଟୀ ବାର୍‍ହାଟିକି ଦେଲେ, ବିଦା କରିଦେଲେ । ଆସିଲେ ସମସ୍ତେ ବାଟରେ ଠାଏ ରହିଲେ, ଏ ବାଘରଜା ଘରକୁ ଆସିଲା । ସେଠାରୁ ବିଦା ହୋଇ ଆସିଲା, ଆସିଲାବେଳକୁ ଛୋଟୀ ବାଘଟିକୁ ଯୌତୁକରେ ଆଣିଲା । ସେଠାରୁ ପାରାରଜା ଘରେ ପହଞ୍ଚିଲା, ପାରାରାଜା ବି ସେହିପରି ବିଦା କଲା । ପାରାରାଜାଠାରୁ ଛୋଟୀପାରା ଯୌତୁକ ଆଣିଲା । ସମସ୍ତେ ଏକାଠି ଠୁଳ ହେଲେ, ଆସିଲେ । ଆସିକରି ଘର ପାଖରେ ପହଞ୍ଚିଲେ ଯୋଉଠୁ ବଡ଼ରାଣୀଙ୍କି ସମସ୍ତେ କହିଲେ, ତୁମପୁଅ ଚାରିକନ୍ୟାକୁ ବିଭା ହୋଇ ଆସିଚି । ଏ କହିଲା ମୁଁ ଆଉ କୋଉଠୁ ଆଉ ପୁଅ ପାଇବି, ପୁଅ ତ ବରଷେ ହେଲା କୁଆଡ଼େ ଗଲାଣି, ମୁଁ କୋଉଠୁ ପୁଅବୋହୂ ଦେଖିବି । ଏହା କହୁ କହୁ ପୁଅବୋହୂ ଆସି ଦାଣ୍ଡ ଦୁଆରେ ପହଞ୍ଚିଲେ । ଯେତେ କହିଲେ ଆଉ ସତ କରୁ ନ ଥାଏ, ଦାଣ୍ଡକୁ ଯାଉନଥାଏ-। ବୋହୂମାନେ ସୁଆରି ଯାଉଁ ଦାଣ୍ଡ ଦୁଆରେ ଥୁଆ ହେଲା, ବଡ଼ରାଣୀ ଗଲା ଭାତନୁଞ୍ଚାଣି କରି ପୁଅବୋହୂଙ୍କୁ ଘରକୁ ଘେନି ଆସି ବନ୍ଦାପନା କଲା । ବୋହୂମାନେ ଘରେ ରହିଲେ, କଳାରାଜନ ଗଲା କାଣ୍ଡ ଦେବାକୁ, ଅସୁରୁଣୀକି ଦଣ୍ଡବତ କଲା । ଅସୁରୁଣୀ କହିଲା, ‘ସଞ୍ଜେ ଫୁଟି ସକାଳେ ଯା ଜହ୍ନିଫୁଲ ପରି ଆଇଷ ପା’ ଏହିପରି କଲ୍ୟାଣ କଲା । ଦିନେ ଦି ଦିନ ଗଲା, ଅସୁରୁଣୀର ମନ କେମନ୍ତି କଳାରାଜନକୁ ମାରିବ; କହିଲା ବେଣ୍ଟ ପୋଖରୀ ଉପରେ ଜମି ମାଣେ ହେବ ତହିଁରେ ସୋରିଷ ଡୋଲିଏ ବୁଣା ହେବ, ତାକୁ ଯେବେ ରାତି ରାତି ଗୋଟେଇ କାଲି ସକାଳୁ ଥୋଇଥିବୁ ତ ତୋ ମୁଣ୍ଡ ରହିବ, ନଇଲେ ତୋ ମୁଣ୍ଡ କଟା ହେବ । କଳାରାଜନ ଆସିଲା ଘରକୁ ମୁହଁ ଶୁଖାଇଦେଇ ବସିଥାଏ । ସେଦିନ ପାରାରଜା ଝିଅର ପାଳି ହୋଇଥାଏ । ପାରାରଜା ଝିଅ ରାନ୍ଧି ସାରିଲା, ଭାତ ବାଢ଼ିଲା, କଳାରାଜନକୁ ଡାକିବାକୁ ଗଲା, ଦେଖେ ଯେ କଳାରାଜନ ମୁହଁ ଶୁଖାଇଦେଇ ବସିଚି । ପାରାରଜା ଝିଅ କହିଲା, ତମେ ସବୁରି ପାଳି ଦିନ ହସ ହସ ହୁଅ, ମୋ ପାଳିରେ କାହିଁକି ମୁହଁ ଶୁଖାଇ ବସିଥାଅ ? ଏ କହିଲା ହସିବି କଣ, ଜଣକ ଲାଗି ଚାରିଜଣ ବିଧବା ହେବେ । ପାରାରଜା ଝିଅ କହିଲା ଏହା କାହିଁକି କହିଲ ? କଳାରାଜନ କହିଲା ଦେଖ ଆମ ଆର ମା’ଙ୍କର ହୁକୁମ ହୋଇଚି ବେଣ୍ଟପୋଖରୀ ଉପରେ ସୋରିଷ ଡୋଲିଏ ବିଞ୍ଚିଦେଇ ଆସିବେ, ଆଜି ତାକୁ କୋଉଠି ମୁଁ ରାତି ରାତି ତୋଳିକରି କାଲି ସକାଳୁ ଥୋଇଥିବି, ନଇଲେ ମୋ ମୁଣ୍ଡକାଟ ହେବ-। ପାରାରଜା ଝିଅ କହିଲା ଓହୋ ! ଏଇ ଛାର କଥା ପାଇଁ ସେମିନ୍ତି କାହିଁକି ହେଉଚ ? ସେ କଥା ବୁଝାଯାଏ ସିନା, ତେମେ ଆସ ଖାଇବାକୁ ଯିବ । କଳାରାଜନ ଖାଇବାକୁ ଗଲା, ସମସ୍ତେ ଖାଇପିଇ ସାରିଲେ, ପାରାରଜା ଝିଅ ଛୋଟୀପାରାକୁ ଡାକି କହିଲା ତୁ ଅଇଛିକା ଯା ବାପାଙ୍କୁ କହିବୁ ତମ ଜୋଇଁକୁ ବିପତ୍ତି ପଡ଼ିଚି ତମର ଯେତେକ ପାରା ଅଛନ୍ତି ସମସ୍ତଙ୍କୁ ପଠାଇଦିଅ-। ଛୋଟୀପାରା ଗଲା ପାରାରଜାଙ୍କୁ କହିଲା । ସେ ତାଙ୍କ ରାଜ୍ୟରେ ଯେତେ ପାରା ଥିଲେ ସବୁ ପଠାଇ ଦେଲେ । ପାରାରଜା ଝିଅ କହିଲା ଯାଅ ବେଣ୍ଟ ପୋଖରୀ ଉପରେ ସୋରିଷ ବୁଣା ହୋଇଚି ତାକୁ ରାତି ମଧ୍ୟରେ ଖୁଣ୍ଟିକରି ଡୋଲିକିୟାରେ ପୂରାଇ ରଖିଦେଇ ଯିବ । ପାରାଯାକ ରାତି ନ ପାହୁଣୁ ସେହିପରି କରିଦେଇ ପାରାରଜା ଝିଅଠାରୁ ବିଦା ହୋଇଗଲେ । ସକାଳୁ ଅସୁରୁଣୀ ଉଠିଲାକ୍ଷଣି କଳାରାଜନ ସୋରିଷ ଡୋଲିକିୟା ଜିମା କରିଦେଲା । ଅସୁରୁଣୀ ମନେ ମନେ ବିଚାରିଲା ଏଥିରେତ ୟାକୁ ମାରିପାରିଲି ନାହିଁ, କଣ କରିବି ? ଆଉ ଏକ ବୁଦ୍ଧି ପାଞ୍ଚିଲା, କହିଲା ମୋର ବାଘ ଦୁଧ ଦରକାର, କାଲି ସକାଳୁ ଏଠାରେ ଯେମନ୍ତ ଭାରେ ବାଘଦୁଧ ଥୋଇଥିବୁତ ଆଛା ନଇଲେ ତୋର ମୁଣ୍ଡ ରହିବ ନାହିଁ । କଳାରାଜନ ସେଦିନ ସେହିପରି ମୁହଁ ଶୁଖାଇ ଦେଇ ଘରେ ବସିଥାଏ । ସେଦିନ ବାଘରଜା ଝିଅର ପାଳି । ସେ ପଚାରିଲା ଏମନ୍ତ ବିରସ କାହିଁକି ? ଏ ଅସୁରୁଣୀ ଯାହା ସବୁ କହିଥିଲା ସବୁ କହିଗଲା । ବାଘରଜାଝିଅ କହିଲା ଏଥିପାଇଁ ଏତେ ଭାବନା କାହିଁକି ? ତମେ ନିଶ୍ଚିନ୍ତ ହୋଇ ବସ ମୁଁ ସବୁ କରିଦିଏଁ ସିନା । ସମସ୍ତେ ଖାଇପିଇ ସାରିଲାରୁ ବାଘରଜାଝିଅ ଛୋଟୀବାଘକୁ ପଠାଇ ବାପଘରଗାଁରୁ ଦଶଭାର ବାଘଦୁଧ ଅଣାଇ ଅସୁରୁଣୀ ଦୁଆରେ ରଖାଇଦେଲା । ଅସୁରୁଣୀ ତହିଁ ଆରଦିନ ଉଠିଲାବେଳକୁ ଦୁଆରେ ଦୁଧ ଥୁଆହୋଇଚି । ଅସୁରୁଣୀ ଦେଖିଲା, ସେହିପରି ମନେ ମନେ ହେଲା, ଏଥିରେତ ମାରିପାରିଲି ନାହିଁ, କଣ କରିବି ? କଳାରାଜନକୁ କହିଲା କାଲି ସକାଳୁ ଦାଣ୍ଡଦୁଆରେ ଗୋଟିଏ ପୋଖରୀ ଖୋଳା ହୋଇଥିବ, ତହିଁରେ ଦୀପଦଣ୍ଡି ବସିଥିବ, ଚାରିପାଖରେ ପାହାଚବନ୍ଧା ହୋଇଥିବ, ରାଜହଂସ ଖେଳୁଥିବେ । ଏମନ୍ତ ଯେବେ ହୋଇଥିବ ତ ତୁ ଜୀବନରେ ଥିବୁ, ନଇଲେ ମୁଣ୍ଡ କାଟ ହେବ । ଏକଥା ବାର୍‍ହା ରାଜାଝିଅ ଶୁଣିଲା, ଛୋଟୀ ବାର୍‍ହାକୁ ପଠାଇ ବାର୍‍ହା ଦେଶରେ ଯେତେ ବାର୍‍ହା ଥିଲେ ସମସ୍ତଙ୍କୁ ଅଣାଇଲା । ସେମାନେ ରାତି ରାତି ପୋଖରୀ ଖୋଳି, ଦୀପଦଣ୍ଡି ବସାଇ ପାହାଚ ବାନ୍ଧି ଚାଲିଗଲେ । ଅସୁରୁଣୀ ଉଠିଲାବେଳକୁ ପୋଖରୀ ଖୋଳାହୋଇଚି, ଦେଖିଲା କ’ଣ କହିବ ତୁନି ହୋଇ ରହିଲା । ସେଦିନ କଳାରାଜନ କହିଲା, ମୋର ଯେବେ ତୁ ନ କରି ପାରିବୁ ତୋର ମୁଣ୍ଡ ରହିବ ନାହିଁ । ତୁ କାଲି ସକାଳୁ ମୋର ସପ୍ତପୁରୁଷଙ୍କୁ ଆଣି ମୋ ଦୁଆରେ ଛିଡ଼ା କରିଥିବୁ, ମୁଁ ତାଙ୍କ ସଙ୍ଗେ କଥାବାର୍ତ୍ତା ହେବି । କଳାରାଜନ ଏକଥା ଯମରଜାଙ୍କ ଝିଅକୁ କହିଲା-। ଯମରାଜା ଝିଅ କହିଲା ଏ ଛାର କଥା ପାଇଁ ଏତେ ଭାବନା କାହିଁକି ? ବାପାଙ୍କ ପାଖକୁ ଖବରଦେଲେ ତ ସେ ପୁରର ସମସ୍ତଙ୍କୁ ପଠାଇ ପାରନ୍ତି, ସପ୍ତପୁରୁଷ କଣ ! ଯମରାଜାଙ୍କ ଝିଅ ଛୋଟୀ ଯମକୁ ଡକାଇ ପଠାଇ ଦେଲା, କହିଲା ବାପାଙ୍କୁ କହିବୁ ତମଝିଅ ଜୋଇଁଙ୍କୁ ବିପତ୍ତି ପଡ଼ିଚି ତମର ଯୋଉ ଯମପୋଥି ଖଣ୍ଡ ଅଛି ତାକୁ ଦିଅ । ଛୋଟୀ ଯମ ଯାଇ ଯମରଜାଙ୍କଠାରୁ ପାଞ୍ଜି ଘେନି ଆସିଲା । କଳାରାଜନ ଏହି ଯମଗଣ ପୋଥିକି ନେଇ ଅସୁରୁଣୀ ଘର ଦୁଆର ମୁହଁରେ ଫିଟାଇ ଲମ୍ୱାଇକରି ରଖି ଦେଇବସି ରହିଲା । ଅସୁରୁଣୀ ଉଠି ଦେଖେ ଯେ ତାର ସପ୍ତପୁରୁଷ ଦୁଆରେ ରୁଣ୍ଡ ହୋଇଅଛନ୍ତି । ଦେଖେ ଯେ ତାର ମା ଭଉଣୀଯାକ ସବୁ ମରି ତାଙ୍କ ସାଙ୍ଗେ ଅଛନ୍ତି-। ସେମାନଙ୍କୁ ପଚାରିଲା ତମେ ସବୁ କେମନ୍ତି ମଲ ? ଏମାନେ କଳାରାଜନ ଯାହା ଯାହା ସବୁ କରିଥିଲା ସବୁ କହିଲେ । କଳାରାଜନ ସେଉଠୁ କଣ କଲା ପୋଥିଖଣ୍ଡି ଘେନି ଆସିଲା, ଅସୁରୁଣୀର ଜୀବନ ଲାଉଟିକୁ ନେଇ ତାକୁ ଦେଖାଇଦେଲା । ଅସୁରୁଣୀ କହିଲା ମୋ ଲାଉ ଦେ, ଏ କହିଲା ମୋ ତିନି ସଙ୍ଗାତକୁ ଦେ, ଚାରି ଘୋଡ଼ା ଦେ, ମୁଁ ଲାଉ ଦେବି । ଅସୁରୁଣୀ କଣ କଲା ବାନ୍ତି କରି ପକାଇଲା ଯେ ତିନିସଙ୍ଗାତ ବାହାରି ପଡ଼ିଲେ, ଘୋଡ଼ା ଚାରିଟା ବାହାରିପଡ଼ିଲେ । କଳାରାଜନ ରାଜାଙ୍କୁ କହିଲା ବାପା ! ୟାକୁ ରଖିବ ନା ମାରିବ ? ରଜା କହିଲେ ୟାକୁ ଆଉ ରଖ ନାହିଁ ମାରିଦେ, କଳାରାଜନ ଲାଉଟିକୁ ପିଟିଦେଲା ଯେ ଅସୁରୁଣୀ ପ୍ରାଣ ବାହାରିଗଲା । ରଜାପୁଅ ବୋହୂ ଘେନି ଆନନ୍ଦରେ ଘରଦୁଆର କଲେ, ମୁଁ ଗଲାରୁ କଥା ନ କହିଲେ । ମୋ କଥାଟି ସରିଲା ଇତ୍ୟାଦି ।

 

(୧) ଏହାକୁ ରଖିବା ଉଚିତ୍‍ ନୁହେଁ ।

Image

 

ବାବାଜୀ କଥା

 

ଗୋଟିଏ ରଜାଟିଏ, ତାର ସାତ ଭାରିଯା । ସେ ରଜାର ଅଚଳାଚଳ ସମ୍ପତ୍ତି, ଭୋଗ କରିବ କିଏ ? ରାଣୀମାନଙ୍କର କାହାର ପୁଅ ଝିଅ ନଥାନ୍ତି । ରଜା ଭାରି ଚିନ୍ତା କରି ବନସ୍ତରେ ତପସ୍ୟା କରିବାକୁ ଗଲେ । ତପସ୍ୟା କରୁଚନ୍ତି, ଦିନେ ଗୋଟିଏ ସାଧୁ ଗୋସେଇଁ ଆସିଲେ, ପଚାରିଲେ କାହିଁକି ଏପରି କଷ୍ଟ ସହି ତପସ୍ୟା କରୁଚ ? ରାଜା କହିଲେ ମୋର ସାତ ଭାରିଯା, କାହାର କିଛି ସନ୍ତାନ ନାହିଁ । ସାଧୁ କହିଲେ ହଉ ଯା ତୋ ଗୁହାରି ଦିଅଁ ଶୁଣିଲେଣି, ଯା ଏ ଯୋଉ ଆମ୍ୱଗଛ ଦିଶୁଚି, ସେଥିକି ଗୋଟିଏ ଟେକା ପକାଇବୁ, ସାତଟି ଆମ୍ୱ ଝଡ଼ିବ, ନେଇ ଭାରିଯାମାନଙ୍କୁ ଦେବୁ, ବୁଝି ଲୋଭକରି ଆଉ ଟେକା ପକାଇବୁ ନାହିଁ । ରାଣୀମାନେ ସେ ଆମ୍ବ ଖାଇ ଗର୍ଭ ହେବେ, ସାତଟି ପୁଅ ଜନ୍ମ କରିବେ । ବାବାଜୀ ଏହା କହି ଗଲେ ବାହାରି । ରଜା ଗୋଟିଏ ଟେକା ପକାଇଲେ ଯେ ସାତଟି ଆମ୍ବ ପଡ଼ିଲା । ସାଧୁଙ୍କ କଥା ନମାନି ଲୋଭରେ ଆଉ ଗୋଟିଏ ଟେକା ପକାଇଲେ, ଆଉ ଆମ୍ବ ପଡ଼ିବ କଣ, ଯୋଉ ସାତଟି ପଡ଼ିଥିଲା ସେ ଗଛରେ ଲାଗିଗଲା । ରଜା କାନ୍ଦି ବୋବେଇ ମୁଣ୍ଡକଚାଡ଼ି ହେଲେ, ବନସ୍ତଯାକ ସେ ସାଧୁଙ୍କୁ ଖୋଜିଲେ । ଖୋଜି ଖୋଜି ତାଙ୍କୁ ପାଇଲେ, ତାଙ୍କ ଆଗରେ ସବୁକଥା କହିଲେ । ସାଧୁ କହିଲେ ମୁଁ ପରା ମନା କରିଥିଲି, ତୁ କାହିଁକି ଫେରେ ଟେକା ପକାଇଲୁ ? ଏହା କହି ସେ ଗଛମୂଳକୁ ଗଲେ, ସାତଟି ଆମ୍ବ ପାରିଲେ, ରଜାକୁ ଦେଲେ, କହିଲେ ତୋର ସାତଟି ପୁଅ ହେବେ, ସବା ବଡ଼ ପୁଅଟି ମତେ ଦେବୁ । ରଜା ଆମ୍ବ ଘେନି ଘରକୁ ଆସିଲେ, ରାଣୀମାନଙ୍କୁ ଗୋଟିଏ ଗୋଟିଏ ଦେଲେ । ରାଣୀମାନେ ଗର୍ଭ ହେଲେ, ଯଥା ସମୟରେ ସାତଟି ପୁଅ ଜନ୍ମ କଲେ । ଷଠୀ, ପଞ୍ଚୁଆତି, ଏକୋଇଶା ସବୁ ଗଲା, ପୁଅମାନେ ବଢ଼ିଲେ ଯେମନ୍ତି ଗୋଟିଏ ଗୋଟିଏ ପୁନିଅ ଚାନ୍ଦ । ବଡ଼ ପୁଅଟି ସମସ୍ତଙ୍କଠାରୁ ସୁନ୍ଦର ହୋଇଥାଏ-। ପିଲାମାନେ ବଡ଼ ବଡ଼ ହୋଇଗଲେ, ପାଠ ପଢ଼ିଲେ, ଘୋଡ଼ାଚଢ଼ି ଶିଖିଲେ, କାଣ୍ଡମାରି ଶିଖିଲେ; ରାଣୀମାନଙ୍କ ଗୋଡ଼ ଆଉ ତଳେ ପଡ଼ୁ ନଥାଏ । ଦିନେ ସେ ସାଧୁ ଗୋସେଇଁ ଆସିଲେ ପୁଅ ନବା ପାଇଁ । ରଜା କଣ କଲେ ବଡ଼ ପୁଅକୁ ଲୋଭ କରି ଦେଲେ ନାହିଁ । ସବା ସାନ ପୁଅଟିକି ଦେଲେ-। ତାକୁ ନେଇଯାଉଚନ୍ତି, ବାବଜୀ ପଚାରିଲେ, ତୁମ୍‌ ଝାଡ଼୍‌ ଯାଓଁ ନା ଜଙ୍ଗଲ ଯାଁଓ, ଏ କହିଲା ହାମ୍‌ ରାଜାକା ବେଟା ରାଜଦାଣ୍ଡମେ ଯାଁଓ । ବାବାଜୀ ସେଉଠୁ ଜାଣି ପାରିଲେ, ଏ ବଡ଼ପୁଅ ନୁହେଁ, ରଜା ମତେ ଠକି ଦେଇଚି ବୋଲି କହି ତାକୁ ନେଲେ, ରଜାଙ୍କୁ ଫେରାଇ ଦେଲେ, କହିଲେ ଏତ ମୋର ନୁହେଁ ମୁଁ କାହିଁକି ନେବି ? ରଜା ସାନପୁଅକୁ ରଖିଲେ, ତା ଉପର ପୁଅକୁ ଦେଲେ । ସେ ବି ସେହିପରି ବାବାଜୀଙ୍କି ବାଟରେ କହିଲା । ବାବାଜୀ ତାକୁ ବି ଫେରାଇ ଦେଲେ । ବଡ଼ପୁଅକୁ ଛାଡ଼ି ଆଉ ଚାରିପୁଅଙ୍କୁ ରଜା ସେହିପରି ଦେଲେ, ବାବାଜୀ ତାଙ୍କୁ ବି ଫେରାଇ ଦେଲେ-। ସବା ଶେଷକୁ ରଜା ବଡ଼ ପୁଅକୁ ଦେଲେ । ବାବାଜୀ ତାକୁ ପଚାରିଲେ, ବେଟା ! ଝାଡ଼ ଯାଓଁ କି ଜଙ୍ଗଲ ଯାଓଁ-? ଏ କହିଲା ବାବାଜୀକା ବେଟା, ବାବାଜୀ ଯାହା ଯାଓଁ ହାମ୍ ତାହାଁ ଯାଓଁ । ବାବାଜୀ ୟାକୁ ନେଲେ ଘରେ ରଖିଲେ, ଆପଣାର ଘରଦୂଆର ଦେଖାଇଲେ, ଖାଲି ଗୋଟିଏ ଘର ଦେଖାଇଲେ ନାହିଁ-। ଏ ବାବାଜୀ ନୁହେଁ ଗୋଟିଏ ପିଲାଖିଆ ଅସୁର; ସାଧୁଗୋସେଇଁ ରୂପ ଧରି ଏତେ ନବରଙ୍ଗ କରିଥିଲା-? ଦିନେ ବାବାଜୀ ୟାକୁ ଘରେ ରଖି କୁଆଡ଼େ ଗଲା । ଏ ଯୋଉ ଘର ବାବାଜୀ ଦେଖାଇ ନଥିଲା, ସେ ଘର ଫିଟାଇ ଦେଖେ ଯେ ସେ ଘରେ ଗୁଡ଼ାଏ ପିଲାଙ୍କ ମୁଣ୍ଡ ଟଙ୍ଗା ହୋଇଚି । ଏ ମୁଣ୍ଡ ସବୁ ୟାଙ୍କୁ ଦେଖି ହସିଲେ । ଏ ପଚାରିଲା କାହିଁକି ହସିଲ ? ଏମାନେ କହିଲେ, ତୁ ତ ଏହିକ୍ଷଣି ଆମ ପାଖକୁ ଆସିବୁ । ବାବାଜୀ ଯାଇଚି ତେଲ ଆଣିବାକୁ, ତେଲ ଆଣିଲେ ତତେ କହିବ ଅହିୟା ଖୋଳ, ଚୁଲ୍ଲୀଲଗା, ଟକଣା ବସା । ତୁ ଯଦି ଗୋଟିଏ ବୁଦ୍ଧି କରିବୁ ତେବେ ସେ ତୋତେ ମାରି ପାରିବ ନାହିଁ । ଯେତେବେଳେ ସେ କହିବ ଅହିୟା ଖୋଳ ତୁ କହିବୁ ମତେ ଆସେନା ତୁମେ ଆଗ ଖୋଳି ମତେ ଶିଖାଇଦିଅ ମୁଁ କରିବି । ସାଧୁ ଆହିୟା ଖୋଳି, ଚୁଲ୍ଲୀ ଲଗାଇ, ଟକଣା ବସାଇ, ତହିଁରେ ତେଲ ଅଜାଡ଼ି ତେଲ ଯେତେବେଳେ କଡ଼ କଡ଼ ହୋଇ ଫୁଟିବ, ତତେ କହିବ ତେଲରୁ ପାଣି ମଲାଣି କି ନା ଦେଖିଲୁ, ତୁ କହିବୁ ତେମେ ଆଗ ଦେଖ । ସେ ଯେତେବେଳେ ନଇଁପଡ଼ି ତେଲ ଟୁକୁଣାକୁ ଅନାଇବ, ତୁ ତା ମୁଣ୍ଡକୁ ତେଲ ଟୁକୁଣାରେ କରି ମାଡ଼ିଦେବ ଯେ ସେ ମରିଯିବ, ସେ ଯାହା ଆଉ ତେଲ ଟୁକ୍‌ଣାରେ ତୋ ମୁଣ୍ଡ ମାଡ଼ି ଦେଇ ମାରିପକାନ୍ତା, ତା ଆଉ କରି ପାରିବ ନାହିଁ । ଏ ଏହା ଶୁଣି, ସେ ଘର ବନ୍ଦ କରି ଦେଇ ଆସି ବସିଥାଏ । ବାବଜୀ ତେଲ ନେଇ ଆସିଲା, ମୁଣ୍ଡମାନେ ଯେମନ୍ତି କହିଥିଲେ ସେହିପରି କଲା-। ରଜାପୁଅ ଶେଷକୁ ବାବାଜୀର ମୁଣ୍ଡକୁ ଫୁଟନ୍ତା ତେଲରେ ମାଡ଼ିଦେଲା ଯେ ସେ ମରିଗଲା-। ରଜାପୁଅ ମନେ ବିଚାରିଲା ଏ ମୁଣ୍ଡମାନଙ୍କ ଯୋଗୁଁ ସିନା ମୁଁ ଉଦ୍ଧାର ପାଇଲି ମୁଁ ଏମାନଙ୍କୁ କିପରି ଉଦ୍ଧାର କରିବି, ସେଇଠି ବସି କାନ୍ଦିଲା । ଆସି ରାତି ଅଧ ହେଲାଣି, ଈଶ୍ୱର ପାର୍ବତୀ ଆକାଶରେ ଉଡ଼ିଯାଉଚନ୍ତି । ପାର୍ବତୀ କହିଲେ ରହିବଟି, ଆଜି କାହିଁକି ପୃଥିବୀଟା ଭାରି ଲାଗୁଚି ? ଈଶ୍ୱର କହିଲେ ଚାଲ ହୋ ଆମର ସେଥିରେ କଅଣ ଅଛି । ପାର୍ବତୀ କହିଲେ ଆମର ତ କିଛି ନାହିଁ, ଆମେ ସୃଷ୍ଟି ଭିଆଇଚୁଁ କାହିଁକି ? ଈଶ୍ୱର ପାର୍ବତୀ ଗଲେ ସେ ରଜା ପୁଅ ପାଖକୁ, ୟାକୁ ସବୁ ପଚାରିଲେ । ରଜାପୁଅ ସବୁ କହିଗଲା, ଯେପରି ଜନ୍ମ ହେଲା ଏଠାକୁ ଯେପରି ଆସିଲା-। ମୁଣ୍ଡମାନେ ଯାହା କହିଥିଲେ, ସବୁ ଆଦ୍ୟରୁ ପ୍ରାନ୍ତ ପର୍ଯ୍ୟନ୍ତ କହିଗଲା । ଈଶ୍ୱରପାର୍ବତୀ ଶୁଣିଲେ, କହିଲେ ହଉ ତେଣିକି ମୁହଁ ବୁଲା । ଏ ତେଣିକି ମୁଁହ ବୁଲାଇଲା, ଈଶ୍ୱର ପାର୍ବତୀ ଫୁଲପାଣି କରି ତିନିମୁଠା ଛିଞ୍ଚିଦେଲେ ଯେ, ସବୁ ହାଡ଼ ଚମ ଏକାଠି ଲାଗିଗଲା, ଆଉ ତିନିମୁଠା ଛିଞ୍ଚିଦେଲେ ଯେ ସମସ୍ତେ ଜୀଇ ଉଠିଲେ । ଈଶ୍ୱରପାର୍ବତୀ ଉଭେଇ ଗଲେ । ଏମାନେ ଯେ ଯାହା ଘରକୁ ଗଲେ, ରଜାପୁଅ ତା ଘରକୁ ଗଲା, ଯୁବରାଜ ହେଲା, ସୁଖରେ ଯୁଗ ରାଇଜ କଲା । ମୁଁ ଗଲାକୁ କଥା କହିଲା ନାହିଁ, ମୋ କଥାଟି ସରିଲା ଇତ୍ୟାଦି ।

Image

 

ଚମାରୁଣୀ ଝିଅ କଥା

 

ଗୋଟିଏ ଦେଶରେ ରଜାଝିଅ, ମନ୍ତ୍ରୀ ଝିଅ, ସାଧବ ଝିଅ, କଟୁଆଳ ଝିଅ ଚାରି ସଙ୍ଗାତ-। ଚାରିହେଁ ଏକାଠି ବନସ୍ତରେ ଯାଇ ଖେଳନ୍ତି । ଦିନକର ମଣ୍ଡାପିଠା ହୋଇଥିଲା, ଚାରି ସଙ୍ଗାତ ବନସ୍ତ ଭିତରେ ଖାଇବାକୁ ପିଠା ନେଇକରି ଗଲେ । ଖାଉଚନ୍ତି ମନ୍ତ୍ରୀ ଝିଅ କହିଲା ହେ, ମଣ୍ଡାଗଛ ଲଗାନ୍ତେଇଁ, ଆଉ ସମସ୍ତେ କହିଲେ ହଉ । ଗୋଟିଏ ମଣ୍ଡାପିଠାଟିଏ ପୋତିଦେଲେ, କହିଲେ କାଲିକି ଯେବେ ଗଜା ହୋଇଥିବୁ ନ ହେଲେ ମାମୁଁଘର କଟୁରୀରେ ହାଣିବୁ । ଏହିପରି କହି କହି ପିଠାଟି ଗଜା ଦେଲା, ଗଛ ହେଲା, ଗଛଟି ବଢ଼ିଲା, ଫୁଲ ଫୁଟିଲା, କଶି ଧରିଲା, ମଣ୍ଡାପିଠା ଫଳିଲା-। ଗଛଟି ମଣ୍ଡାପିଠାରେ ଲଦି ହୋଇଗଲା, କିସୁନ୍ଦର ଛେନା ଶାକର କର୍ପୁର ପୁରିଆ ପିଠାଟିମାନ-। ଗୋଟିଏ ଖାଇଲେ ମନରୁ ଛାଡ଼ିବ ନାହିଁ । ଚାରି ସଙ୍ଗାତ ପ୍ରତିଦିନ ସେ ବନସ୍ତକୁ ଯାନ୍ତି, ମଣ୍ଡାଗଛରେ ଚଢ଼ି ପିଠା ଖାନ୍ତି । ଦିନେ ଗଛରେ ଚଢ଼ି ପିଠା ଖାଉଚନ୍ତି, ଏହି ସମୟରେ ବୁଢ଼ୀଅସୁରୁଣୀ ସେ ବାଟରେ ଯାଉଥିଲା, ମଣ୍ଡା ଗଛ ମୂଳରେ ପହଞ୍ଚି କହିଲା ହଇଲୋ ଝିଏ, କଣ ଖାଉଚ, ମତେ ଗୋଟିଏ ଦିଅନ୍ତ । ମନ୍ତ୍ରୀଝିଅ ଗଛ ଅଗରେ ଥିଲା, ତା ତଳକୁ କଟୁଆଳ ଝିଅ, ତା ତଳକୁ ସାଧବଝିଅ, ମୂଳପାଖକୁ ରଜାଝିଅ ବସିଥିଲା, ମନ୍ତ୍ରୀଝିଅ ପିଠାଟିଏ ତୋଳି କଟୁଆଳଝିଅ ହାତକୁ, କଟୁଆଳଝିଅ ସାଧବଝିଅ ହାତକୁ, ସାଧବଝିଅ ରଜାଝିଅ ହାତକୁ ବଢ଼ାଇଦେଲା-। ରଜାଝିଅ ବୁଢ଼ୀଅସୁରୁଣୀ ହାତକୁ ଦଉଚି, ଅସୁରୁଣୀ ତାକୁ ଧରିନେଇ କାନ୍ଧରେ ବସାଇ ଚାଲିଲା-। ତିନି ସଙ୍ଗାତଯାକ କାନ୍ଦି ବୋବେଇ ଘରକୁ ଗଲେ, ସବୁକଥା ରଜା ଆଗରେ କହିଲେ । ରଜାଙ୍କର ବହୁତ ଖୋଜା ଲାଗିଲା, ଝିଅକୁ କୋଉଠି ପାଇଲେ ନାହିଁ । ଏଣେ ଅସୁରୁଣୀ ତାକୁ ନେଇ ନିଜ ଘରେ ପହଞ୍ଚିଲା । ଅଗନାଅଗନ ବନସ୍ତ ଭିତରେ ମେଘନାଦ ପାଚେରୀ ବୁଲିଚି, ତାହା ଭିତରେ ଅସୁରୁଣୀର ଘର । ଅସୁର ଅସୁରୁଣୀ ମନିଷ ଖାନ୍ତି । ଏ ବୁଢ଼ୀଅସୁରୁଣୀ ରଜାଝିଅକୁ ଖାଇଲା ନାହିଁ, ଘରେ ରଖି ଆପଣାର ଝିଅପରି କରିଥାଏ, ତାକୁ ସବୁ ଭଲ ଭଲ ଜିନିସ ଆଣି ଖାଇବାକୁ ଦିଏ-। ରଜାଝିଅ ମନ ସେଥିରେ ନଥାଏ, ସବୁବେଳେ ଖାଲି କାନ୍ଦୁଥାଏ । କିଛିଦିନ ଗଲା, ବୁଢ଼ୀଅସୁରୁଣୀ ରଜା ଝିଅକୁ ସବୁଘର ଦେଖାଇଲା, ଆଉ ଯେଉଁ ଘରେ ମନିଷ ଖାଇ ହାଡ଼ ପକାଇଥାଏ ସେ ଘର ଦେଖାଇଲା ନାହିଁ । ପ୍ରତିଦିନ ଅସୁରୁଣୀ ଚରିବାକୁ ଯାଏ, ସେ ନ ଥିଲା ସମୟରେ ରଜାଝିଅ ସେ ସବୁ ଘର ଦେଖେ, ଭୟରେ କାନ୍ଦେ । ରଜାଝିଅ ଦିନେ ଅସୁରୁଣୀଘରୁ ଖଣ୍ଡିଏ ପୋଥି ପାଇଲା, ତହିଁରେ ରୂପ ପରିବତ୍ତର୍ନ ବିଦ୍ୟାଥିଲା । ରଜାଝିଅ ତାକୁ ସବୁ ଶିଖିଲା । ଏହିପରି କେତେଦିନ ଅସୁରୁଣୀ ଘରେ ରହିଲା, ବେଶ ବଡ଼ଟିଏ ହେଲା । କିନ୍ତୁ ମନ କାହିଁରେ ଲାଗୁ ନଥାଏ, ଅସୁରୁଣୀ ବାହାରକୁ ଗଲା । କିନ୍ତୁ ମନ କାହିଁରେ ଲାଗୁ ନଥାଏ, ପାଚେରୀ କଣାରେ ବାହାରକୁ ଅନାଉଥାଏ-। ଦିନେ ସେ ବନସ୍ତକୁ ଆରଦେଶର ରଜାପୁଅ ପାରିଧିକି ଆସିଥିଲା । ବନସ୍ତ ଭିତରେ ଦିବ୍ୟସୁନ୍ଦର ଘରଟିଏ ଦେଖି ତା ଭିତରକୁ ଗଲା, ଦେଖିଲା ରଜାଝିଅ ବସି କାନ୍ଦୁଚି । ରଜାଝିଅ ୟାକୁ ଦେଖି କହିଲା ତେମେ କିଏ ? ଏଠାକୁ କାହିଁକି ଆସିଲ ? ଏ ଅସୁରୁଣୀଘର, ଅସୁରୁଣୀ ଆସି ତମକୁ ଦେଖିଲେ ଏହିକ୍ଷଣି ଖାଇଯିବ, ତେମେ ପଳାଅ । ରଜାପୁଅ ରଜାଝିଅର ପରିଚୟ ପଚାରିଲା, ସେ ଆଦ୍ୟଠାରୁ ପ୍ରାନ୍ତ ପର୍ଯ୍ୟନ୍ତ ସବୁ କହିଗଲା । ରଜାପୁଅ କହିଲା ମୁଁ ତୁମକୁ ଏଠାରୁ ଉଦ୍ଧାର କରିନେବି, ତେମେ ଆଜି ବୁଢ଼ୀଅସୁରୁଣୀ ଆସିଲାରୁ ତାକୁ ପଚାରିବ, ତା ଜୀବନ କୋଉଠି ଅଛି-। ଏହିପରି କଥାବାର୍ତ୍ତା ହେଉଚନ୍ତି । ଅସୁରୁଣୀ ଆସିଲା । ରଜାପୁଅକୁ ଆଉ ବୁଦ୍ଧି ଦିଶିଲା ନାହିଁ-। ରଜାଝିଅ ଅସୁରବିଦ୍ୟାବଳରେ ରଜାପୁଅକୁ ମାଛି ଆଉ ଘୋଡ଼ାକୁ ଭଁଅର କରିଦେଲା, ସେମାନେ ଓରା ଉପରେ ବସି ରହିଲେ ଅସୁରୁଣୀ ଆସି କହିଲା କେଉଁଠି ନରଦେହ ବାସୁଚି, ଘରର ଏକଣ ସେକଣ ସୁଙ୍ଘିଲା । ରଜାଝିଅ କହିଲା ଏଠାକୁ ଆଉ ମନିଷ କୋଉଠୁ ଆସିବ-? ମତେ ଯଦି ଖାଇବ ଖାଅ । ଅସୁରୁଣୀ ଏଥିରେ ଭୁଲିଗଲା, ଖାଇଲା ପିଇଲା ବସିଲା, ରଜା ଝିଅକୁ କହିଲା ଝିଅଲୋ-! ମୁଣ୍ଡରୁ ଗୋଟାଏ ଉକୁଣି ଦେଖନ୍ତୁ । ରଜା ଝିଅ ମୁଣ୍ଡ ଦେଖିଲା, ଗୋଡ଼ରୁ କଣ୍ଟା କାଢ଼ି ଦେଲା, ୟା ସବୁ କରୁଚି ବୁଢ଼ୀକୁ ପଚାରିଲା ହଇଲୋ ମା, ତୁ ମରିଗଲେ ମୁଁ କେଉଁଠି ରହିବି । ବୁଢ଼ୀ କହିଲା, ଅସୁରୁଣୀ କେବେ ସହଜରେ ମରନ୍ତି, ମତେ ଫେର୍ କିଏ ମାରିବ-? ଆର ଦେଶ ରାଜାର ବେଣ୍ଟ ପୋଖରୀ ଅଛି, ତହିଁରେ ସାତତାଳ ପାଣି, ସାତତାଳ ପଙ୍କ, ତା ଭିତରେ ଗୋଟିଏ ଫରୁଆ ଅଛି, ଫରୁଆ ଭିତରେ ଗୋଟିଏ ଭଅଁର, ସେ ଭଅଁରର ବେକ ଯଦି କେହି ମୋଡ଼ିଦେବ ତେବେ ମୁଁ ମରିବି । ଏହା କିଏ ଜାଣେ ଯେ କିଏ କରିବ ? ରଜା ପୁଅ ମାଛି ହୋଇ ଓରା ଉପରେ ଏସବୁ ଶୁଣୁଥାଏ, ଅସୁରୁଣୀ ଫେର୍‌ ଚରିବାକୁ ଗଲା, ରଜାପୁଅ ନିଜରୂପ ହୋଇ ଆପଣା ଦେଶକୁ ଗଲା-। ମୂଲିଆ ଡକାଇ ବେଣ୍ଟ ପୋଖରୀର ପାଣି ବୁହାଇଲା, ପଙ୍କ କଢ଼ାଇଲା, ଫରୁଆଟିକି ବାହାର କରି ତହିଁ ଭିତରୁ ଭଅଁରଟିକୁ କାଢ଼ି ବେକ ମୋଡ଼ିଦେଲା-। ଏଣେ ଅସୁରୁଣୀ ଘୋର ଗର୍ଜନ କରି ମରିଗଲା । ରଜାପୁଅ ବନସ୍ତକୁ ଯାଇ ରଜାଝିଅକୁ ଘୋଡ଼ାରେ ବସାଇ ଆପଣା ଦେଶକୁ ଘେନି ଆସିଲା । ଗାଁ ଖଣ୍ଡଦୂର ଅଛି, ରଜାଝିଅକୁ ଗୋଟିଏ ତରାଟ ଗଛମୂଳେ ବସାଇ କହିଲା ତମେ ଏଇଠି ବସିଥାଅ, ମୁଁ ଗାଁଠାରୁ ସଇନ ସାମନ୍ତ ପାଲିଙ୍କି ସୁଆରି ପଲଟଣ ଆଣି ତମକୁ ଏଇଠୁ ବିଭାହୋଇ ଘରକୁ ନେଇଯିବି । ଏହା କହି ରଜାପୁଅ ଘରକୁ ଗଲା-। ରଜାଝିଅ ଯେଉଁ ତରାଟ ଗଛମୂଳେ ବସିଥିଲା ତାହା ଆଗରେ ଗୋଟିଏ କୂଅ; ସେ ନିକଟରେ ଗୋଟିଏ ଚମାର ଘର-। ଚମାରଝିଅକୁ ମା କୂଅରୁ ପାଣି ଆଣିବାକୁ ପଠାଇଲା । ସେ କୂଅରେ ମାଠିଆ ପକାଇ ଭାଙ୍ଗିଦିଏ, ଘରକୁ ଫେରିଯାଏ, ଏହିପରି ଶଏ କି ଦୁଇଶ ମାଠିଆ ଭାଙ୍ଗିଲା-। ଶେଷରେ ମା ଖପା ହୋଇ ଗୋଟିଏ ଚମର ମାଠିଆ ଦେଲା । ଚମାର ଝିଅକୁ କହିଲା ମାଟିର ମାଠିଆ ଭାଙ୍ଗୁ ବୋଲି କି ଚମର ମାଠିଆ ଭାଙ୍ଗିବୁ ? ଚମାର ଝିଅ ରଜାଝିଅ ପାଖକୁ ଆସି ତାକୁ ତାହାର ପରିଚୟ ପଚାରିଲା-। ରଜାଝିଅ ସବୁ କଥା କହିଗଲା । ଏହିପରି କଥାବାର୍ତ୍ତା ହେଉ ହେଉ ଚମାର ଝିଅ ରଜା ଝିଅକୁ କହିଲା, ମତେ ଟିକିଏ ତମ ଝୁଣ୍ଟିଆ ଦିଅନ୍ତ, ଲଗାନ୍ତି କେମନ୍ତି ଦୁଶନ୍ତି-। ଝୁଣ୍ଟିଆ ନେଇ ଲଗାଉ ଲଗାଉ ରଜାଝିଅଠାରୁ ସବୁ ଅଳଙ୍କାର ନେଇ ଲଗାଇଲା । ରଜାଝିଅ ଓଲୁ କିଛି ବୁଝିପାରିଲା ନାହିଁ, ଶେଷରେ ରଜାଝିଅକୁ କହିଲା ତେମେ ମୋର ପିତ୍ତଳଖଡ଼ୁ, କଂସାମୁଦି ପିନ୍ଧନ୍ତ କିପରି ଦିଶନ୍ତ ଦେଖନ୍ତି । ରଜାଝିଅ ସେହିପରି କଲା, ଚମାର ଝିଅର ଲୁଗାପିନ୍ଧିଲା-। ଏହିପରି ବେଶ ବଦଳ ହେଲାରୁ ଚମାରଝିଅ ରଜାଝିଅକୁ କୂଅପାଖକୁ ଡାକି ନେଇ ତାକୁ କୂଅକୁ ଠେଲିଦେଲା-। ରଜାଝିଅ କୂଅରେ ପଡ଼ି ଗୋଟିଏ ପଦ୍ମଫୁଲ ରୂପରେ ରହିଲା । ଚମାରଝିଅ ରଜାଝିଅର ବେଶ ପିନ୍ଧି ତରାଟ ଗଛମୂଳରେ ବସି ରହିଲା । ଏଣେ ରଜାପୁଅ ସଇନସମାନ୍ତ ଆଣି ଦେଖେ ଯେ ରଜାଝିଅର ରୂପ କିପରି ଅସୁନ୍ଦର ହୋଇଯାଇଚି କେତେ ଭାବି ହେଲା କିଛି ବୁଝିପାରିଲା ନାହିଁ; କାହାକୁ କିଛି ନ କହି ବିଭା ହେଲା । ଚମାରଝିଅ ସେ ଦେଶର ରାଣୀ ହେଲା-। ଏହିପରି କେତେଦିନ ଗଲା, ଏଥିମଧ୍ୟରେ ବୁଢ଼ା ରଜା ମରିଗଲେ, ସେ ରଜାପୁଅ ରଜା ହେଲା-। ଦିନେ ରଜା ବୁଲିବାକୁ ଯାଉଚନ୍ତି, ସେ କୂଅ ପାଖରେ; ପହଞ୍ଚିଲେ, ଆାଚ୍ଛା ସୁନ୍ଦର ପଦ୍ମଫୁଲଟିଏ ଦେଖି ତୋଳିନେଇ ରାଣୀଙ୍କୁ ଦେଲେ । ରାଣୀ ବୁଝିଲେ ସେ ଯେଉଁ କୂଅରେ ରଜାଝିଅକୁ ପକାଇ ଦେଇଥିଲେ, ସେହି କୂଅରେ ଏ ପଦ୍ମଫୁଲ ଫୁଟିଥିଲା । ରଜାଝିଅ ଏ ପଦ୍ମଫୁଲ ହୋଇ ଫୁଟିଚି ଏହା ଜାଣିପାରି ସେ ଫୁଲଟିକି ଟିକିଟିକି କରି ଛିଣ୍ଡାଇ ନଳାମୁହଁକୁ ପକାଇଦେଲେ । କିଛିଦିନ ପରେ ରଜାଝିଅ ନଳାମୁହଁରେ ଲାଉ ଗଛଟିଏ ହୋଇ ଉଠିଲା । ବହୁତ ମାଡ଼ିଲା, ଫଳ ଯେ ଫଳିଲା ଅଗୋଚର । (୧) ରଜା ଦିନେ ଗୋଟିଏ ଲାଉ ତୁଉଣ କରିବାକୁ କହିଲେ । ରାଣୀ ଲାଉ ତୁଉଣ ବସାଇଛନ୍ତି, ଲାଉ ଘଡ଼ ଘଡ଼ ବାହାନାରେ ଶବ୍ଦକଲା, ‘ଘଡ଼ ଘଡ଼ ଲାଉ, ଚମାରୁଣୀ ହାତରେ କି ରଜାପୁଅ ଖାଉ ? ଏହିପରି ତିନି ଚାରିଥର ହେଲା । ଚମାର ଝିଅ ଶାଶୁଙ୍କୁ ଡାକି କହିଲା ଦେଖ ଲାଉ କଣ କହୁଛି । ‘ଘଡ଼ ଘଡ଼ ଲାଉ ରଜାପୁଅ ମୁଣ୍ଡ ନୂଆରାଣୀ ଖାଉ ।’ ଶାଶୁ ଏହା ଶୁଣି ଲାଉକୁ ବାରିଆଡ଼େ ଫୋପାଡ଼ି ଦେବାକୁ କହିଲେ, ରାଣୀ ଫୋପାଡ଼ି ଦେଇ ନିଶ୍ଚିନ୍ତ ହେଲେ । ରଜାପୁଅ ଖଇଲାବେଳେ ଲାଉ ମାଗିବାରୁ ରାଣୀମା କହିଲେ, ଲାଉ ଏପରି ଅମଙ୍ଗଳ କଥା କହିବାରୁ ଫୋପାଡ଼ି ଦେଲୁଁ । ଏହିପରି କେତେଦିନ ଗଲା, ସେ ଗଛର ଲାଉ ଆଉ କେହି ଖାଆନ୍ତି ନାହିଁ-। ଦିନେ ରଜା ବାରିଆଡ଼େ ବୁଲୁ ବୁଲୁ ଦେଖିଲେ ଯେ, ଉତ୍ତମ ଗୋଟିଏ ସୁନ୍ଦର ଟଭା ଗଛ ହୋଇଚି, ତହିଁରେ ଗୋଟିଏ ଟଭାଫଳ ପାଚିଚି । ରଜାଙ୍କର ଟଭାଟି ଖାଇବାକୁ ଲୋଭ ହେଲା, ତୋଳି ଆଣି ଘରେ ଥୋଇଦେଇ ଗାଧୋଇ ଆସିଲେ । ଖାଇବା ସମୟରେ ଛୁରୀ ଲଗାଇ ଟଭାଟି ଯେପରି କାଟିଦେଇଛନ୍ତି, ସେହିପରି ଟଭାଭିତରୁ ସେ ରଜାଝିଅ ବାହାରିପଡ଼ିଲା ! ରଜା ଆଚମ୍ବିତ ହୋଇଗଲେ, ପଚାରିଲେ ତେମେ କିଏ ? ରଜାଝିଅ ଆପଣାର ପରିଚୟ ଦେଲା ଆଉ ଚମାରଝିଅ ଯାହା ଯାହା କରିଥିଲା ସବୁ କହିଲା । ରଜାଝିଅକୁ ଗୋଟିଏ ଘରେ ଲୁଚାଇ କରି ରଖି ରଜା ରାଣୀମାଙ୍କ ପାଖକୁ ଯାଇ କହିଲେ, ବୋଉ ! ଆଜି ଗୋଟିଏ ସେ ଲାଉରୁ ତୁଉଣ କର । ନୂଆରାଣୀ ଏଥିପାଇଁ ମଙ୍ଗୁ ନଥାଏ, ରଜା ଏକ୍‌ଯିଦ କରିବାରୁ ତୁଉଣ ରାନ୍ଧିବାକୁ ଗଲା । ରଜା ରାଣୀମାଙ୍କ ସହିତରେ ସେଠାରେ ବସି ରହିଲେ, ଲାଉ କଣ କହିବ ଶୁଣିବାକୁ । ଲାଉ ଘଡ଼ ଘଡ଼ ହୋଇ ଆସିଲା, ଆଗପରି ଶବ୍ଦ କଲା, ‘ଘଡ଼ ଘଡ଼ ଲାଉ, ଚମାରୁଣୀ ହାତେ କି ରଜାପୁଅ ଖାଉ, ରାଣୀ ଭୟରେ ଥରୁଥାଏ ରଜା କିଛି ନ କହି ଚାଲିଗଲେ, ଦାଣ୍ଡଦୁଆରେ ଗୋଟାଏ ଟୋପର ଖୋଳାଇ, ରାଣୀଙ୍କି ଡକାଇଲେ, ତହିଁରେ ଧାନ କେତେ ସମାଇବ ଅନ୍ଦାଜ କରିବାକୁ । ରାଣୀ ବଡ଼ ମନ କଷ୍ଟରେ ଟୋପର ପାଖକୁ ଗଲେ, ପହଞ୍ଚିଲାକ୍ଷଣି ରଜା ଭିତରକୁ ଠେଲି ଦେଲେ, କହିଲେ ‘ଯା ଚମମାଠିଆରେ ପାଣି କାଢ଼ୁଥା’ । ତଳକଣ୍ଟା ଉପର କଣ୍ଟା ଛାଟିଦେଲେ ମାଟି ଚଢ଼ାଇଦେଲେ ସେ ରଜାଝିଅକୁ ବିଭା ହୋଇ ସୁଖରେ ଘର ଦୂଆର କଲେ, ମୁଁ ଗଲାକୁ କଥା ନ କହିଲେ, ମୋ କଥାଟି ସରିଲା ଇତ୍ୟାଦି ।

 

(୧) ଅସଂଖ୍ୟ ।

Image

 

ସାଧବବୋହୂ ଲୀଳାବତୀର କଥା

 

ଗୋଟିଏ ସାଧବଟିଏ, ତାହାର ସାତ ପୁଅ, ସାତ ବୋହୂ, ସବା ସାନ ବୋହୂଟିର ନାମ ଲୀଳାବତୀ । ଦିନକର ଗୋଟିଏ ଯୋଗୀ ଭିକ ମାଗି ଆସିଥିଲା, ତାର କେମନ୍ତି ଲୀଳାବତୀ ଉପରେ ନଜର ପଡ଼ିଲା । ସେ ସାଧବଦୁଆରେ ଭିକ ପାଇଁ ଡାକୁଥାଏ, ଯେ ଯେତେ ଭିକ ଯାଚିଲେ କାହାରି ହାତରୁ ନେଲା ନାହିଁ; କହିଲା ଯଦି ତମ ଘରର ସାନବୋହୂ ଭିକ ଦେବ ତ ନେବି ନଇଲେ ବେକରେ ଛୁରୀମାରି ମରିବି । ଭିକାରୀକୁ ଫେରାଇ ଦେବାର ନୁହେଁ, ସମସ୍ତେ କହିଲେ ସାନବୋହୂ ଖିଡ଼ିକି ବାଟରେ ହାତ ଗଳାଇ ଭିକ ଦେଉ । ଏ ଯୋଗୀ ପଦମନ୍ତ୍ର ଜାଣେ, ଭିକ ନେଲାବେଳେ ଲୀଳାବତୀକୁ କଣ ପଦ କରିଦେଲା ଯେ, ଲୀଳାବତୀ ଯୋଗୀ ସାଙ୍ଗରେ କୁକୁର ହୋଇ ଗୋଡ଼ାଇଲା । ଘରେ ପହଞ୍ଚି ଯୋଗୀ ଲୀଳାବତୀକୁ ମନିଷ କରି ତାକୁ ଘରେ ରଖିଲା, ଏଣେ ଲୀଳାବତୀର ବର ଆଉ ଦେଢ଼ଶୁରମାନେ ତାକୁ ଫେରାଇ ଆଣିବାକୁ କେତେ ଉପାୟ କଲେ । ପହିଲେ ବଡ଼ ଦେଢ଼ଶୁର ଯୋଗୀ ପାଖକୁ ଗଲା । ଯୋଗୀ ପଦୁଆବୋଲି ଯୋଗୀ ଘରକୁ ଗଲା ନାହିଁ ? ସେ ଗାଁରେ ଗୋଟିଏ ମାଲୁଣୀଘରେ ରହିଲା । ସେ ଗାଁରେ ଯେତେ ଲୋକ, ସମସ୍ତଙ୍କୁ ଯୋଗୀ ମନ୍ତ୍ର ଜୋରରେ କାହାକୁ ପଶୁ କାହାକୁ ପକ୍ଷୀ କରିନେଇଥାଏ, ଖାଲି ମାଲୁଣୀକି, ଲୀଳାବତୀ ପାଇଁ ଫୁଲ ଗୁନ୍ଥିଦେବ ବୋଲି ରଖିଥାଏ । ସାଧବପୁଅ ମାଲୁଣୀଘରେ ଅଛି, ଯୋଗୀ ଫୁଲ ନେବାକୁ ଆସିଲା, ମନ୍ତ୍ର ବଳରେ ଜାଣିପାରିଲା ଯେ ସାଧବ ପୁଅ ସେଠାକୁ ଆସିଚି । ତାକୁ ମାଲୁଣୀ ଘରୁ ବାହାର କରି ନେଇ ଦାଣ୍ଡରେ ଗୋଟିଏ ନଡ଼ିଆଗଛ କରିଦେଲା, ତା ଘୋଡ଼ାକୁ ତାଳଗଛ କରିଦେଲା । ଏହିପରି ଛଅ ଭାଇଯାକ ଲୀଳାବତୀକୁ ଆଣିବାକୁ ଗଲେ, ସମସ୍ତେ ସେଆଡ଼େ ନଡ଼ିଆଗଛ ହୋଇ ରହିଲେ । ଆଉ କିଏ ଅଛି ଯେ କିଏ ଯିବ, ସମସ୍ତେ ତୁନିତାନି ହୋଇ ରହିଲେ । ବଡ଼ ଭାଇ ଭାରିଯାର ଗର୍ଭ ହୋଇଥାଏ, ତାର ଗୋଟିଏ ପୁଅ ହେଲା । ପୁଅଟିକୁ ଚାରି ଛ ବର୍ଷ ହେଲାରୁ ତାକୁ ଅବଧାନ ପାଖରେ ପାଠ ପଢ଼ାଇଲା । ପୁଅଟିର ନା ଦେଇଥାନ୍ତି ବିଶିକେସନ । ବିଶିକେସନ ଚାହାଳିରେ ପଢ଼ୁଚି, ଦିନେ ତାହାର ଖଡ଼ି ଗଡ଼ିଗଲା । ସେ ମାଗିବାରୁ, ଆଉ ପିଲାମାନେ ତାକୁ କହିଲେ, ‘ଅଣବାବୁଆରେ ପଣ ଯାଉଚି ନା ଖଡ଼ୀ ଗଡ଼ିଗଲେ ଦେ ବୋଲୁଚି’ । ବିଶିକେସନ ତାର ବାପା କିଏ ଜାଣେନା, କି ଅନ୍ୟପିଲାମାନେ କେହି ଜାଣନ୍ତି ନାହିଁ । ଏଇଥି ଲାଗି ପିଲାମାନେ ତାକୁ ଏପରି କହିଲେ । ବିଶିକେସନ ସେଦିନ ଚାହାଳିରୁ ଆସି ବିଲେଇ ଗୁହ ଶଣ ଶଣ ମୂଷାମାଟି କଣ କଣ ଏହିପରି ଗୋଟିଏ ଘରେ ଶୋଇଲା । କେତେଠାଇଁ କେତେ ଖୋଜିଲେ କୋଉଠି ତାକୁ ପାଇଲେ ନାହିଁ । ତାର ମା କାନ୍ଦୁଣି ମାନ୍ଦୁଣି ହୋଇ ତାକୁ ଖୋଜୁଥାଏ, ‘ବିଲେଇ ବୋଇଲା ମ୍ୟାଉଁ ମ୍ୟାଉଁ ଦୁଧଭାତ କରି ଗୁଣ୍ଡିଏ ଖାଉ ପୁଅକୁ ଦେଖାଇ ଦେଉଁ’ । ବିଲେଇକୁ ଦୁଧ ଭାତ ଖାଇବାକୁ ଦେଲେ, ବିଲେଇ ଖାଇସାରି ଯୋଉଘରେ ବିଶିକେସନ ଶୋଇଥିଲା, ସେ ଘର କବାଟରେ ଲାଙ୍ଗୁଡ଼ ମାରିଦେଲା ଯେ, କବାଟ ଫିଟିଗଲା । ମା ବିଶିକେସନର ମୁଣ୍ଡ ଉପରେ ବସିଲା, ଖୁଡ଼ୀମାନେ ଗୋଡ଼ ତଳେ ବସିଲେ, ପଚାରିଲେ କାହିଁକି ରୁଷିଚୁ କହ, ହଜିଯାଇଥିଲେ ଖୋଜିଦେବୁ, ଭାଙ୍ଗିଯାଇଥିଲେ ଗଢ଼ାଇଦେବୁ, କାହିଁ ରୁଷିଚୁ କହ । ପୁଅ କହିଲା ମୋ ବାପ ଦାଦିମାନେ କାହାନ୍ତି କହ । ମା’ କହିଲା । ମା’ କହିଲା ତୁ ସେଥିରୁ କଣ ପାଇବୁ ? ବାପ ଦାଦି ତ ସାନଖୁଡ଼ୀକି ଆଣିବାକୁ ଗଲେ ସେଇଆଡ଼େ ରହିଲେ । ପୁଣି ପୁଅ ଜିଦ୍‌ କରିବାରୁ ମା ଯୋଗୀର କଥାଯାକ ତାକୁ କହିଲା । ସବୁ କଥା ଶୁଣି ପୁଅ କହିଲା, ମୁଁ ଯିବି, ବାପା ହେରିକାକୁ ମୁକ୍ତ କରି ଆଣିବି । ସମସ୍ତେ ମନା କରୁଥାନ୍ତି, ସେ ଏକା ଯିଦି କରି ବାହାରିଲା । ଘୋଡ଼ାଶାଳକୁ ଯାଇ ଦେଖିଲା ଯେ ଗୋଟିଏ ମଢ଼ିଆ ଘୋଡ଼ାଟିଏ ହସୁଚି, ତାକୁ ଆଣିଲା, ଛାଟି ଆଣିଲା, ମା ଖୁଡ଼ୀ ସମସ୍ତଙ୍କୁ ଦଣ୍ଡବତ କରି ଯୋଗୀଗାଁକୁ ଗଲା, ସେ ମାଲୁଣୀ ଘରେ ପହଞ୍ଚିଲା । ମାଲୁଣୀ ୟାକୁ ସେଠାରେ ରହିବାକୁ ମନା କରୁଥାଏ; ଏ କହିଲା ତୁ ମୋ ଘୋଡ଼ାକୁ ନେଇ ଆଉ କୋଉଠି ବାନ୍ଧି ଆ, ମୁଁ ତୋ ଘରେ ମାଇପି ବେଶ ହୋଇ ରହୁଚି । ଯୋଗୀ ଯଦି ପଚାରିବ କହିବୁ ଏ ମୋର ଝିଆରୀ, ମୁଁ ତ ବୁଢ଼ୀ ହେଲିଣି, ଯଦି ମରିଯିବି ନୂଆ ସାଆନ୍ତାଣୀଙ୍କ ପାଇଁ ଫୁଲ କିଏ ଗୁନ୍ଥିବ ? ଏ ଯୋଗୁଁ ୟାକୁ ଆଣି ରଖିଚି । ବିଶିକେସନ ଗୁରାଏ କଳା ବୋଳି ହୋଲା, ଖଡ଼ୁ ଶାଢ଼ୀ ପିନ୍ଧି ସ୍ତିରୀରୂପ ଧରିଲା, ତା ଘରେ ରହିଲା । ଯୋଗୀ ଆସିଲା, ମାଲୁଣୀଠାରୁ ଫୁଲ ନେଇଗଲା, ବିଶିକେସନକୁ ମାଲୁଣୀର ଝିଆରି ବୋଲି ବୁଝିଲା । ଏହିପରି ଥାଏ, ଦିନେ ବିଶିକେସନ ମାଲୁଣୀକି କହିଲା ମାଉସୀ ! ମୁଁ ଖଣ୍ଡିଏ ଫୁଲ ଗୁନ୍ଥନ୍ତି ? ମାଲୁଣୀ କହିଲା ନାହିଁରେ ପୁଅ ଅସୁନ୍ଦର ହେଲେ ଯୋଗୀ ଆଉ ମତେ ରଖିବ ନାହିଁ । ଏ କହିଲା ସୁନ୍ଦର ହେଲେ ନେଇଯିବୁ ଅସୁନ୍ଦର ହେଲେ ଫୋପାଡ଼ି ଦେବୁ । ବିଶିକେସନ ଯୋଉ ଫୁଲ ଗୁନ୍ଥିଲା ସେ ବଡ଼ ସୁନ୍ଦର ହେଲା, ମାଲୁଣୀ ତାକୁ ନେଇ ଲୀଳାବତୀକୁ ଦେଲା । ବିଶିକେସନ ସେ ଫୁଲମାଳରେ ଗୋଟିଏ କେତକୀ ପାଖୁଡ଼ାରେ ଭାଷା ଲେଖି ଗୁନ୍ଥିଥାଏ । ଲୀଳାବତୀ ଦେଖୁ ଦେଖୁ ସେ ଭାଷା ଖଣ୍ଡକ ଖସିପଡ଼ିଲା, ପଢ଼ି ଦେଖେ ଯେ, ତାର ପୁତୁରା ବିଶିକେସନ ତାକୁ ନେବାକୁ ଆସିଚି । ଯୋଗୀର ଜୀବନ କୋଉଠି ଅଛି କଥାରେ ତାକୁ ପଚାରି କହିବାକୁ ଲେଖିଚି । ମନର କଥା ମନରେ ଥାଏ, ଦିନେ ଲୀଳାବତୀ ଯୋଗୀ ସଙ୍ଗେ କଥାବାର୍ତ୍ତା କରୁ କରୁ ପଚାରିଲା ହେ ! ତମେ ଯଦି ମରିଯିବ, ମତେ କିଏ ପୋଷିବ-? ତେମେ ସିନା ମୋତେ ଅନାସ୍ତ କରିଯିବ । ଯୋଗୀ କହିଲା ମୁଁ କଣ ସହଜରେ ମରିବି-? ଦରିଆ ଭିତରେ ସାତତାଳ ପାଣି, ସାତତାଳ ପଙ୍କ, ପଙ୍କ ଭତିରେ ଗୋଟିଏ ପରୁଆ, ତା ଭିତରେ ଗୋଟିଏ ସାନ ଫରୁଆ, ତା ଭିତରେ ବଗଟି ଅଛି, ତାକୁ ଯଦି କିଏ ଆଣି ବେକ ମୋଡ଼ି ଦେବ ତେବେ ମୋ ପ୍ରାଣ ଯିବ । ଦରିଆ ଭିତରକୁ ଫେର୍ କିଏ ଯିବ ? ମାଛ, ମଗର, କୁମ୍ଭୀର, ଖାଇଯିବେ । ଯଦି କିଏ ଏ ଗାଁ ପାଖେ ଠାକୁରାଣୀଙ୍କ ଅନୁସରଣ କରି ତାଙ୍କ ହାତରେ ଯେ ବାରହାତ ଖଣ୍ଡା ଅଛି, ତାକୁ ପାଇବ ତେବେ ସେ ଖଣ୍ଡା ହାତରେ ଥିଲେ ମାଛ, ମଗର, କିଛି କରିବେ ନାହିଁ । ଲୀଳାବତୀ ଏସବୁ କଥା ବିଶିକେସନଙ୍କ ପାଖକୁ ଲେଖି ପଠାଇଲା । ବିଶିକେସନ ସେ ଠାକୁରାଣୀଙ୍କ ପାଖରେ ସାତ ରାତି ସାତ ଦିନ ଗୁହାରିଆ ପଡ଼ିଲା । ଠାକୁରାଣୀ ପ୍ରସନ୍ନ ହୋଇ ତାକୁ ଆପଣା ହାତରେ ଖଣ୍ଡା ଦେଲେ; କହିଲେ ଏ ଖଣ୍ଡା ସବୁବେଳେ ହାତରେ ରଖିଥିବୁ, ଦରିଆରେ ବୁଡ଼ିଲା ବେଳେ ଯଦି ମାଛ, କୁମ୍ଭୀର, ମଗର ଆସିବେ ତେବେ ଲିଆ ଭାଜି ନେଇଥିବୁ, ଲିଆ ବୁଣିଦେଲେ ସେମାନେ ତାକୁ ଖାଇବାକୁ ଲାଗିବେ, ପାଖକୁ ଆସିବେ ନାହିଁ-। ଠାକୁରାଣୀଙ୍କଠାରୁ ଏହିପରି ଆଜ୍ଞା ପାଇ ବିଶିକେସନ ମାଲୁଣୀ ପାଖକୁ ଗଲା, ତାକୁ ଏସବୁ କଥା କହି ଅଣ୍ଟିରେ ଲିଆଗୁଡ଼ିଏ ନେଇ ଦରିଆକୂଳକୁ ଗଲା । ଦରିଆ ମଝିରେ ପଶି ଫରୁଆଟି ଆଣିଲା, ଠାକୁରାଣୀଙ୍କ ଖଣ୍ଡା ଥାଏ ହାତରେ, କେହି ଜୀବଜନ୍ତୁ କିଛି କଲେ ନାହିଁ । ଫରୁଆଟି ଆଣି ସେ ମାଲୁଣୀ ଘରକୁ ଫେରିଆସିଲା, ତା ଘୋଡ଼ା ଉପରେ ଚଢ଼ି ସେ ଯୋଗୀ ଦୁଆରକୁ ଗଲା । ଦରିଆ ଭିତରୁ ଫରୁଆଟି ଆଣିଲାବେଳୁଁ ଯୋଗୀକୁ ଜର ହୋଇଥାଏ, ଯୋଗୀକି ଦାଣ୍ଡକୁ ଡାକିଲା, ତାକୁ ସେ ଫରୁଆଟି ଦେଖାଇଲା-। ଯୋଗୀ ଯେତେ ନେହୁରା ନମସ୍ତ ହୋଇ ସେ ଫରୁଆଟି ମାଗିଲା, ତା ଶୁଣୁଚି କିଏ ? ବିଶିକେସନ କହିଲା ଆଗେ ମୋ ବାପା ଛ ଦାଦିଙ୍କୁ ଦେ, ସେମାନଙ୍କ ଘୋଡ଼ା ଦେ-। ଯୋଗୀ ସେମାନଙ୍କୁ ନିଜ ରୂପ ଦେଲା । ମାଲୁଣୀଘର ବଂଶ, ଧୋବାଘର ବଂଶ ଆଉ ସେ ଗାଁରେ ଯେତେ ଲୋକଙ୍କୁ ଯୋଗୀ ଗଛ ବୃକ୍ଷ କରି ବନ୍ଦ କରିଥିଲା, ସେମାନଙ୍କୁ ମନିଷ କଲା । ଯୋଗୀ ବିଶିକେସନଠାରୁ ଫରୁଆଟି ନେବ ବୋଲି ବଡ଼ ବ୍ୟସ୍ତ ହେଉଥାଏ । ବିଶିକେସନ କହିଲା ତୁ ନିଆଁ କର ମୁଁ ଦେବି । ଯୋଗୀ ନିଆଁ ଅତଡ଼ାଏ ଲଗାଇଲା ବିଶିକେସନ ଫରୁଆଟି ଫିଟାଇ ତା ଭିତରୁ ବଗଟି ବାହାର କରି ସମସ୍ତଙ୍କ ଆଗରେ ତା ବେକ ମୋଡ଼ିଦେଇ ନିଆଁରେ ପକାଇଦେଲା । ଯୋଗୀ ମୁଠୁଣିଏ ଜିଭ କାଢ଼ି ସେଇକ୍ଷଣି ମରିଗଲା । ବିଶିକେସନ ବାପ ଦାଦି ସାତ ଭାଇ ଆଉ ଲୀଳାବତୀକୁ ଘେନି ଘରକୁ ଆସିଲା । ଆନନ୍ଦରେ ଘର ଦୁଆର କଲା, ମୁଁ ଗଲାକୁ କଥା ନକହିଲା-। ମୋ କଥାଟି ସରିଲା ଇତ୍ୟାଦି ।

Image

 

ଅଳାଁକଣ୍ଢେଇ କଥା

 

ଦୋଟି ମୂଲିଆ ମୂଲିଆଣୀ ଥାନ୍ତି, ମୂଲିଆଟି ରଜାଘରୁ ମୂଲ ଲାଗି ଧାନ ଗଉଣୀଏ ଆଣେ, ତାକୁ ନିତି ଖାଇ ଦିନ କଟାନ୍ତି । ଦିନକର ଅଁଳାକଣ୍ଢେଇ ବିକା ଆସିଥିଲା, ଗାଁ ଭିତରେ ସମସ୍ତେ କିଣିଲେ, ମୂଲିଆଣୀଟି ବି ଦିନକର ମୂଲଧାନ ଗୌଣିକ ଦେଇ ଗୋଟିଏ କିଣିଲା । ଟଙ୍କା ସୁନା ସାଙ୍ଗରେ ଧାନ ଗଉଣୀକ କୋଉଠି ସରି ? ଏଣୁକରି ମୂଲିଆଣୀଟି ଯୋଉ କଣ୍ଢେଇଟି କିଣିଥିଲା ତା ସବୁଠାରୁ ଅସୁନ୍ଦର ଦିଶୁଥିଲା । କଣ୍ଢେଇଟିକି ଆଣି ମୂଲିଆଣୀ ତା କୁଡ଼ିଆଘରର ଗୋଟିଏ ଠଣାରେ ରଖିଦେଇଥାଏ । ତାର ଗେରସ୍ତ କାମ ସାରି ଘରକୁ ଆସି ଦେଖିଲା ଯେ, ଖାଇବାକୁ ପିଇବାକୁ କିଛି ନାହିଁ, ମୂଲଧାନରେ ଅଳାଁକଣ୍ଢେଇଟିଏ କିଣା ହୋଇଚି । ଭୋକରେ ପେଟ ଜଳୁଛି, ଭାରିଯାକୁ ନିସ୍ତୁକ ମାଡ଼ ଚଢ଼ାଇଲା, ଉପାସ ଭୋକରେ ଫେର କାମକୁ ଗଲା, କାମରୁ ଆସି ଯାହା ମିଳିଲା ଖାଇ ଗେରସ୍ତ ଭାରିଯା ଦୁହେଁ ରାତିରେ ଶୋଇଲେ । ରାତି ପହରେ ହୋଇଚି ଅଁଳାକଣ୍ଢେଇ ଡାକ ପକାଇଲା, ‘ଲୋ କହୁଣୀଖାଇ, ମୁଁ ହଗିଯିବି ଉଠୁ ।’ ମୂଲିଆଣି ଉଠୁ ନ ଥାଏ, ଅଁଳାକଣ୍ଢେଇ ଡାକ ପକାଇବାରୁ ବିଚାରୀ ଉଠିଲା, କହିଲା ତୁ ପଛକେ ଏ ଘର କଣରେ ହଗ୍, ଆଉ ପାଟି କରନା, କାଳେ ତା ଗେରସ୍ତର ନିଦ ଭାଙ୍ଗିଯିବ, ଏହି ଭୟରେ ଏପରି କହିଲା । ଅଁଳାକଣ୍ଢେଇ ସେ ଘର କଣରେ ହଗିଲା । ଫେର୍‌ ଶୋଇଛନ୍ତି, ରାତି ଦିପ୍ରହର ହେଲାଣି, ଅଁଳାକଣ୍ଢେଇ ଉଠିଲା, ଫେର୍‌ ସେହିପରି ଡାକ ପକାଇଲା । ମୂଲିଆଣୀ କହିବା ଅନୁସାରେ ଘର କଣରେ ହଗିଲା । ରାତି ଶେଷ ପହରେ ଯେତେବେଳେ ଅଁଳାକଣ୍ଢେଇ ଉଠି ପୁଣି ସେହିପରି ଡାକିଲା, ମୁଲିଆଣୀ ବିଚାରୀ ଭାରି ବିରକ୍ତ ହୋଇ କହିଲା ମୋ କାନିରେ ହଗ । ସତକୁ ସତ କଣ୍ଢେଇମଣି ଆସି ତା କାନିରେ ହଗିଦେଇ ଗଲା । ଏହିପରି ରାତି ପାହିଲା, ସକାଳୁ ଉଠି ମୂଲିଆଣୀ ଦେଖେ ଯେ ତା କାନିରେ ଘୁଅଫୁଅ କିଛି ନାହିଁ, ସୁନା ଗୁଡ଼ାଏ ! ଘରକଣକୁ ଅନାଇଦିଏ ସୁନା ଜମା ହୋଇଚି । ଆନନ୍ଦର ଆଉ ସୀମା ରହିଲା ନାହିଁ । ସ୍ୱାମୀକି ଡାକିଆଣି ସବୁ ଦେଖାଇଲା-। ଯାହାଖରଚ କରିବାର କଲେ, ବାକି ମାଠିଆରେ ପୂରାଇ ଭାଡ଼ି ତଳେ ପୋତି ରଖିଲେ । ଏହିପରି ସବୁଦିନେ କରନ୍ତି, ସେ ମୂଲିଆଣୀର ସେ ଗାଁରେ ଗୋଟିଏ ସଙ୍ଗାତ ଥିଲା, ସଙ୍ଗାତ ଦିନେ ତା ଘରକୁ ଆସିଲା ଦେଖିଲା ୟାଙ୍କ ଘରେ ସମ୍ପତ୍ତି ମାଡ଼ିଯାଉଚି ପଚାରିଲା, ଏତେ ସମ୍ପତ୍ତି କୁଆଡ଼ୁ ହେଲା ? ବୁଝିଲା ଯେ ସେଦିନ ସଙ୍ଗାତ ଯେ ଅଁଳାକଣ୍ଢେଇ କିଣିଥିଲା ତାକୁ ସମସ୍ତେ ଅସୁନ୍ଦର ବୋଲି କହୁଥିଲେ ସେ ସୁନା ହଗୁଚି । ଦି ସଙ୍ଗାତଙ୍କର ଭାରି ମନ ମିଳେ, ଦି ଦିନପାଇଁ ସେ ସଙ୍ଗାତଠାରୁ ଅଁଳାକଣ୍ଢେଇ ମାଗିନେଲା । କଣ୍ଢେଇକୁ ନେଇ ଘରକୁ ଯାଇଚି ବାଟରେ ଗୋଟିଏ ବାଇଗଣ କିଆରି ପଡ଼ିଲା । ଆଛା ସୁନ୍ଦର କଅଁଳିଆ ବାଇଗଣଟିଏ ଦେଖି ତାକୁ ଛିଣ୍ଡାଇ ନେଇ ଖାଇଲା । ଘରେ ପହଞ୍ଚି ଅଁଳାକଣ୍ଢେଇକୁ ଉତ୍ତମ ସ୍ଥାନରେ ରଖିଦେଲା । ମନ ଖାଲି ଛଟପଟ ହେଉଥାଏ କେମନ୍ତି ରାତି ହେବ । ରାତି ହେଲା ଝଟଝଟ ରନ୍ଧାବଢ଼ା କରି ଖାଇପିଇ ଶୋଇଲେ-। ରାତିପହରକ ଠେଇଁ ଅଁଳାକଣ୍ଢେଇ ବାଇଗଣ ଚୋରଣୀ ବାଇଗଣ ଚୋରଣୀ ବୋଲି ହୁରି ପକାଇଲା । ଏ ସ୍ତ୍ରୀଲୋକଟିର ଗେରସ୍ତ ଉଠିବସି କାବା ହେଲା କାହୁଁ ଗୋଟିଏ କଣ ଆଣିଚି, ବାଇଗଣଚୋରଣୀ ବୋଲି ଡକାପାଡ଼ୁଚି, ଏ ରଜା ଦେଶ, ରଜା ଶୁଣିଲେ ଏହିକ୍ଷଣି ମୋ ହୁରୁମତ ନେବେ, ଏହା କହି ତା ଭାରିଯାକୁ ଟାଙ୍କେ ଛେଚିଲା । ଅଁଳାକଣ୍ଢେଇ ଛାଡ଼ିବାର ଜନ୍ତୁ ନୁହେଁ, ଡାକୁଥାଏ ‘ଲୋ ବାଇଗଣ ଚୋରଣୀ ମୁଁ ହଗିଯିବି ଉଠୁ’ । ଏ ସ୍ତ୍ରୀଲୋକଟି ଉଠି ତାକୁ ଘରର ଏକ କଣରେ ହଗାଇଲା । ରାତିର ଦ୍ୱିତୀୟପ୍ରହର, ତୃତୀୟପ୍ରହରରେ ସେହିପରି ଘରର ଆଉ ଦୁଇ କଣରେ ହଗାଇଲା ।, ଶେଷପହରରେ ଆପଣା ଲୁଗା କାନିରେ ହଗାଇଲା । ସକାଳୁ ଉଠି ଗେରସ୍ତକୁ ସବୁ ଦେଖାଇଲା । ସୁନାମୁଣ୍ଡା ଦେଖି ଆଖି ଝଲକି ପଡ଼ିଲା । ଭାରିଯାକୁ କେତେ ଗେଲ କରି କଥା କହିଲା; କାଲିରାତିରେ ମାରିଥିବାରୁ ପିଠି ଆଉଁସି ଦେଲା । ଅଁଳାକଣ୍ଢେଇକି ଦି ଦିନ ରଖି, ଏମାନେ ସେ ମୂଲିଆଣୀକି ଫେରାଇ ଦେଇ ଆସିଲେ । ସେ ଅଁଳାକଣ୍ଢେଇକୁ ନେଇ ଘର ଦୁଆର କଲା, ଖୁବ୍‌ ସୁଖରେ ରହିଲା, ମୁଁ ଗଲାରୁ କଥା କହିଲା ନାହିଁ । ମୋ କଥାଟି ସରିଲା ଇତ୍ୟାଦି ।

Image

 

ବୁଦ୍ଧିମତୀ ସାଧବଝିଅର କଥା

 

ଗୋଟିଏ ସାଧବଝିଅ ଧୂଳିଘର କରି ଖେଳୁଚି, କଡ଼ିଏ କଉଡ଼ି ପାଇଲା । କଉଡ଼ି କଡ଼ିକ ହାତରେ ଧରି ଡିଆଉଁଥାଏ କହୁଥାଏ, ‘କଡ଼ାକେ ମରି’ କଡ଼ାକେ ତରି, କଡ଼ାକେ ଘରଦୁଆର କରି, କଉଡ଼ି କଡ଼ିକ ବେଉନ୍ତି ପାରିଲେ ସୁନାଖମ୍ୱେ ସୁନାକଳଶ ଡେରି, ରଜାପୁଅ ସେହିବାଟେ ଘୋଡ଼ାଦଉଡ଼ କରୁଥିଲା, ସାଧବଝିଅର କଥା ଶୁଣି ତାକୁ ପଚାରିଲା, କଉଡ଼ି କଡ଼ାକେ କିପରି ଏକଥା ସବୁ କରିବୁ ? ଏ କହିଲା ବୁଦ୍ଧି ଥିଲେ ସବୁ ହୋଇପାରେ । ରଜାପୁଅ ଏହାଶୁଣି କିଛି ନ କହି ଘୋଡ଼ା ଦଉଡ଼ ବନ୍ଦ କରି ଘରକୁ ଗଲା, ଗୋଟିଏ ଘରେ ତହିଁରେ ମୂଷାମାଟି କଣ କଣ ବିଲେଇଗୁହ ଶଣ ଶଣ ସେଇଘରେ ଯାଇ ଶୋଇଲା । ଖାଇଲା ପିଇଲା ବେଳକୁ ପୁଅକୁ ଖୋଜାଗଲା, ରାଣୀ କହିଲେ ଆଜି କାହିଁକି ଏତେବେଳେଯାଏଁ ପୁଅ ଆସି ନାହିଁ ? ସମସ୍ତେ ଗଲେ ଖୋଜିବାକୁ, ଅନ୍ଧିରୁ ସନ୍ଧି ଖୋଜିଲେ, କୋଉଠି ପାଇଲେ ନାହିଁ । ବିଲେଇ କହିଲା ‘ମିଉଁ ମିଉଁ ଦୁଧଭାତ କରି ଗୁଣ୍ଡାଏ ଖାଉ ପୁଅକୁ ଦେଖାଇଦେଉଁ ।’ ରାଣୀ କହିଲେ ମର୍‌ ନିଆଁ ଲଗାଟା, ସବୁଦିନେ ଖାଉଚୁ ଆଜି କଣ ନଖାଇଲେ ପୁଅକୁ ଦେଖାଇବୁ ନାହିଁ । ବିଲେଇ କହିଲା ସବୁ ଦିନେ ଖାଏଁ ଅଇଁଠାଭାତ, ଆଜି ଖାଇବି ହାଣ୍ଡିରୁ ଭାତ । ବିଲେଇକି ହାଣ୍ଡିରୁ ଭାତ ଗଣ୍ଡାଏ ବାଢ଼ିଆଣି ଦୁଧ ଗୋଳାଇ ଖାଇବାକୁ ଦେଲେ । ବିଲେଇ ଖାଇଲା, ଲାଙ୍ଗୁଡ଼କୁ ଛିଡ଼ାକରି ମିଉଁ ହୋଇ ଆଗେ ଆଗେ ବାହାରିଲା । ଯୋଉଘରେ ରଜାପୁଅ ଶୋଇଚି, ସେ ଘର କବାଟରେ ଲାଙ୍ଗୁଡ଼ ମାରିଦେଲା ଯେ, କବାଟ ଫିଟିଗଲା । ରଜା ରାଣୀ ସେ ଘର ଭିତରେ ପଶିଗଲେ, ମା ଗୋଡ଼ତଳେ ବସିଲା, ବାପ ମୁଣ୍ଡ ଉପରେ ବସିଲା, କହିଲା ହଜିଥିଲେ ଖୋଜିଦେବୁଁ, ଭାଙ୍ଗିଥିଲେ ଗଢ଼ିଦେବୁଁ, କାହିଁକି ରୁଷିଚୁ କହ । ରଜାପୁଅ କଥା କହୁ ନ ଥାଏ । ମା ବାପା ଲଗାଇ ଲଗାଇ କେତେବେଳ ସରିକି କଥା କହିଲା । କହିଲା ତମେ ଦୁହେଁ ସତ୍ୟକର, କହିବି କାହିଁକି ରୁଷିଚି । ମା କହିଲା ମା’ର ପୁଅର କି ସତ୍ୟ ? ବାପା କହିଲା ବାପର ପୁଅର କି ସତ୍ୟ ? ପୁଅ ଏକଯିଦ୍‌ ଲଗାଇଲା ଯୋଉଠୁ, ମା ବାପା ସତ୍ୟ କଲେ । ପୁଅ କହିଲା ମୁଁ ସାଧବ ଝିଅକୁ ବିଭା ହେବି । ମା ବାପା କହିଲେ ଆମ ସମାନର ବନ୍ଧୁ ହେବ, ତୋ ସମାନ କନ୍ୟା ହେବ, ତେବେ ଯାଇ ବିଭାଘର, ଏକଥା ଛାଡ଼ି ଆଉ କଣ କହ । ପୁଅ କହିଲା ମୋର ଆଉ କିଛି କଥା ନାହିଁ, ମୁଁ ସାଧବ ଝିଅକୁ ବିଭାହେବି ନହେଲେ ପ୍ରାଣ ହରାଇଦେବି । ରଜା ନାଚାର ହୋଇ ହଁ ଭରିଲେ । ବନ୍ଧୁମାନଙ୍କ ଘରକୁ ନିମନ୍ତ୍ରଣ ଗଲା, ଛାମୁଣ୍ଡିଆ ବନ୍ଧା ହେଲା, ବେଦୀ ତୋଳାହେଲା; ମହାସମାରୋହରେ ବିଭାଘର ହେଲା । ରଜାପୁଅ ଚଉଠିଦିନ ରାତିରେ ସାଧବଝିଅ ପାଟତେଣିଆ କାନିରେ କଉଡ଼ି କଡ଼ାଏ ବାନ୍ଧିଦେଇ ତାର ଧାଈ ସାଙ୍ଗରେ ତାକୁ ଏକ ବନସ୍ତରେ ସୁଆରରେ ନେଇ ଛାଡ଼ି ଆସିଲା । ସାଧବଝିଅକୁ ନିଦ ଲାଗିଥାଏ କିଛି ଜାଣି ପାରିଲା ନାହିଁ । ନିଦ ଭାଙ୍ଗିଗଲାରୁ ଦେଖେ ଯେ କେହି ନାହାନ୍ତି ଅଗନାଗନ ବନସ୍ତ ଭିତରେ ସେ ଏକା ଆଉ ତା ଧାଈ ଅଛନ୍ତି, କଉଡ଼ି କଡ଼ିଏ କାନିରେ ବନ୍ଧା ହୋଇଚି । ତାର ପୂର୍ବକଥା ସବୁ ମନେପଡ଼ିଲା, ଧାଈକି କିଛି କହିଲା ନାହିଁ, ସେ ବନସ୍ତରେ କୁଡ଼ିଆ କରି ରହିଲା । କାନିରେ ଯେଉଁ କଉଡ଼ି କଡ଼ାକ ଥିଲା ତାକୁ ଧାଈକି ଦେଲା ଲିଆ କିଣି ଆଣିବାକୁ । ଧାଈ ଲିଆ ଆଣିଲାରୁ ତାକୁ କହିଲା ନେ ୟାକୁ ବଣ ଭିତରେ ଗୋଟିଏ ପଦା ଯେଗାରେ ବୁଣିଦେ, ମୟୂର ଖାଇ କରି ପକ୍ଷୀ ଝାଡ଼ିଦେଇ ଯିବେ । ତହିଁ ଆରଦିନ ପକ୍ଷିଗୁଡ଼ିକ ଗୋଟେଇ ଆଣିଲା, ସାଧବ ଝିଅ ସେ ପକ୍ଷୀରେ ପଙ୍ଖାବୁଣି ଧାଈକି ବିକିବାକୁ ଦେଲା, ଧାଈ ବିକି ଟଙ୍କା ଆଣିଲା । ଏହିପରି ସବୁଦିନେ କରି କରି ସେ କୁଡ଼ିଆରେ କୁଡ଼ିଆଏ ଟଙ୍କା ହେଲା । ସାଧବଝିଅ କହିଲା, ଧାଈ ବେଠିଆ ଡାକି ଆଣ, ଏ ଲଟା କାଟିବେ । ଧାଈ ବେଠିଆ ଡାକି ଆଣିଲା ସେ ସବୁ ଲଟା କାଟିଲେ । କୋଠା ତୋଳିଲେ, ପୋଖରୀ ଖୋଳିଲେ, କୂଅ ବସାଇଲେ । ସାଧବଝିଅ ସେଉଠୁ ବଣିଆ ଡକାଇ ସୁନା ଅଳଙ୍କାର ଗଢ଼ାଇଲା; ରୂପାବାସନ ସାରେ କଲା, ସୁନାବାସନ ସାରେ କଲା, ରୂପାଦୀପ, ସୁନାଦୀପ, ରୂପା ପିଲିସଜ, ସୁନା ପିଲିସଜ କଲା । ସବୁ କରିସାରି ଧାଈକି କହିଲା, ଯା କେଳାସାହିରୁ କନ୍ଥା ଆଉ କେଲୁଣୀ ସଜ ଆଣିବୁ । ଧାଈ କେଲୁଣୀ ସଜ ଆଣିଲା, ସାଧବଝିଅ କେଲୁଣୀ ସଜ ସବୁ ପିନ୍ଧିଲା, ଗୋଟିଏ ଚକିଆ ହାର ବେକରେ ଲଗାଇଲା । ତା ସ୍ୱାମୀ ଘର ଯୋଉଠି, ଗଲା ସେଇଠିକି ଭିକ ମାଗିବାକୁ । ସମସ୍ତେ ଭିକ ଦେଲେ; କହିଲେ କେଡ଼େ ସୁନ୍ଦର କେଲୁଣୀଟିଏ ଆସିଚି । ସେ ରଜାପୁଅ ଆଉ ଗୋଟିଏ ବିଭାହୋଇଥାଏ ସେ କହିଲା ମୁଁ ଟିକିଏ କେଲୁଣୀକି ଦେଖନ୍ତି ? ନଅରଭିତରୁ ଜଳାବାଟେ କେଲୁଣୀକି ଦେଖିଲା । କେଲୁଣୀ ବେକରେ ଯୋଉ ଚକିଆ ହାରଟି ଥିଲା ତାକୁ ଦେଖି ନୂଆ ରାଣୀଙ୍କର ବଡ଼ ଲୋଭ ହେଲା; ରଜାପୁଅକୁ କହିଲା ମତେ ସେ ହାରଟିକୁ ଆଣିଦିଅ । ରଜା କେଲୁଣୀକି ସେ ହାରଟିକି କିଣିବାକୁ ମାଗିଲାରୁ ସେ ନାହିଁ କଲା, ନୂଆରାଣୀ ଏକ ଯିଦ୍‌ ଲଗାଇଲେ ଯୋଉଠୁ, ରଜାପୁଅ କେଲୁଣୀକି କହିଲା ସେ ହାର ପନ୍ଦର ଦିନ ପାଇଁ ଦେଇଥା, ମୁଁ ତତେ ଫେରାଇ ଦେବି, କେଲୁଣୀ ନାହିଁ ନାହିଁ କରୁଥିଲା, ରଜାପୁଅ ଯାଉଁ ଭାରୀ ଯିଗର ଲଗାଇଲା ସାଧବଝିଅ କହିଲା, ହଉ ଭଲଲୋକ ଡାକ, ମୁଁ ଭଲଲୋକଙ୍କ ଆଗରେ ତମକୁ ହାର ଦେବି । ଭଲଲୋକ ଆସିଲେ, ସାଧବଝିଅ କହିଲା ତମେମାନେ ସାକ୍ଷୀ ଥାଅ, ଏ ହାର ନଉଚନ୍ତି, ପନ୍ଦର ଦିନରେ ଫରାଇଦେବେ, ନ ଦେଲେ ୟାଙ୍କୁ ମୁଁ ସାଙ୍ଗରେ ନେଇଯିବି । ସମସ୍ତେ ସାକ୍ଷୀ ରହିଲେ, ସାଧବଝିଅ ହାର ଦେଇଗଲା । ସାଧବଝିଅ ଗୋଟିଏ ମୂଷା ପୋଷିଥାଏ, ମୂଷାକୁ କହିଲା ହଇରେ ମୂଷା ତୁ ଯାହାର ଲୁଣ ଖାଉ ତା’ର ଗୁଣ କରୁଟି ? ମୂଷା କହିଲା ତାହାର ଗୁଣ କରିବି ନାହିଁ, ଆଉ କାହାର କରିବି ? ସାଧବଝିଅ ମୂଷାକୁ କହିଲା ତୁ ଏ ଦେଶର ରଜା ଘରକୁ ଯିବୁ, ରଜାପୁଅ ଭାରିଯା ଶୋଇଥିବ ତା ବେକରେ ଯୋଉ ଚକିଆ ହାର ଅଛି ତାକୁ କାଟି ଘେନି ଆସିବୁ । ମୂଷା ଗଲା ନୂଆରାଣୀଙ୍କ ବେକରୁ ହାରଟି କାଟି ଘେନି ଆସିଲା, ସାଧବଝିଅକୁ ଦେଲା, ସାଧବଝିଅ ହାରକୁ ରଖିଲା; ପନ୍ଦରଦିନ ଛାଡ଼ି ରଜାପୁଅ ପାଖକୁ ଗଲା; କହିଲା ମୋ ହାର ଦିଅ । ରଜାପୁଅ ଗଲା, ଭାରିଯାକୁ ହାର ମାଗିଲା, ରାଣୀ ବେକ ଦରାଣ୍ଡିଲା ବେଳକୁ ହାର ନାହିଁ । ରାଣୀ କାବା ହୋଇ ବସିଲା, ରଜାପୁଅକୁ କହିଲା, ମୋହାରଟି କିଏ ନେଇଗଲାଣି । ରଜାପୁଅ ବଡ଼ ହଇରାଣରେ ପଡ଼ିଲା, ତୁନି ହୋଇ ଘରେ ଲୁଚି ରହିଲା । କେଲୁଣୀ ଡାକି ଡାକି ଥକିଲା, ରଜାପୁଅ ଆଉ ଶୁଣୁ ନଥାଏ । କେଲୁଣୀ ଭଲ ଲୋକମାନଙ୍କୁ ଡାକି ଆଣିଲା, ଭଲଲୋକସବୁ ରଜା ପୁଅକୁ ଘରୁ ଡାକି ଆଣିଲେ । ସାଧବଝିଅ କହିଲା ମୋ ହାର ଦିଅନ୍ତୁ, ନଇଲେ ମୋ ସାଙ୍ଗରେ ଚାଲନ୍ତୁ । ରଜାପୁଅ ହାରର ଦାମ ଯାଚିଲା, କେଲୁଣୀ କେଭେ ମାନିଲା ନାହିଁ, ଏକ ଯିଦ୍‌ ଲଗାଇଲା ହାର ନ ଦେଲେ ମୋ ସାଙ୍ଗରେ ଚାଲ । ଭଲ ଲୋକ କହିଲେ, କହିଛନ୍ତି ଯେତେବେଳେ ଯିବେ ନାହିଁ କଣ ! ସାଧବଝିଅ ରଜାପୁଅକୁ ସାଙ୍ଗରେ ନେଇକରି ଗଲା, ତା ଘରେ ରଖାଇଲା । କେଲୁଣୀ ବେଶ ଛାଡ଼ିଦେଇ ଭଲ ଲୁଗା ପିନ୍ଧିଲା । ପୂଜାହାରୀକି କହିଲା ଆଜି ଭଲ ରନ୍ଧାବଢ଼ା କର । ପୂଜାହାରୀ ରୋଷେଇ ବାସ କଲା । ସାଧବଝିଅ ଯୋଉଘରେ ବସାଉଠା କରେ ସେହିଘରେ ଯେଗାଦେଲା । ରଜାପୁଅକୁ ଡାକି ଆଣିଲେ ଖାଇବାକୁ । ଭାତ ତରକାରୀ ସବୁ ସୁନାବାସନ ରୂପାବାସନରେ ବଢ଼ାହୋଇଥାଏ । ରଜାପୁଅ ଖାଇବସି ଦରଖିଆ ହେଲାଣି ସାଧବଝିଅ କହିଲା, କଡ଼ାକେ ମରି କଡ଼ାକେ ତରି କଡ଼ାକେ ଘରଦୁଆର କରି; କଡ଼ାଏ କଉଡ଼ି ବେଉନ୍ତି ପାରିଲେ ନୃପତିକୁମରେ ବନ୍ଦୀ ବି କରି ।” ରଜାପୁଅ ସବୁ ବୁଝିପାରିଲା, ଖାଇଲାଠଉଁ ଉଠି ଯାଇ ସାଧବଝିଅ ହାତକୁ ଧରିପକାଇଲା, କହିଲା ତମେ ସେହି । ମୋ ଦୋଷ କ୍ଷମା କର । ଏହା କହି ସାଧବଝିଅକୁ ଘରକୁ ନେଇଗଲା, ତାକୁ ପାଟରାଣୀ କଲା, ଦି ଭାରିଯାକୁ ଘେନି ସୁଖରେ ରହିଲା; ମୁଁ ଗଲାକୁ କଥା ନ କହିଲା । ମୋ କଥାଟି ସରିଲା, ଫୁଲଗଛଟି ମରିଲା ।

 

ହଇରେ ଫୁଲଗଛ କାହିଁକି ମରିଲୁ ? ମତେ ଗାଈ ଖାଇଗଲା ।

 

ହଇରେ ଗାଈ କାହିଁକି ଖାଇଲୁ ? ମତେ ଗଉଡ଼ ଜଗିଲା ନାହିଁ ।

 

ହଇରେ ଗଉଡ଼ କାହିଁକି ଜଗିଲୁ ନାହିଁ ? ମତେ ବଡ଼ବୋହୂ ଭାତ ଦେଲା ନାହିଁ ।

 

ହଇଲୋ ବୋହୂ କାହିଁକି ଭାତ ଦେଲୁନାହିଁ ? ମତେ ପୁଅ ଛାଡ଼ିଲା ନାହିଁ ।

 

ହଇରେ ପୁଅ କାହିଁକି ଛାଡ଼ିଲୁ ନାହିଁ ? ମତେ ଧୂଳିଆଜନ୍ଦା କାମୁଡ଼ିଲା ।

 

ହଇରେ ଧୂଳିଆଜନ୍ଦା କାହିଁକି କାମୁଡ଼ିଲୁ ? ମୁଁ ତଳେ ତଳେ ଥାଏଁ କଅଁଳ ମାଉଁସ ପାଇଲେ ରୁଟ୍‌ କରି ଖାଏଁ ।

Image